Unknown

 

 

 

 

 

 

 

 

 

ରକ୍ତଦାନ

ଚିନ୍ତାମଣି ମହାନ୍ତି

 

ପ୍ରଥମ ପରିଚ୍ଛେଦ

 

ବେଳ ପ୍ରହରକରୁ ବଜିଗଲାଣି । ସର୍କାରୀ ଘଡ଼ିରେ ଟଂ ଟଂ କରି ନଟା ବାଜିଗଲା । ଦିବସର ଏହି ସମୟଟା ବଡ଼ ମଧୁର । ଏହା ତାର କୈଶୋର କାଳ । ଆକାଶ ଇନ୍ଦୀବରନୀଳିମା ବୋଳିହୋଇ ଗଭୀର ଦୃଷ୍ଟିରେ ପୃଥିବୀର ଶୋଭା ଦେଖୁଅଛି । ସୂର୍ଯ୍ୟଙ୍କର କୈଶୋର କିରଣର କନକପ୍ରଭା ଧରଣୀବକ୍ଷରେ ବିସ୍ତୃତ ହୋଇ ପଡ଼ୁଅଛି । କୈଶୋରର କମନୀୟ ପ୍ରଭାରେ ସୃଷ୍ଟି ସମ୍ମାର୍ଜିତ । ସେଥିରୁ ଲାବଣ୍ୟ ଝରିପଡ଼ୁଅଛି । ଭାବୁକ, ସାଧକ ନେତ୍ର-ମୁଖରେ ସେହି ଅମୃତ ପାନକରି କୃତାର୍ଥ ହେଉଅଛନ୍ତି । ଦେବାଳୟରେ ଭୋଗ, ଆରତିର ଘଣ୍ଟା ମଧୁର ସ୍ୱରରେ ବାଜି ଉଠୁଅଛି । ପକ୍ଷିବୃନ୍ଦ ବିତତ ଶାଖା ବୃକ୍ଷ ଉପରେ ସଭାକରି ବସିଅଛନ୍ତି । କେତେ ମଧୁମ୍ରକ୍ଷିତ ଲଳିତ ସ୍ୱରରେ ବିହଙ୍ଗୀୟ ଭାଷାରେ କି ଅବୋଧ୍ୟ ଆଭାଷଣ ପ୍ରକାଶ କରୁଅଛନ୍ତି, ତାହା ସେହିମାନେ ଜାଣନ୍ତି । କେହି ବ୍ୟଥାବିଦୀର୍ଣ୍ଣ କର୍କଶ କଣ୍ଠରେ ଚିତ୍କାର କରୁଅଛି; ମାତ୍ର ତାହାର ଆକାଙ୍‌କ୍ଷାର କରୁଣ ଆବେଦନ କହି ଶୁଣିବାକୁ ନାହିଁ । ସେ ସଭାରେ ବକ୍ତା ସମସ୍ତେ; ମାତ୍ର ଶ୍ରୋତା କେହି ନାହିଁ । ଯୌବନ ଅପେକ୍ଷା କୈଶୋର ଅଧିକ ସୁନ୍ଦର । ଯୌବନ କଠୋର, କୈଶୋର କୋମଳ । ଯୌବନରେ ସୌନ୍ଦର୍ଯ୍ୟ ପୂର୍ଣ୍ଣତା ପ୍ରାପ୍ତ ହୁଏ ସତ୍ୟ; ମାତ୍ର ସେ ସୌନ୍ଦର୍ଯ୍ୟରେ ଗଭୀରତା ତେତେ ଥାଏ ନାହିଁ । କୈଶୋରର ଅପ୍ରଚଣ୍ଡତା ଏବଂ ଅକଠୋରତା ସୌନ୍ଦର୍ଯ୍ୟକୁ ମଧୁର, ମହିମିତ ଏବଂ ଆକୃତିଗତ କରେ । ଫୁଟିଲା ଫୁଲଠାରୁ ଦରଫୁଟା ଫୁଲ ଅଧିକ ସୁନ୍ଦର ସିନା ! ଉଚ୍ଛୃଙ୍ଖଳ ହାସ୍ୟୋଜ୍ଜ୍ୱଳ ମୁଖ ଅପେକ୍ଷା ମୃଦୁହାସ୍ୟ ବଦନ କି ମଧୁର ନୁହେଁ ?

 

କର୍ମ-କୋଳାହଳମୟ ଏହି କୈଶୋର କାଳରେ ଚାରିଆଡ଼େ କର୍ମର କୋଟି ଉପାସନା ଲାଗିଅଛି । କର୍ମ-ଦେବତାଙ୍କ ପୂଜା-ମନ୍ତ୍ରରେ ଗ୍ରାମନଗର ମୁଖରିତ । ସ୍କୁଲପିଲାଏ ଗାଧୋଇବା ପାଇଁ ନଈ ପୋଖରୀକୁ ଧାଇଁଅଛନ୍ତି; କେହି ତର ତର ହୋଇ ଦାନ୍ତକାଠି ଭାଙ୍ଗୁଅଛି ଏବଂ ଦାନ୍ତକାଠି ଖଣ୍ଡ ଚେମଡ଼ ହେତୁ ଦନ୍ତରୂପ ତୀକ୍ଷ୍ମ ଅସ୍ତ୍ରର ସାହାଯ୍ୟ ନେଉଅଛି, କେହି ବା ଆଖିରେ କାନରେ ପୁଞ୍ଜାଏ ଗୁଞ୍ଜିଦେଇ ଗୋଟାଏ ପୁସ୍ତକ-ହିମାଳୟ କାଖରେ ଯାକି ସ୍କୁଲକୁ ଧାଇଁ ଅଛି । ସାରା ସକାଳଟାଯାକ ପାଠ ଗିଳିଗିଳି ପେଟରେ ସ୍ଥାନ କାହିଁ ଯେ ଭାତ ଗିଳିବ ? ଆଜିକାଲି ପିଲାଙ୍କୁ ଏତେ ପାଠ ଗିଳିବାକୁ ହୁଏ ଯେ, ଅନେକେ ତାହା ଜୀର୍ଣ୍ଣ କରିପାରନ୍ତି ନାହିଁ । ଓକିଲ-ମୁକ୍ତିଆରଙ୍କ ଟରଣୀମାନେ ଶିକାର ଧରିବା ଆଶାରେ କାନରେ କଲମରୂପ ବଲ୍ଲମ ଖୋସି ଧାଇଁଅଛନ୍ତି । ରାନ୍ଧୁଣୀମାନଙ୍କର ବ୍ୟସ୍ତତାର ସୀମା ନାହିଁ; ଚୁଲୀ ଲଗାଇବା, ପରିବା ଯୋଗାଡ଼ିବା, ବେସର ବାଟିବା ପ୍ରଭୃତିରେ ସେମାନେ ଅଷ୍ଟାବଧାନୀ । ନିତି କିଣି ନିତି ଖାଇବା ଲୋକେ ଉଦର-ଦେବତାଙ୍କ ଅହ୍ମଣିଆର ଉପାଦାନ ସଂଗ୍ରହ କରି ବୁଲୁଅଛନ୍ତି । କିରାନୀବର୍ଗ ସକାଳଟାଯାକ ଗଧ ଖଟଣି ଖଟି ବସାକୁ ଫେରି ଆସୁଛନ୍ତି । ଦୋକାନୀ ଚିତାଚୈତନ୍ୟ କାଟି ଗୋଛାଏ କୁଞ୍ଚିକାଠି ଧରି ସିଟି ମାରି ମାରି ଦୋକାନକୁ ଯାଉଅଛି । ସଦ୍ୟ ନିଦ୍ରୋତଥିତ କୃଷ୍ଣଭକ୍ତ (ଅଫିମସେବୀ)ମାନେ ଘରୁ ଉଠି ଆସି ପିଣ୍ଡାରେ ବସି ଭାବରେ ବିଭୋର ହୋଇ ଧ୍ୟାନ କରୁଅଛନ୍ତି । ଥରେ ଥରେ ଧ୍ୟାନ ଭାଙ୍ଗିଯାଉଅଛି, ଭକ୍ତବୃନ୍ଦର ଜବାକୁସୁମରକ୍ତ ନେତ୍ର ଅର୍ଦ୍ଧ ଉନ୍ମୀଳିତ ହୋଇ ମୁହୂର୍ତ୍ତକ ମଧ୍ୟରେ ପୁଣି ମୁଦ୍ରିତ ହୋଇ ଯାଉଅଛି । କେଉଁଠାରେ ଖାଉଁନ୍ଦ ଏବଂ ମୂଲିଆ ମଧ୍ୟରେ କଳି ଲାଗି ଅଛି । ଖାଉନ୍ଦ କହୁଅଛି, ‘‘ଆରେ ତୁ ଏଡ଼େ ଅସତ୍‌ବଦ୍‌ନିୟତି, ବେଳ ପ୍ରହରେ ନ ହେଉଣୁ ହଳ ଫିଟେଇ ଦେଇ ଚାଲିଆସିଲୁ, ଉଛୁଣି ଓଳିକର ମୂଲ ତିନିଅଣା ଗଣିନେବୁ, ତାହା ତୋତେ ବରକତ ହେବ କିମିତି ? ତୋତେ ଧର୍ମ ସହିବ ନାହିଁରେ ଠକ, ଠାପୁଆ, ନିମକହାରାମ ।’’ ମୂଲିଆ କହୁଛି- ‘‘ତୁମେ ସେମିତି କଥା କୁହ ନାହିଁ ହେ, ମୁଁ ତାହା ସହିବା ଲୋକ ନୁହେଁ । ଭାରି ତ ତିନିଅଣା ପଇସା, ଷ୍ଟେସନ ପାଖରେ ଗୋଟାଏ ବସ୍ତା ଉଠାଇଦେଲେ ମୁଁ ଘଡ଼ିକେ ଚାରିଅଣା ଅର୍ଜନ କରିବି, ତୁମ ହେତା ବି କିଆରି ନିଅ ପଛେ ମୁଁ ଆଉ ତୁମର ମୂଲିଆ ହେବି ନାହିଁ । ତୁମରି ପାଖରେ ବେଳ ପହରେ ହୋଇ ନ ଥିବ, ତୁମପରି ଦାନ୍ତ ମଳିଖିଆ କିଏ ଅଛି ଯେ, ଅଢ଼େଇ ପହରଯାଏ ଦାନ୍ତ ଘଷିବ ନାହିଁ । ଆମେ ବାବୁ ସିମିତି କରି ପାରିବୁ ନାହିଁ । ତୁମ ମନକୁ ନ ପାଇଲେ ତୁମେ ଅନ୍ୟ ମୂଲିଆ ଦେଖ, ମୁଁ ତୁମର ସେ ତେଣ୍ଟାକଥା ବରଦାସ୍ତ କରି ପାରିବି ନାହିଁ ।’’ ଏହିପରି ସମସ୍ତେ କର୍ମ ସାଧାନରେ ବିବ୍ରତ ।

 

ଜଣେ ଗୃହସ୍ଥ ତର ତର ହୋଇ ବାହାରି ଆସି ଦାଣ୍ଡପିଣ୍ଡାରେ ଥୁଆ ହୋଇଥିବା ଜଳପାତ୍ରରେ ସନ୍ତରଣଶୀଳ ମତ୍ସ୍ୟ ପ୍ରତି ଦୃଷ୍ଟି ନିକ୍ଷେପ କରି ଏବଂ ଦକ୍ଷିଣ ହସ୍ତର ମଧ୍ୟମାଙ୍ଗୁଳିରେ ଦଧି ପାତ୍ରରୁ ଟିକିଏ ଦଧି ନେଇ ତାହା କପାଳରେ ଛୁଆଁଇ ସମ୍ମୁଖସ୍ଥ ବୈଠକଖାନାକୁ ଚାଲିଗଲେ । ତାଙ୍କ ଭାବ ଭଙ୍ଗିରୁ ବୋଧ ହେଲା- ସେ କୌଣସି ଗୁରୁତର କାର୍ଯ୍ୟୋପଲକ୍ଷେ ଶୁଭ ଅନୁକୂଳ କରି ବାହାରି ଅଛନ୍ତି । ବୈଠକଖାନାଟି ଏକୁଟିଆ ଘର; ସୁତରାଂ ନିର୍ଜନ । ତାହା ସୁସଜ୍ଜିତ ନ ହେଲେହେଁ ସୁପରିଷ୍କୃତ । କେଉଁଠି ଟିକିଏ ଧୂଳି ତା ମସିରେଖାର ଦାଗ ନାହିଁ । ଯେମନ୍ତ କି କାହାର ନିପୁଣ ହସ୍ତ ସର୍ବଦା ତାହା ପ୍ରତି ସତର୍କ ରହିଅଛି । ଗୃହଟିର ପୂର୍ବ ସୌଭାଗ୍ୟର ସ୍ମୃତି ଚିହ୍ନ ସ୍ୱରୂପ ଖଣ୍ଡେ ଭଙ୍ଗା ବେହେଲା ଏବଂ ହଳେ ଫଟା ଡୁବିତାବଲା ଏକାଂଶରେ ରକ୍ଷିତ ହୋଇଅଛି । ଗୋଟାଏ କାନ୍ଥ ଆଲମାରି ମଧ୍ୟରେ କେତେଖଣ୍ଡ ଜରାଜର୍ଜର ପୁସ୍ତକ ଅଛି । ଘର ମଝିରେ ଗୋଟାଏ ଟେବୁଲ ଏବଂ ଗୋଟାଏ ଚୌକି । ଏହା ବ୍ୟତୀତ ଅନ୍ୟ କୌଣସି ଉପକରଣ ନାହିଁ । ଅନୁକୂଳକାରୀ ଚୌକିରେ ବସି ଆଲମାରୀରୁ ଖଣ୍ଡେ ମୋଟା ବହି ଟାଣିଆଣି ପଢ଼ିବାକୁ ଲାଗିଲେ । ଲୋକଟି ଅଧୁଆଡ଼ ବର୍ଣ୍ଣ ନିଷ୍ପ୍ରଭଗୌର, ଆକୃତି ପାତଳ ହୋଇ ଡ଼େଙ୍ଗା । ନାସିକା ନିମ୍ନରେ ବୀରକେଶ ଅଛି, ତାହା ଏରୂପ ଅବିନ୍ୟସ୍ତ ଯେ, ଅଗମୂଳ ବାରିବା କଠିନ । କ୍ଷୌରକାର ସୁଦ୍ଧା ସେଥିରେ ନିଜର ‘‘ନରସୁନ୍ଦର’’ ଆଖ୍ୟା ସାର୍ଥକ କରିପାରି ନାହିଁ । ପୁରୁଣା ପାଣିନାଳ ଘାସରେ ପୋତି ପଡ଼ିଲା ପରି ମସ୍ତକରେ ଅର୍ଦ୍ଧସ୍ପଷ୍ଟ ‘ଟେରି’ ରେଖା ବିଦ୍ୟମାନ । ପରିଧ୍ୟେୟ ଖଣ୍ଡିଏ ଥାନପଡ଼ା ପିନ୍ଧା, ଗୋଟାଏ ଦୀର୍ଘ ଚପ୍‌ କନ୍‌ ଗ୍ରୀବାଠାରୁ ପାଦଯାଏଁ ଲମ୍ୱିଅଛି । ସେ ଏକ ଧ୍ୟାନରେ ବସି ପୁସ୍ତକ ପଢ଼ୁଛନ୍ତି । ଟିକିଏ ହଲଚଲ ହେବାକୁ ନାହାନ୍ତି କିମ୍ୱା ପୁସ୍ତକରୁ ଚକ୍ଷୁ ଉଠାଉ ନାହାନ୍ତି ଯେମନ୍ତ କି ପ୍ରତ୍ୟେକ ଅକ୍ଷରର ପ୍ରାଣ ଭିତରେ ପଶି କଅଣ ଅନୁସନ୍ଧାନ କରୁଅଛନ୍ତି । ପଢ଼ୁଁ ପଢ଼ୁଁ ଥରେ ଥରେ ଅଧରରେ ହାସ୍ୟ ଢୋଳାଇ ପଡ଼ୁଅଛି । ସେ ହାସ୍ୟ କ୍ଷଣକେ ସ୍ପଷ୍ଟ ଏବଂ କ୍ଷଣକେ ମଳିନ । ବୋଧହୁଏ ତାଙ୍କ ହୃଦୟରଙ୍ଗାଳସରେ ଆଶା ନିରାଶାର ବିରାଟ ଅଭିନୟ ଲାଗିଅଛି । କେତେବେଳେ ଆଶା ହସାଇ ଦେଉଅଛି, କେତେବେଳେ ବା ନିରାଶା ଆସି ସେ ହାସ୍ୟ ଉପରେ ଛାୟାପାତ କରୁଅଛି ।

 

ଘଡ଼ିକ ପରେ ଗୋଟିଏ ସୁନ୍ଦରୀ ସ୍ତ୍ରୀ ଆସି ବୈଠକଖାନାରେ ପ୍ରବେଶ କଲା । ତାହା ଶରୀରରେ ଯୌବନର ପୂର୍ଣ୍ଣ ବସନ୍ତ ଶ୍ରୀ ଉଭାସିତ, ଦେହ-ସମୁଦ୍ରରେ ସୌନ୍ଦର୍ଯ୍ୟର ପରିପୂର୍ଣ୍ଣ ଜୁଆର ଉଠିଅଛି, ଦୃଷ୍ଟିଉଦାର ଏବଂ କାତରତାକ୍ଳାନ୍ତ, ମୁଖ ବାସିଫୁଲ ପରି ଶୁଷ୍କ ଏବଂ ମ୍ଳାନ । କେଜାଣି କେଉଁ ନିଦାରୁଣ ଶୋକଚିନ୍ତା-କୀଟ ଏ ସୌମ୍ୟଲତାଟିକୁ ଝାଉଁଳାଇ ଦେଇଅଛି । ଯୁବତୀର ବର୍ଣ୍ଣ ହରିଦ୍ରାଗୌର, ସତେ ଯେପରି ସେ ବିଜୁଳିକୁ ଚିକ୍‌କଣ କରି ବାଟି ସର୍ବାଙ୍ଗରେ ବୋଳି ହୋଇଅଛି । ସୌନ୍ଦର୍ଯ୍ୟର ଗୋଟାଏ ଉଜ୍ଜ୍ୱଳ ଶିଖା ଶରୀରକୁ ଆଲୋକିତ କରି ରଖିଅଛି । ଦେହଜ୍ୟୋତିରେ ପରିଧେୟ ଅର୍ଦ୍ଧମଳିନ ବସ୍ତ୍ର ଖଣ୍ଡି ମଧ୍ୟ ଉଜ୍ଜ୍ୱଳ ଦିଶୁଅଛି । ହାତରେ କେତେପଟ କାଚ ଛଡ଼ା ଅନ୍ୟ ଅଳଙ୍କାର କିଛି ନାହିଁ । ନିସର୍ଗ ସୌନ୍ଦର୍ଯ୍ୟ ଯାହାର ମହାର୍ହ ଦୁର୍ଲ୍ଲଭ ଅଳଙ୍କାର, ଅନ୍ୟ ଅଳଙ୍କାରରେ ତାହାର କି ଲୋଡ଼ା । ଯୁବତୀ ପଠନରତ ବ୍ୟକ୍ତିଙ୍କ ନିକଟବର୍ତ୍ତିନୀ ହୋଇ କହିଲା, ‘‘ଭାଇ, ପାନ ନିଅ-।’’ ପଠନିରତ ବ୍ୟକ୍ତି ନିରୁତ୍ତର । ସେ ପୁସ୍ତକ ପାଠରେ ଏ ଭଳି ତନ୍ମୟ ଥିଲେ ଯେ, ଭଗିନୀର ଆଗମନ ଜାଣି ପାରି ନାହାନ୍ତି କିମ୍ୱା ତାହାର କଥା ଶୁଣିପାରି ନାହାନ୍ତି । ଭ୍ରାତାଙ୍କୁ ନୀରବ ଦେଖି ଭଗିନୀ ପୁନଶ୍ଚ କହିଲା- ‘‘ଭାଇ, ପାନ ନିଅ ।’’ ଏଥର ଭାଇଙ୍କର ଗଭୀର ଧ୍ୟାନ ଭାଙ୍ଗିଗଲା; ମାତ୍ର ସେ ପୁସ୍ତକରୁ ଦୃଷ୍ଟି ଉଠାଇଲେ ନାହିଁ । ହାତବଢ଼ାଇ ଦେଇ ଭଉଣୀ ହାତରୁ ସାନ ଡିବାଟି ଗ୍ରହଣ କଲେ । ଭଉଣୀ ନଯାଇ ସେହିଠାରେ ଠିଆହୋଇ ରହିଲା । ତାହାର ଭାବ ଦେଖି ବୋଧହେଲା- ତାହାର କିଛି କହିବାକୁ ଅଛି; ମାତ୍ର ସେ କଥା ମୁହଁ ଫିଟାଇ କହିହେଉନାହିଁ । କେତେଥର କଥା ଜିଭ ଅଗଯାଏ ଆସି ପୁଣି ଫେରି ଯାଉଅଛି, ଅଥଚ ସେ କଥା ନ କହିଲେ ତାହାର ଚଳିବ ନାହିଁ । ମୁହଁ ଫିଟାଇ କହି ନ ହେବା କଥାର ବଡ଼ ଅସହ୍ୟ, ଯୁବତୀ ସେହି ବ୍ୟଥାରୂପ ତେନ୍ତୁଳିଆ ବିଛାର ଦଂଶନରେ ଅସ୍ଥିର ହେବାକୁ ଲାଗିଲା ।

 

କେତେକ୍ଷଣ ପରେ ଭ୍ରାତା ପୁସ୍ତକରୁ ଦୃଷ୍ଟି ଉଠାଇ ଭଗିନୀକୁ ଠିଆ ହୋଇଥିବାର ଦେଖି କହିଲେ- ‘‘ଲାବଣ୍ୟ, ତୁ ଯାଇନାହୁଁ ?’’ ଭଗିନୀ କହିଲା- ‘‘ନା, ଭାଇ, ଯାଇ ନାହିଁ ।’’ ଭ୍ରାତା କହିଲେ- ‘‘ଠିଆହୋଇ ରହିଛୁ କାହିଁକି ? କିଛି କହିବାକୁ ଥିଲେ କହ ।’’ ଏ କଥାରେ ଭଗିନୀର ହୃଦୟର ରୁଦ୍ଧ କବାଟ ଉନ୍ମୁକ୍ତ ହୋଇଗଲା । ସେ ବ୍ୟଥାସିକ୍ତ କଣ୍ଠରେ କହିଲା- ‘‘ଭାଇ, ସତେ କଅଣ ତୁମ୍ଭେ ତାଙ୍କ ଘର ନା’ରେ ମାମଲା କରି ମୋ ଲାଗି ଖୋରାକି ପୋଷାକି ଆଦାୟ କରିବାକୁ ଇଚ୍ଛା କରିଛି ?’’ ଭାଇ ଖୁବ ଗାଲେ ହସି କହିଲେ, ‘‘ହଁ ଲୋ ପାଗଳି, ଆଜି ଅର୍ଜି ଦାଖଲ କରିବି । ସେଥିଲାଗି ପରା ଏହି ଆଇନ ବହିଟା ପଢ଼ୁଥିଲି । ଆଇନରେ ସଫା ଲେଖାଅଛି,- ବିନା ଦୋଷରେ ସ୍ତ୍ରୀକୁ ତ୍ୟାଗ କଲେ ତାହାକୁ ଉପଯୁକ୍ତ ଭରଣପୋଷଣ ଦେବାକୁ ହେବ, ଏଥର ଧନମଣି ଯିବେ କୁଆଡ଼େ ? ଦେଖିବି ଭଲା କେତେ ଦିମାକ୍‌, ମାସକୁ ମାସ କୋଡ଼ିଏଟି ଲେଖାଏଁ କନ୍ଦ୍ର ଆଦାୟ କରିବି, କରିବି, କରିବି ।’’ ଭ୍ରାତାଙ୍କର ଏ ଭୀଷ୍ମପ୍ରତିଜ୍ଞା ଶୁଣି ଭଗିନୀର ପ୍ରାଣର ଅନ୍ତଃପୁର ମଧ୍ୟରୁ ଗୋଟାଏ ନୀରବ ହାହାକାର ଉଠି ଆସିଲା । କି ଗୋଟାଏ ଉତ୍ତେଜନାର ଦାରୁଣ ଆଘାତରେ ତାହାର ଗାତ୍ରରୁହ କଣ୍ଟକିତ ହୋଇଉଠିଲା; ମାତ୍ର ସେ ଆତ୍ମସମ୍ୱରଣ କରି ବେଦନାଜଡ଼ିତ ସ୍ୱରରେ କହିଲା- ‘‘ନା-ଭାଇ, ତାହା କର ନାହିଁ । ତୁମ ଗୋଡ଼ତଳେ ପଡ଼ି ମୁଁ ଏହି ଭିକ୍ଷା ମାଗୁଛି ।’’

 

ଭାଇ- ତୋତେ ମୋର ଅଦେୟ କିଛି ନାହିଁ ଲାବଣ୍ୟ । ମୁଁ ତୋତେ ସବୁ ଦେଇପାରେ, କିନ୍ତୁ ଏହା ଦେଇପାରିବି ନାହିଁ । କଅଣ କହିବି ଭଉଣି, ସେ ଯେଉଁ ମର୍ମଜଳା କଥା କହିଛି, ସେ କଥା ଉପରେ ଚକ୍ଷୁଲଜ୍ଜା ବା ମୁଖଲଜ୍ଜାର ଗୋଟାଏ ଢାଙ୍କୁଣୀ ସୁଦ୍ଧା ନାହିଁ, ତାହା ଏକାବେଳକେ ଖୋଲା ।

 

ଭଉଣୀ-ସଂସାରରେ ଅନେକ ଲୋକ ଅଛନ୍ତି, ସେମାନେ ମର୍ମକଟା କଥାରେ ଅନ୍ୟକୁ ଆଘାତ କରନ୍ତି, ସେଟା ସେମାନଙ୍କର କୁତ୍ସକୃତି; ସେଥିରେ ସେମାନେ ଗୋଟାଏ ନିର୍ଦ୍ଦୟ କୌତୁକ ଉପଭୋଗ କରନ୍ତି, କେହି କେହି ପୁଣି ଗୋଟାଏ ତୁଚ୍ଛ ଗୌରବ ଅନୁଭବ କରନ୍ତି । ସେ ଯାହା ହେଉ, ସେମାନେ ଦୁର୍ଜନ ହେଲେବୋଲି ତୁମ୍ଭେ ସଜ୍ଜନ ନ ହେବ କାହିଁକି ? ବାବାଙ୍କଠଉଁ ଶୁଣିଛି, ପାଷଣ୍ଡମନରେ ସିନା ଉଚ୍ଚ ଭାବ ସ୍ଥାନ ପାଏ ନାହିଁ, ସଜ୍ଜନମନରେ ତ ତାହା ଚିରକାଳ ଥାଏ । ମୋ ରାଣତି- ଭାଇ, ତୁମେ ଆଉ ତାଙ୍କ ଘର ନାରେ ମାଲିମାମଲା କିଛି କର ନାହିଁ ।

 

ଭାଇ- ଆଛା କଥା କହୁଛୁ ଲାବଣ୍ୟ, ସେ ମୋତେ ଅପମାନ ଦେଲା । ମୋର ତୋହପରି ଭଉଣୀ ନାଁରେ ମିଛରେ ଗୋଟାଏ ଦୁର୍ଚ୍ଛନା ଦେଇ ମୋ ମୁହଁରେ କାଳି ଲଗାଇ ଦେଲା, ଆଉ ମୁଁ ତାହାର ପ୍ରତିଶୋଧ ନେବି ନାହିଁ, ଏ ତ ବଡ଼ ମଜାର କଥା ।

 

ଭଉଣୀ- ନା ଭାଇ, ତୁମେ ରାଗ ନାହିଁ । ବାବା କହନ୍ତି ପରା- ‘‘କ୍ଷମା ଅମୃତ, ଆଉ ପ୍ରତିହିଂସା ଆଇଁଷ ।’’ ଯେଉଁ ବାପଙ୍କ ଚରିତ୍ରଗୌରବ ଦେଖି ତାଙ୍କର ଚରଣଧୂଳି ମସ୍ତକରେ ବୋଳିହେବାକୁ ମନ ବଳେ, ତୁମେ ସେହି ବାପଙ୍କର ପୁଅ ହୋଇ ପ୍ରତିହିଂସା କରିବ ? ଛି, ତାହା କରନାହିଁ ଭାଇ । ତୁମ ଭଉଣୀକୁ କଅଣ ତୁମେ ମୁଠେ ଖାଇବାକୁ ଦେଇପାରିବ ନାହିଁ । ଏତକ ମହତ୍ତ୍ୱ କି ତୁମେ ଦେଖାଇ ପାରିବ ନାହିଁ ?

 

ଭାଇ- ଏଁ, ତାହା କାହିଁକି ପାରିବି ନାହିଁ ? ତୁ ମୋର ସହେ ଦରା, ମୋ ଦେହରେ ଯେଉଁ ରକ୍ତ ଅଛି, ତୋ ଦେହରେ ବି ସେହି ରକ୍ତ ଅଛି । ଭାଇ ହୋଇଥିଲେ ତୁ ଅଧେ ଭାଗ ନିଅନ୍ତୁ, ତୋତେ ମୁଠେ ଖାଇବାକୁ ଦେବିନାହିଁ ? ତେବେ ମୋର କଥା ଏତିକି ଯେ, ସେ ପାଷଣ୍ଡଟାକୁ ପଟାଏ ନ ଘାଣ୍ଟି ସହଜରେ ଛାଡ଼ିବି ନାହିଁ । ଯା, ତୁ ଏବେ ଘରକୁ ଯା, ବେଳ ହୋଇଗଲା, ମୁଁ କଚିରୀକୁ ଯିବି ।

 

ଭାଇଙ୍କର ପ୍ରକୃତି ଭଉଣୀର ଅଜ୍ଞାତ ନୁହେଁ । ସେ ରୂପ ପ୍ରକୃତିର ଲୋକ ନଇଁଲେ ତାଙ୍କୁ ସଳଖାଇବା ସହଜ ନୁହେଁ; ଏହା ମଧ୍ୟ ସେ ଭଲଜାଣେ । ସୁତରାଂ ସେ ଆଉ କିଛି ନ କହି ବେଦନାବିକ୍ଷତ ହୃଦୟରେ ହୁତାଶନ ଜ୍ୱାଳା ବହନ କରି ସେଠାରୁ ଚାଲିଗଲା । ତାହାର ମୁଖମଣ୍ଡଳ ଆଷାଢ଼ ମେଘପରି ଭାରାକ୍ରାନ୍ତ ହୋଇଉଠିଲା । ଦେହ ଓ ମନର ଦୁର୍ବଳତା ତାହା ଲଲାଟରେ କଳଙ୍କରେଖା ଅଙ୍କିତ କରିଦେଲା । ଗୋଟାଏ ବ୍ୟଥାବୋଳା ଦୀର୍ଘନିଃଶ୍ୱାସ ଛାଡ଼ି ସେ ମନେ ମନେ କହିଲା- ‘‘ପୋଡ଼ାମୁହାଁ ଯମ, ଏହି ହଟହଟା କରିବାଲାଗି ମୋତେ ଏତେ ଆଇଷ ଦେଇଛୁ ପରା ? ତୁ ପୋଡ଼ି ଭସ୍ମ ହୋଇ ଯା’’ ଲାବଣ୍ୟ; ତୁ କ୍ରୋଧର ଆବେଗରେ ଯାହା କହ ପଛେ; ମାତ୍ର ଯମର ଜନ୍ମ ଭସ୍ମ କରିବାପାଇଁ ଭସ୍ମ ହେବାପାଇଁ ନୁହେଁ । ତୋର ସହସ୍ର ଅଭିସମ୍ପାତରେ ତାହାର କେରାଏ କେଶ ସୁଦ୍ଧା ।

Image

 

ଦ୍ୱିତୀୟ ପରିଚ୍ଛେଦ

 

ଗୁଆମାଳ ଗ୍ରାମରେ ଶ୍ରୀନାଥ ବରାଳଙ୍କର ଘର ବହୁକାଳର ପ୍ରାଚୀନ ଘର । ବରାଳ ବଂଶର ବଂଶଧରମାନେ ଐଶ୍ୱର୍ଯ୍ୟର ନିବିଡ଼ ନାଗପାଶରେ ଆବଦ୍ଧ ଥିଲେ । କିନ୍ତୁ ବର୍ତ୍ତମାନ ସେ ସୌଭାଗ୍ୟରବି ଅସ୍ତାୟମାନ । ଏହି ବଂଶର ବର୍ତ୍ତମାନ ବଂଶଧର ଶ୍ରୀନାଥ ବରାଳଙ୍କର ଅପରିଣାମଦର୍ଶିତା ଏବଂ ଅଯଥା ବ୍ୟୟବାହୁଲ୍ୟ ଏହି ଦୁର୍ଗତିର କାରଣ । ଶ୍ରୀନାଥ ନିଶାଖୋର ନୁହନ୍ତି; ମାତ୍ର ଭାରି ପଶାଖୋର । ଏହି ପଶା ହିଁ ତାଙ୍କର ଦୁର୍ଦ୍ଦଶା ଆନୟନ କରିଅଛି । ପଶାଖେଳରେ ସେ ଶକୁନିର ଗୁରୁ ସ୍ଥାନୀୟ । ଅମାବାସ୍ୟାରେ ରଜନୀ ଚନ୍ଦ୍ରର ବିଚ୍ଛେଦ ସହିପାରେ, ଅବସନ୍ତ କାଳରେ ଧରଣୀ ବସନ୍ତର ବିଚ୍ଛେଦ ସହି ରହେ; ମାତ୍ର ବରାଳଙ୍କ ବଙ୍ଗଳା ପଶାପାଲିର ବିଚ୍ଛେଦ ମୁହୂର୍ତ୍ତେ ମାତ୍ର ସହିପାରେ ନାହିଁ । ଦିନେ ଦିନେ ପଶାଖେଳରେ ଏତେ ଉନ୍ମତ୍ତତା ଜନ୍ମେ ଯେ ସକାଳୁ ସନ୍ଧ୍ୟା ହୋଇଯାଏ । ତହିଁପରେ ବରାଳେ ଯାଇ ସ୍ନାନ ଭୋଜନ କରନ୍ତି । ରାତିରେ ବେଳେ ବେଳେ ନିଦବାଉଳୀରେ କହି ଉଠନ୍ତି - ‘‘କେତେ ବାର, ପଂଝାଚାରି ନ’, ବାନ୍ଧରେ ଯୁଗବ ନ୍ଧ’’ ଇତ୍ୟାଦି ଇତ୍ୟାଦି । ଲୋକେ କହନ୍ତି- ବରାଳେ ସ୍ୱପ୍ନରେ ମଧ୍ୟ ପଶା ଖେଳନ୍ତି । ପଶା ତାଙ୍କର ଅଫିମ ଅମଳ, ତାହା ନ ହେଲେ ନ ଚଳେ । ତାଙ୍କ ମତରେ ସଂସାରରେ ଯେତେ ପ୍ରକାର ସୁଖ ସ୍ୱାଚ୍ଛନ୍ଦ୍ୟ ବିଳାସବ୍ୟସନ, ଆମୋଦ-ପ୍ରମୋଦ ଅଛି, ପଶା ସେ ସବୁଠାରୁ ଶ୍ରେଷ୍ଠ । ବରାଳଙ୍କୁ କେତେଗୁଡ଼ିଏ ନିଖଟୁ ନିଷ୍କର୍ମା ସଙ୍ଗୀ ମଧ୍ୟ ମିଳିଥିଲେ, ସେହିମାନେ ତାଙ୍କ ସୌଭାଗ୍ୟର ଶ୍ୱାନ ଶୃଗାଳ । ପଶାଖେଳ ମଧ୍ୟରେ କେଉଁଦିନ ଚୂଡ଼ାଘସା ହୁଏ, ମହଣ ମହଣ ଚୂଡ଼ା ଉଡ଼ିଯାଏ । କେଉଁଦିନ ମିଠା ଖେଚଡ଼ି ହୁଏ, ଶତ ଟଙ୍କା ପାଣିପରି ବହିଯାଏ । ଏହିପରି ପ୍ରତିଦିନ ଗୋଟାଏ କିଛିହୁଏ । ବରାଳେ ଏବଂ ତାଙ୍କର ଗଳଗ୍ରହ ସୁବନ୍ଧୁଗୁଡ଼ିକ ମହାମଉଜରେ ଦିନ କାଟନ୍ତି । ଲକ୍ଷ୍ମୀ ସ୍ୱଭାବତଃ ଚଞ୍ଚଳା, ପୁଣି ସେ ସପତ୍ନୀ ଜଞ୍ଜାଳ ସହିପାରନ୍ତି; ମାତ୍ର ପଶାର ଉତ୍ପାତ ସହିପାରନ୍ତି ନାହିଁ-। ବରାଳଙ୍କ ରଙ୍ଗ ଢଙ୍ଗ ଦେଖି ସେ ତାଙ୍କ ଘରୁ ଧୀରେ ଧୀରେ ଗୋଡ଼ କାଢ଼ିଲେ । ଜମିବାଡ଼ି ଖଣ୍ଡିକ ପଛରେ ଖଣ୍ଡିଏ ବିକ୍ରି ହେବାକୁ ଲାଗିଲା । କେତେଟା ବର୍ଷ ମଧ୍ୟରେ କର୍ପୂର ଉଡ଼ିଯାଇ ଖାଲି କନା ପଡ଼ିରହିଲା ।

 

ଶ୍ରୀନାଥ ବରାଳ ଖୁବ୍‌ ସରଳ ପ୍ରକୃତିର ଲୋକ । ସେ ଯେପରି ଅଖଳ, ସେହିପରି ଅଛନ୍ଦ ଏବଂ ଅମାୟ । ତାଙ୍କର ମୁଖ ସର୍ବଦା ପ୍ରଫୁଲ୍ଲ, ସେଥିରେ ଧୂର୍ତ୍ତତା ବା ଆତ୍ମଗରିମାର ଛାୟା ସୁଦ୍ଧା ନାହିଁ । ଦୁଃଖିର ଦୁଃଖ ଦେଖିଲେ ତାଙ୍କର କରୁଣାପ୍ରବଣ ହୃଦୟ ତରଳି ଯାଏ । ସେ ଯଥାସାଧ୍ୟ ସାହାଯ୍ୟ ନ କରି ରହିପାରନ୍ତି ନାହିଁ । ତାଙ୍କର ଆଚାରନିଷ୍ଠା ଦେଖି ତାଙ୍କ ମୂଲିଆଣୀ କହେ- ‘‘ଆମ ସାଆନ୍ତଙ୍କର ଯେତେ ‘‘ନିନ’’ (ନିଷ୍ଠା) ଜଣେ ବ୍ରାହ୍ମଣ ବି ସେତେ କରିପାରିବନାହିଁ ।’’ ବାସ୍ତବରେ ସେ ଜଣେ ଶୁଚିବନ୍ତ, ହୃଦୟୀ, ଉଳମନା ଏବଂ ମିଷ୍ଟଭାଷୀ ବ୍ୟକ୍ତି । ତରୁଣ ଯୌବନ-ସୁଲଭ ଯେଉଁ ସବୁ ଉତ୍କଟ ଉପସର୍ଗ ଉନ୍ମାର୍ଗଗାମୀ ଯୁବକମାନଙ୍କୁ ସାଦର ଆଲିଙ୍ଗନ କରନ୍ତି, ସେ ସବୁ ତାଙ୍କୁ ସ୍ପର୍ଶ କରିନଥିଲେ । ଏତେ ସଦ୍‌ଗୁଣ ଥାଇ ମଧ୍ୟ ଏକା ପଶାନୁରକ୍ତି ତାଙ୍କ ସ୍ୱଚ୍ଛ ଶୁଭ୍ର ଚରିତ୍ରର ମସିବିନ୍ଦୁ ତୁଲ୍ୟ ହୋଇଥିଲା । ବଡ଼ ବଡ଼ ମୂଲ୍ୟବାନ୍‌ ସଦୁପଦେଶରେ ଯେଉଁ ଦୋଷ ସଂଶୋଧିତ ନ ହୁଏ, ସାମାନ୍ୟ କଥାପଦକରେ ସେ ଦୋଷ ସୁଧୁରି ଯାଏ, ଏହା ଅନେକତ୍ର ଦେଖାଯାଏ । ବରାଳଙ୍କ ପୁଅ ଅର୍ଜ୍ଜୁନ ଦିନେ କାହା ପାଖରେ କହିଥିଲା ‘‘ବାବା ପଶା ଖେଳରେ ସର୍ବସ୍ୱ ହରାଇ ମୋତେ ଦାଣ୍ଡରେ ଠିଆ କରାଇ ଦେଇ ଯିବେ ।’’ ବରାଳେ ଏକଥା ଶୁଣି ବଜ୍ରାହତ ତୁଲ୍ୟ ମଣିଲେ । ତାଙ୍କର ପ୍ରାଣପୁରୁଷର ଅସ୍ଥିପଞ୍ଜର ଚୂର୍ଣ୍ଣ ହୋଇଗଲା । ମୁହଁରୁ କିଏ ରକ୍ତ ଶୋଷିନେଇ ଗଲା । ହୃଦୟ ମଧ୍ୟରୁ କିଏ ବ୍ୟଙ୍ଗ ପରିହାସ କରିବାକୁ ଲାଗିଲା । ଗୋଟାଏ ଛାତିଫଟା ଆର୍ତ୍ତନାଦ ହୃଦୟ ଫଟାଇ ବାହାରି ଆସିଲା । ସେ ଗୋଟାଏ ଅନୁତାପର ତପ୍ତ ଶ୍ୱାସ ପରିତ୍ୟାଗକରି କହିଲେ- ‘‘ହାୟ, ମୁଁ କଅଣ କଲି, ସତେତ ମୋ ପୁଅଟିକୁ ମୁଁ ଦାଣ୍ଡରେ ଠିଆ କରାଇଲି । ଧିକ୍‌ ମୁଁ ନିର୍ଲ୍ଲଜ ପାମର ।’’ ବରାଳେ ଏହିପରି ନିଜଦ୍ୱାରା ତିରସ୍କୃତ ହୋଇ ଆଉ ପଶା ଖେଳିବେ ନାହିଁ ବୋଲି ସେହିଦିନ ପ୍ରତିଜ୍ଞା କଲେ ଏବଂ ଆପ୍ରାଣ ଚେଷ୍ଟାରେ ପ୍ରତିଜ୍ଞା ପାଳନ ମଧ୍ୟ କରିବାକୁ ଲାଗିଲେ । ଏତେକାଳଯାଏ ସେ ଯେଉଁ ବିସ୍ମୃତିର ସ୍ୱପ୍ନସ୍ରୋତରେ ସନ୍ତରଣ କରୁଥିଲେ, ସେ ସ୍ୱପ୍ନ ଭାଙ୍ଗିଗଲା । ସେ ପଶାଖେଳ ଛାଡ଼ି ଯାହା କିଛି ସ୍ୱଳ୍ପ ବିଷୟ ଅବଶିଷ୍ଟ ଥିଲା, ସେଥିର ରକ୍ଷଣାବେକ୍ଷଣରେ ଆତ୍ମନିୟୋଗ କଲେ । ତାଙ୍କ ଅବସ୍ଥାର ଅବନତି ସଙ୍ଗେ ସଙ୍ଗେ ତାଙ୍କ ବନ୍ଧୁମାନେ ଆପେ ଆପେ ବିଦାୟ ନେଇଥିଲେ । ଫୁଲରୁ ମହୁ ସରିଗଲେ ଭ୍ରମରମାନେ ଉଡ଼ି ଚାଲିଯାଆନ୍ତି ।

 

ସୁଖର ଦିନ ଦେଖୁଁ ଦେଖୁଁ କୁଆଡ଼େ ଚାଲିଯାଏ; ମାତ୍ର ଦୁଃଖର ଦିନ ବଡ଼ ଦୀର୍ଘ । ବରାଳେ କେତେବର୍ଷ ଅସହ୍ୟ ଦୁଃଖରେ କଟାଇଲେ; ମାତ୍ର ତିନିବର୍ଷ ହେଲା ପୁଅ ମୁକ୍ତିଆରି କରି ସାମାନ୍ୟ କିଛି କିଛି ଉପାର୍ଜନ କରିବାରୁ ଅବସ୍ଥା ଟିକିଏ ବଦଳି ଆସୁଅଛି । ଜଣେ ମୁକ୍ତିଆରର ସାମାନ୍ୟ ଉପାର୍ଜନ ଶୁଣି କେହି କେହି ଅବିଶ୍ୱାସ କରିପାରନ୍ତି; ମାତ୍ର କଥାଟା ମିଥ୍ୟା ନୁହେଁ । ଅର୍ଜ୍ଜୁନ ମୁକ୍ତିଆରି ପାସ୍‌କରିଅଛି ସତ୍ୟ; କିନ୍ତୁ ତାହାର ମୁହଁ ନାହିଁ । ଅର୍ଥାତ୍‌ ସେ ସୁଆଲ ଜବାବ କରିପାରେ ନାହିଁ । ଏହେତୁ ହାକିମଙ୍କ ସଙ୍ଗରେ ତାହାର ଦେଢ଼ଶୁର ଭାଇବୋହୁ ସମ୍ୱନ୍ଧ । କେହି କାହାରି ମୁହଁ ଦେଖନ୍ତି ନାହିଁ । ଥରେ ସେ ଖଣ୍ଡେ ଦଲୀଲରେ ଚିହ୍ନୋଟ ପଡ଼ିଥିଲା, ହାକିମ ତାହା ଦେଖି ପେସ୍କାରକୁ ପଚାରିଲେ- ‘‘ଏ ଲୋକଟି କିଏ ?’’ ପେସ୍କାର କହିଲା- ‘‘ସେ ଜଣେ ମୁକ୍ତିଆର ।’’ ତହୁଁ ହାକିମ କହିଲେ- ‘‘କାହିଁ, ମୁଁ ତ କେବେ ତାଙ୍କ ଚେହେରା ଦେଖିନାହିଁ, ତେବେ ତାଙ୍କୁ ଚିହ୍ନିବା ସକାଶେ ଆଉ ଜଣେ ଚିହ୍ନୋଟ ଦରକାର ।’’ ମୁକ୍ତିଆରଖାନା ସହିତ ଅର୍ଜ୍ଜୁନର କୌଣସି ସମ୍ପର୍କ ନାହିଁ-। ସେ ଗୋଟାଏ ଗଛମୂଳରେ ବସି ଲୋକଙ୍କର ଦଲୀଲଦସ୍ତାବିଜ ଲେଖିଦିଏ ଏବଂ ଚିହ୍ନୋଟ ପଡ଼େ-। ଏହି ଉପାୟରେ ସେ ଯତ୍‌ସାମାନ୍ୟ ଉପାର୍ଜନ କରେ । ଲୋକେ ତାକୁ ଗଛମୂଳିଆ ମୁକ୍ତିଆର ବୋଲି କହନ୍ତି ।

 

ଶ୍ରୀନାଥ ବରାଳଙ୍କର ସନ୍ତାନ ଦୁଇଟି । ଗୋଟିଏ ପୁତ୍ର ଏବଂ ଅପରଟି କନ୍ୟା । ପୁତ୍ରଜନ୍ମର କୋଡ଼ିଏ ବର୍ଷ ପରେ କନ୍ୟାଟି ଜାତହୋଇଅଛି । ପୁତ୍ରବଧୂ ‘‘ରତ୍ନରେଖା’’ ତିନିବର୍ଷହେଲା ଆସି ଶଶୁରଘରେ ଘରକରଣା କରୁଅଛି । ବରାଳଗୃହିଣୀ କନ୍ୟାଟି ପ୍ରସବ କରି ଇହଲୋକ ତ୍ୟାଗ କରିବାରୁ ନବଜାତ ନଣଦଟିର ଭାର ରତ୍ନରେଖା ଉପରେ ପଡ଼ିଅଛି । ସେ ମଧ୍ୟ ମାତ୍ରୁପମସ୍ନେହରେ ଶିଶୁଟିକୁ ଲାଳନ ପାଳନ କରୁଅଛି । କନ୍ୟାଟି ଅପୂର୍ବ ରୂପମୟୀ, ରତ୍ନରେଖା ଆଦର କରି ତାହାର ନାମ ‘‘ଲାବଣ୍ୟ’’ ଦେଇଅଛି । ବରାଳଙ୍କ ଘରେ ଅନ୍ୟ ପିଲାପିଲି ନ ଥିଲେ । ସୁତରାଂ ସମସ୍ତଙ୍କର ସ୍ନେହ ଏକା ଲାବଣ୍ୟ ଉପରେ ଆସି କେନ୍ଦ୍ରୀଭୂତ ହେଲା । ଶିଶୁଟି ସେହି ସ୍ନେହାମୃତ ପାନକରି ଶଶିକଳାପରି କ୍ରମେ କ୍ରମେ ଗଢ଼ିଉଠିଲା । ବୟୋବୃଦ୍ଧି ସଙ୍ଗେ ସଙ୍ଗେ ତାହାର ରୂପ ମଧ୍ୟ ବୃଦ୍ଧିଲାଭକଲା । ସତେ ଯେପରି କବିକଳ୍ପିତରୂପ ଲାବଣ୍ୟ ନାମ ଧରି ସୌନ୍ଦର୍ଯ୍ୟ-ସ୍ୱର୍ଗରୁ ପୃଥିବୀକୁ ଓହ୍ଲାଇ ଆସିଅଛି ।

 

ବାପ, ଭାଇ, ଭାଉଜ ସମସ୍ତେ ଲାବଣ୍ୟକୁ ଗେହ୍ଲା କରନ୍ତି । ସେମାନଙ୍କର ସ୍ନେହର ମାତ୍ର ଏତେ ବଳିପଡ଼ିଲା ଯେ, ସ୍ନେହରେ ପେଟ ପୂରୁଥିଲେ ବାଳିକା ଅନ୍ୟଖାଦ୍ୟ ଖୋଜନ୍ତା ନାହିଁ । ସ୍ନେହ ମଧୁର; ମାତ୍ର ତାହାର ଆଧିକ୍ୟ ବିଷମୟ ହୁଏ, ଏହା ଅନେକତ୍ର ଦେଖାଯାଏ । ଲବଣ ବ୍ୟଞ୍ଜନର ସ୍ୱାଦୁ ବଢ଼ାଏ; ମାତ୍ର ଅଧିକ ପ୍ରୟୋଗ କଲେ ବ୍ୟଞ୍ଜନ ଅଖାଦ୍ୟ ହୋଇଯାଏ । ସ୍ନେହ ସଙ୍ଗେ ସଙ୍ଗେ ଶାସନ ଏବଂ ଉପଦେଶ ବଡ଼ ଉପକାରୀ ଅନ୍ୟଥା ସ୍ନେହ ଅତି ଭୟଙ୍କର ହୁଏ । ଅତିରିକ୍ତ ସ୍ନେହହେତୁ ବାଳିକା ଟିକିଏ ପ୍ରଗଲ୍‌ଭା ହୋଇଉଠିଲା । ଶାସନର ବାଧା ନପାଇ ସେହି ପ୍ରଗଲ୍‌ଭବା କ୍ରମଶଃ ବଢ଼ିବାକୁ ଲାଗିଲା । କାଳେ ମା-ଛେଉଣ୍ଡଟିର ମନକୁ ବାଧିବ, ସେଥିଲାଗି ତାକୁ କେହି କିଛି କହନ୍ତି ନାହିଁ । ସେ ପୁଅପରି ଲୁଗାପିନ୍ଧେ, ପୁଅପରି କଥାକହେ । ପୁଅଙ୍କ ମେଳରେ ଖେଳିବାକୁ ସୁଖମଣେ । ଏହିପରି ବାଳକ ସହବାସରେ ବାଳିକାର ପ୍ରକୃତି ପରିବର୍ତ୍ତିତ ହୋଇଗଲା । ତାହାର ବାଳିକା-ସୁଲଭ କୋମଳ ସ୍ୱଭାବ କଠୋର ହୋଇଉଠିଲା । ସେ ବାଗଧରି କଥା କହିପାରେନାହିଁ, ଏଣୁତେଣୁ ଅଖାଡ଼ୁଆ କଅଣ ଗୁଡ଼ାଏ କହିପକାଏ । କାହାରିକୁ ତାହାର ଲଜ୍ଜା-ସରମ ନାହିଁ । ସେ ପୁରୁଷପରି ଧସ୍‌ଧସ୍‌ ହୋଇ ଚାଲେ, ଠୋ ଠୋ ହୋଇ ହସେ, ଭଡ଼ଭଡ଼ ହୋଇ କଥା କହେ, ପୁରୁଷଙ୍କ ପରି ବସେ, କାସେ । ସ୍ଥୂଳତଃ ତାହାର ନାରୀ ସୁଲଭ କୋମଳ ବୃତ୍ତଉପରେ କର୍କଶତାର ଗୋଟାଏ କଠିନ ଆବରଣ ପଡ଼ିଗଲା । ଏ ବଦଖୋଇ ତାହା ଜୀବନରେ ଆଉ ସୁଧୁରିଲା ନାହି । ତାହାର ଏପରି ଆଚରଣ ଦେଖି ଗାଁ ମାଇକିଣାମାନେ ତାକୁ ‘‘ଅଣ୍ଡିରାଚଣ୍ଡୀ’’ ଆଖ୍ୟା ଦେଇଥିଲେ ।

 

ଲାବଣ୍ୟ କଠୋର ପ୍ରକୃତିକା ହେଲେହେଁ, ନାରୀଗୌରବ-ଯୋଗ୍ୟତା ତାହାର ଯଥେଷ୍ଟ ଥିଲା । ଗାର୍ହସ୍ଥ୍ୟ କାର୍ଯ୍ୟରେ ତାହାର ଅସାଧାରଣ ଯୋଗ୍ୟତା ଶତ୍ରୁ ମୁଖରେ ମଧ୍ୟ ପ୍ରଶଂସିତ ହୁଏ । ରନ୍ଧାବଢ଼ାରେ ସେ ଭାରି ନିପୁଣା, ଘଡ଼ିକ ମଧ୍ୟରେ ନ’ ତୁଣ ଛ’ ଭଜା କରି ଥୋଇଦେଇପାରେ । ପାନଭଙ୍ଗା, ଠା-କଟା, ଝୁଟିଆ ପ୍ରଭୃତିରେ ତାହାପରି ଗୋଟାଏ ଝିଅ ଦେଶଦୁନିଆଁରେ ବିରଳ । ସେ ନାନାପ୍ରକାର ପିଠା, ବଡ଼ି ଏବଂ ଆଚାର ତିଆରି କରିପାରେ । ଥରେ ମାତ୍ର ତାହାର ରାନ୍ଧଣା ଯେ ଖାଇଛି ସେ ତାହା ଜୀବନରେ କେବେ ଭୁଲିପାରିବ ନାହିଁ । ରନ୍ଧାବଢ଼ାରେ ସେ ସ୍ୱୟଂ ମହାଲକ୍ଷ୍ମୀ କିମ୍ୱା ଅନ୍ନପୂର୍ଣ୍ଣା । ତାହାର ସେବାପରାୟଣ ହସ୍ତ ପିତୃସେବାରେ ସତତ ପବିତ୍ର । ବଡ଼ ଭାଇଙ୍କୁ ସେ ଯଥୋପଯୁକ୍ତ ଭକ୍ତିକରେ । ତାହାରି ହସ୍ତଗୁଣରେ ବରାଳଙ୍କର ଗୃହଶ୍ରୀ ଝଟକି ଉଠୁଅଛି । ବଡ଼ ଭାଉଜ ରତ୍ନରେଖା ତାହାକୁ କନ୍ୟାଧିକ ସ୍ନେହ, ଯତ୍ନ କରେ । ସେ ତାହାର ଶରୀରର ପ୍ରାଣ ଏବଂ ପ୍ରାଣର ଆନନ୍ଦ ପ୍ରତିମା । ଲାବଣ୍ୟ ମଧ୍ୟ ଭାଉଜର କରୁଣାର ଅନାବୃତ ମୂର୍ତ୍ତି ଦେଖି ମୁଗ୍‌ଧହୁଏ ଏବଂ ବିସ୍ମୟ, ଶ୍ରଦ୍ଧା, ପୁଲକରେ ତାହାର ହୃଦୟ ଅବନତ ହୋଇଆସେ । ଲାବଣ୍ୟ ସୁନ୍ଦରପଣରେ ବିଦ୍ୟାଧରୀ, ଚରିତ୍ରରେ ଦେବୀ ଏବଂ ଗୁଣରେ ଲକ୍ଷ୍ମୀସ୍ୱରୂପା । ସେ ସାମାନ୍ୟ ଲେଖାପଢ଼ା ମଧ୍ୟ ଶିଖିଅଛି । ଦୟା ଧର୍ମ ଆଦି ତାହା ଶରୀରର ଅପାର୍ଥିବ ମହାର୍ହ ଅଳଙ୍କାର । ତାହାର ଏତେ ଗୁଣ ଏତେ ଯୋଗ୍ୟତା ଥିଲେ ମଧ୍ୟ ସେହି ପୁରୁଷସୁଲଭ କଠୋରତା ସେ ସମସ୍ତଙ୍କୁ ନିଷ୍ପ୍ରଭ କରି ରଖିଥିଲା ।

 

ଲାବଣ୍ୟ କ୍ରମେ ବଢ଼ି ଉଠିଲା । ଝିଅ ବଡ଼ହେଲେ ପିତାମାତାର ଭାଳୁଣି କିପରି ବଢ଼େ, ତାହା ଅନୁମାନର ବିଷୟ ନୁହେଁ- ଅନୁଭବର ବିଷୟ । କନ୍ୟାକୁ ସତ୍ପାତ୍ରସୁ କରିବା ଚିନ୍ତା ଶ୍ରୀନାଥ ବରାଳଙ୍କୁ ଆସି ଘାରିଲା । ତାଙ୍କର ଉପସ୍ଥିତ ଅବସ୍ଥା ସତ୍‌ପାତ୍ର ପ୍ରାପ୍ତି ଅନୁକୂଳ ନୁହେଁ; ସୁତରାଂ ନିଜକୁ ସେ ବଡ଼ ବିପନ୍ନ ମଣିଲେ । ତାଙ୍କ ବଂଶର ଝିଅମାନେ ସମସ୍ତେ ବଡ଼ଘରରେ ପଡ଼ିଅଛନ୍ତି- କେହି ବାଟିଏ ଜମିରୁ ଊଣା ଯୌତୁକ ନେଇନାହାନ୍ତି । ତାଙ୍କୁ ତ ସେହି ବଂଶ ଗୌରବ ଅକ୍ଷତରଖି ଚଳିବାକୁ ହେବ । ନଚେତ୍‌ ସମାଜରେ ତାଙ୍କର ମୁଣ୍ଡ ଯେ ତଳକୁ ହୋଇଯିବ; କିନ୍ତୁ ତାଙ୍କର ଭୂମି କାହିଁ ଯେ, ସେ କନ୍ୟାକୁ ବାଟିଏ ଜମି ଯୌତୁକ ଦେବେ । ବର୍ତ୍ତମାନ ତାଙ୍କର ଭୂମିବାଡ଼ି ଯାହାଅଛି, ତାହା ସବୁମିଶିସୁଦ୍ଧା ବାଟିଏ ହେବ ନାହିଁ । ପଛକୁ କ୍ରମେ କ୍ରମେ ମାଣେ କଣେ ଲେଖାଏଁ କିଣିଦେଇ ପାରନ୍ତେ; ମାତ୍ର ବରବଜାରରେ ସେପରି କାଳିବାସି ଚଳେନାହିଁ, ସେଠାରେ ସବୁ ନଗଦ କାରବାର-। ବର୍ତ୍ତମାନକୁ ଛାଡ଼ିଦେଇ କାହିଁକି ବା କିଏ ଭବିଷ୍ୟତକୁ ଅପେକ୍ଷା କରି ରହିବ । ଭବିଷ୍ୟତର ଗର୍ଭ ଗାଢ଼ ଅନ୍ଧକାରମୟ, ସେଥିରେ କି ଫଳ ଫଳିବ ତାହା କିଏ କହିପାରେ । ବରାଳେ ଏହିପରି ନାନାକଥା ଭାବି ଚାରିଆଡ଼ ଅନ୍ଧକାର ଦେଖିଲେ । ଶେଷରେ ଅନନ୍ୟୋପାୟ ହୋଇ କନ୍ୟାଦାୟରୁ ମୁକ୍ତହେବା ସକାଶେ ସେ ଦେବତାଙ୍କର ଶରଣାପନ୍ନ ହେଲେ । ଦେବତା ମଧ୍ୟ ତାଙ୍କ ଆକାଙ୍‌କ୍ଷାର ସକରୁଣ ଆବେଦନ ସଦୟକର୍ଣ୍ଣରେ ଶୁଣିଲେ ଏବଂ ଅଳ୍ପଦିନ ପରେ ତାଙ୍କର ମନୋମତ ସୁପାତ୍ର ଗୋଟିଏ ଘଟାଇଦେଲେ ।

 

ତିହିଡ଼ି ଗ୍ରାମରେ ଋଷିରାଜ ବୈରିଗଞ୍ଜନଙ୍କର ଘର । ତାଙ୍କର କେଉଁ ପୁରୁଷରେ କିଏ କେବେ କେଉଁ ପ୍ରବଳବୈରିକୁ ଗଞ୍ଜନ କରି ଏହି ବୀରୋଚିତ ଉପାଧି ଘେନିଥିଲେ, ତାହା କେହି ଜାଣନ୍ତି ନାହିଁ । ଗ୍ରାମର କେହି କେହି ପ୍ରାଚୀନ ଲୋକ କହନ୍ତି- ‘‘ତାଙ୍କ ବଂଶର ମୂଳ ଉପାଧି ବାରିକ ଥିଲା । ଭଣ୍ଡାରିମାନଙ୍କର ବାରିକ ଉପାଧି ଅଛି; ମାତ୍ର ସେଟା ବଡ଼ ନୀଚ ଉପାଧି । ସେଭଳି ଉପାଧି ଭଦ୍ରଜାତିର ଗ୍ରହଣୀୟ ନୁହେଁ ବୋଲି ଭାବି ଋଷିରାଜଙ୍କ ପିତା ବାରିକ ପରିବର୍ତ୍ତରେ ନିଜକୁ ବୈରିଗଞ୍ଜନ କରିନେଇଅଛନ୍ତି । ଏହି ଦୁଇ ପୁରୁଷ ହେଲା ତାଙ୍କଘରେ ଏହି ନିଜଦତ୍ତ ନବୀନ ଉପାଧି ଚଳି ଆସୁଅଛି । ତାଙ୍କ ବଂଶ ପ୍ରାଚୀନ ବଂଶ ନୁହେଁ କି ସେ ବଂଶରେ କେହି ଧନୀ ନ ଥିଲେ; ମାତ୍ର ଋଷିରାଜ ବୈରିଗଞ୍ଜନ ନିଜର କଣ୍ଟକମୁନ-ସୂକ୍ଷ୍ମ ବୁଦ୍ଧିବଳରେ ଅଧିକ ଅର୍ଥୋପାର୍ଜ୍ଜନ କରି ଖଣ୍ଡେ ଛୋଟ ଜମିଦାରୀ କିଣିଅଛନ୍ତି; ସୁତରାଂ ସେ ଏକପୁରୁଷା ଧନୀ । ଅସଦୂପାୟରେ ଅର୍ଥ ଉପାର୍ଜ୍ଜନକୁ ସେ ଅକାର୍ଯ୍ୟ ମଣନ୍ତି ନାହିଁ । ତାଙ୍କ ମତରେ ଅର୍ଥୋପାର୍ଜ୍ଜନରେ ଧର୍ମାଧର୍ମର ବିଚାର କର୍ତ୍ତବ୍ୟ ନୁହେଁ । ଯେ କୌଣସି ଉପାୟରେ ହେଉ, ଘରକୁ ଟଙ୍କା ଆଣିବା ମନୁଷ୍ୟର ପୌରୁଷ । ବୈରିଗଞ୍ଜନ ଯେଉଁପରି ଧୂର୍ତ୍ତ, ସେହିପରି ଢିମୁଆ, ନିଜର ଏବଂ ନିଜବଂଶର ଢମବ୍ୟାଖ୍ୟାନରେ ସେ ସହସ୍ରଜିହ୍ୱ । ଶ୍ରୋତା ବିଶ୍ୱାସ କରୁ ବା ନ କରୁ; ମାତ୍ର ସେ ତାକୁ ନିଜର ବଡ଼ିମା ନ ଶୁଣାଇ ଛାଡ଼ନ୍ତି ନାହିଁ । ତାଙ୍କର ବାହାରଟା ଗଙ୍ଗାଜଳ ପରି ନିର୍ମଳ; ମାତ୍ର ଭିତରେ ଭିତରେ ଗୋଟାଏ ପଙ୍କିଳ ସ୍ରୋତ ପ୍ରଚ୍ଛନ୍ନରେ ବହୁଥାଏ । ତାଙ୍କ ଗୁଣକୀର୍ତ୍ତି ସମ୍ୱନ୍ଧରେ ଅନେକ ଅଭୁତ ଜନରବ ଶୁଣାଯାଏ । ତାଙ୍କର ଦୁଇଶଘର ଗୋଖା ପ୍ରଜା ଅଛନ୍ତି । ନିରକ୍ଷର ଗୋଖାଜାତି ଅତି ସରଳ; ଜମିଦାରୀ କୁଟନୀତି ସେମାନେ ଜାଣନ୍ତି ନାହିଁ; ସୁତରାଂ ଯେତେବେଳେ ଦୁହିଁଲେ କାମଧେନୁ ପରି କ୍ଷୀରଦାନ କରନ୍ତି । ଥରେ ଇଲୀଶ ମାଛ ବେପାରରେ ଗୋଖାମାନେ ଆଶାତୀତ ଲାଭ କରିଥିଲେ-। ବୈରିଗଞ୍ଜନ ସେମାନଙ୍କ ଗ୍ରାମକୁ ଯାଇ କାହାର କେତେ ଲାଭ ହେଲାବୋଲି ପଚାରିଲେ । ଗୋଖାମାନେ ନିଷ୍ପପଟ ମଇଁଷିଆ ପ୍ରଜା ଛନ୍ଦମନ୍ଦ ବୁଝନ୍ତି ନାହିଁ । ସମସ୍ତେ ସତକଥା କହିଗଲେ । କିଏ କହିଲା- ମୋର ଆଠକୋଡ଼ି ତିନି ଗଣ୍ଡା ଲାଭ ହେଲା କିଏ କହିଲା- ମୁଁ ପଣେ ତେର ଗଣ୍ଡା ଦିଟା ଲାଭପାଇଲି, କିଏ କହିଲା ମୋତେ ତ ଗଣି ଆସେ ନାହିଁ । ସେହି ଗୋରାବ ମା ଗଣିଆଣି ରଖେ । ଏଥର ସେ ରଖିଲାବେଳେ ଦେଖିଥିଲି, ସେରକିଆ ଶୁଖୁଆ କଣ୍ଟା ଠେକିରେ ଠେକିଏ ହୋଇଥିଲା । ସମସ୍ତେ ଏହିପରି ନିଜ ନିଜ ଲାଭର ପରିମାଣ ଜଣାଇଲେ । ସେମାନେ ଜମିଦାରକୁ ଭକ୍ତି କରନ୍ତି, ତାଙ୍କ ପାଖରେ ଲୁଚାଇବେ କାହିଁକି ? ବୈରିଗଞ୍ଜନ ପଚାରିଲେ ‘‘ଆରେ ଚକିଆଗୁଡ଼ାକ ଭଲକରି ଖରାରେ ଶୁଖାଇ ପାଛୁଡ଼ି ରଖିଛ ନା ? ଗୋଖାମାନେ ଟଙ୍କାକୁ ଚକିଆ ବୋଲି କହନ୍ତି । ସେମାନେ ତାଟଙ୍କାହୋଇ କହିଲେ- କି ବୈରାସାଆନ୍ତେ ନ ଶୁଖାଇଲେ କଣହେବ-? ବୈରିଗଞ୍ଜନ କହିଲେ- ନ ଶୁଖିଲେ ଗମିଯାଇ ଛତୁ ଫୁଟିଯିବ, ଏଣୁ ଭଲକରି ଶୁଖାଇ ପାଛୁଡ଼ି ଅଗାଡ଼ି କାଢ଼ିଦେବ ଆଉ ଯେ ଭଲ ତାକୁ ରଖିବ । ଅଗାଡ଼ି ମୁଠାକ ଯାହା ବାହାରିବ ତାହା ରଖିଦେଇଥିବ ମୁଁ ଆସି ନେଇଯିବି । ସେଗୁଡ଼ାକ କିଛି କାମରେ ଆସେ ନାହିଁ ଯେ ଖାଲି ଘର ଭରସାରେ ପଡ଼ିଥିବ । କାଳେ କେତେବେଳେ କାହାର ଦରକାର ହେବ । ଗୋଖାମାନେ ବୈରିଗଞ୍ଜନଙ୍କୁ ବୈରା ବୋଲି ଡ଼ାକନ୍ତି । ବୈରାର ଉପଦେଶ ଅନୁସାରେ ସେମାନେ ଟଙ୍କାକୁ ଶୁଖାଇ କୁଲାରେ ପାଛୁଡ଼ିଲେ । ଯେଉଁ ଗୁଡ଼ିକ କୁଲାରୁ ଗଡ଼ିଯାଇ ତଳେପଡ଼ିଲା, ସେ ସବୁ ହେଲା ଅଗାଡ଼ି, ଆଉ କୁଲାରେ ଯାହା ରହିଲା ତାହା ଭଲ । ଅଗାଡ଼ି ସବୁ ବୈରା ପାଇଁ ରଖିଦେଇ ଭଲଗୁଡ଼ିକ ଘରେ ରଖିଲେ । ବୈରିଗଞ୍ଜନ ଯଥାସମୟରେ ଆସି ଗାଁରୁ ଅଗାଡ଼ିଯାକ ରୁଣ୍ଡାଇ ପୁଣ୍ଡାଇ ନେଇଗଲେ । ବୈରିଗଞ୍ଜନଙ୍କ ସମ୍ୱନ୍ଧରେ ଏହିପରି ଆହୁରି ଅନେକ ଜନବାଦ ଶୁଣାଯାଏ; ମାତ୍ର ସେ ଶୁଣା କଥାର କିଛି ପ୍ରମାଣ ନାହିଁ- ତେଣୁ ଉପେକ୍ଷିତ ହେଲା ।

 

ବୈରିଗଞ୍ଜନଙ୍କ ଜ୍ୟେଷ୍ଠପୁତ୍ର ଗଜେନ୍ଦ୍ର ଅବିବାହିତ । ସେ ସାମାନ୍ୟ ଇଂରାଜୀ ପଢ଼ିଅଛି । ଗୋଟାଏ ଟାଇଫରାଇଟିଂ କଳ କିଣି ସ୍ୱାଧୀନ ବ୍ୟବସାୟ ଆରମ୍ଭ କରିଅଛି । ପିଲାଟି ରୂପବାନ, ସ୍ୱଭାବ ଚରିତ୍ର ନିର୍ଦ୍ଦୋଷ, ତାହାରି ସଙ୍ଗରେ ଲାବଣ୍ୟର ବିବାହ ସମ୍ୱନ୍ଧ ସ୍ଥିରହେଲା । ସାଧାରଣ ଭଦ୍ରଗୃହସ୍ଥମାନେ କନ୍ୟାକୁ ଯେପରି ଅଳଙ୍କାର ଏବଂ ଯୌତୁକ ପ୍ରଭୃତି ଦିଅନ୍ତି, ଶ୍ରୀନାଥ ବରାଳ ସେହିପରି ଦେବେ, ଅଧିକନ୍ତୁ ପାଞ୍ଚମାଣ ଭୂମି ଝିଅ ନାମରେ ରେଜେଷ୍ଟରୀ କରିଦେବେ । କିନ୍ତୁ ତାହା ନଗଦ ଦେଇପାରିବେ ନାହିଁ, ପ୍ରତିବର୍ଷ ମାଣେ ଲେଖାଏ କିଣିଦେବେ । ଏହିପରି କଥା ଛାଡ଼ିଲା, ବୈରିଗଞ୍ଜନ ମଧ୍ୟ ଏ ପ୍ରସ୍ତାବରେ ସ୍ୱୀକୃତ ହେଲେ ।

 

ଯଥା ସମୟରେ ବିବାହ ହୋଇଥିଲା । ବରାଳେ କନ୍ୟାଜାମାତାଙ୍କୁ ଯେଉଁ ଦାନ-ଯୌତୁକ ଦେଲେ ତାହାର କାହାରି ଅପସନ୍ଦ ହେଲାନାହିଁ । ରତ୍ନରେଖା ପ୍ରାଣାଧିକା ନଣନ୍ଦକୁ ନିଜର ଅଳଙ୍କାରମାନ ପିନ୍ଧାଇ ଦେଇ ଗୋଟାଏ ଗୌରବଗର୍ଭ ଆତ୍ମପ୍ରସାଦ ଅନୁଭବ କଲା । ଲାବଣ୍ୟ ଶ୍ୱଶୁର ଘରେ ଯଥେଷ୍ଟ ସ୍ନେହାଦର ଲାଭକଲା । ତାହାର ଶାଶୁ କହି ବୁଲିଲେ- ‘‘ବୋହୁ କରିବତ ମୋହରି ବୋହୁପରି ବୋହୁ କରିବ । ଆହା, ଆଖି-କାନ-ନାକ-ମୁହଁ କି ସୁନ୍ଦର, ସତେ ଯେପରି ବସନ୍ତର ଫୁଲ ରାଣୀ ।’’ ପ୍ରଥମ ପ୍ରଥମ ବୋହୁକୁ ସେ ଏତେ ସ୍ନେହ କଲେ ଯେ ସେହି ସ୍ନେହର ଗୁରୁଭାର ଲାବଣ୍ୟ ପକ୍ଷରେ ଦୁର୍ବହ ହୋଇ ଉଠିଲା । ସେ ନିଜ ହାତରେ ଖାଇବାର ସୁବିଧା ପାଇଲା ନାହିଁ । ଶାଶୁ ଆଗରେବସି ଗେହ୍ଲା ବୋହୁଟିକୁ କେତେଦିନ ଯାଏ ଖୁଆଇଦେବାକୁ ଲାଗିଲେ । ଶଶୁରଙ୍କର ତ ବୋହୁଟି ଜୀବନ ଧନ, ପୁଣି ସ୍ୱାମୀର ସୁଆଗ ସବୁଠାରୁ ବଳିଗଲା । ଲାବଣ୍ୟ ‘‘ରାତିକ ଭିତରେ ହାତୀଏ’’ ଆଣି ଘର ପୂର୍ଣ୍ଣକରି ଦେଲା; ସୁତରାଂ ସେ ସ୍ନେହ ସରାଗର ପାତ୍ରୀ ନ ହେବ କାହିଁକି ? ଏହିପରି ଭାବରେ ତାହାର ବଧୂଜୀବନର ପ୍ରଥମ ଅଧ୍ୟାୟ ଶେଷ ହେଲା-। ତାହାର ରୂପ ଗୁଣରେ ଶ୍ୱଶୁରାଳୟର ସମସ୍ତ ମୁଗ୍‌ଧ, କେବଳ ରୁଢ଼ ସ୍ୱଭାବହେତୁ କେହି କେହି କ୍ଷୁବ୍‌ଧ ହୁଅନ୍ତି । ତାହାର ଠୋସ୍‌ ଠୋସ୍‌ କଥା, ଡ଼ଗ ଡ଼ଗ ଚାଲି, ଫଲ ଫଲ ଚାହାଣି ଅନେକଙ୍କୁ ଭଲ ଲାଗେ ନାହିଁ ।

 

ଦେଖୁଁ ଦେଖୁଁ ଶଗଡ଼ଚକ ପରି ଗୋଟାଏ ବର୍ଷ ଗଡ଼ିଗଲା । ବରାଳେ ପ୍ରତିବର୍ଷ ମାଣେ ଲେଖାଁଏ ଜମି କିଣିଦେବାକୁ କହିଥିଲେ; ମାତ୍ର ସେ ଏଥି ମଧ୍ୟରେ ମାଟିର ଜମିବାଡ଼ି ସମ୍ୱନ୍ଧ ଛାଡ଼ି କେଉଁ ଅନିର୍ଦ୍ଧିଷ୍ଟ ଅମାଟି ରାଜ୍ୟକୁ ଚାଲିଗଲେ । ବୈରିଗଞ୍ଜନଙ୍କ ମୁଣ୍ଡରେ ଆକାଶ ଭାଙ୍ଗିପଡ଼ିଲା । ସେ ଦୁର୍ଭାର ଚିନ୍ତାରେ ପଡ଼ିଲେ । ମନେ ମନେ ଭାବିଲେ- ତେବେ କଅଣ ପାଞ୍ଚମାଣ ଜମି ମୁଁ ପାଇବି ନାହିଁ, କାହିଁକି ନ ପାଇବି ? ସେ ମଲେ ତାର ପୁଅତ ଅଛି, ସେ କଣ ପିତୃଋଣ ପାଇଁ ଦାୟୀ ନୁହେଁ । ପିତୃସତ୍ୟ ପାଳିବା କି ପୁତ୍ରର କର୍ତ୍ତବ୍ୟ ନୁହେଁ ? ଯେଉଁ ଦେଶର ରାଜପୁତ୍ର ପିତୃସତ୍ୟ ପାଇଁ ରାଜ୍ୟ ତ୍ୟାଗକରି ବନବାସ କଲେ । ଅର୍ଜ୍ଜୁନ ସେହି ତ୍ୟାଗିଦେଶରେ ଜନ୍ମଲାଭ କରି କଅଣ ପାଞ୍ଚମାଣ ଜମି ଦେଇ ପିତୃବାତ୍ସଲ୍ୟର ଆଦର୍ଶ ଦେଖାଇ ପାରିବ ନାହିଁ ? ସେ କଣ ସୁପୁତ୍ର ନୁହେଁ, ଜାଣୁ ଜାଣୁ ପିତୃସତ୍ୟ ଆଉ ଦେଶର ଗୌରବକୁ ଜଳାଞ୍ଜଳି ଦେବ ।’’ ବୈରିଗଞ୍ଜନ ଏହିପରି ଭାବି କିଛିଦିନ ପରେ ଲୋକଦ୍ୱାରା ଅର୍ଜ୍ଜୁନକୁ ଜମି କଥା କହିପଠାଇଲେ ଏବଂ ନିଜେ ମଧ୍ୟ ଅନେକଥର ଯାଇ ମାଗିଲେ । ଅର୍ଜ୍ଜୁନ କହିଲା- ‘‘ବାବା କହିଥିଲେ ମୁଁ ତାହା ଜାଣେ । ସେ ଥିଲେ ଅବଶ୍ୟ କୌଣସି ଉପାୟ କରିଥାଆନ୍ତେ; ମାତ୍ର ମୋର ଅବସ୍ଥା ଦୃଷ୍ଟିରେ ମୁଁ କଅଣ ପରିପାରିବି ? ପିତାଙ୍କ ଅନ୍ତ୍ୟେଷ୍ଠି କ୍ରିୟାରେ ମୁଁ ଋଣଗ୍ରସ୍ତ, ସେ ଋଣ ଶୁଝିବାର ଶୀଘ୍ର ଉପାୟ ନାହିଁ ।’’ ବୈରିଗଞ୍ଜନ ଆଉ ଅଧିକ କହିବାକୁ ଅବସର ନ ଦେଇ କହିଲେ- ‘‘ଯାହାହେଉ ବାବା, ତୁମେ ଯେତେବେଳେ ପିତୃସମ୍ପତ୍ତି ଭୋଗ କରିବ, ତେତେବେଳେ ପିତୃଋଣ ତୁମ୍ଭର ଶୁଝିବା ଉଚିତ । ନ ହେଲେ ତୁମ୍ଭର ପିତା ନରକରେ ପଡ଼ିବେ ।’’ ପ୍ରଥମତଃ ଦୁହିଁଙ୍କର ଶିଷ୍ଟାଚାରସତ୍ୱେ କଥାବାର୍ତ୍ତା ଚଳିଲା, ତହିଁପରେ କଥା ଟିକିଏ କଡ଼ା ହୋଇ ଉଠିଲା, ଶେଷରେ ରୋଷାରୋଷି, ଗୁହିପୁରାଣ ଖୋଳା, ଗାଳି ଧମକ ଚମକ ପର୍ଯ୍ୟନ୍ତ ଗଲା; ମାତ୍ର କିଛି ଫଳ ହେଲାନାହିଁ । ବୈରିଗଞ୍ଜନ ହତାଶ ହୋଇ ଫେରିଆସିଲେ-

 

ଲୁହା ଦୋଷରେ ଅଗ୍ନିଦେବତା ମାଡ଼ଖାଏ; ସୁତରାଂ ପିତାର ଦୋଷ କନ୍ୟାମୁଣ୍ଡରେ ଚଢ଼ିଲା । ବୈରିଗଞ୍ଜନ ପରିବାର ପ୍ରତିଶୋଧର ଅନ୍ୟ ଉପାୟ ନ ଦେଖି ଲାବଣ୍ୟ ପ୍ରତି ନିର୍ଯ୍ୟାତନ ଆରମ୍ଭ କଲେ । ତାହାର ନାନା ଦୋଷ ବାହାରିଲା- ଗୁଣଗୁଡ଼ାକ ଖୁଣ ହୋଇଗଲା- ତୁଣ ଅଲଣା ନହେଲେ ସୁଦ୍ଧା ଅଲଣା ହୋଇଗଲା- ଭାତ ପୋଡ଼ିଗଲା, ଏହିପରି ନାନା ଦୂର୍ଚ୍ଛନା ବାହାରିଲା । ଶାଶୁ କହନ୍ତି- ‘‘ଅଙ୍ଗୁଳି ଚଟାଘର ଝିଅ, ସେ କାହୁଁ ତୁଣ ଶାଗ ରାନ୍ଧି ଜାଣିବ ।’’ ଶଶୁର କହନ୍ତି- ‘‘ତାହାର ରାନ୍ଧଣା ବିଦ୍ୟା ତ ମୁଟି ଶାଗ ମଦରଙ୍ଗା ଶାଗ ଖରଡ଼ାଯାଏ, ସେ ଆଳୁ ପଟୋଳର ମହତ୍ତ୍ୱ କଅଣ ବୁଝିବ । ଜନ୍ମକେ ତାହା ସବୁ ଆଖିରେ ବି ଦେଖି ନଥିବ । ଏହିପରି ବାକ୍ୟବାଣରେ ସମସ୍ତେ ତାକୁ ବିଦ୍ଧ କରନ୍ତି । ସେ ମଧ୍ୟ ପ୍ରତିବାଣପ୍ରୟୋଗରେ ଖୁବ୍‌ ପ୍ରବୀଣା । ଏହିପରି ବାକ୍ୟଯୁଦ୍ଧ ଲାଗେ, ପ୍ରତ୍ୟହ କଳି ହୁଏ । ବୈରିଗଞ୍ଜନଙ୍କ ଗୃହ କ୍ରମେ ଅଶାନ୍ତିମୟ ହୋଇଉଠିଲା । ଅବସର କ୍ରମେ ଲାବଣ୍ୟ ଏ ସବୁ କଥା ସ୍ୱାମୀଙ୍କୁ କହେ । ଗଜେନ୍ଦ୍ର ସବୁ ଜାଣେ ପ୍ରକୃତରେ ତୁଣ ଲୁଣୀ ବା ଅଲଣା ହୁଏନାହିଁ କିମ୍ୱା ଭାତ ପୋଡ଼ିଯାଏ ନାହିଁ । ତୁଚ୍ଛାରେ ଏ ଗୋଟାଏ ଦୁର୍ନାମ ରଟନା ଏବଂ ପିତା ଦୋଷରେ କନ୍ୟାର ଦଣ୍ଡ । କିନ୍ତୁ କଅଣ କରିବ, ପିତାମାତାଙ୍କୁ ତ ସେ ଏ ବିଷୟରେ କିଛି କହି ପାରିବ ନାହିଁ; ସୁତରାଂ ପତ୍ନୀକୁ ସହ୍ୟକରି ରହିବାକୁ ଉପଦେଶ ଦେଇ ନୀରବ ରହେ । ଲାବଣ୍ୟ ଶାଶୁ ଶଶୁରଙ୍କ ପ୍ରଥମ ସ୍ନେହ ସ୍ମରଣ କରି ଅନେକ କାନ୍ଦେ, ରାତିରେ ଖାଇଲେ ଦିନରେ ଖାଏନାହିଁ, ଦିନରେ ଖାଇଲେ ରାତିରେ ଖାଏ ନାହିଁ, କାନ୍ଦି କାନ୍ଦି ଶୋଇପଡ଼େ । ତାହା ମନରେ ଆଉ ତିଳାର୍ଦ୍ଧେ ସୁଖଶାନ୍ତି ରହିଲା ନାହିଁ ।

 

ଦିନେ ଲାବଣ୍ୟ ଚୁଲି ପାଖରେ ବସି ମାଛ ଭାଜୁଥିଲା । ଖଣ୍ଡେ ଦୂରରେ ତାହାର ଦ୍ୱାଦଶବର୍ଷୀୟା ନଣଦ ବିନୋଦିନୀ ଭାତ ଖାଉଥାଏ । ଲାବଣ୍ୟର ପଣତ କାନିରେ ଖଣ୍ଡେ ପାନ ବନ୍ଧା ହୋଇଥିଲା, ତାହା ମନରେ ପଡ଼ିଯିବାରୁ ସେ ପାନଖଣ୍ଡ କାନିରୁ ଫିଟାଇ ପାଟିକୁ ପକେଇ ଦେଲା । ବିନୋଦିନୀ ତାହା ଦେଖି ଲାବଣ୍ୟ ଭଜାମାଛ ଖଣ୍ଡେ ପାଟିକୁ ପକାଇଦେଲା ବୋଲି ମନେକଲା । ଆଉ ତାକୁ ସମ୍ଭାଳେ କିଏ ? ସେ ଭାତଖିଆ ଛାଡ଼ି ଗର୍ଜି ଗର୍ଜି ମା ପାଖକୁ ଧାଇଁଲା । ଡ଼ାକି ଡ଼ାକି କହିଲା- ‘‘ମାଆଲୋ, କୁଆଡ଼େ ଗଲୁ ଲୋ, ତୋ ବୋହୁଗୁଣ ଦେଖିବୁ ଧାଇଁଆଲୋ । ଛି ଛି, ଏଡ଼େ ଟାଉକୀ ହାଣ୍ଡିଖାଇ ଆହୁରି ଅଛନ୍ତି, ଭାଜୁ ଭାଜୁ ମାଛ ଖାଇ ଦେଉଛି ।’’ ମା ଘର ଭିତରୁ କହିଲେ- ‘‘କଅଣଲୋ ବିନ, କାହିଁକି ଡ଼ାକୁଛୁ ?’’ ବିନୋଦିନୀ କହିଲା- ‘‘ଆଉ କଣ, ମୋ ମୁଣ୍ଡ ଆଉ ଗଣ୍ଡି । ସରିଲା, ସରିଲା-ସବୁ ସରିଲା, ଏ ଘରକୁ ଲକ୍ଷ୍ମୀ ଛାଡ଼ିଲା । ଗୁଣମଣି ବୋହୁଙ୍କର ଗୁଣ ଶୁଣିବୁ ? ମାଛ ଭାଜୁ ଭାଜୁ ଖିଆ ଲାଗିଛି ।’’ ମା ଏକଥା ଶୁଣି ହାଣ୍ଡିଶାଳକୁ ଯାଇ ଫଟା ନାଗରାପରି ଖଣ୍‌ ଖଣ୍‌ ସ୍ୱରରେ କହିଲେ- ‘‘ଆଲୋ ସକଳଖାଇ ଝିଅ ଦରିଦ୍ରାଣି, ତୁ ସମସ୍ତଙ୍କୁ ଅଇଁଠା ଖୋଇବୁ-? ମାଛ ଭାଜୁ ଭାଜୁ ଖାଇ ଦେଉଛୁ, ତୋ ପେଟରେ ନିଆଁ ଲାଗିଛି ।’’ ଗୃହିଣୀଙ୍କ ମଧୁର ସ୍ୱର ଶୁଣି ବୈରିଗଞ୍ଜନ ଧାଇଁ ଆସି ସବୁ ଶୁଣି କହିଲେ- ‘‘ସେ ତ ଛୋଟଲୋକଘର ଝିଅ, ହାଣ୍ଡିଖାଈ, ଉଲେଇ, ଚୋରଣୀ ନ ହୋଇ ଆଉ କଅଣ ହେବ ।’’

 

କ୍ରୋଧ, ଘୃଣା ଏବଂ ଲଜ୍ଜାରେ ଲାବଣ୍ୟର ଦେହ ଝାଳେଇ ଆସିଲା, ସେ କର୍କଶ ସ୍ୱରରେ କହିଲା- ‘‘ମୁଁ କଅଣ ଏଡ଼େ ଡାଆଣୀ ନା ମାଛ ଭାଜୁ ଭାଜୁ ଖାଇଗଲି ? ଗୃହିଣୀ ଗର୍ଜି ଉଠି କହିଲେ- ‘‘ହଁ ଖାଇଛୁ ଅଲବତ୍‌ ଖାଇଛୁ ଆଛା ମୁଁ ଦେଖେଁ ।’’ ଏହା କହି ମାଛ ପଲମ ଉପରେ ନଇଁପଡ଼ି କହିଲେ- ‘‘ମୁଁ ତ କାଟିଲାବେଳେ ଦଶଖଣ୍ଡ ମାଛ ଗଣିଥିଲି, ଏହିତ ପଲମରେ ଆଠଖଣ୍ଡ ଅଛି, ଆଉ ଦି ଖଣ୍ଡ କାହିଁ ?’’ ଲାବଣ୍ୟ ବିରକ୍ତ ହୋଇ କହିଲା- ‘‘ଆଉ ଦି ଖଣ୍ଡ ମୁଁ ଖାଇଗଲି, ଆଛା କଲି ଖାଇଲି ବେଶ୍‌କଲି ଖାଇଲି । ମୋର କିଏ କଅଣ କରିବ କରୁ ।’’ ଗୃହିଣୀ ଆଉ ଧୈର୍ଯ୍ୟ ସମ୍ଭାଳି ପାରିଲେ ନାହିଁ, କଅଣ କହିଲୁ ପୁତଖାଇ ଝିଅ, ତୋର ଏତେ ଦିମାକ’’ ଏହି କହି ଚୁଲି ପାଖରୁ ଖଣ୍ଡେ ଅଡ଼ଚିଣା କାଠ ଟାଣିନେଇ ବୋହୁପିଠିରେ ପାହାରେ ବସାଇ ଦେଲେ । ଲାବଣ୍ୟ ଏ କାଣ୍ଡ ଦେଖି ସ୍ତମ୍ଭୀଭୂତ ହୋଇଗଲା । କ୍ରୋଧରୂପବିଷାକର ନାଗ ତାହାର ହୃଦୟ ମଧ୍ୟରୁ ଫଣାଟେକି ଗର୍ଜି ଉଠିଲା । ଅପମାନର ଦାରୁଣ ଆଘାତରେ ମର୍ମସ୍ଥଳ ରକ୍ତାକ୍ତ ହୋଇଉଠିଲା । ଓଷ୍ଠାଧର ଥରି ଉଠିଲା; କିନ୍ତୁ ସେ କିଛି କହିପାରିଲା ନାହିଁ । କେବଳ ଗୋଟାଏ ବ୍ୟଥାସିକ୍ତ ତପ୍ତ ନିଃଶ୍ୱାସ ତ୍ୟାଗ କରି ସେଠାରୁ ଉଠି ଚାଲିଗଲା । ସେଦିନ ସେ କିଛି ଖାଇଲା ନାହିଁ । ନିଜ ଘରେ କବାଟ କିଳି ଶୋଇଲା । ରାତିରେ ସ୍ୱାମିପାଖରେ ସବୁ କହିଲା । କାହିଁକି କେଜାଣି ସେ ଦିନ ଗଜେନ୍ଦ୍ରର ମନ ଭଲ ନ ଥିଲା । ସ୍ତ୍ରୀର ଅଭିଯୋଗ ଶୁଣି ସେ କହିଲା- ‘‘ତୁମର ସବୁଦିନେ ସେହି କଥା, ଘରକୁ ଆସି ଦୁଇଘଡ଼ି ସୁଖଶାନ୍ତି ଭୋଗକରିବା ମୋ କପାଳରେ ନାହିଁ । ତୁମ୍ଭମାନଙ୍କର ଯାହାର ଯାହା ଇଚ୍ଛା ତାହା କର, ତୁମ୍ଭମାନଙ୍କ ଜ୍ୱାଳାରେ ମୁଁ ଆଉ ରହିପାରିବି ନାହିଁ- ଘରଛାଡ଼ି ଚାଲିଯିବି ।’’ ଏ କଥା ଶୁଣି ଲାବଣ୍ୟର ପ୍ରାଣପୁରୁଷ ମୂର୍ଚ୍ଛିତ ହୋଇପଡ଼ିଲା । ସେ ମନେ ମନେ ଭାବିଲା- ‘‘ତେବେ ଏ ଘରେ ଆଉ ମୋର କିଏ । ମୋତେ ଏଠି କିଏ ରକ୍ଷାକରିବ ମୁଁ ଢେର ସହିଛି, ଆଉ ଏଣିକି ସହିପାରିବି ନାହିଁ । ସହିବାର ବି ତ ଗୋଟାଏ ସୀମା ଅଛି, ଆଉ ସହି ସହି ଅବା କଅଣ ହେଲା- ଯେତିକି ସହି ରହିଲି, କଳଙ୍କର ବୋଝ ତେତିକି ମୁଣ୍ଡାଇବାକୁ ହେଲା ।’’ ଲାବଣ୍ୟ ଏହିପରି ନାନା କଥା ଭାବି ଘରୁ ବାହାରି ଆସିଲା । ସେହି ଦିନ ଜଣେ ଗଉଡ଼ୁଣୀ ବୋଝେ କମଳାଲେମ୍ୱୁ ଘେନି ତାହା ବାପଘରୁ ଆସିଥିଲା । ସେ ଖାଇସାରି ଅମାର ପରସ୍ତରେ ଶୋଇଥିଲା । ଲାବଣ୍ୟ ଧୀରେ ଧୀରେ ତାହା ପାଖକୁ ଯାଇ ତାକୁ ଉଠାଇଲା ଏବଂ ସବୁକଥା କହି ତାହାରି ସଙ୍ଗରେ ବାପଘରକୁ ଯିବାକୁ ବାହାରିଲା । ଗଉଡ଼ୁଣୀ ପ୍ରଥମତଃ ମଙ୍ଗିଲା ନାହିଁ; ମାତ୍ର ପ୍ରାପ୍ତିର ଆଶା ଦେଖାଇବାରୁ ଶେଷରେ ସ୍ୱୀକୃତ ହେଲା । ତହୁଁ ଲାବଣ୍ୟ ସେହି ରାତିରେ ତାହାରି ସଙ୍ଗରେ ବାପଘରକୁ ଚାଲିଗଲା-

 

ଉଷା ଜ୍ୟୋତିର୍ବିମାନରେ ଆରୋହି ପୂର୍ବାଶାର ହୈମ ସିଂହଦ୍ୱାର ମୁକ୍ତ କରିବା ସମୟରେ ଲାବଣ୍ୟ ଆସି ବାପଘରେ ପହୁଞ୍ଚିଲା । ରତ୍ନରେଖା ତାକୁ ଦେଖି ଚମକିଉଠି କହିଲା- ‘‘କିଏ, ଲାବଣ୍ୟ, ତୁ କୁଆଡ଼େ ଆସିଲୁ ?’’ ଲାବଣ୍ୟ ଭାଉଜ କତିରେ ସବୁକଥା କହିଲା । ରତ୍ନରେଖା ଶୁଣି ଆଶ୍ଚର୍ଯ୍ୟ ହେଲା ଏବଂ କହିଲା- ‘‘ତୁ କାହାର ଝିଅ ହୋଇ କି କାମ କଲୁ ? ଗୋଡ଼ ଉଠାଇ ଚାଲିଆସିବା ଟା ଭଲକଥା ନୁହେଁ- ସେଥିରେ ଯେ ତୋର ପିତୃକୁଳରେ କଳଙ୍କ ଲାଗିଲା ଭଉଣି । ତୁ କି ଭୁଲ କଲୁ, ମୁହୂର୍ତ୍ତକର ଭୁଲ ସାରା ଜୀବନରେ ସୁଧୁରିପାରେ ନାହିଁ- ଘଡ଼ିକ ପାପର ପ୍ରାୟଶ୍ଚିତ୍ତ ଅନେକ ଜନ୍ମରେ ହୋଇପାରେ ନାହିଁ ।’’ ଲାବଣ୍ୟ କହିଲା- ‘‘ମୁଁ କିଛି ଅକର୍ମ କରି ନାହିଁ ଯେ, ମୋର ପିତୃକୁଳରେ କଳଙ୍କ ଲାଗିବ । ଅତ୍ୟାଚାର ସହି ନ ପାରି ପ୍ରାଣଭୟରେ ପଳାଇଆସିଛି ।’’ ରତ୍ନରେଖା କହିଲା- ‘‘ଲୋକେ ତୋତେ ନାନା କଥା କହିବେ- ନାନା ଦୂର୍ଚ୍ଛନା ଦେବେ, ତାହା ସବୁ ସହିପାରିବୁ ତ ? ଲାବଣ୍ୟ କହିଲା- ‘‘ମୋ ଦେହ ସବୁ ସହିବ ନୂଆବୋହୁ ଦୁଃଖଗଞ୍ଜଣାର ଆଘାତରେ ସେ ପଥର ପାଲଟି ଯାଇଛି ।’’ ଏହା କହି ପିଠିରୁ ଲୁଗାକାଢ଼ି ଶାଶୁ ପିଟିଥିବା ଅଡ଼ଚିଣାଦାଗ ଦେଖାଇ ଦେଲା ଏବଂ କଇଁ କଇଁ ହୋଇ କାନ୍ଦି କହିଲା- ତୁମ ଘରେ ଯଦି ମୋ ପାଇଁ ସ୍ଥାନ ନ ହୁଏ, ତେବେ ଯେଉଁଆଡ଼କୁ ଦୁଇଆଖି ପାଇବ ସେ ଆଡ଼କୁ ଚାଲିବି । ଏ ମାତୃହୀନା ଦୁଃଖିନୀ ପାଇଁ ଭଗବାନ ଅବଶ୍ୟ ଆଶ୍ରୟ ସ୍ଥାନ ରଖିଥିବେ ।’’ ଏ କଥା ଶୁଣି ରତ୍ନରେଖାର ହୃଦୟ ତରଳିଗଲା । ଯେଉଁ ଲାବଣ୍ୟ ତାହାର କନ୍ୟା, ସଖୀ ଏବଂ ଅନୁଜାତୁଲ୍ୟ, ତାହାର ଏ ଅଭିମାନ ବାଣୀ ଶୁଣି ସେ କି ଧୈର୍ଯ୍ୟ ଧରିପାରିବ । ରତ୍ନରେଖା ନଣନ୍ଦକୁ କୁଣ୍ଢାଇ ଘରଭିତରକୁ ନେଇଗଲା ଏବଂ କହିଲା- ‘‘କିଛି ଚିନ୍ତା କରନା ଲାବଣ୍ୟ, ମୁଁ ତୋତେ ରାଣ୍ଡଝିଅ ପଣେ ବେକରେ ବାନ୍ଧିବି ।’’

 

ଅର୍ଜ୍ଜୁନ ଭଉଣୀର ଅପମାନ ଶୁଣି କ୍ରୋଧରେ ଅଗ୍ନି ଶର୍ମା ହୋଇଉଠିଲା । ସେ ପ୍ରତିଜ୍ଞା କଲା- ବୈରିଗଞ୍ଜନ ଘରୁ ଖୋରାକୀ ପୋଷାକୀ ଆଦାୟ କରି ଭଉଣୀର ଏ ଅପମାନର ପ୍ରତିଶୋଧ ନେବ, ତେବେ ଯାଇ ଛାଡ଼ିବ । ତହିଁ ପରେ ଭାଇ ଭଉଣୀଙ୍କର ଯେଉଁ କଥାବାର୍ତ୍ତା ହୋଇଥିଲା, ତାହା ମୂଳପରିଚ୍ଛେଦରେ ବର୍ଣ୍ଣିତ ହୋଇଅଛି ।

Image

 

ତୃତୀୟ ପରିଚ୍ଛେଦ

 

ରାତି ପାହିଲା, ସୂର୍ଯ୍ୟ ଉଦିତ ହେଲେ । ରୌଦ୍ର-ଚୂର୍ଣ୍ଣ ସହ ଲାବଣ୍ୟର ପଳାୟନ ସମ୍ୱାଦ ଗାଁ ସାରା ବିଞ୍ଚୁଡ଼ି ହୋଇପଡ଼ିଲା । ବଡ଼ ଘରର କଥା, ଟିକିଏ ବଡ଼ ନାଦରେ ବାଜେ । ଘରୁ ଖାଇ ପରଚିନ୍ତା କରିବା ଯେଉଁ ମାନଙ୍କର ପ୍ରକୃତି, ସେମାନଙ୍କୁ ଗୋଟାଏ ସୁଖାଦ୍ୟ ମିଳିଗଲା । ଦଳେ ଦଳେ ଲୋକ ବସି ସମ୍ଭବ, ଅସମ୍ଭବ ନାନା କଳ୍ପନା କରିବାକୁ ଲାଗିଲେ । କେହି କହିଲା- ‘‘ଚଣ୍ଡାଳୁଣୀ କି କୁଳରେ କାଳି ଲଗାଇଲା ।’’ କେହି କହିଲା- ‘‘ ପତି ପିତୃ ଉଭୟ କୁଳର ନା’ ପାଣି ବୁଡ଼ାଇଲା ।’’ ଯେ ଭିତର କଥା ଜାଣେ, ସେ କହିଲା- ‘‘ବଡ଼ଘରର ବୋହୁ ହେଲେ କଣହେବ, ତାହା ମନରେ ତିଳେ ହେଲେ ସୁଖ ନ ଥିଲା । ସେ ବୋହୁ ନୁହେଁ ଯେ- ସୁନାମୁଣ୍ଡା । ସେ ଯେତେ ସହିଛି, କାହାଘର ବୋହୁ ଭଲା ତେତେ ସହି ରହିବ ?’’ ଏ କଥା ଶୁଣି କେହି କହିଲା- ‘‘ଯେତେ ସହିଲେ କଅଣ ହେବ, ବାର ବର୍ଷର ତପ ଯାକ ତ ଶୁଖୁଆ ମୁଣ୍ଡରେ ଗଲା ।’’ ଅନ୍ୟ କେହି ଏ କଥାର ପ୍ରତିବାଦ କରି କହିଲା- ‘‘ରକ୍ତମାଂସର ଦେହ, ଆଉ କେତେ ସହିବ ? ସେ ତ ଆଉ ଗଛ କି ପଥର ନୁହେଁ । ବଡ଼ ଘରକୁ ସବୁ ସୁନ୍ଦର, ତୁମ ଆମ ଘରେ ଏପରି ହୁଅନ୍ତା ନା ? ବାପଘର ଯୌତୁକ ଭୁଇଁ ନଦେଲା ବୋଲି ଝିଅ ଗଞ୍ଜନା-ଭର୍ତ୍ସନା ସହିବ, ଏହା କେଉଁ ରାଜ୍ୟରେ ଅଛି ।’’ ରଘୁଆ ଭଣ୍ଡାରି ତ୍ରାସ-ଚଞ୍ଚଳ ନେତ୍ରରେ ଏଣିକି ତେଣିକି ଚାହିଁ ଦେଇ ଖୁବ୍‌ନିମ୍ନ ସ୍ୱରରେ କହିଲା- ‘‘ଆମ ପଞ୍ଚୁଆ ମା ସେ ଦିନ ଚମ ତୋଳିବାକୁ ସାଆନ୍ତଙ୍କ ଉଆସକୁ ଯାଇଥିଲା, ସେ ଶୁଣି ଆସିଲା ବୋହୁଟା ଅଡ଼ଚିଣାରେ ମାଡ଼ ଖାଇଛି, ତା ପିଠିରେ ଦୁଇ ଆଙ୍ଗୁଳି ମୋଟର ‘ଲୋଳା’ ବସିଯାଇ କେରା କେରା ରକ୍ତ ବହିଯାଉଛି । ଖବରଦାର, ଏ କଥା କେହି କାହାରିକୁ କହିବ ନାହିଁ ତ, ତୁମକୁ ଜଗନ୍ନାଥଙ୍କର ଦୋହ ଅଛି । କଥାରେ କହନ୍ତି ପରା- ମାର୍‌ ମାର୍‌ ଭଣ୍ଡାରିଆକୁ ମାର୍‌, ସମସ୍ତଙ୍କର ସବୁ କଥା କୁଆଡ଼େ ଉଡ଼ିଯିବ, ମୋହରି କଥାରେ ଏକା ଗଣ୍ଠି ପଡ଼ିବ । କାହିଁକି ନା- ମୁଁ ଗରିବ । ବଡ଼ଲୋକଙ୍କ ପାଞ୍ଜି ପୋଥିରେ ଗରିବ ଗୁଡ଼ାକ ଖଚୁଆ, ଚୁଗୁଲି ଖୋର, ଅସତ୍‌ ସବୁପରା । ଗରିବଙ୍କୁ ବଡ଼ଲୋକମାନେ ଯେବେ ଘୃଣା, ଯେତେ ହତାଦର କରନ୍ତୁ ପଛକେ, ସେହି ଗରିବ ଲାଗି ସେମାନେ ବଡ଼ଲୋକ ସିନା । ସେହି ଗରିବ ତାଙ୍କ ମୁଣ୍ଡରେ ସୌଭାଗ୍ୟର ସୁନା ମୁକୁଟ ପିନ୍ଧାଇ ଦେଇଛନ୍ତି ।

ବୈରିଗଞ୍ଜନ ଗ୍ରାମର ଓଳି, ଗଳି, ଅନ୍ଧୀ, କନ୍ଦୀ, ସନ୍ଧି ସର୍ବତ୍ର ଖୋଜାଇଲେ; ମାତ୍ର କେଉଁଠି ଲାବଣ୍ୟର ସନ୍ଧାନ ମିଲିଳା ନାହିଁ । ତରଳମତି ବାଳିକା, ଉତ୍ତେଜନାବଶତଃ କାଳେ ଆତ୍ମହତ୍ୟା କରିଥିବ, ଏହି ସନ୍ଦେହରେ ଗ୍ରାମର ପ୍ରତ୍ୟେକ ପୋଖରୀରେ ଜାଲ ପଡ଼ିଲା । ଜାଲରେ ବାଳିଆ, ଶେଉଳ ଉଠିଲେ; ମାତ୍ର ଲାବଣ୍ୟରୂପ ନର-ମତ୍ସ୍ୟ ଉଠିଲା ନାହିଁ । ଦେଖୁଁ ଦେଖୁଁ ବେଳ ପ୍ରହରକୁ ବଳିଗଲା । ଏହି ସମୟରେ ଲାବଣ୍ୟର ବାପଘର ଗାଁରୁ ଜଣେ ଲୋକ ଆସି ବୈରିଗଞ୍ଜନଙ୍କୁ ଦଣ୍ଡବତ କରି ଲାବଣ୍ୟ ପିତ୍ରାଳୟରେ ଉପସ୍ଥିତ ବାର୍ତ୍ତା ଜଣାଇଲା । ଲାବଣ୍ୟ ପିତୃଗୃହରେ ପହୁଞ୍ଚିଲା ପରେ ତାହାର ଭ୍ରାତୃଜାୟା ରତ୍ନରେଖା ମନରେ ଭାବିଲା- ‘‘ବୈରିଗଞ୍ଜନଙ୍କ ବଂଶଯାକ ଖୋଜି ଖୋଜି ଦହଗଞ୍ଜ ହେଉଥିବେ, ଯେତେହେଲେ ତ ବନ୍ଧୁ, ଲାବଣ୍ୟର ଆସିବା କଥା ତାଙ୍କୁ କହିପଠାଇବା ଉଚିତ୍‌ । ରାଗ ଛାଡିଗଲେ ତାଙ୍କ ବୋହୁକୁ ସେ କଅଣ ନେଇ ନ ଯିବେ । ରାଗ ବ୍ରହ୍ମଚଣ୍ଡାଳ, ତାହା ବଶରେ ଅନେକେ ଅନେକ କଥା କରିପକାନ୍ତି; ମାତ୍ର ରାଗ ଛାଡ଼ିଗଲେ ସବୁ କୁଆଡ଼େ ପାଶୋରିଯାଏ ।’’ ରତ୍ନରେଖା ଏହିପରି ଆଶା ବାନ୍ଧି ଲାବଣ୍ୟର ଶ୍ୱଶୁରାଳୟକୁ ଜଣେ ଲୋକ ପଠାଇଥିଲା । ମାନବ ଜୀବନ ଆଶାରେ ତିଆରି ହୋଇଅଛି । ତାହାର ଯେତେ ଆଶା ସଫଳହୁଏ, ସେଥିର ବହୁଗୁଣ ବିଫଳହୁଏ । ଗଛରେ ଯେତେ କସି ହୁଏ, ସବୁ ରହିଲେ ଗଛ ଭାଙ୍ଗିପଡ଼ନ୍ତା । କେତେ ଶୁଖିଯାଏ, କେତେ ପବନରେ ଝଡ଼ିପଡ଼େ, କେତେ ମାଙ୍କଡ଼ ଖାଇଯାଏ, ଏତେ ଯାଇ ଯାହା ରହେ, ତାହା ପାଚେ, ଆଶା ଠିକ୍‌ ସେହିପରି । ଆଶା ନ ଥିଲେ ମନୁଷ୍ୟ ପ୍ରସ୍ତର ମୂର୍ତ୍ତିପରି ସ୍ଥାଣୁତ୍ୱ ଲାଭ କରନ୍ତା । ଆଶା ମନୁଷ୍ୟକୁ ବଞ୍ଚାଇ ରଖେ । ମନୁଷ୍ୟ ମଧ୍ୟ ଆଶାକୁ ବଞ୍ଚାଇ ରଖେ, ଉଭୟେ ଉଭୟଙ୍କ ଠାରେ ଋଣୀ, ଅର୍ଥାତ୍‌ କେହି କାହାରି ଋଣୀ ନୁହେଁ । ରତ୍ନରେଖା ଆଶାବଦ୍ଧ ହୋଇ ଲୋକ ପଠାଇଥିଲା । ବୈରିଗଞ୍ଜନ ତାହାଠାରୁ ବଧୂର ପିତ୍ରାଳୟ ଗମନ ବାର୍ତ୍ତା ଶୁଣି କହିଲା- ‘‘ଉଃ ମୋ ମୁଣ୍ଡରୁ ଗୋଟାଏ ଗୁରୁ ଭାର ଓହ୍ଲାଇଗଲା, ମୁଁ ନିସ୍ତାର ପାଇଲି । ସେ ନିଶ୍ଚିନ୍ତ ହୋଇ ବାପଘରେ ଥାଉ, ମୋ ଘରେ ଆଉ ତାହାର ସ୍ଥାନ ନାହିଁ ।’’ ଗୃହିଣୀ ଆଉ ତାଙ୍କୁ ଅଧିକ କହିବାକୁ ନ ଦେଇ ଗର୍ଜ୍ଜି ଗର୍ଜ୍ଜି କହିଲେ- ‘‘ପଳାହୁଡ଼କୀ, କଳଙ୍କୀ, ନା’କାଢ଼ୀ, ଆଉ ମୋ ଘରକୁ ଆସିବ, ମୁଣ୍ଡିଛାଞ୍ଚୁଣୀରେ ପଣେ ପିଟି ଚୁଟିଧରି ଦାଣ୍ଡରେ ଦୂର କରିଦେଇଆସିବି ନାହିଁ ? ମୋ ପୁଅକୁ ଢେର କନ୍ୟା ମିଳିବେ, ମନ କଲେ କାଲି ଦିପୁଞ୍ଜା ଆଣି ବାହା କରାଇଦେବି । ସେ ଅଲକ୍ଷଣୀ, ମିଣିପତୁଣ୍ଡୀ ଭାଇ ଘରେ ପୋଇଲୀ ପଣେ ରହି ଭାଉଜର ଗୋଡ଼ ଘଷୁ ଦୁଧଭାତ ଗଳା କୁଣ୍ଡାଇ ହେଲା, ଏବେ ଅଇଣ୍ଠା ପତ୍ର ଚାଟୁଥାଉ ।’’ କର୍ତ୍ତାକର୍ତ୍ତୀଙ୍କର ଏ ଉତ୍କଟ ମଧୁର ବାକ୍ୟରେ ବିମୋହିତ ହୋଇ ରତ୍ନରେଖାର ପ୍ରେରିତ ବାର୍ତ୍ତାବହଟି ନୀରବରେ ଲେଉଟି ଆସିଲା ।

ମାତା ଏବଂ ସ୍ତ୍ରୀର ଅଭିଯୋଗ ଅହରହ ଶୁଣି ଶୁଣି ଗଜେନ୍ଦ୍ର ଅତିଷ୍ଠ ହୋଇଉଠିଥଲା, ଲାବଣ୍ୟର ପଳାୟନ ପରେ ସେ ଟିକିଏ ଶାନ୍ତିଲାଭ କଲା । ସେ ମନେ ମନେ ଭାବିଲା- ‘‘ଲାବଣ୍ୟ ବାପ ଘରକୁ ପଳାଇଯାଇ ମନ୍ଦ ମଧ୍ୟରେ ଭଲ କରିଅଛି । ସେ ଗାଳି ଗୁଞ୍ଜଣାରୁ ନିସ୍ତାର ପାଇଅଛି । ଆଉ ତାହାର ମିଥ୍ୟା ଦୁର୍ନାମ ମୋ ପକ୍ଷରେ ଅସହ୍ୟ ହୋଇ ଉଠିଥିଲା, ମୁଁ ମଧ୍ୟ ସେଥିରୁ ଉଦ୍ଧାର ପାଇଅଛି । ସଂସାର କି ବିଚିତ୍ର, ଏଠାରେ ଶୂନ୍ୟ ବି ଆକୃତି ଧରେ; ମୃଗତୃଷ୍ଣାରେ ନୌକା ଚାଲେ; ସୁତରାଂ ଆଶ୍ଚର୍ଯ୍ୟ କଅଣ ବା ଅସମ୍ଭବ କଅଣ ଅଛି । ବାପ ଲାଗି କନ୍ୟାର ଶାସ୍ତି, ଉଃ, କି ଭୟାବହ ହୃଦୟହୀନତା ? କି ଦୁଷ୍ପୁରଣୀୟ ଲାଳସା । ଶୁଶୁଛି- ମୋ ପାଇଁ କନ୍ୟା ଖୋଜା ଲାଗିଛି, ମୁଁ ପୁଣି ଆଉ ଗୋଟାକୁ ବିବାହ କରିବି ପରା । ଆଛା ତା ବାପ ଯଦି କିଛି ନ ଦିଏ, ତେବେ କଅଣ ହେବ । ବୋଧହୁଏ ମୋତେ ପୁଣି ତୃତୀୟ ବିବାହ କରିବାକୁ ପଡ଼ିବ । ଆଜିକାଲି ଏକ ଶ୍ରଣୀୟ ଲୋକଙ୍କର ଏହା ଗୋଟାଏ ସୁନ୍ଦର ସହଜ ବ୍ୟବସାୟ ହୋଇପଡ଼ିଅଛି । ଏହି ପାପର ଧ୍ୱଂସ ଆବଶ୍ୟକ । ସେଥିରେ ପ୍ରଶ୍ରୟ ଦେବା ଖାଲି ଅନ୍ୟାୟ ନୁହେଁ, ମାରାତ୍ମକ ବିପଜ୍ଜନକ । ଦେଖାଯାଉ କେଉଁ ପାଣି କୁଆଡ଼େ ଯେଉଛି, କିନ୍ତୁ ମୁଁ ଥରକୁ ଥର ଗୋରୁ ଛେଳି-ପରି ମୂଲଚାଲ ହୋଇ ଖରିଦ ବିକ୍ରୀ ହୋଇ ପାରିବି ନାହିଁ । ପୁଅ ବିକି ଖାଇବା ଯାହାଙ୍କର ସ୍ୱଭାବ ପୁଅର ବାପ ହେବା ତାହାର ଉଚିତ ନୁହେଁ । ଲାବଣ୍ୟପରି ରୂପମୟୀ ଗୁଣମୟୀ ସ୍ତ୍ରୀ ଥାଉଁ ଥାଉଁ ମୁଁ ଅନ୍ୟ ବିବାହ କାହିଁକି କରିବି ? ସେ ମୁଖରା ବୋଲି କଅଣ ତାହାର ସବୁ ଗୁଣ ପଣ୍ଡ ହୋଇଗଲା । ଗ୍ରହଣ ଚନ୍ଦ୍ରର ଗୋଟାଏ ଅଙ୍ଗ ଗ୍ରାସ କଲେ ଅନ୍ୟାନ୍ୟ ଅଙ୍ଗର ଉଜ୍ଜ୍ୱଳତା କି ନଷ୍ଟ ହୋଇଯାଏ । ମୋର ପ୍ରତିଜ୍ଞା ମୁଁ ଆଉ ବିବାହ କରିବି ନାହିଁ । ପୂର୍ବ ଯଦି ପଶ୍ଚିମ ହୋଇଯାଏ- ଦିନ ଯଦି ରାତି ହୋଇଯାଏ- ନିଆଁ ଯଦି ପାଣି ହୋଇଯାଏ ତେବେ ବି ମୋର ପ୍ରତିଜ୍ଞା ଟଳିବ ନାହିଁ ।

ଶୀଘ୍ର ଆଉଗୋଟିଏ ନବବଧୂ ଘରକୁ ଆଣିବା ପାଇଁ ସଗୃହିଣୀ ବୈରିଗଞ୍ଜନ ଅତିଶୟ ବ୍ୟସ୍ତ ହୋଇଉଠିଲେ । ନିଜେ ଉହାଡ଼ରେ ରହି ପୁତ୍ରର ବନ୍ଧୁମାନଙ୍କ ଦ୍ୱାରା ତାହାର ମତ ଜାଣିବାକୁ ଚେଷ୍ଟା କଲେ । ଗଜେନ୍ଦ୍ରର ବନ୍ଧୁମାନେ ତାହା ପାଖରେ ବିବାହ ପ୍ରସଙ୍ଗ ଉତ୍‌ଥାପନ କରନ୍ତେ ସେ କହିଲା- ‘‘ମୁଁ ଆଉ ବିବାହ କରିବି ନାହିଁ, ସେଥିପାଇଁ ମୋତେ ଉତ୍ୟକ୍ତ କଲେ ମୁଁ ଗୃହତ୍ୟାଗୀ ହେବି-।’’ ଏହା ଉପରେ ଆଉ କଥା କହିବାର କଅଣ ଅଛି । ପିତାମାତା ଏହା ଶୁଣି ଟିକିଏ ଚିନ୍ତିତ ହେଲେ; ମାତ୍ର ହତାଶ ହେଲେନାହିଁ । ବୈରିଗଞ୍ଜନ ନିଜ ମନକୁ ଏବଂ ସହଧର୍ମିଣୀଙ୍କୁ ପ୍ରବୋଧ ଦେଇ କହିଲେ- ‘‘ ଉଛୁଣି ପୁଅର ମନ ଭଲ ନାହିଁ, ସେଥିଲାଗି ସେ ବିବାହ କରିବାକୁ ମନା କରୁଛି, ଏ ଭାବ ତାହାର ସବୁ ଦିନେ ରହିବ ନାହିଁ, ଶ୍ମଶାନ-ବୈରାଗ୍ୟ ପରି ତାହାର ଏ ବୈରାଗ୍ୟ ଅଳ୍ପଦିନେ ତୁଟି ଯିବ । ନ’ ଦିନ ପରେ ମନୁଷ୍ୟ ନୂଆ ହୋଇଯାଏ । ଏପରି ଅନେକ ଦେଖାଯାଇଛି-। ମନ ବଦଳିଗଲେ ବଳେ ରାଜିହେବ, ସେଥିପାଇଁ ଏତେ ଚିନ୍ତା କାହିଁକି ? ଆଉ କିଛିଦିନ ଅପେକ୍ଷା କଲେ ବା କ୍ଷତି କଅଣ ? କଥାରେ କହନ୍ତି ପରା- ‘‘ସବୁର ଗଛରେ ମେଓ୍ୱାଫଳେ ଉଛୁଣି ତାକୁ ବିରକ୍ତ କଲେ ଫଳ ଓଲଟା ହେବ । କାଳେ କୁଆଡ଼େ ଚାଲିଯାଏ, ମୋର ଏହି ଭୟ । ତେବେ ଆଉ ଘରଦ୍ୱାର ଟଙ୍କା କଉଡି ଜାଏଜମିଦାରୀ କାହା ଲାଗି ? ମୋର ଏହି ଭୟ ମୋର ସ୍ନେହର ଫଳ । ସ୍ନେହ ଗୋଟାଏ ସୁଖକର ଯନ୍ତ୍ରଣା ସିନା । ସେ ଯେପରି ସ୍ୱର୍ଗୀୟ ସୁଖର ଆଶା-ବତି ଜାଳିଦିଏ, ସେହିପରି ସେହି ଆଶାର ଭିତରେ ଭିତରେ ଆଶଙ୍କା-ଝଟିକା ପ୍ରବାହିତ କରେ ।’’

ନିଶାଭୋଳରେ ଲୋକ ସ୍ୱୈରାଚାରୀ ହୋଇ ଯାହାଇଚ୍ଛା ତାହା କରିଯାଏ; ମାତ୍ର ନିଶା ଛାଡିଗଲେ ତାହାର ଚେତନା ଆସେ, କୃତକାର୍ଯ୍ୟ ପାଇଁ ସେ ଅନୁଶୋଚନାରେ ଦଗଧ ହୁଏ । ତାହାର ଆତ୍ମା ପୁରୁଷ ତାକୁ ଭୟ ଦେଖାଏ । ମାନସିକ ଉତ୍ତେଜନାରେ ଲାବଣ୍ୟ ଭଲମନ୍ଦ ନ ବିଚାରି ଚାଲି ଆସିଲା । ସେ ନିଜେ ଆସିନାହିଁ, ଗୋଟାଏ ପ୍ରବଳ ଶକ୍ତି ତାକୁ ଧକକା ମାରି ଘେନି ଆସିଲା । ଉତ୍ତେଜନା କ୍ଷଣସ୍ଥାୟୀ, ସେ ଯେତେବେଳେ ମିଳାଇ ଗଳା, ତେତେବେଳେ ଲାବଣ୍ୟ ବୁଝିପାରିଲା- ତାହାର ଏରୂପ କରଣୀ ଭଲ ହୋଇନାହିଁ । ସେ ମନେ ମନେ ଭାବିଲା- ‘‘ମୁଁ ଢେର ଯନ୍ତ୍ରଣା ଗଞ୍ଜନା ସହିଥିଲି, ସେହିପରି ସହି ନ ରହିଲି କାହିଁକି ? ସ୍ୱାମୀଙ୍କ ଚରଣତଳେ ମୁଣ୍ଡରଖି ମରିଥିଲେ ମୁଁ ନାରୀତ୍ୱର ଗୌରବ ରଖିପାରି ଥାଆନ୍ତି; ମାତ୍ର ମୁଁ ତାହା ନକରି ନାରୀତ୍ୱର ଅବମାନନା କଲି । ସହ୍ୟଶୀଳତା ମୋର ନାରୀଧର୍ମ, ମୁଁ ସେହି ନାରୀଧର୍ମକୁ ଜଳାଞ୍ଜଳି ଦେଲି । ଧିକ୍‌ ମୋର ଜନ୍ମ- ଧିକ୍‌ ମୋର ଜୀବନ । ପବିତ୍ର ଆର୍ଯ୍ୟନାରୀ-ବଂଶରେ ଜନ୍ମଲଭି ମୁଁ କଷ୍ଟ ସହିବାକୁ ଏଡ଼େ କାତର କାହିଁକି ? ସ୍ୱାମୀ ମୋର ଠାକୁର, ସ୍ୱାମୀ ମୋର ଗୁରୁ, ଇହପରକାଳର ଗତି, ସେ ମୋତେ ପ୍ରାଣପରି ସୁଖ ପାଆନ୍ତି, ସ୍ନେହ-ଯତ୍ନ କରନ୍ତି, ସେ ମୋର ପ୍ରେମସରୋବର ପଦ୍ମଫୁଲ, ସେ ମୋ ସୁଖରେ ସୁଖୀ, ମୋ ଦୁଃଖରେ ଦୁଃଖୀ ଏଭଳି ଗୁଣଧର ସ୍ୱାମୀ ଭଲା କାହାର ଅଛି ? ମୁଁ ପାପିଷ୍ଠା ସେହି ଦେବତାଙ୍କୁ ଛାଡିଆସିଲି । ସେହି ଦେବତା ମୁହକୁ ଚାହିଁ ସବୁ ଯନ୍ତ୍ରଣା ସହି ନରହିଲି କାହିଁକି ? ସୌଭାଗ୍ୟ ଫଳରେ ଯାହାଙ୍କୁ ପାଇଥିଲି, ହାୟ ! ମୁଁ ହତଭାଗୀ ନିଜ ଦୋଷରେ ସେହି ଅମୂଲ୍ୟ ନିଧି ହଜାଇ ବସିଲି । ନ ପାଇବା ବରଂ ସହସ୍ର ଗୁଣେ ଭଲ; ମାତ୍ର ପାଇ ହଜାଇବାଠାରୁ ଦୁଃଖ ଆଉ ନାହିଁ । ଆର୍ଯ୍ୟନାରୀ ସବୁ ତ୍ୟାଗ କରିପାରନ୍ତି; ମାତ୍ର ସ୍ୱାମୀଙ୍କୁ ତ୍ୟାଗ କରିପାରନ୍ତି ନାହିଁ- ଏହା ମୁଁ ପାଶୋରିଗଲି । ଏ ଦୁର୍ବୁଦ୍ଧି ମୋତେ କାହିଁକି ଘୋଟିଲା, ଏହାକୁ ଭାଗ୍ୟ ଦୋଷ ବୋଲି ଅବା କିପରି କହିବି, କୃତକର୍ମ ଦୋଷକୁ ଭାଗ୍ୟ ମୁଣ୍ଡରେ ଲଦିଦେଇ ନିଜେ ଛୁତିଛଡ଼ା ହୋଇଗଲେ ଧର୍ମ ସହିବ ନାହିଁ । ଯାହାହେଉ ଚକିଗୁଡ଼ କହୁଣୀକୁ ବହିଗଲା ପରେ ଆଉ ସନ୍ତାପି ହେଲେ କଅଣ ହେବ । କପାଳରେ ଯାହାଥିବ ଘଟିବ ତାହା ଆନ କରିବ କିଏ ?’’ ଲାବଣ୍ୟ ଏହିପରି ଭାବି କଥଞ୍ଚିତ୍‌ଧୈର୍ଯ୍ୟ ଧରି ରହିଲା ।

ଭଉଣୀର ଖୋରାକୀ ପୋଷାକୀ ଦାବୀରେ ଅର୍ଜ୍ଜୁନ ମୋକଦ୍ଦମା କରିବାକୁ ପ୍ରସ୍ତୁତ, ଏହା ପାଠକମାନେ ପୂର୍ବରୁ ଜାଣିଅଛନ୍ତି । ସେ ଅର୍ଜି ଚିଠାକରି ତାହାର ମୁକ୍ତିଆର ବନ୍ଧୁମାନଙ୍କୁ ଦେଖାଇଲା; ମାତ୍ର ତାହାର ପ୍ରସ୍ତାବ କାହାରି କାହାରି ମନକୁ ଘେନିଲା ନାହିଁ । କେହି କେହି କହିଲେ- ‘‘ବୈରିଗଞ୍ଜନେତ ତୁମ ଭଉଣୀକୁ ଘରୁ କାଢ଼ିଦେଇ ନାହାନ୍ତି କିମ୍ୱା ସେ ପଳାଇ ଆସିଲା ବୋଲି ତାକୁ ଘରକୁ ନେବାକୁ ମନା କରି ନାହାନ୍ତି, ତେବେ ତୁମେ କି କାରଣ ଦେଖାଇ ମୋକଦ୍ଦମା କରିବ ?’’ ଅର୍ଜ୍ଜୁନ କହିଲା- ‘‘ଘରୁ କାଢ଼ିଦେବା ଆଉ କାହାକୁ କହନ୍ତି ? ଏପରି ଦୌରାତ୍ମ୍ୟ କଲେ ଯେ, ବାଧ୍ୟହୋଇ ସେ ବାହାରି ଆସିଲା । ଆଉ ଆମଘରୁ ଯେଉଁ ଲୋକଟି ଯାଇଥିଲା, ଆଉ ନେବେ ନାହିଁ ବୋଲି ତ ତାକୁ ସ୍ପଷ୍ଟ ମନାକରି ଦେଲେ ।’’ ବିନୋଦ ମୁକ୍ତିଆର କହିଲେ- ‘‘ରାଗବେଳେ ଅନେକେ ସେହିପରି କହନ୍ତି, ତାହା ଧର୍ତ୍ତବ୍ୟ ନୁହେଁ । ଆଜିତ ବୈରିଗଞ୍ଜନ କଚେରୀକୁ ଆସିବେ, ତାଙ୍କର ଗୋଟାଏ ମୋକଦ୍ଦମାର ତାରିଖ ଆଜିକୁ ପଡିଛି । ସେ ଆସିଲେ ତାଙ୍କୁ କହିବା ତାଙ୍କର ଅଭିପ୍ରାୟ ବୁଝିଲା ଉତ୍ତାରୁ ତେଣିକି ଯାହା କର୍ତ୍ତବ୍ୟ ତାହା କରାଯିବ । ନବୁଝି ନଶୁଝି ହଠାତ୍‌ ଗୋଟିଏ କିଛି କରି ପକାଇବା ମୋ ବିବେଚନାରେ ଭଲ ନୁହେଁ । ହୁଏତ ସେଥିରେ ନିଜକୁ ଅପଦସ୍ଥ ହେବାକୁ ପଡିବ- ଅନୁତାପ ମଧ୍ୟ କରିବାକୁ ପଡିବ । ଭାଗବତରେ କହିଛି ପରା- ‘‘ବୁଝି ବିଚାରି କାର୍ଯ୍ୟକଲେ, ସେ ଦୋଷ ନ ଲାଗଇ ଭଲେ ।’’ କାର୍ଯ୍ୟକରଣର ଧାରା ଏହି ଯେ, ବିଚାର କରି କାର୍ଯ୍ୟ କରିବ । ଆଉ ଯେଉଁ କାର୍ଯ୍ୟ ନ୍ୟାୟତଃ କର୍ତ୍ତବ୍ୟ ବିବେଚିତ ହେବ; ସେ କାର୍ଯ୍ୟରେ ଆତ୍ମ ସମର୍ପଣ କରିବ; ଅର୍ଥାତ୍‌ ସେଥିରେ ଆପାଦମସ୍ତକ ବୁଡ଼ିଯିବ ।’’ ବିନୋଦ ମୁକ୍ତିଆରଙ୍କର ଏ କଥା ସମସ୍ତଙ୍କ ମନକୁ ଘେନିଲା । ତହୁଁ ଅର୍ଜିଦାଖଲ ସ୍ଥଗିତ ରହିଲା । ବିନୋଦ ମୁକ୍ତିଆର ଜଣେ ସ୍ପଷ୍ଟଭାଷୀ ଚତୁର ବ୍ୟକ୍ତି । ମୁଖଲଜ୍ଜା, ଚକ୍ଷୁଲଜ୍ଜା ରଖି ସେ କଥା କହନ୍ତି ନାହିଁ । ଆଗବୋଲା ସ୍ୱଭାବ ତାଙ୍କର ପିଲାକାଳକୁ ଅଛି । ସମସ୍ତେ ତାଙ୍କୁ ଡ଼ବଡ଼ବା ବୋଲି କହନ୍ତି ।

କଚେରୀ କାମ ପରେ ବୈରୀଗଞ୍ଜନ ଆସି ମୁକ୍ତିଆରଖାନାରେ ବସିଲେ । ମୁକ୍ତିଆରମାନଙ୍କ ସଙ୍ଗରେ ଅନେକ ଖୋଷଗଳ୍ପ ଲାଗିଲା । ଏଣୁ ତେଣୁ ନାନା କଥାପରେ ବିନୋଦ ତାଙ୍କୁ ପଚାରିଲେ, ‘‘ଆପଣଙ୍କ ବୋହୁକୁ ନେବା ପାଇଁ କେବେ ସୁଆରି ବେହେରା ପଠାଇବେ ?’’ ବୈରିଗଞ୍ଜନ ଚମକ-ଚକିତ ନେତ୍ରରେ ବିନୋଦ ମୁକ୍ତିଆରଙ୍କ ମୁହଁକୁ ଚାହିଦେଇ କହିଲା- ‘‘କିଏ ମୋର ବୋହୁ ? ଭଦ୍ରଘରର କୁଳଭୂଆସୁଣୀ ହୋଇ ରାତି ଅଧରେ ଯେ ଗୋଡ଼ଉଠାଇ ବାପଘରକୁ ଚାଲିଗଲା, ସେପରି ବୋହୁର ମୁହ ଚାହିଁବା ମହାପାପ । ତାକୁ ଘରକୁ ନେଲେ ମୋର ବଂଶ ମର୍ଯ୍ୟାଦାରେ କଳଙ୍କ ଲାଗିବ ।’’

ବିନୋଦ ବାବୁ- ଏଥିରେ ବଂଶ ମର୍ଯ୍ୟାଦା ହାନି ହେବ କାହିଁକି ? କେଡ଼େ କେଡ଼େ ଘରେ ତ ଏପରି ଘଟଣା ହୁଏ, କାହିଁ କେହିତ ହାତେ କି ଚାଖଣ୍ଡେ ସାନ ହୋଇଯିବାର ଶୁଣାଯାଇନାହିଁ । ସେ ତ କିଛି ଏକୁଟିଆ ଯାଇ ନାହିଁ । ବାପଘରୁ ଆସିଥିବା ଲୋକ ସଙ୍ଗରେ ଯାଇଛି, ଯାହା ସଙ୍ଗରେ ଯାଇଛି ସେ ବି ତ ସ୍ତ୍ରୀ ଲୋକ, ଏଥିରେ ଦୋଷର କଥା କଅଣ ହେଲା ?

ବୈରିଗଞ୍ଜନ- ନା, ସେଟା ଗୁଣର କଥା- ଅତି ପ୍ରଶଂସାର କଥା ମୁକ୍ତିଆର ବାବୁ ।

ବିନୋଦ- ଅଡ଼ଚିଣାରେ ପିଟିବାଟା ଦୋଷର କଥା ହେଲା ନାହିଁ, ଆଉ ମାଡ଼ଖାଇ ବାପଘରକୁ ଚାଲିଯିବା ଏକା ଦୋଷର କଥା ହେଲା ?

ବୈରିଗଞ୍ଜନ- ରାତି ଅଧରେ ଯୁବତୀ ସ୍ତ୍ରର ଘରୁ ବାହାରିଯିବା ଦୋଷର କଥା ନୁହେ କିହେ ? ସେଥିରେ ନାନା ଲୋକେ ନାନା ସନ୍ଦେହ କରିବେ ।

ବିନୋଦ- ଆପଣ ତେବେ ତାହା ଚରିତ୍ର ପ୍ରତି ସନ୍ଦେହ କରୁଅଛନ୍ତି ? ତାହା ଆପଣଙ୍କର ଭୁଲ । ସେ କାହାର ଝିଅ, କେଉଁ କୁଳରେ ତାହାର ଜନ୍ମ, ଏହା ଭାବୁନାହାନ୍ତି । ଆମ୍ଭେମାନେ ତାକୁ ପିଲା କାଳରୁ ଦେଖିଆସୁଛୁ, ଆମର ବିଶ୍ୱାସ-ଚରିତ୍ର ତାହାର ଜୀବନ ପଞ୍ଜିକାକୁ ଚିର ଗରିମାମୟ କରି ରଖିବ । ଅଳ୍ପବୁଦ୍ଧି ବାଳିକା କ୍ରୋଧର ଉତ୍ତେଜନାରେ ଚାଲିଆସିଲା ବୋଲି କଅଣ ବେଦ ଅଶୁଦ୍ଧ ହୋଇଗଲା ?

ବୈରିଗଞ୍ଜନ- ହଁ ହୋ, ସମସ୍ତେ କଥାରେ କହନ୍ତି, ଆଉ କାର୍ଯ୍ୟରେ କିଏ କରେ ? ଆଛା, ଆପଣଙ୍କ ଘରେ ଏହିପରି ଘଟଣା ଘଟିଥିଲେ କଅଣ କରିଥାନ୍ତେ ?

ବିନୋଦ- ଆଉ କଅଣ କରନ୍ତି, ନିଜେ ଯାଇ ମୋର ଅଭିମାନିନୀ ବାଳିକାବଧୂକୁ ଶାନ୍ତକରି କାଖେଇ ଘରକୁ ଘେନି ଆସନ୍ତି । ଆପଣଙ୍କ ସନ୍ଦେହ ଯେ ରାମାୟଣ ବର୍ଣ୍ଣିତ ସେହି ଧୋବାପରି ଦେଖୁଛି ।

ବୈରିଗଞ୍ଜନ ହେଉ, ତାହା ଆପଣଙ୍କର ଘରେ ଚଳୁପଛେ; ମାତ୍ର ଆମ ଘରେ ଚଳିପାରିବ ନାହିଁ । ମୁଁ ଆଉ ତାକୁ ଗ୍ରହଣ କରିବି ନାହିଁ, ଏହା ମୋର ଅଟଳ ସତ୍ୟ ।

ବିନୋଦ- ଆଛା, ଆପଣତ ଗ୍ରହଣ କରିବେ ନାହିଁ, ସେ ଯଦି ଖୋରାକୀ ପୋଷାକୀ ଦାବୀର ମୋକଦ୍ଦମା କରେ, ତେବେ କଅଣ କରିବେ ?

ବୈରିଗଞ୍ଜନ- ଆପଣ ସେ ପକ୍ଷର ମୁକ୍ତିଆରନାମ ନେଉନ୍ତୁ, ମୁଁ ସୋରିଷ ଖୋଳି ଲୁଚିବି-

ବିନୋଦ- ମୁଁ ମୁକ୍ତିଆରନାମା ନେଇଥିଲେ ଆପଣଙ୍କୁ ଏଭଳି ବିଦ୍ରୁପ କରିବାକୁ ବାଟ ଥାଆନ୍ତା ନାହିଁ ।

ବୈରିଗଞନ- ତେବେ ମୋ ପ୍ରତି ଅନୁଗ୍ରହ କରି ନେଇ ନାହାନ୍ତି ? ହେଉ ମୋର କୃତଜ୍ଞତା ଗ୍ରହଣ କରୁନ୍ତୁ, ମୁଁ ଏବେ ବିଦାୟ ହେଲି ।

ବୈରିଗଞ୍ଜନ ଉଠି ଚାଲିଗଲେ । ବିନୋଦ ଆଉ କିଛି କହିଲେ ନାହିଁ । ଅର୍ଜ୍ଜୁନ ସେଠାରେ ନ ଥିଲା, ପରେ ଆସି ବନ୍ଧୁଠାରୁ ସବୁ କଥା ଶୁଣିଲା । ତହିଁ ପରଦିନ ବିନୋଦ ଶ୍ରୀମତୀ ଲାବଣ୍ୟ ଦେଈ ପକ୍ଷରୁ ଖୋରାକୀ ପୋଷାକୀ ଦାବୀରେ ଦରଖାସ୍ତ କୋଟରେ ଦାଖଲ କଲେ ।

Image

 

ଚତୁର୍ଥ ପରିଚ୍ଛେଦ

 

ଲାବଣ୍ୟ ଆଉ ସେ ମୁଖରା, ନିର୍ଲ୍ଳଜା ଲାବଣ୍ୟ ନୁହେ, ତାହା ପ୍ରକୃତିରେ ଘୋର ପରିବର୍ତ୍ତନ ଘଟିଗଲାଣି । ସେ ଏବେ ସ୍ୱଳ୍ପଭାଷିଣୀ ଏବଂ ଲଜ୍ଜାବନତା ତାହାର ସେ ଡ଼ଗଡ଼ଗ ଚାଲି ନାହିଁ, ଏଣିକି ସେ ଚାଲିବା ବେଳେ ପିମ୍ପୁଡ଼ି ମରେ ନାହିଁ । ମୋକଦ୍ଦମା କଥା ଶୁଣିଲା ଦିନୁ ତାହାର ଦେହ ଝଡିଯାଇ କଣ୍ଟାପରି ହୋଇଗଲାଣି, ସେ ସବୁବେଳେ ଚିନ୍ତାଭିଭୂତା । ତାହାର ମୂର୍ତ୍ତୀ ଦେଖିଲେ ବୋଧହୁଏ, ଯେପରି ଅନେକ ଗୁଡ଼ାଏ ଚିନ୍ତା ଚାରିଆଡୁ ତାକୁ ଆକଟି ଧରିଅଛି । ସେ ଏହି ଚିନ୍ତା ହସ୍ତରୁ ନିଷ୍କୃତି ପାଇବା ସକାଶେ ସର୍ବଦା କର୍ମରେ ନିଯୁକ୍ତ ଥାଏ; ତଥାପି ଚିନ୍ତା ତାକୁ ଛାଡ଼େ ନାହିଁ ତାହାର ଇଚ୍ଛା- ସେ ଏକୁଟିଆ ଘରର ସମସ୍ତ କାର୍ଯ୍ୟ କରିବ; ମାତ୍ର ରତ୍ନରେଖା ତାହା କରାଇଦିଏ ନାହିଁ । ଦିନେ ସେ କହିଲା- ଲାବଣ୍ୟ, ଭାଇଙ୍କ ଘରୁ ଭାତମୁଠେ ଖାଉଛୁବୋଲି ଘରଯାକର ପାଇଟି ରୁଣ୍ଡାଇ ପୁଣ୍ଡାଇ ଏକାକେ ସବୁ କରି ଧାର ଶୁଝାଇ ଦେଉଛୁ କି ?’’ ଲାବଣ୍ୟ ମୃଦୁହସି କହିଲା- ‘‘ନା- ନୂଆବୋହୁ, ମୁଁ ହାତ ଗୋଡ଼ ଯାକି ବସି ରହିପାରେ ନାହିଁ । କାମ ପାଇଟି ନ କଲେ ଦେହହାତ ଶୂଳେଇ ହୁଏ, ଆଉ ମନଟା ବି କେମିତିକା ହୋଇଯାଏ । ମୁଁ ତ ପରଘର କାମ କରିବାକୁ ଯାଉନାହିଁ, ନିଜର ଘର କାମ କରୁଛି, ମାଇପି ଜନ୍ମ ପାଇ ତେତେକ ନ କଲେ ଲକ୍ଷ୍ମୀ ଛାଡ଼ିଯିବେ ଯେ ।’’ ରତ୍ନରେଖା ମୁଗ୍‌ଧ ହୋଇ କହିଲା- ‘‘ସତ କହିଲୁ ଭଉଣି- ତେତେକ ନ କଲେ ଲକ୍ଷ୍ମୀ ଛାଡିଯିବେ ଯେ । ଠାକୁରେ ତୋତେ ଏହିପରି ସୁବୁଦ୍ଧି ଦେଉନ୍ତୁ । ଆଜିକାଲି ଯେ ଦି’ଅକ୍ଷର ପଢ଼ିଜାଣିଲା ସେ କହିଲା- ମୋ’ପରି ଯୋଗା ଦୁନିଆରେ ନାହି । ଘର ଲିପିଲେ, ମାଛ କେଳେଇଲେ ପୁଣି ସେହି ସୁକୁମାରୀଙ୍କର ହାତ ଗନ୍ଧାଏ, ଭାତ ରାନ୍ଧିଲେ ତାଙ୍କ କଅଁଳ ହାତରେ ଫୋଟକା ହୋଇଯାଏ । ଛି ଛି, ସେହି କେରଫୁଲେଇ ଗୁଡ଼ାକୁ ମୁଁ ବଡ଼ ଘୃଣାକରେ । ରନ୍ଧାବଢ଼ା ଘରକରଣା କାମ ସିନା ଆମର ଯୋଗ୍ୟତା, ତାକୁ ଛାଡ଼ି ଖାଲି ପଣ୍ଡିତ ହୋଇ ବସିଲେ କି ଘରକରଣା କରିହେବ । ଯାଉ, ସେ କଥାରୁ ଆମର କଣ ମିଳିବ । ଆଛା ଲାବଣ୍ୟ, ତୋତେ ଗୋଟିଏ କଥା ପଚାରିବି, ମୋ ରାଣତି, ଏକା ସତ କହିବୁ, ଲୁଚାଇବୁ ନାହିଁ । ସବୁବେଳେ ତୋ ମନ କାହିଁକି ବିରସ ?’’ ଦୁଃଖୀର ହୃଦୟ ଯାହା ଖୋଜୁଥାଏ, ଲାବଣ୍ୟ ତାହା ପାଇଲା । ଦୁଃଖୀ ଖୋଜେ ସହାନୁଭୂତି, ତେତିକ ପାଇଲେ ସେ ହୃଦୟ ସଞ୍ଚିତ ବ୍ୟଥାରାଣି ଅଜାଡ଼ି ପକାଏ । ତାହାର ହୃଦୟଭରା ଉଶ୍ୱାସ ହୋଇଯାଏ, ସେ ଗୋଟାଏ ତୃପ୍ତିକର ଆରାମ ଉପଭୋଗ କରେ । ସ୍ନେହମୟୀ ଭାତୃଜାୟର ସହାନୁଭୂତି କଥାପଦକରେ ଲାବଣ୍ୟ ଆତ୍ମବିସ୍ମୃତି ହୋଇଗଲା । ସେ ଆଉ କିଛି କହି ପାରିଲାନାହିଁ, କେବଳ ଭୋ ଭୋ କରି କାନ୍ଦି ପକାଇଲା । ରତ୍ନରେଖା ଅପରାଧୀ ପରି ନିର୍ବାକ ହୋଇ ଦୀନଦୃଷ୍ଟିରେ ତାହା ମୁହଁକୁ ଚାହିଁ ରହିଲା । ଅନନ୍ତର ପଣନ୍ତ କାନିରେ ନଣନ୍ଦର ଲୁହ ପୋଛିଦେଇ କୋମଳ-କାତର କଣ୍ଠରେ କହିଲା- ‘‘ତୋ ମନରେ ଦୁଃଖ ହେଲାକି ଭଉଣି ? ତେବେ ତାହା କହନା’ । ତୋ ଆଖିରେ ଲୁହ ଦେଖିଲେ ମୋ ଛାତି ଫାଟିଯାଏ ।’’ ଲାବଣ୍ୟ ଏହି ସ୍ନେହବୋଳା କଥା ଶୁଣି ତତ୍‌କ୍ଷଣାତ୍‌ କ୍ରନ୍ଦନ ସମ୍ୱରଣକରି ଗଦ୍‌ଗଦ୍‌ କଣ୍ଠରେ କହିଲା- ନା ନା, ନୂଆବୋହୁ, ଆଉ କାନ୍ଦିବି ନାହିଁ ତୁମପରି ସ୍ନେହମୟୀ ଦୟାଶୀଳା ପାଖରେ ଦୁଃଖ ନ କହି ଆଉ କାହା ପାଖରେ କହିବି ? ସହାନୁଭୂତିର ଏପରି ସ୍ଥାନ ମୁଁ କାହୁଁ ପାଇବି ? ହୃଦୟର ବ୍ୟଥା ହୃଦୟୀ ବୁଝେ ସିନା । ତୁମ ଛଡ଼ା ସଂସାରରେ ଏ ହୀନକପାଳୀର ଆଶ୍ରା-ଭରସା କିଏ ଅଛି ? ଏବେ ଦୁଃଖର କଥା ଶୁଣ । ମୋର କରଣୀ ତ ମୋ ଆଖି ଆଗରେ ହାତ ହଲେଇ ସବୁବେଳେ ଟାପରା କରୁଛି, ସେ ବ୍ୟଥା ଆଉ କଅଣ କହିବି । ମୁଁ କେଡ଼େ ଭୁଲକଲି, ସ୍ୱାମୀଙ୍କୁ ଛାଡ଼ି ଚାଲିଆସିଲି । ସେହି ଆରାଧ୍ୟ ଦେବତାଙ୍କ ଚରଣାମୃତ ପାନ ବିନା ମୋର କାୟା ଶୁଦ୍ଧ ହେବ କିପରି ? ଏ ଦୁଃଖତ ବିରୁଡ଼ିପରି ମନଭିତରେ ବିନ୍ଧୁଛି, ତା ଉପରେ ପୁଣି ଭାଇ ମୋର ଖୋରାକ ପୋଷାକ ଲାଗି ତାଙ୍କ ଘର ଉପରେ ମୋକଦ୍ଦମା କଲେଣି, ଏହା ଶୁଣିଲାଦିନୁ ମୁଁ ଆଉ ଦୁଃଖ ସମ୍ଭାଳି ପାରୁନାହିଁ । ଭାଇଙ୍କି ଢେର ଜୁହାର ନେହୁରା ହୋଇ କହିଲି । କନ୍ଦାକଟା କଲି, କାହିଁରେ ତାଙ୍କ ମନ ତରଳିଲା ନାହିଁ । ସେ ହାକିମ ପାଖରେ ଅର୍ଜି ଦାଖଲ କରିଦେଲେ । ନିତି ଭିକାରି ପରି ମୁଁ ଶଶୁରଘରେ ପଡ଼ି ଚାଉଳ ମାଣକରେ ବଞ୍ଚିବି, ଏହାପରି ଲଜ୍ଜା ଅପମାନ ଆଉ ଦୁଃଖ କଅଣ ଅଛି । ମୁଁ ତାଙ୍କ ଓଳିରେ କାନି ପାତି ତାଙ୍କର ଧାରୁଆ ହୋଇ ରହିବି କାହିଁକି ? ଯାହାଙ୍କ ଘରେ ମୋ ଲାଗି ଠାବ ନାହିଁ, ତାଙ୍କ ଘରୁ ଭାତମୁଠାଏ ମୁଁ କାହିଁକି ଖାଇବି ? ସେଥିରେ ମୋର ପିତୃକୁଳର ମର୍ଯ୍ୟାଦା ହାନି ହେବ, ଆଉ ମୋତେ ବି ଲୋକେ ଖୁଣ୍ଟା ଦେବେ । ବିଧାତା ହାତ ଗୋଡ଼ ଦେଇଛି, ଧାନ କୁଟି, ସୂତା କାଟି କଅଣ ପେଟ ଚାଖଣ୍ଡକ ପୋଷି ପାରିବିନାହିଁ । ମିଛରେ ଦୁର୍ଚ୍ଛନା ଦେଇ ମୋ ମୁଣ୍ଡରେ ଯେ କଳଙ୍କପଶରା ଲଦିଲେ, ତାଙ୍କ ଭାତ ମୋ ପକ୍ଷରେ ବିଷତୁଲ୍ୟ । ଉପାସରେ ମରିଗଲେ ବି ମୁଁ ତାହା ଛୁଇଁବି ନାହିଁ । ଏକାମା ପେଟରୁ ଜନ୍ମି ଭାଇ ମୋତେ ପରଦ୍ୱାରରେ ଭିକ ମଗାଇବେ, ଏହା କଅଣ ଦେହ ସହିବାର କଥା- ନୂଆବୋହୁ । ପର ଟେକିଦେବା ଦାନାରେ ଯେବେ ବଞ୍ଚିବି ତେବେ ତାଙ୍କ ଘରେ କାହିଁକି ରହିବି ? ମୋର ଏହି ଦୁଃଖର କଥା ତୁମକୁ କହିବି ବୋଲି ଇଚ୍ଛା କରିଥିଲି, ଭାଗ୍ୟକୁ ତୁମେ ଆଗରୁ ପଚାରିଲ । ଭଲା, ନୂଆବୋହୁ ତୁମେ ଥରେ ଭାଇଙ୍କୁ ବୁଝାଇ କହିଲେ ହୁଅନ୍ତା ନାହିଁ । ଏବେ ବି ତ ବେଳ ଅଛି, ମୋକଦ୍ଦମା ଉଠାଇ ଆଣିଲେ ଚଳନ୍ତା ।’’ ରତ୍ନରେଖା କହିଲା- ହଁ ଭଉଣି, କହିବି । ତୋ କଥା ନ କହି ଆଉ କାହା କଥା କହିବି ? ତେବେ କହିଲେ ଫଳ କେତେଦୂର ହେବ, ତାହା ଭାବୁଛି । ତୋ ଭାଇଙ୍କ ଏକବୁଝା ସ୍ୱଭାବତ ତୁ ଜାଣୁ, ଯାହା ବୁଝିଥିବେ ସେଇଆ, ଗୁରୁଗୋସାଇଁ କହିଲେ ବି ଟଳିବେ ନାହିଁ । ଯାହାହେଉ କଥା ରହୁ ବା ନରହୁ, ନିଶ୍ଚୟ ଥରେ କହିବି । ଛି ଛି ବନ୍ଧୁ ସଙ୍ଗରେ ମୋକଦ୍ଦମା କରିବା ଭଲ ନୁହେ- ସେଥିରେ ଲୋକେ ହସିବେ, ଏହାକି ତାଙ୍କୁ ସୁନ୍ଦର ଦିଶିବ । ତୁ ଆଉ ମନରେ ଦୁଃଖ କରନା ଲାବଣ୍ୟ, ମୁଁ ବେଳକାଳ ବୁଝି ତାଙ୍କୁ କହିବି ।

 

ସେଦିନ ରବିବାର, କଚେରୀ ବନ୍ଦ । ଏ ଦିନଟା ହାକିମ-ହୁକୁମା ଅମଲା-ଫଇଲା, ଓକିଲ, ମୁକ୍ତିଆର ସମସ୍ତଙ୍କର ବିଶ୍ରାମ ଦିନ । ଅର୍ଜ୍ଜୁନ ଖାଇସାରି ଖଟ ଉପରେ ବସି ଗୋଟାଏ ପଙ୍ଖାଧରି ବିଞ୍ଚିହେଉଅଛି, ଏହି ସୟରେ ଗୃହାନ୍ତରରୁ ରତ୍ନରେଖା ଆସି ସ୍ୱାମୀଙ୍କ ହସ୍ତରୁ ପଙ୍ଖାଟା ଟାଣିନେଇ ନିଜେ ବିଞ୍ଚିଦେବାକୁ ଲାଗିଲା । ସ୍ୱାମୀ ସ୍ତ୍ରୀ ଦୁହିଙ୍କ ମଧ୍ୟରେ ନାନା ବିଷୟରେ କଥୋପକଥନ ଲାଗିଲା । ହାସ ପରିହାସ ଚଳିଲା । ଦାମ୍ପତ୍ୟପ୍ରେମର କଥା, ଘରକରଣା କଥା ପରଘର କଥା, ସବୁଥିରୁ ଅଧ୍ୟାଏ ଅଧ୍ୟାଏ ହୋଇଗଲା, ପେଟ ସଙ୍ଗରେ ମନର ଘନିଷ୍ଟ ସମ୍ପର୍କ, ପେଟ ଥଣ୍ଡା ଥିଲେ ମନ ଥଣ୍ଡା ଥାଏ, ଏହା ସ୍ୱାଭାବିକ । ଅର୍ଜ୍ଜୁନ ସଦ୍ୟ ଭୋଜନରୁ ଉଠିଅଛି; ସୁତରାଂ ତାହାର ମନ ତୃପ୍ତିର ଆନନ୍ଦରେ ଶୀତଳ ଅଛି । ରତ୍ନରେଖା ଉପଯୁକ୍ତ ଅବସର ବୁଝି ଲାବଣ୍ୟର କଥା ଉତ୍‌ଥାପନ କଲା । ସେ ଅର୍ଜ୍ଜୁନକୁ ପଚାରିଲା- ‘‘ସତେ କଅଣ ତୁମେ ଲାବଣ୍ୟର ଶ୍ୱଶୁରଙ୍କ ନାରେ ମାମଲା କରିଛ ?

 

ଅର୍ଜ୍ଜୁନ- ସତରେ ମାମଲା ନକରି ଆଉ କଅଣ ମିଛରେ କହନ୍ତି ? କି, କାହିଁକି ତୁମେ ସେ କଥା ପଚାରୁଛ ?

 

ରତ୍ନରେଖା- ପଚାରିଲି ବୋଲି କଅଣ ଦୋଷ ହୋଇଗଲା ? ହୋଇଥିଲେ କ୍ଷମା କର ।

 

ଅର୍ଜ୍ଜୁନ- ନା, ଦୋଷ କିଛି ହୋଇନାହିଁ, ତେବେ ପଚାରିବାର କାରଣଟା କଅଣ ?

 

ରତ୍ନରେଖା- କାରଣ ଅକାରଣ କିଛି ଜାଣେନାହିଁ, ତୁମ ଗୋଡ଼ତଳେ ପଡ଼ୁଛି- ତୁମେ ସେ ମାମଲା ଉଠାଇ ଆଣ ।

 

ଅର୍ଜ୍ଜୁନ- କଅଣ ଗେହ୍ଲକଥା ନା ଖେଳଘର କଥା ଯେ, କାଲି ମୋକଦ୍ଦମାକରି ଆଜି ଉଠାଇ ଆଣିବି, ତାହା ହୋଇପାରିବ ନାହିଁ ।

 

ରତ୍ନରେଖା- କି କାହିଁକି ନ ହେବ ? ତୁମରି ମୁକ୍ତିଆାରମାନେ ପରା ହାକିମଙ୍କୁ ସମସ୍ତଙ୍କର ସବୁକଥା ବୁଝାଇ କହନ୍ତି ? ତୁମେ ଯେବେ କହନ୍ତି- ହାକିମ ହଜୁର, ମୁଁ ରାଗରେ ହତଜ୍ଞାନ ହୋଇ ଆଗପଛ ନ ବିଚାରି ମାମଲା କରିପକାଇଥିଲି । ଏବେ ବୁଝିଲି,- ବନ୍ଧୁ ସଙ୍ଗରେ ମାମଲା କରିବା ଗୋଟାଏ କଳଙ୍କ । ହଜୁର ମୋର ମୋକଦ୍ଦମା ଦୟାକରି ଉଠାଇ ଦିଅନ୍ତୁ, ଆମେ ଆପେ ଆପେ ରାଜି ରୁଜା ହୋଇଯିବୁଁ । ଏହା କହିଲେ କଅଣ ସେ ମାମଲା ଉଠାଇ ଦିଅନ୍ତେ ନାହିଁ-? ମୁଁ ତ କହୁଛି, ସେ ନିଶ୍ଚେ ଉଠାଇ ଦିଅନ୍ତେ ।

 

ଅର୍ଜ୍ଜୁନ- ବାଃ, ତୁମେବି ତ ଗୋଟାଏ ମୁକ୍ତିଆର ହୋଇଗଲଣି । ଆଇନ ବହି ଦି ଖଣ୍ଡ ପଢ଼ିଲେ ଆହୁରି ଭଲ ସୁଆଲ କରିପାରନ୍ତ ।

 

ରତ୍ନରେଖା- କି, ଏକା ତୁମ ଜାତି ମୁକ୍ତିଆର ହେବେ, ଆଉ ଆମଜାତି ହେବେ ନାହିଁ ? ଆମେ ଆଇନ-ଫାଇନ ଜାଣୁନାହିଁ, ଆମେ ବେଆଇନ ମୁକ୍ତିଆର । ତୁମେ ମାମଲା ଉଠାଇ ଆଣିବ, କି ନା, କୁହ ?

 

ଅର୍ଜ୍ଜୁନ- ସେ ମୋତେ ଯେପରି ଅପମାନ ଦେଇଛନ୍ତି, ମୁଁ ତାଙ୍କୁ ସେହିପରି କଚଡ଼ାଏ ନ ଦେଇ କଅଣ ଛାଡିବି ?

 

ରତ୍ନରେଖା- ବନ୍ଧୁ ବନ୍ଧୁ ମଧ୍ୟରେ ଏହିପରି ମାନ ଅପମାନ କେତେ ହୁଏ, ସେଥିରେ କଅଣ ବନ୍ଧୁପଣ କଟିଯାଏ, ନା ଗୁଆ ନିମନ୍ତ୍ରଣ ବନ୍ଦ ହୋଇଯାଏ ? କିଛିଦିନ ଗଲେ, ମନଊଣା, ଅପମାନ ସବୁ କୁଆଡ଼େ ମିଳେଇଯାଏ । ପୁଣି ଯେଉଁ ବନ୍ଧୁପଣକୁ ସେହି ବନ୍ଧୁପଣ । ମାନ ଅପମାନକୁ ଜୀବନର ସଙ୍ଖାଳି କରି ଘେନି ବସିଲେ- ସଂସାରରେ ଚଳି ହେବ କିପରି ? କହନ୍ତି ପରା- ‘‘ ଝିଅ ଦେଇ ବାଡ଼ି କାନଶିରାକୁ ସରି ନୁହେଁ ।’’ ଭଉଣୀମୁହଁକୁ ଚାହିଁ ସବୁ ଅପମାନ ସହ୍ୟ କର । ଭଉଣୀଟି କିପରି ଅଭିମାନିନୀ ତାହା ତ ଜାଣ, ସେ କାଳେ କେତେବେଳେ କଅଣ କରି ବସିବ, ମୋର ଏହି ଭୟ, ତେତେବେଳେ ତୁମେ ଲୋକ ନିନ୍ଦାରେ ପଡ଼ିବ ?

 

ଅର୍ଜ୍ଜୁନ- କଅଣ ଗୁଡ଼ାଏ ଯେ ତୁମେ- କହିଯାଉଛ, ମୁଁ ତାହାର ଅର୍ଥ କିଛି ବୁଝିପାରୁ ନାହିଁ-। ଭଉଣୀ କଅଣ କରିବସିବ, ମୁଁ ପୁଣି କି ଲୋକନିନ୍ଦାରେ ପଡ଼ିବି, ଏ ସବୁ ତୁମର ମନଗଢ଼ା କଳ୍ପନା, ନା କଅଣ ? ବସି ବସି ତୁମେ ଏହିପରି କେତେ ସ୍ୱପ୍ନ ଦେଖୁଛ ? କିନ୍ତୁ ଦୁଃଖର ବିଷୟ, ତୁମର ଏ ସ୍ୱପ୍ନ ସଫଳ ହେବାର ଆଦୌ ସମ୍ଭାବନା ନାହିଁ । ହେ କଳ୍ପନାଦକ୍ଷ କବି, ଆଛା କହିଲ ଭଲା, ଭଉଣୀ କଅଣ କରି ବସିବ ? ତାହାର ଭବିଷ୍ୟତ ଅଦୃଷ୍ଟର ଅନ୍ଧାରିତ ପ୍ରକୋଷ୍ଠରୁ ତୁମେ ଅବ୍ୟର୍ଥ କଳ୍ପନା କି ମହାସତ୍ୟ ସଂଗ୍ରହ କରିଅଛି ?

 

ରତ୍ନରେଖା- କେତେ ଟାହୁଲି କରୁଛ, ଭଉଣୀ ଆଉ କଅଣ କରିବ- ଯେବେ ସେ ତୁମଘରେ ନ ରହେ-

 

ଅର୍ଜ୍ଜୁନ- ଆଉ କୁଆଡ଼େ ଯିବ ?

 

ରତ୍ନରେଖା- ତାହାର ଆତ୍ମପୁରୁଷ ଯେଉଁ ଆଡ଼କୁ ତାଟ ଦେଖାଇବ, ସେ ସେହି ଆଡକୁ ଯିବ ।

 

ଅର୍ଜ୍ଜୁନ- କି, କାହିଁକି ଯିବ ?

ରତ୍ନରେଖା- ତୁମ୍ଭେ ଭାଇ ହୋଇ ଯେବେ ତାକୁ ପରଦ୍ୱାରରେ ଭିକ ମଗାଇବ, ତେବେ ସେ ତୁମ ଘରେ କାହିଁକି ରହିବ ? ତୁମେ ମୋକଦ୍ଦମା କରି ଯେଉଁ ଟଙ୍କା ଆଣିବ, ସେ ତାକୁ ଛୁଇଁବ ନାହିଁ । ବାପଘରୁ ମୁଠାଏ ଭାତ ନ ପାଇଲେ ସେ ଗତର ଖଟାଇ ଖାଇବ । ଭଗବାନ ଜୀବ ଦେଇଛନ୍ତି, କଅଣ ଦାନା ଦେବେ ନାହିଁ ? ପରଘରେ ଇତର ପାଇଟି କଲେ ସିନା ଲାଜ ମାଡ଼ିବ । ସେ କଅଣ ଘରେ ବସି ଦିନରେ ଗୋଟାଏ କାଇଁଶ ଡାଲା ବୁଣି ପାରିବ ନାହିଁ । ନା ଖଣ୍ଡେ ଦଶିଗଭା କାଟି ପାରିବ ନାହିଁ, ନା ଦି’ କୋଡ଼ି ଚଉଁରା ବଳି ପାରିବ ନାହିଁ ? ତେତିକି ହେଲେ ତାହାର ଢେର । ଗୋଟାଏ ପେଟ, କେତେ ଖାଇବ । ପରଦୁଆରେ ଆଦୁର୍ଯ୍ୟା ହେବାକୁ ଯିବ କାହିଁକି ? ତାହାର କେଉଁ ଗୁଣ ନାହିଁ ଯେ, ସେ ଉପାସ ରହିବ । ପୁଞ୍ଜାଏ ମାଟି କଣ୍ଢେଇ ବନେଇ ଫୁଲଖଡ଼ି, ଗେରୁ, ହାଣ୍ଡୀ କଳାରେ ଚିତ୍ର କରିଦେଲେ ଦିଅଣା ରୋଜଗାର ହେଲା ।

ଅର୍ଜ୍ଜୁନ- ଏ ସବୁ ତୁମର ଅମୂଲ୍ୟ କଳ୍ପନା, ନା ଲାବଣ୍ୟ ମୁହଁରୁ ଏହିପରି ଶୁଣିଛ ?

ରତ୍ନରେଖା- ଶୁଣିନାହିଁ, କଅଣ ତୁଚ୍ଛା ମନକୁ କହୁଛି ?

ଅର୍ଜ୍ଜୁନ- ହଁ, ରାଗବେଳେ ଅନେକ ଅନେକ କଥା କହନ୍ତି; ମାତ୍ର କାର୍ଯ୍ୟରେ କିଏ କଣ କରେ ?

ରତ୍ନରେଖା- କାର୍ଯ୍ୟରେ ବି କେହି କେହି କରନ୍ତି । ମର୍ମକୁ ବାଧିଲେ କିଏ କଅଣ ନ କରିପାରେ ।

ଅର୍ଜ୍ଜୁନ- ଏଥିରେ ମର୍ମକୁ ବାଧିବାର କଥା କଅଣ ଅଛି ?

ରତ୍ନରେଖା- ଯେଉଁ ବଂଶର ଝିଅମାନେ ବାଟିକରୁ ଊଣା ଭୂମି ଯୌତୁକ ନେଇ ନାହାନ୍ତି, ସେହି ବଂଶର ଗୋଟାଏ ଝିଅପାଇଁ ତୁମେ ତାହା ଶଶୁର ଘର ଠାରୁ ମୁଠେ ଭାତ ଆଦାୟ କରିବ, ଏହା କଅଣ ମର୍ମକୁ ବାଧିବାର କଥା ନୁହେଁ ?

ଅର୍ଜ୍ଜୁନ- ଏତ ବଡ଼ ମଜାର କଥା । ଏଟା ହେଲା ମର୍ମକୁ ବାଧିବା କଥା, ଆଉ ମୋ ଭଉଣୀକୁ ସେମାନେ ମିଛରେ ଦୁର୍ଚ୍ଛନା ଦେଇ କଳଙ୍କିତ କଲେ, ଅଡ଼ଚିଣାରେ ମାଡ଼ ମାଇଲେ, ମୋତେ ଅପମାନ ଦେଲେ, ଇତର ଭାଷାରେ ଗାଳିଦେଲେ, ଏ ସବୁ କଅଣ ମର୍ମକୁ ବାଧିବାର କଥା ନୁହେଁ ? ସେ ଯେଉଁ କଟୁକଥା ମୋତେ କହିଛନ୍ତି, ତାହାରି ତୀବ୍ର ଉତ୍ତାପରେ, ମୋ କଲିଜାରେ ଫୋଟକା ହୋଇଯାଇଛି । ସେ ଫୋଟକାର ଜଳପୋଡ଼ା ଯନ୍ତ୍ରଣା ଆଜିଯାଏଁ ଊଣା ହୋଇନାହିଁ । ପିଲାଟା ରାଗ ଝୁଙ୍କରେ ଚାଲି ଆସିଲା ବୋଲି ପାଠ ଅଶୁଦ୍ଧ ହୋଇଗଲା ଯେ, ଆଉ ତାକୁ ନେବେ ନାହିଁ ବୋଲି ଏକାବେଳକେ ଛାଡ଼ପତ୍ର ଦେଇବସିଲେ । ଏଭଳି ଅନ୍ୟାୟର ପ୍ରତିଶୋଧପ୍ରଦାନ ପାପ ନୁହେଁ ।

ରତ୍ନରେଖା- ଛି, ପ୍ରତିଶୋଧର ନା’ ଧର ନାହିଁ । ସେମାନେ ନିନ୍ଦାର କାମ କରିଛନ୍ତି, ଲୋକେ ତାଙ୍କୁ ନିନ୍ଦା କରିବେ । ତୁମେ ପ୍ରତିଶୋଧ ଦେଇ ସେ ନିନ୍ଦା କିଣିବ କାହିଁକି ?

ଅର୍ଜ୍ଜୁନ- ପ୍ରତିଶୋଧ ମନ୍ଦ ନୁହେଁ, ସମସ୍ତଙ୍କ ପ୍ରାଣେ ପ୍ରତିଶୋଧ ସ୍ପୃହା ଅଛି । ସାପର ଲାଞ୍ଜ ଟିପିଦେଲେ ସେ ଲେଉଟିପଡ଼ି ଚୋଟେ ବସାଇଦିଏ । କୁକୁରକୁ ଟେକା ଫିଙ୍ଗିଲେ ସେ ଧାଇଁ ଆସି କାମୁଡ଼ି ପକାଏ, ଅସୁରମାନେ ଋଷିମାନଙ୍କର ତପୋଭଙ୍ଗ କଲେ ଋଷିମାନେ ଅଭିଶାପ ଦିଅନ୍ତି । ଦେବତାମାନେ ମଧ୍ୟ ପ୍ରତିଶୋଧର ଆଶ୍ରୟ ନିଅନ୍ତି, କେହି ସେମାନଙ୍କର ଅନିଷ୍ଟ କଲେ ସେମାନେ ତାର ପ୍ରତିଫଳ ଦିଅନ୍ତି, ଆମ ଶାସ୍ତ୍ରପୁରାଣରେ ସେଥିରୁ ଦୃଷ୍ଟାନ୍ତ ଯଥେଷ୍ଟ ଅଛି ।

ରତ୍ନରେଖା- କଥାରେ ମୁଁ ତୁମକୁ ପାରିବି ନାହିଁ, ତୁମର ଯାହା ଇଛା ତାହା କର, ମୁଁ ଆଉ କିଛି କହିବି ନାହିଁ ।

ଅର୍ଜ୍ଜୁନ- କି ରାଗିଗଲ କି ? ତୁମର ପରାମର୍ଶ ଉତ୍ତମ ହୋଇପାରେ; ମାତ୍ର ତାହା ଗ୍ରହଣ କରିବାକୁ ମୋର ବିବେକପୁରୁଷ ଉପଦେଶ ଦେଉ ନାହିଁ । ବିବେକ ମୋତେ ଯାହାକହେ, ମୁଁ ତାହା ଶିରୋଧାର୍ଯ୍ୟ ମଣି କରେ । ସେ ମୋର ପରମ ଗୁରୁ, ମୁଁ ତାହା କଥା ଏଡ଼ିପାରେ ନାହିଁ, ଏଡ଼ି ଦେବାର ସାହସ ମଧ୍ୟ ମୋରି ନାହିଁ, ତାହାଛଡ଼ା ଅନ୍ୟ କାହାରି କଥାରେ ଚାଳିତ ହେବା ମୋର ପ୍ରକୃତି ବିରୁଦ୍ଧ, ତାହା ମୋ କୋଷ୍ଠୀରେ ମଧ୍ୟ ନାହିଁ । ଏଥିରେ ତୁମେ ରାଗ ବା ଯାହାକର ମୁଁ ତହିଁକି ନା’ଚାର ।

ରତ୍ନରେଖା- ନା, ମୁଁ ରାଗିବି କାହିକିଁ ? କଥା କଥାକେ ରାଗିବା ଆମ ନାରୀଜାତିର ସ୍ୱଭାବ ନୁହେଁ । ଆଉ ସ୍ୱାମୀଙ୍କର ଉପରେ ରାଗିବା ଯେ ମହାପାପ, ଏହା ଆମର ସହଜାତ ଧାରଣା । ତୁମ ବିବେକ ଯାହା କହୁଛି, ତୁମେ ତାହାହିଁ କର, ମୁଁ ସେଥିରେ ବାଧା ଦେବି ନାହିଁ । ଏବେ ଯାଉଛି, ମୋର ଢେର ପାଇଟି ଅଛି, ସଙ୍ଖୁଡ଼ି ବାସନ ମଜା ହୋଇ ନାହିଁ, ଉଷୁନା ଧାନ ହେଁଷରେ ଶୁଖୁଛି, ତାକୁ ଘାଣ୍ଟିଦେବି ।

ଅନନ୍ତର ରତ୍ନରେଖା ଉଠି ଚାଲିଗଲା । ଅର୍ଜ୍ଜୁନ ନିଦ୍ରାଦେବୀଙ୍କର ଶୀତଳ-କୋମଳ-ଅଙ୍କରେ ଆଶ୍ରୟ ନେଇ ନାସିକାଧ୍ୱନି କରିବାକୁ ଲାଗିଲା ।

Image

 

Unknown

ପଞ୍ଚମ ପରିଚ୍ଛେଦ

 

ଯଥାସମୟରେ ମୋକଦ୍ଦମାର ରାୟ ପ୍ରକାଶିତ ହେଲା । ଅର୍ଜ୍ଜୁନ ମାସିକ କୋଡିଏ ଟଙ୍କା ଦାବୀ କରିଥିଲା; ମାତ୍ର ହାକିମ ଲାବଣ୍ୟର ଖୋରାକୀ, ପୋଷାକୀ ବାବଦ ମାସିକ କୋଡିଏ ପୁଡ଼ି ଧାନ ଏବଂ ନଗଦ ପାଞ୍ଚ ଟଙ୍କା ଲେଖାଏଁ ଦେବା ସକାଶେ ବୈରିଗଞ୍ଜନଙ୍କ ପ୍ରତି ଆଦେଶ କରିଅଛିନ୍ତି । ରାୟ ଶୁଣି ବୈରିଗଞ୍ଜନଙ୍କ ମୁଣ୍ଡରେ ବଜ୍ର ଭାଙ୍ଗିପଡିଲା; କିନ୍ତୁ କଅଣ କରିବେ, ହୁକୁମ ଅମାନ୍ୟ କରିବାରତ ଉପାୟ ନାହିଁ । ନ ଦେଲେ ଅର୍ଜ୍ଜୁନ ନାଲିସ କରି ସମ୍ପତ୍ତି ନିଲାମ ପୂର୍ବକ ଭଉଣୀର ପ୍ରାପ୍ୟ ଆଦାୟ କରିନେବ; ସୁରତାଂ ସେ ଏତେ ହଟ ହଟାରେ ପଡ଼ିବାକୁ ଇଚ୍ଛା କଲେ ନାହିଁ । ଭିତରେ ଭିତରେ ରକ୍ତ ଚାଉଳ ଚୋବାଇହୋଇ ରହିଲେ ମନେ ମନେ କହିଲେ- ‘‘ଫେଚକା ଟୋକା ଅର୍ଜ୍ଜୁନ ମୋତେ ଖୁବ୍‌ପଟାଏ ଚିତା କାଟିଲା । ଜମି ପାଞ୍ଚମାଣତ ଦୂରର କଥା, ମାଟି ପାଞ୍ଚମସାବି ପାଇଲି ନାହିଁ । ବାପ ସତ୍ୟ କରିଥିଲା, ପୁଅ ସେ ସତ୍ୟ ଭାଙ୍ଗି ତାକୁ ଅହିନରକରେ ପକାଇଲା । ଆଉ ଉଦୁଣ୍ଡୀ ଭଉଣୀର ଖୋରାକୀଟା ଆଦାୟ କରିବା ବାକୀ ଥିଲା । କେତେକ ପୂର୍ଣ୍ଣ ହେଲା, ଏବେ ରଙ୍କୁଣିଆ ଛାଡ଼ିଯିବ । ହେଉ ଧର୍ମ ଥିଲେ ବୁଝାମଣା କରିବ । ମୋଠାରୁ ନେଉପଛେ; ମାତ୍ର ମୋର ଧାରୁଆ ହୋଇ ରହିବତ । ଆର ଜନ୍ମରେ ଛାତିରେ ଚଢ଼ି ଗଛଉପରେ ଗଛ ହୋଇ ଆଦାୟ କରିବି ।’’ ବ୍ରରିଗଞ୍ଜନ ଏହିପରି କେତେ କଥା ଭାବି ନିଜକୁ ନିଜେ ସାନ୍ତ୍ୱନା ପ୍ରଦାନ କଲେ । ଋଣଟା ସଦ୍ୟ ଆଦାୟ ନ କରି ପରବର୍ତ୍ତୀ ଜନ୍ମକୁ ରଖିଦେବାଦ୍ୱାରା ସେ କିଭଳି ସୁବୁଦ୍ଧିର କାର୍ଯ୍ୟ କରିଅଛନ୍ତି ତାହା ସହଜରେ ଅନୁମେୟ । ଗୋଟାଏ ଜନ୍ମର ସୁଧତ ଅଳ୍ପ ହେବ ନାହିଁ ମୂଳରୁ ବହୁଗୁଣ ହୋଇଯିବ । ତେତେବେଳେ ମୂଳ କଳନ୍ତର ଉଭୟ ଆଦାୟ କରିନେବେ । ସଦ୍ୟଋଣ ଆଦାୟ କରିନେଲେ ଆଉ କଳନ୍ତର କାହୁଁ ମିଳିବ ? ଏ ବୁଦ୍ଧି କଅଣ ପ୍ରଶଂସାର ଯୋଗ୍ୟନୁହେଁ ? ଏରୂପ ସୂକ୍ଷ୍ମତମ ବିଷୟ ବୁଦ୍ଧି ନ ଥିଲେ ସଂସାରରେ ଘରକରଣା କରିହେବ କିପରି ?

 

ଏଣେ ଅର୍ଜ୍ଜୁନର ଆନନ୍ଦର ସୀମା ନାହିଁ । ଦିଗ୍‌ବିଜୟୀ ବୀରପରି ସେ ବିଜୟ-ଗୌରବରେ ଉନ୍ମତ୍ତ । ସେ ମାମଲା ଜିଣିଅଛି, ଆତ୍ମଶ୍ଳାଘାରେ ତାହାର ଛାତି କୁଣ୍ଢେ ମୋଟରେ ଫୁଲି ଉଠୁଅଛି । ଏହି ଆନନ୍ଦର ଅଂଶ ସେ ସହଧର୍ମିଣୀକୁ ଉପଭୋଗ କରାଇବାକୁ ବ୍ୟଗ୍ରହୋଇ ଉଠିଲା । ଅର୍ଜ୍ଜୁନର ଏ ଉତ୍ତମ ବିଚାର । ସ୍ତ୍ରୀ ସହଧର୍ମିଣୀ ପୁଣି ଅର୍ଦ୍ଧାଙ୍ଗିନୀ, ସବୁଥିରେ ତାହାର ଅଧେଭାଗ ବିଧି ନିଦ୍ଦଷ୍ଟ, ଉପସ୍ଥିତ ଆନନ୍ଦ ଉପଭୋଗରୁ ସେ ବଞ୍ଚିତ ହେବ କାହିଁକି ? ଅର୍ଜ୍ଜୁନ ଘରକୁ ଆସି ହସ ହସ ହୋଇ ରତ୍ନରେଖାକୁ କହିଲା- ‘‘ଶୁଣିଲଣି ଗୋଟାଏ ଖୁସି ଖବର ଆମର ମାମଲା ଜୟହେଲା-। ଲାବଣ୍ୟ ପାଇଁ ବୈରିଗଞ୍ଜନ ପ୍ରତିମାସ କୋଡିଏ ପୁଡ଼ି ଧାନ, ଆଉ ପାଞ୍ଚଟଙ୍କା ଲେଖାଏଁ ଖର୍ଚ୍ଚଦେବେ ।’’ ଅର୍ଜ୍ଜୁନ ଭାବିଥିଲା,- ରତ୍ନରେଖା ଏ ସମ୍ୱାଦ ଶୁଣି ଆନନ୍ଦ ପ୍ରକାଶ କରିବ । କିନ୍ତୁ ବୃଥା ଆଶା ରତ୍ନରେଖା ଚିତ୍ର ପ୍ରତିମା ପରି ନିଶ୍ଚଳଭାବରେ ଠିଆ ହୋଇ ସ୍ୱାମୀଙ୍କ ମୁଖକୁ ଦୀନଦୃଷ୍ଟିରେ ଅନାଇ ରହିଲା, ତାହାର ନେତ୍ରରୁ ଦୁଇଧାର ଅଶ୍ରୁ ଗଡ଼ିପଡ଼ିଲା । ସେହି ଅଶ୍ରୁରେ ଅର୍ଜ୍ଜୁନର ହାସ୍ୟରେଖା ଧୋଇଗଲା । ସେ ଆଶ୍ଚର୍ଯ୍ୟ ହୋଇ ମନେ ମନେ କହିଲା, ଏ ପୁଣି କଅଣ ହେଲା, ଆନନ୍ଦ ପ୍ରକାଶ କରନ୍ତେ କଅଣ କାନ୍ଦି ବସିଲେ । ଅନନ୍ତର ଅର୍ଜ୍ଜୁନ କହିଲା- ‘‘ତୁମେ କାନ୍ଦୁଛ କାହିଁକି ରେଖା ? ଏଥିରେ କାନ୍ଦିବାର କଥା କଅଣ ହେଲା ?’’ ଅର୍ଜ୍ଜୁନ ଅତି ସୁଆଗରେ ରତ୍ନରେଖାକୁ କେବଳ ‘ରେଖା’ ବୋଲି ଡ଼ାକେ । ରତ୍ନରେଖା ମଧ୍ୟ ରତ୍ନହୃତା ହୋଇ ଅଗୌରବ ମଣେ ନାହିଁ ।

 

 

 

ରତ୍ନରେଖା- କାନ୍ଦିବି ନାହିଁ ଆଉକଅଣ ହସିବି । ମୋର ଖଣ୍ଢେ ବୋଲି ନଣନ୍ଦ, କେଡ଼େ ଗେହ୍ଲାରେ ସେ ବଢ଼ୁଥିଲା । ମୁଠାଏ ଭାତଲାଗି ତୁମେ ତାକୁ ଭିକ ମଗାଇଲ । ସେ ଯେଉଁ ଅଭିମାନିନୀ, ଆଉ କି ତୁମଘରେ ସେ ରହିବ ?

ଅର୍ଜ୍ଜୁନ - ତୁମେ ସବୁବେଳେ ଲାବଣ୍ୟର ନ ରହିବାର କଥା ସ୍ୱପ୍ନ ଦେଖୁଛ । ନ ରହିବ କାହିଁକି, ମୁଁ ତାହାରତ କିଛି କ୍ଷତିକରି ନାହିଁ । ତଥାପି ଯେବେ ସେ ନିର୍ବୋଧପଣରେ ମନ ଊଣା କରେ ତେବେ ତୁମେ ବୁଝାଇ କହିଲେ କି ସେ ବୁଝିବ ନାହିଁ ?

ରତ୍ନରେଖା - ତୁମ ଭାଇଭଉଣୀଙ୍କର ତ ଏକା ଜାତକ, ଯାହା ବୁଝିଥିବ ସେଇଆ, ତୁମକୁ ପୁଣି ବୁଝାଇବ କିଏ ? ମୋ ପାରୁ ପର୍ଯ୍ୟନ୍ତ ମୁଁ ବୁଝାଉଛି ବୁଝାଇବି, ସେଥିରେ ମୋର ହେଳାନାହିଁ, ଆଉ ତୁମେ ଏକା ଗୋଟିଏ କଥା କରିବ, - ଉଛୁଣି ତୁମେ ତାକୁ ମାମଲା କଥା କିଛି କହିବ ନାହିଁ । ବାୟାଣୀଟା ଶୁଣି କାଳେ କଅଣ କରିବସିବ ।

ଅର୍ଜ୍ଜୁନ - ମୁଁ ନ କହିଲେ କଅଣ ହେବ, କଥା କି ଲୁଚିରହିବ ? କୁଲା ଢାଙ୍କୁଣୀରେ କି ହାତୀଟାକୁ ଢାଙ୍କି ହେବ ?

ଏହି ସମୟରେ ଦାଣ୍ଡରେ ଜଣେ ମୌକିଲ ଡ଼ାକିବାରୁ ଅର୍ଜ୍ଜୁନ ଚଞ୍ଚଳ ଚାଲିଗଲା; ସୁତରାଂ ଏ ପ୍ରସଙ୍ଗ ଆଉ ଅଧିକ ଅଗ୍ରସର ହୋଇପାରିଲା ନାହିଁ ।

ଯେଉଁ ଦିନ ଲାବଣ୍ୟ ମୋକଦ୍ଦମା କଥା ଶୁଣିଲା, ସେଦିନ ସେ କିଛି ଖାଇଲା ନାହିଁ, କି ନବଧୃତ ପକ୍ଷୀପରି ତାହା ମନ କେଉଁଠି ଲାଗିଲା ନାହିଁ । ସେ ରତ୍ନରେଖାକୁ କହିଲା - ‘‘ନୂଆବୋହୁ, ଏବେ ମୋର ଏଘରୁ ବାସ ଉଠିଲା ।’’

ରତ୍ନରେଖା - ‘‘ଛି, ସେ କଥା ତୁଣ୍ଡରେ ଧରନା ଭଉଣି । ଏ ଘର କଅଣ ତୋର ନୁହେଁ-?’’

 

ଲାବଣ୍ୟ - ନା । ନୂଆବୋହୁ, ସଂସାରରେ ମୋର ଆଶ୍ରୟ ସ୍ଥାନ ନାହିଁ । ‘‘ପିତାଶୀ’’ ଚଢେଇ ପରି ମୁଁ ଯେଉଁ ଡ଼ାଳରେ ବସିଲି ସେ ଡ଼ାଳ ଭାଙ୍ଗିପଡ଼ିଲା ।

 

ରତ୍ନରେଖା - ନା ଭଉଣି ତାହା କହନା, ତୋତେ କଅଣ କିଏ ଘରୁ କାଢିଦେଉଛି ?

 

ଲାବଣ୍ୟ - କାଢି ନ ଦେଲେ କଅଣ ହେଲା, ଗଛର ମଲାଙ୍ଗ ପରି ମୁଁ ତୁମ ବେକରେ ବାନ୍ଧିହେବି କାହିଁକି ?

 

ରତ୍ନରେଖା - ତୋର ଶଶୁର ଘର ପଦାର୍ଥ ତୁ ଖାଇବୁ, ଆମ ବେକରେ ବାନ୍ଧିହେବୁ କାହିଁକି ?

 

ଲାବଣ୍ୟ - ତାହା ମୁଁ ଛୁଇଁବି ନାହିଁ ।

 

ରତ୍ନରେଖା - ତେବେ ତାହା କଅଣ ହେବ ?

 

ଲାବଣ୍ୟ - ଫୋପାଡ଼ି ଦିଅ ବା ବାଣ୍ଟିଦିଅ ବା ପୋଡ଼ିଦିଅ, ମୁଁ ତାକୁ ଛୁଇଁବି ନାହିଁ; କି ତୁମ ଘରେ ବି ପାଣି ଛୁଇଁବି ନାହିଁ । ମୁଁ ମୋର ମାଉସୀ ଘରେ ଯାଇ ରହିବି ।

 

ରତ୍ନରେଖା - କାହାରି ପଦାର୍ଥତ ଛୁଇଁବୁ ନାହି ତେବେ ବଞ୍ଚିବୁ କିମିତି ?

 

ଲାବଣ୍ୟ - ଭଗବାନଙ୍କ ରାଜ୍ୟରେ ବଞ୍ଚିବାର ଉପାୟ ଢେର ଅଛି ନୂଆବୋହୁ, ତାଙ୍କ ରାଜ୍ୟର ନାମ - ‘‘ବସୁମତୀ’’, ତାହା ଖାଲି ବସୁରେ ପୂର୍ଣ୍ଣ । ଟିକିଏ ପରିଶ୍ରମ କରି ଖୋଜିନେଲେ ହେଲା । ଯେଉଁ ଦେଶ ନାରୀ-ଗୌରବରେ ଆଲୋକିତ; ଯେଉଁ ଦେଶର ରାଜକନ୍ୟା ରାଜବଧୂ ରାଜରାଣୀ ପତ୍ରଶଉରୁଣୀ ପରି ବନରେ ବୁଲି କଷ୍ଟକୁ ତୁଚ୍ଛଜ୍ଞାନ କରିଅଛନ୍ତି, ମୁଁ ସେହି ଦେଶରେ ପୁଣି ସେହି ଆଦର୍ଶ ନାରୀକୁଳରେ ଜନ୍ମ ଲଭି ନିଜପାଇଁ କଅଣ ପରିଶ୍ରମ କରିପାରିବି ନାହିଁ ।

 

ନାରୀଜାତି ହୀନ ନୁହେଁ, ସେ ଦେଶର ଶକ୍ତି, ଜାତିର ଶକ୍ତି । ଅବଳା ବାହୁରେ ମଧ୍ୟ ବିଧାତା ଆତ୍ମରକ୍ଷା ସକାଶେ ବଳ ଦେଇଛି, ସମୟ ପଡ଼ିଲେ ନାରୀ ନିଜ ଉପରେ ଭରାଦେଇ ଠିଆହୋଇପାରେ । ଏ ଜନ୍ମଟା ତ ମୋର ବୃଥା ହେଲା, ସ୍ୱାମିସେବା ନାରୀର ଧର୍ମ, ଯାହା ଭାଗ୍ୟରେ ତାହା ନାହିଁ, ତାହାର ଜୀବନ ବିଫଳ ସିନା । ନିଜ ଦୋଷରୁ ତ ମୁଁ ସେ ସୌଭାଗ୍ୟ ହରାଇଛି, ଯେବେ ନିଜେ ବଞ୍ଚି କାହାରି କିଛି ଟିକିଏ ଉପକରଣରେ ଲାଗିପାରେ, ତେବେ ତେତିକି ଏ ଜୀବନରେ ପରମ ଲାଭ ।

 

ରତ୍ନରେଖା - ଯେବେ ପରିଶ୍ରମ କରି ବଞ୍ଚିବୁ, ତେବେ ଏଇଠି ରହି ଯାହା କରିବାର କଲେ କି ହେବ ନାହିଁ ।

 

ଲାବଣ୍ୟ - ନା, ସେଥିରେ ମୋର ପିତୃକୁଳର ଗୌରବ ହାନି ହେବ । ମୁଁ ଏଠାରେ ରହିଁଲେ ମୋର ଶ୍ୱଶୁର ଘରର ପଡି ଏଠାକୁ ଆସିବ, ମୁଁ ତାହା ନ ଛୁଇଁଲେ ମଧ୍ୟ ସେଥିରେ ବଞ୍ଚିଛି ବୋଲି ଲୋକେ ବିଶ୍ୱାସ କରିବେ, ଆଉ ମୋ ଭାଇଙ୍କି ନିନ୍ଦା କରିବେ, ମୁଁ ତାହା ସହିପାରିବି ନାହିଁ ।

 

ରତ୍ନରେଖା - ଭାଇଙ୍କ ଘରୁ ବାହାରି ଯାଇ ଅନ୍ୟ ଜାଗାରେ ରହିବୁ - ଏଥିରେ ଭାଇଙ୍କୁ ନିନ୍ଦା ହେବ ନାହିଁ ।

 

ଲାବଣ୍ୟ - ତାହା କାହିଁକି ହେବ ? ମୁଁ ନିଜ ଇଚ୍ଛାରେ ଯିବି, ସେ ତ ମୋତେ ବାହାରିଯିବାକୁ କହୁନାହାନ୍ତି, ତେବେ ତାଙ୍କୁ କାହିଁକି କିଏ ନିନ୍ଦା କରିବ ? ଭାଇଭାଉଜ ଘରୁ ତଡିଦେଲେ ବୋଲି ମୁଁ ଯେବେ କହି ବୁଲନ୍ତି, ତେବେ ଲୋକେ ତୁମ୍ଭଙ୍କୁ ନିନ୍ଦା କରନ୍ତେ । ତାହା କହିଲେ ମୋତେ କଅଣ ଧର୍ମ ଦଣ୍ଡିବ ନାହିଁ - ମୋ ଜିଭ ଅଧଗଡ଼ରୁ ଛିଡ଼ି ପଡିବ ନାହିଁ ? ତୁମ ପରି ଭାଉଜଙ୍କ ଦୟା, ଆଉ ଭାଇଙ୍କ ସ୍ନେହ ଏ ମଞ୍ଚମଣ୍ଡଳର ପଦାର୍ଥ ନୁହେଁ ନୂଆବୋହୁ, ମୋ ଭାଗ୍ୟକୁ ତାହା ସ୍ୱର୍ଗରୁ ଛିଡିପଡିଛି । ତମକୁ ନିନ୍ଦିଲେ ମୁଁ ନିଜ ହାତରେ ନିଜ ପାଇଁ ନରକର ଶିଢି ତିଆରି କରିବି ସିନା । କଲ୍ୟାଣ କର ନୂଆବୋହୁ, ସେ ଦୁର୍ବୂଦ୍ଧି ମୋତେ ନ ଘଟୁ । ତୁମ୍ଭମାନଙ୍କୁ ପ୍ରତି ମୋର ଭକ୍ତି ଊଣା ହେବନାହିଁ, ସଦ୍‌ଭାବ ସିମିତି ଅଛି, ଠିକ୍‌ ସିମିତି ରହିବ । ମାଉସୀ ଘରତ ଦୂର ନୁହେଁ, ମୁଁ ରୋଜ ତୁମ ଘରକୁ ଯିବା ଆସିବା କରିବି; ମାତ୍ର ଖାଇବି ନାହିଁ, କି ରହିବି ନାହିଁ ।

 

ଅନନ୍ତର ଲାବଣ୍ୟ ଘର ଭିତରକୁ ଯାଇ ନିଜର କୋଥଳୀଟି ଘେନି ବାହାରି ଆସିଲା ଏବଂ ତାହା ଯତ୍ନପୂର୍ବକ କାନିରେ ବାନ୍ଧି ମାଉସୀ ଘର ଆଡ଼କୁ ଅଗ୍ରସର ହେଲା । ରତ୍ନରେଖା କଅଁଳେଇ ସାଉଁଳେଇ ଢେର କହିଲା, - ହାତ ଧରି ଅନେକ ରାଣ ନିୟମ ପକାଇଲା; ମାତ୍ର ନଣନ୍ଦକୁ ଫେରାଇ ପାରିଲା ନାହିଁ । ସେ ତାହା କଥାରେ କର୍ଣ୍ଣଦାନ ନ କରି ଚାଲିଗଲା ।

 

ଗାଁ ମୁଣ୍ଡରେ ଲାବଣ୍ୟର ମାଉସୀ ଘର । ମାଉସୀ ବୃଦ୍ଧା, ଲାବଣ୍ୟ ତାଙ୍କୁ ‘‘ଅମ୍ବି ମାଉସି’’ ବୋଲି ଡାକେ । ବୃଦ୍ଧାର ପୂର୍ଣ୍ଣନାମ ଅମ୍ବିକା । ସେ ଲାବଣ୍ୟର ନିଜ ମାଉସୀ ନୁହେଁ - ତାହା ମାର ମାଉସୀଝିଅ ଭଉଣୀ । ବୃଦ୍ଧାର ସାହା ସୋଦର କେହି ନାହିଁ ସେ ନିଛାଟିଆ ସଂସାର ପଥର ଏକୁଟିଆ ଶ୍ରାନ୍ତ ପାନ୍ଥ । ତାହାର ଆଗ ପଛ ହୋଇ ଦୁଇଟି ଘର, ଦୁଇଖଣ୍ଡ ପାଚେରୀଦ୍ୱାରା ଘର ଦ୍ୱୟ ସଂଯୁକ୍ତ । ଘରର ପଛପଟକୁ କଞ୍ଚାବାଡଘେରା ପ୍ରଶସ୍ତ ବାଡି ଖଣ୍ଡିଏ ଅଛି । ସେଥିରେ ଆମ୍ବ, ପଣଷ, ନଡିଆ, କଦଳୀ, କମଳା, ଆତୁ, ସିଦୁଡି, ବରକୋଳି, ତେନ୍ତୁଳୀ, ତମାଳ, ଅମୃତଭଣ୍ଡା, ଅଉ, ତାଳ ପ୍ରଭୃତି ନାନାପ୍ରକାର ଫଳବୃକ୍ଷ ଅଛି । ବୃଦ୍ଧା ନିଜ ହସ୍ତରେ ବାଇଗଣ, ସାରୁ, ଖମ୍ବଆଳୁ, ବୋଇତାଳୁ, କଖାରୁ, ଲାଉ, ଶାଗ ପ୍ରଭୁତି ସାମୟିକ ଫସଲ କରେ । ବାଡିଜାତ ଫଳ ମୂଳ, ଶାକସବଜିରୁ ନିଜର ଆବଶ୍ୟକ ମତେ ବିକ୍ରୟ କରି ଅବଶିଷ୍ଟ ଦେବତା, ବ୍ରାହ୍ମଣ, ଅତିଥି, ଅଭ୍ୟାଗତ ଏବଂ ପ୍ରତିବେଶୀମାନଙ୍କୁ ବିତରଣ କରଦିଏ । ବୃଦ୍ଧା ଦେଇ ଜାଣେ; ମାତ୍ର ନେଇ ଜାଣେ ନାହିଁ । ସେ ତୁଣ୍ଡଫିଟାଇ କାହାରିକୁ କେବେ କିଛି ମାଗିବାର କେହି ଜାଣନ୍ତି ନାହିଁ । ତାହାର ଅଭାବ ମଧ୍ୟ କିଛି ହୁଏ ନାହିଁ । ସେ ସ୍ୱଳ୍ପରେ ସନ୍ତୁଷ୍ଟ, ତ୍ୟାଗ ଦ୍ୱାରା ଭୋଗକୁ ଜୟ କରି ଅଛି, ଅଭାବକୁ ଅଭାବ ବୋଲି ଜ୍ଞାନ କରେ ନାହିଁ । ତାହାର ଆଉ ଅଭାବ କଅଣ ? ପରିଶ୍ରମ ବୃଦ୍ଧାର ଇଷ୍ଟଦେବତା ଏବଂ ସୁଖ ଶାନ୍ତି ଦାତା; ସୁତରାଂ ସେ କେତେବେଳେ ତାକୁ ଛାଡିପାରେ ନାହିଁ । ନିଷ୍କର୍ମା ହୋଇ ବସିବାର ତାକୁ କେହି କେବେ ଦେଖି ନାହାନ୍ତି । ମାଳଜପିବା ତାହାର ଆଉ ଗୋଟିଏ ପ୍ରିୟକାର୍ଯ୍ୟ । ରାତିରେ ଭାତ ରାନ୍ଧିଲେ ମାଳଜପାରେ ବାଧା ଘଟିବ ବୋଲି ସେ ରୋଜ ରାନ୍ଧେ ନାହିଁ - ଦିନେ ରାନ୍ଧିଲେ ତିନିଦିନ ଖାଏ । ସେ ଦାନକୁ ଯେପରି ଆଦର କରେ ସଞ୍ଚୟକୁ ସେହିପରି ଘୃଣା କରେ ? ସେ କହେ - ‘‘ଯାହା ଖାଇବ ପେଟକୁ, ଯାହା ଦେଇଯିବ ବାଟକୁ, ଯାହା ରଖିଯିବ ଥେଣ୍ଟକୁ ।’’ ଅର୍ଥାତ୍‌ଯାହା ଖାଇବ ତାହା ନିଜପାଇଁ, ଯାହା ଦେଇଯିବ ତାହା ମହାଯାତ୍ରାର ପାଥେୟ ହେବ, ଆଉ ଯାହା ରଖିଯିବ ତାହା ଥେଣ୍ଟ ଖାଇବେ । ବାସ୍ତବରେ ଯାହାର କେହି ନାହିଁ, ସେ ସଞ୍ଚୟ କରିବ କାହା ଲାଗି-? ଅମ୍ବି ମାଉସୀର ଭାରି ଇଚ୍ଛା, - ରାତିରେ କେହି ଅଧ୍ୟାୟେ ଅଧ୍ୟାୟେ ଭାଗବତ ପୋଥି ଗାଇଲେ ସେ ଶୁଣନ୍ତା, ସେଥିରେ ତାହାର ‘‘ଅକାୟା ପିଣ୍ଡ କାୟା ହୁଅନ୍ତା;’’ ମାତ୍ର ଅବସ୍ଥା ଇଚ୍ଛାର ପ୍ରତିକୂଳ । ଦରିଦ୍ରର ଇଚ୍ଛା ତ ପୂର୍ଣ୍ଣ ହେବାର ନୁହେ । ଇଚ୍ଛାରେ ତାହାର ଆନନ୍ଦ ସିନା ସାଫଲ୍ୟ ଦୂରରୁ ତାକୁ ଜୁହାର ହୁଏ । ଲାବଣ୍ୟ ଦିନେ ଦିନେ ରାତିରେ ମାଉସୀ ଘରେ ରହିଯାଏ । ସେ ଦିନ ବୁଢୀର ବଡ଼ ଆନନ୍ଦ, ଲାବଣ୍ୟ ଭାଗବତ ଗାଇ ତାକୁ ଶୁଣାଏ । ଏହେତୁ ଲାବଣ୍ୟକୁ ସେ ଖୁବ୍‌ ସ୍ନେହ କରେ । ଲାବଣ୍ୟ ଭାଇଘରୁ ଯାଇ ତାହାରି ଘରେ ରହିଲା ।

Image

 

ଷଷ୍ଠ ପରିଚ୍ଛେଦ

 

ଅମ୍ବି ମାଉସୀ ଲାବଣ୍ୟକୁ କୋମଳ ଭାଷାରେ ଅନେକ ବୁଝାଇ କହିଲା - ‘‘ଲାବଣ୍ୟ, ତୁ ପିଲାଲୋକ, ତୋ ଜୀବନର କେତେକାଳ ପଛକୁ ପଡ଼ିରହିଛି, ତାହା ତୁ କାଟିବୁ କିମିତି ? ଶଶୁର ଘରୁ ଗୋଡ଼ କାଢି ଚାଲିଆସିଲୁ, ପୁଣି ଭାଇ ଘରୁ ଚାଲିଆସିଲୁ, କଥା କଥାକେ ଏପରି ଘରୁ ବାହାରିପଡ଼ିବା ଭଲନୁହେ ମା । ଅଲଣା, ମାଇପି ଜନ୍ମପାଇ ଏତେ ଆଣ୍ଟଧରି ଚଳିପାରିବୁ ତ ?’’ ଲାବଣ୍ୟ କହିଲା - ‘‘କାହିଁକି ଚଳି ନ ପାରିବି, ଆଉ ମାଇପି ଜନ୍ମ ଅଲଣା କାହିଁକି ହେବ ? ନାରୀ କଅଣ ମଣିଷ ନୁହେ, ତାହାର କଅଣ ବୁଦ୍ଧି ପସନ୍ଦ ନାହିଁ ? ପୁରୁଷକୁ ଯେଉଁ ବିଧାତା ଗଢିଛି, ନାରୀକୁ ବି ସେହି ଗଢ଼ିଛି । ନାରୀ ମହାଶକ୍ତିର କନ୍ୟା, ବିଧାତା ତାକୁ ହାତଗୋଡ଼ ଦେଇଛି, ହାତଗୋଡ଼ରେ ଶକ୍ତି ଦେଇଛି, ସେ କଅଣ ପେଟ ଚାଖଣ୍ଡକ ପୋଷିପାରିବ ନାହିଁ ? ଯେ ପେଟ ଦେଇଛି ପେଟ ପୋଷିବାର ଉପାୟ ସେହି କହିଦେବ । ଅକର୍ମ କଲେ ସିନା ଲାଜ ମାଡ଼ିବ, ଲୋକେ ନିନ୍ଦା କରିବେ, ଆଉ ପରିଶ୍ରମ କରି ଖାଇଲେ ଲାଜ କଅଣ ନା ନିନ୍ଦା କଅଣ ?’’ ଲାବଣ୍ୟର ଏକଥା ଶୁଣି ମାଉସୀ ଆଉ କଅଣ କହିବ ତାକୁ କିଛି ବୁଦ୍ଧି ଦିଶିଲା ନାହିଁ । ସେ ଝିଆରୀ ପାଖରେ ପରାସ୍ତ ହୋଇ କହିଲା - ‘‘ସତ କହିଲୁ ଝିଅ, ହାତ କରିବ ପେଟ ଖାଇବ, ସେଥିରେ ଲାଜ ନାହିଁ କି ଲୋକନିନ୍ଦା ନାହି ।’’ ଅନନ୍ତର ବୃଦ୍ଧା କାନ୍ଦ କାନ୍ଦ ସ୍ୱରରେ କହିଲା - ‘‘ତୋ ମା ବି ତୋହରି ପରି ମାନ ଧରିଥିଲା ଲୋ ମା । ତା’ କଥା ମନରେ ପଡିଲେ ପଞ୍ଚୁଆତ୍ମା ଦହି ହୋଇଯାଏ, ହାୟ ସେ ଚଢେଇ ଚିରିକୁଣୀର ପେଟକଥା ବୁଝୁଥିଲା, ତାହା କାଟରେ ଗୋଟାଏ ମଣିଷ ଏ ତଲାଟରେ ନାହିଁ-। କାହାକୁ କିଛି ଦେଉ ବା ନ ଦେଉ ତାହା କଥା ଶୁଣିଲେ ପେଟ ପୂରିଉଠୁଥିଲା । ତାହାର କେଉଁ ଗୁଣ ଊଣା ନ ଥିଲା । କି ରନ୍ଧାବଢା, କି ଘରକରଣା ପାଇଟି କି କଳିକଜିଆ ସବୁଥିରେ ସେ ଖୁବ ତମ୍ଭା ଥିଲା । ରାନ୍ଧଣା ତ ଠିକ ନଳରାଜା ରାନ୍ଧଣା ପରି । ଅମନମନକରି ଶାଗ କେରାଏ ଖରଡି ଦେଲେ ବି ଅମୃତ ପରି ସୁଆଦ ଲାଗେ ସେ ପୂଣ୍ୟବତୀ ଅଇସୁଲକ୍ଷଣୀ ହୋଇ ସ୍ୱର୍ଗକୁ ଚାଲିଗଲା - ସେଠିଯାଇଁ ପିଢାପାଣି ପାଉଥିବ । ଯମରାଜା ଚିତ୍ରଗୁପ୍ତ ଗୁମାସ୍ତାକୁ କହେ ପରା ଲୋ ଝିଅ, ‘‘ଆଇଲେ ଅହ୍ୟରାଣୀ ଦିଅ ତାଙ୍କୁ ପିଢା ପାଣି ଆଇଲେ ରାଣ୍ଡଖଣ୍ଡୀ ଦିଅତାଙ୍କୁ ଅରଟ ଖଣ୍ଡି ।’’ ସେ ସ୍ୱର୍ଗରେ ଐଶ୍ୱର୍ଯ୍ୟ ଭୁଞ୍ଜୁଛି ମୁଁ ରାଣ୍ଡ ପାପୀ - ଏ ନରକରେ ପଡି ଘାଣ୍ଟି ହେଉଛି, ତୁ ତାହାରି ଝିଅଲୋ ମା, ଟାଣପଣ ନ ଧରିବୁ କାହିଁକି ? ଆମ୍ବଗଛରେ କି ସାଲମା ଫଳିବ । ତେବେ ମୁଁ କହୁଥିଲି କଅଣ କି - ତୁ ମୋ ଘରେ ରହିଲେ ତୋ ଭାଇ ଭାଉଜ କାଳେ କଅଣ ମନରେ ଭାବିବେ-।’’ ଲାବଣ୍ୟ ଟିକିଏ ଉତ୍ତେଜିତ ହୋଇ କହିଲା - ‘‘ହଁ ମୁଁ ତାଙ୍କ ଘରୁ ହୁଣ୍ଡି ଆଣି ତୋ ଘରେ ପୂରେଇଦେଲି ଯେ ସେ ମନରେ କପଣ ଭାବିବେ, ଆଉ ତୋତେ ନେଇ ଶୂଳୀଦେବେ ।’’ ମାଉସୀ ଏ କଥାରେ ନ ହସି ରହିପାରିଲା ନାହିଁ, କହିଲା ହେଉଲୋ ଝିଅ ଯେ ଯାହା କହିବ କହୁ ପଛେ ତୁ ମୋତେ ସାହା ମୁଁ ତୋତେ ସାହା, ମାଉସୀ ଝିଆରୀ ଏକାଠି ପଡିରହିବା, ତୁ ଘରର ଝିଅଟା ଘରେ ନରହି ଆଉ କୁଆଡେ ଯିବୁ ? ମାଉସୀର ସ୍ନେହ-ତରଳ ବାଣୀରେ ଲାବଣ୍ୟ ନେତ୍ର ଲୋତକିତ ହୋଇ ଆସିଲା ସେ ଆଉ କିଛି କହିଲା ନାହିଁ ।

 

ଲାବଣ୍ୟ ମାଉସୀ ଘରେ ରହି ଭାଇ ଭାଉଜଙ୍କୁ ପାଶୋରି ଯାଇନାହିଁ, ସେପ୍ରତ୍ୟହ ଭାଇ ଘରକୁ ଯାତୟତ କରେ । ରତ୍ନରେଖା ମନା କରୁ କରୁ ତାହା ହାତରୁ ଛଡାଇ ପାଞ୍ଚ ପାଇଟି କରିଦିଏ-। କୌଣସି କାର୍ଯ୍ୟରେ ତ୍ରୁଟି ଦେଖିଲେ ତାହା ସଂଶୋଧନ କରିଦିଏ । ଅପୂର୍ଣ୍ଣ କାର୍ଯ୍ୟ ପୂର୍ଣ୍ଣ କରିଦିଏ-। ନଣନ୍ଦ ଭାଉଜ ଉଭୟର ପୂର୍ବପ୍ରୀତି ଅକ୍ଷତ ଅଛି, ଦୂହେ ବସି ଖୁସିଗପ କରନ୍ତି - ତାସ ଖେଳନ୍ତି- ବଡ଼କସି ଖେଳନ୍ତି, ଲାବଣ୍ୟ ଲଜ୍ଜାରେ ଭାଇଙ୍କ ଆଗରୁ ଯାଏନାହି ତାହାର ଗୃହତ୍ୟାଗରେ ଅର୍ଜ୍ଜୁନ ଦୁଃଖିତ ବା ବିରକ୍ତ ନୁହେ । ସେ କହେ - ଲାବଣ୍ୟର କୋମଳ କଲିଜାରେ ଯେଉଁ ଆଘାତ ଲାଗିଛି ସେଥିରେ ଯେ ବାୟାଣୀ ହୋଇଯାଇନାହି ଏହାହିଁ ଭାଗ୍ୟର କଥା । ବୁଝାଇଲେ ତ ସେ ବୁଝେନାହିଁ, ତାହା ମନ ତାକୁ ଦିନେ ନିଶ୍ଚେ ବୁଝାଇଦେବ । ତାହାର ଏ ଚଞ୍ଚଳ ପ୍ରକୃତି ମଧ୍ୟ ଛାଡିଯିବ, ସେତ ଆଉ କାହାଘରେ ନାହିଁ - ମାଉସୀଘରେ ଅଛି, ମାଉସୀ ଘର ଯେ ଆମ ଘର ବି ସେ, ସେଠି ରହିଲେ କ୍ଷତି କଅଣ । କହନ୍ତି ପରା - ‘‘ମା’’ଠଉଁ ମାଉସୀ ବଳେ ।’’ ସେଠାରେ ଯେବେ ତାହା ମନ ଭଲହୁଏ ତେବେ ଥାଉ ବଳେ ଫେରିଆସିବ । ଯେତେହେଲେ ବାପଘର, ତାହା ମାୟା କି ଛାଡ଼ି ହୁଏ ।

 

ମାଉସୀ ଘରେ ଲାବଣ୍ୟର ଦୁଃଖେ ସୁଖେ ଦିନ କଟି ଯାଉଅଛି । ବୃଦ୍ଧାର ପ୍ରତ୍ୟେକ କାର୍ଯ୍ୟରେ ସେ ଯଥାଶକ୍ତି ସାହାଯ୍ୟ କରେ । ଏଣିକି ଲାବଣ୍ୟ ରାନ୍ଧେ । ସେ କହେ - ‘‘ମାଉସି, ତୋର ବୃଦ୍ଧଶରୀର, ରୋଜ ରାତିରେ ପଖାଳ ଖାଇଲେ ଲସମ ହେବ, କଫ ବଢିବ ମୁଁ ଦି’ଟା ଫୁଟାଇ ଦେବି ସେ କେତେବେଳର କାମ ।’’ ମାଉସୀ ଉଠିବା ପୂର୍ବରୁ ଲାବଣ୍ୟ ଛୁଞ୍ଚିଛଡ଼ା ଦେଇସାରି ବେଲା ବାସନ ମାଜି ରଖିଥାଏ । ପାଣି ଗରମ କରି ବୃଦ୍ଧାକୁ ଗାଧୋଇଦିଏ । ତାହାର ଶରୀର ପ୍ରତି ସତର୍କ ଦୃଷ୍ଟି ରଖିଥାଏ । ରାତ୍ରିରେ ଖିଆପିଆ ଶେଷରେ ଭାଗବତ ପଢ଼ି ମାଉସୀକୁ ଶୁଣାଏ । ବୃଦ୍ଧା ତାହା ସେବାରେ ଭାରି ସନ୍ତୁଷ୍ଟ । ସେ କହେ - ‘‘ଝିଅଟାଏ ପେଟରୁ ଜନ୍ମ କରିଥିଲେ କଅଣ ସେ ମୋତେ ବେଶି ସୁଖଦିଅନ୍ତା, ନା ବୋହୁଟାଏ ଥିଲେ ଲାବଣ୍ୟଠଉଁ ବେଶି ନିଘା କରନ୍ତା । ମା, ମୋର ଅଇସୁଲକ୍ଷଣୀ ହୋଇ ଶଏବର୍ଷ ବଞ୍ଚିଥାଉ, ତାହାର ପୂର୍ବ ସୌଭାଗ୍ୟ ଫେରିଆସୁ - ପୁଅ, ଝିଅ, ବୋହୁ, ନାତି, ନାତୁଣୀ ଘେନି ସେ ସୁଖରେ ଘରକରଣା କରୁ । ପୂର୍ବ ଜନ୍ମରେ ସେ ମୋର ମା ଥିଲା, ନ ହେଲେ ମୋ ଉପରେ ତାହାର ଏତେ ମୂଆଁସ କାହିଁକି ହୁଅନ୍ତା ।’’

 

ଲାବଣ୍ୟ ମାଛିଅନ୍ଧାରରୁ ଉଠି ବାସିପାଇଟି ସାରି ଗାଧୋଇ ଆସେ । ତହିଁପରେ ବାଡିରୁ ଫୁଲଗୁଡ଼ିଏ ତୋଳିଆଣି କୋଥଳି ଫିଟାଇ ପୂଜାକରି ବସେ । ବିବାହର ଶୁଭଦର୍ଶନୀ ସ୍ୱରୂପ ସ୍ୱାମୀ ନିକଟରୁ ସେ ଖଣ୍ଡିଏ ଫଟୋ ଉପହାର ପାଇଥିଲା । ସେହି ଚିତ୍ରପଟ ଦେବତାକୁ ସେ ପ୍ରତ୍ୟହ ଫୁଲ ଚନ୍ଦନ ଦେଇ ପୂଜାକରେ । ଏପରି ସମୟରେ ପୂଜାକରେ ଯେ, କେହି ଜାଣିପାରନ୍ତି ନାହିଁ । ଦିନେ ତାହାର ସ୍ୱାମୀ ଗଜେନ୍ଦ୍ର ସେହି ଚୋରା ପୂଜା ଧରିପକାଇଥିଲା । ଗଜେନ୍ଦ୍ର ମୃଦୁହସି ପଚାରିଲା ‘‘କି, ଏ ନରପୂଜା କାହିଁକି ?’’ ଲାବଣ୍ୟ ସଲଜ୍ଜଭାବରେ କହିଲା - ‘‘ନରପୂଜା ନୁହେଁ - ଏ ଦେବତା ପୂଜା-।’’ ଦେବପୂଜାକିପରି ବୋଲି ଗଜେନ୍ଦ୍ର ପୁଣି ପଚାରନ୍ତେ ଲାବଣ୍ୟ କହିଲା - ‘‘କିପରି ଆଉ କଅଣ ସ୍ୱାମୀ ପରା ସ୍ତ୍ରୀର ପୂଜା ଦେବତା ।’’ ଗଜେନ୍ଦ୍ର ଉଚ୍ଚ ହାସ୍ୟରେ କହିଲା - ‘‘ବେଶ୍‌ ବେଶ୍‌, ମୋର ସୌଭାଗ୍ୟତ ମନ୍ଦ ନୁହେ । ଏକାଥରକେ ଦେବତା ଆସନକୁ ଉଠିଗଲି । ହେଉ, ଫୁଲ ଚନ୍ଦନସବୁ ତୁମର ସେହି ଚିତ୍ରପଟଦେବତାକୁ ଦିଅ, ଆଉ ଭୋଗସବୁ ମୋତେ ଦିଅ, ମୁଁ ଜୀଅନ୍ତା ଠାକୁର, ପ୍ରତ୍ୟକ୍ଷରେ ଖାଇଦେବି ।’’ ସ୍ୱାମୀର ପରିହାସ ଶୁଣି ଲାବଣ୍ୟ କହିଲା - ‘‘ନା-ନା, ଆମ ଠାକୁର ଭୋଗ ଖୋଜନ୍ତି ନାହିଁ - ଭକ୍ତିରେ ସେ ଖୁସି ହୁଅନ୍ତି ।’’ ଗଜେନ୍ଦ୍ର ମନେ ମନେ ସ୍ତ୍ରୀ ବୁଦ୍ଧିର ପ୍ରଶଂସା କରି କହିଲା ‘‘ଧନ୍ୟ ତୁ ଲାବଣ୍ୟ, ମୁଖରା ଉଦ୍ଧତା ହେଲେ ସୁଦ୍ଧା ପତିଭକ୍ତାପଣରେ ତୁ ଦେବୀ ।’’ ଲାବଣ୍ୟ ମାଉସୀ ଘରେ ସେହି ମୂର୍ତ୍ତିକୁ ପୂଜାକରେ, ସାଷ୍ଟାଙ୍ଗ ପ୍ରଣାମ କରେ, ଗଳବସ୍ତ୍ର ହୋଇ ହାତଯୋଡି ପ୍ରାର୍ଥନା କରେ, - ‘‘ପ୍ରଭୋ, ମୁଁ ତୁମ ଅନୁମତି ନନେଇ ଚାଲିଆସିଛି, ମୋର ଅପରାଧ କ୍ଷମାକର । ଦାସୀର ଦୋଷ ମାର୍ଜନା କରିବା ପ୍ରଭୁର ମହତ୍ତ୍ୱ ସିନା ।’’ ପୂଜା ଶେଷରେ ଫଟୋଖଣ୍ଡି କୋଥଳିରେ ବାନ୍ଧି ରଖିଦିଏ ମାଉସୀର ନିଦ୍ରାଭଙ୍ଗ ପୂର୍ବରୁ ତାହାର ପୂଜା ସରିଯାଏ । ମାଉସୀ ତାହା କିଛି ଜାଣିପାରେ ନାହିଁ । ଲାବଣ୍ୟର ବେଶ ଏଣିକି ସନ୍ନ୍ୟାସିନୀ ପରି । ସେ ମୁକ୍ତକେଶା ଗୈରିକ ବାସନା । ସୁନ୍ଦର ଦେହକୁ ସବୁ ସୁନ୍ଦର ଦିଶେ, ସେହି ଗେରୁଆ ବସ୍ତ୍ରଖଣ୍ଡି ତାକୁ ଖୁବ୍‌ ମାନେ । ଦେହରେ କଡ଼ାକର ଅଳଙ୍କାର ନାହିଁ, ସିନ୍ଥିରେ ଟିକିଏ ସିନ୍ଦୂର ଲଗାଇ ହାତରେ ଫୁଲମାଳ ବାନ୍ଧି ସେ ସଧବା ଚିହ୍ନ ଧାରଣ କରିଥାଏ । କେବଳ ବେଶ ନୁହେଁ, ତାହାର ବ୍ୟବହାର ମଧ୍ୟ ଠିକ୍‌ ସନ୍ନ୍ୟାସିନୀ ପରି ସରଳ, ମଧୁର ଏବଂ ଶୀତଳ । ଗ୍ରାମରେ କାହାରି ରୋଗପୀଡ଼ା ହେଲେ ସେ ଯଥାସାଧ୍ୟ ସେବା ଶୁଶ୍ରୂଷା କରେ ଏବଂ ମିଷ୍ଟ ପ୍ରବୋଧବାକ୍ୟରେ ରୋଗୀର ରୋଗଯନ୍ତ୍ରଣା ଭୁଲାଇ ଦିଏ । କାହାରି ଘରେ ବ୍ରତ ବିବାହ ବା କ୍ରିୟା କର୍ମ ହେଲେ ସେ ବଳେ ବଳେ ଯାଇ ଦଶ ପାଇଟି କରିଦେଇ ଆସେ । ଏହିପରି ସେ ଅନେକଙ୍କର ଅନେକ ଉପକାର କରେ । ଏହେତୁ ଗ୍ରାମର ଆବାଳବୃଦ୍ଧ ସମସ୍ତେ ତାକୁ ଶ୍ରଦ୍ଧା କରନ୍ତି । ପ୍ରତିବେଶିପିଲାମାନଙ୍କୁ ଲାବଣ୍ୟ ଖୁବ୍‌ ଆଦର ଯତ୍ନ କରେ । କାହାକୁ ଭାତ ଖୁଆଇଦିଏ - କାହାକୁ ହଳଦି ଲଗାଇଦିଏ - କାହା ଆଖିରେ କଳା ଦିଏ - କାହା ମୁଣ୍ଡରେ ଜଟ ବାନ୍ଧିଦିଏ । ସେ ଅନେକ ରୂପ କଥା ଜାଣେ, ପିଲାମାନେ ଗଳ୍ପ ଶୁଣିବା ଲୋଭରେ ସନ୍ଧ୍ୟାବେଳେ ତାହା ପାଖରେ ଆସି ରୁଣ୍ଡ ହୁଅନ୍ତି । ସେ ଭାତ ରାନ୍ଧୁ ରାନ୍ଧୁ ଗଳ୍ପ କହି ସେମାନଙ୍କୁ ଶୁଣାଏ । ତାହା ବିଫଳ ଗଳ୍ପ ନୁହେ, ପିଲାମାନଙ୍କର ଉପଦେଶରେ ପୂର୍ଣ୍ଣ । କହିବାର ଭଙ୍ଗି ଏରୂପ ସରସ ଯେ, ପିଲାମାନେ ଶୁଣି ହସି ହସି ଗଡି ଯାଆନ୍ତି । ଏହି ସବୁ କାରଣରୁ ପିଲାମାନେ ତାକୁ ଅନ୍ତରର ସହିତ ଭଲ ପାଆନ୍ତି ଏବଂ ସର୍ବଦା ତାହା ପାଖରେ ରହିବାକୁ ଇଚ୍ଛା କରନ୍ତି ।

ସଂସାରରେ ବଞ୍ଚି ରହିବାକୁ ହେଲେ ଗୋଟାଏ ଅବଲମ୍ବନ ଆବଶ୍ୟକ । ଖାଲି କବିତା, ବନିତା, ଲତା ପକ୍ଷରେ ନୁହେଁ, -ଆଶ୍ରୟ ସମସ୍ତଙ୍କର ଲୋଡ଼ା । କେହି କୃଷି, କେହି ଶିଳ୍ପ, କେହି ବାଣିଜ୍ୟ, କେହି ଚାକିରୀ, କେହି ମଜୁରୀ, କେହି ବା ଭିକ୍ଷାବୃତ୍ତି ଅବଲମ୍ବନ କରି ଜୀବନପଥରେ ଅଗ୍ରସର ହୁଏ । ସେହିପରି ଗୋଟାଏ କିଛି ନ ହେଲେ ଲାବଣ୍ୟ ନିର୍ଭର କରିବ କାହା ଉପରେ ? ଶୂନ୍ୟ ହସ୍ତରେ ସଦ୍ୟ ଲାଭଜନକ କେଉଁ ବ୍ୟବସାୟ କରିହେବ, ସେ ତାହା ଚିନ୍ତା କରିବାକୁ ଲାଗିଲା-। ସ୍ୱାବଲମ୍ବୀ ହେବାପାଇଁ ସଦୁପାୟ ଖୋଜିଲେ ସ୍ୱୟଂ ସ୍ୱାବଲମ୍ବନ-ଦେବତା ଅଙ୍ଗୁଳି ନିର୍ଦ୍ଦେଶ ପୂର୍ବକ ଉପାୟ ଦେଖାଇ ଦିଅନ୍ତି । ଲାବଣ୍ୟକୁ ସଦୁପାୟ ମିଳିଗଲା । ସଦୁପାୟ ଖୋଜିଲେ ସେ ପାଖରେ ଆସି ଧରାଦିଏ । ଅମ୍ଭି ମାଉସୀ ବାଡିର ଯେଉଁ ଅଶଂରେ ବଡ଼ ବଡ଼ ବୃକ୍ଷ ଘନସନ୍ନିବିଷ୍ଟ ହୋଇଅଛି, ସେ ଅଂଶଟା ରାତିରେ ଅନ୍ଧାର-ପର୍ବତ ପରି ଦେଖାଯାଏ । ସେ ସ୍ଥାନକୁ ନିରାପଦ ମଣି ବହୁ ସଂଖ୍ୟକ ପକ୍ଷୀ ଆସି ସେଠାରେ ରାତ୍ରି ଯାପନ କରନ୍ତି । ସେମାନଙ୍କ ‘‘କେଁ-କଟ’’ ରବରେ ବୃଦ୍ଧାର ବାସ୍ତୁଭୂମି ଖଣ୍ଡି ରାତ୍ରିଯାକ ଉଛୁଳୁ ଥାଏ । ରାତିରେ ସେ ପକ୍ଷିଗ୍ରାମରେ ପରିଣତ ହୁଏ । ଏତେ ଦିନଯାଏ ସେହି ପକ୍ଷୀଗୁଡିକ ରାତିରେ ବୃଦ୍ଧାର ତୁଣ୍ଡସଙ୍ଗୀ ହୋଇଥିଲେ, ଏଣିକି ଲାବଣ୍ୟ ହୋଇଅଛି । ପକ୍ଷିଶବ୍ଦରେ ବୃଦ୍ଧାର ନିଦ ଘନ ଘନ ଭାଙ୍ଗିଯାଏ, ସେଥିରେ ସେ ବିରକ୍ତ ହୁଏନାହିଁ । ଅଧିକନ୍ତୁ କହେ - ‘‘ଆହା ଚଢେଇ ଗୁଡ଼ିକ ତାଙ୍କ ବୋଲିରେ କି ସୁନ୍ଦର କଥାବାର୍ତ୍ତା ହେଉଛନ୍ତି, ଭଗବାନଙ୍କ ନାମ ଜପ କରୁଛନ୍ତି - ରାତିସାରା ତାଙ୍କ ଆଖିରେ ନିଦ ନାହିଁ ।’’ ବୃଦ୍ଧା ଏହା କହି ନିଜେ ଭଗବାନଙ୍କ ନାମ ଜପ କରେ । ପକ୍ଷୀମାନଙ୍କ ଦେହରୁ ପୁରୁଣା ପର ଝଡି ଗଛମୂଳରେ ପଡ଼ିଥାଏ । ଦିନେ ଲାବଣ୍ୟ ବାଡିରେ ବୁଲୁ ବୁଲୁ ସେହି ବିକ୍ଷିପ୍ତ ପରଗୁଡିକ ଦେଖି ମନେ ମନେ ଭାବିଲା - ‘‘ଏ ସୁନ୍ଦର ପରଗୁଡ଼ିକୁ କିଛି କାମରେ ଲଗାଇଲେ କଅଣ ହୁଅନ୍ତା ନାହିଁ, ଏ ସବୁ ଅକାରଣ ନଷ୍ଟ ହୋଇଯାଉଛି ।’’ ପକ୍ଷିପରରେ କି କାମ କରି ହେବ, ଏହା ଭାବୁ ଭାବୁ ସମ୍ମୁଖସ୍ଥ କ୍ଷୁଦ୍ର ତାଳଗଛମାନଙ୍କ ଉପରେ ତାହାର ଦୃଷ୍ଟି ପତିତ ହେଲା । ତହୁଁ ସେ ଭାବିଲା ଏହି ତାଳବରଡ଼ାରେ ପଙ୍ଖା କରି ତାହା ଉପରେ ଏହି ପରଗୁଡ଼ିକ ସିଇଁ କାଙ୍ଗୁଲା ବସାଇଲେ ଫୁଲ କାଟିଲେ ତ ଆଚ୍ଛା ସୁନ୍ଦର ଦିଶନ୍ତା । ଲୋକେ ବି ତାହା ଲୋଭକରି କିଣନ୍ତେ । ଏଥିରେ ତ ପଇସାଖର୍ଚ୍ଚ କିଛି ନାହିଁ, ମୁଁ ଏହି ବେଉସା କରିବି ।’’ ଅନନ୍ତର ଲାବଣ୍ୟ ପର ସଂଗ୍ରହ କରିବାକୁ ଲାଗିଲା । ଭଦଭଦଳିଆ, ବଗ, ଶଙ୍ଖଚିଲ, ହଳଦିବସନ୍ତ, ଟିଆ, କଜ୍ଜଳପାତି, ମାଛରଙ୍କା ପ୍ରଭୃତି ପକ୍ଷୀର ପରମାନ ବାଛି ବାଛି ସାଉଣ୍ଟି ଏବଂ ଗୋଛାଏ ତାଳବାହୁଙ୍ଗା କାଟି ଘରକୁ ନେଇଗଲା । ତାଳବରଡ଼ାକୁ ପଙ୍ଖା ଆକାରରେ କାଟି ଶୁଖାଇଦେଲା । ବାଡିରୁ ମୂର୍ଗାପତ୍ର କାଟିଆଣି ସେଥିରୁ ସୂତା ବାହାରକଲା । ବହୁ ଦିନରୁ ତାହା କୋଥଳିରେ ଗୋଟାଏ ଛୁଞ୍ଚିସାଇତା ହୋଇଥିଲା । ସେହି ଛୁଞ୍ଚି ଏବଂ ମୂର୍ଗାସୂତା ସାହାଯ୍ୟରେ ପଙ୍ଖା ଉପରେ ବିବିଧବର୍ଣ୍ଣର ପର ବସାଇ କୁଟିକମ କଲା । ବେଢରେ କାଙ୍ଗଲା କାଟି ମଝିରେ ଫୁଲ ବସାଇଲା । ପଙ୍ଖାଗୁଡ଼ିକ ବଡ଼ ସୁନ୍ଦର ଦିଶିଲା । ପ୍ରଥମେ ଦଶଗୋଟି ପଙ୍ଖା ତିଆରି କରି ହାଟପାଳି ଦିନ ଜଣେ ପ୍ରତିବେଶୀ ହାତରେ ତାହା ହାଟକୁ ପଠାଇ ଦେଲା । ହାଟରେ ପଙ୍ଖା ଗୋଟି ଦୁଇଅଣା ଦରରେ ବିକାହେଲା । ଦୁଇ ତିନିଦିନ ପରିଶ୍ରମରେ ପାଞ୍ଚ ସୁଉକା ଲାଭ କରି ଲାବଣ୍ୟର ଉତ୍ସାହ ବହୁଗୁଣ ବଢିଉଠିଲା । ସେ ଅଧିକ ସଂଖ୍ୟାରେ ପଙ୍ଖା ପ୍ରସ୍ତୁତ କରିବାକୁ ଲାଗିଲା । ଏହି ଉପାୟରେ କିଛି ସଞ୍ଚୟ କରି ସେଥିରେ ବିବିଧ ବର୍ଣ୍ଣର ସୂତା, ଲୁଗା, କିଣିଆଣି ଆହୁରି ସୁନ୍ଦର ପଙ୍ଖା ତିଆରି କଲା । ଉପଯୁକ୍ତ ପାରିଶ୍ରମିକ ଦେଇ ଅନ୍ୟଲୋକଦ୍ୱାରା ତାହାସବୁ ବିକ୍ରୟର ବ୍ୟବସ୍ଥା କଲା । ପଛକୁ ବେପାରିମାନେ ଘରପାଖରୁ ଆସି ନେଇଗଲେ । ପଙ୍ଖାଗୁଡ଼ିକ ଦେଖିବାକୁ ଏପରି ଲୋଭନୀୟ ହେଲା ଯେ, ଯେ ଦେଖିଲା ସେ ଗୋଟାଏ ନ କିଣି ରହିପାରିଲା ନାହିଁ । ସେ ପଙ୍ଖା ଆୟରେ ମାଉସୀ ଝିଆରୀ ଦୁହେଁ ସୁନ୍ଦରରୂପେ ଚଳିଲେ । ଦିନେ ମାଉସୀ କହିଲା - ‘‘ଲାବଣ୍ୟ, ତୁ ସବୁ ଖର୍ଚ୍ଚ ଚଳାଉଛୁ ତୁ ଝିଅଟା ତୋତେ ଦିଅନ୍ତି କଅଣ, ଲେଉଟି ତୋର ଖାଇ ପେଟ ପୂରାଇବି - ଏଟା କଅଣ ଭଲକଥା ?’’

ଲାବଣ୍ୟ - ମନ୍ଦ କଅଣ ହେଲା ? ମୁଁ ଯେବେ ତୋ ପୁଅ ହୋଇଥାନ୍ତି, ତେବେ କଅଣ ମୋ ଉପାର୍ଜ୍ଜନ ତୁ ଖାଆନ୍ତୁ ନାହିଁ ? ଝିଅ ଲୁଚାକ କି ଏଡ଼େ ପାପୀ ଯେ ତାଙ୍କର ଖାଇଲେ ମା’ମାନେ ଅପବିତ୍ର ହୋଇଯିବେ ?

ମାଉସୀ - ମୁଁ କଅଣ ତା’ କହିଲି ? ତୁ କାଲିକା ଆଣ୍ଡାଟା ଏତେ କଥା କଉଁଠୁ ଶିଖିଲୁ ? ତେବେ କଥା କଅଣ କି ମାବାପଙ୍କର ଦେବାର ବିଧି - ଖାଇବାର ବିଧି ନୁହେଁ । ବାପ ମା ସିନା ଝିଅକୁ ପୋଷିବେ, ଝିଅ କଅଣ ତାଙ୍କୁ ପୋଷିବ ?

ଲାବଣ୍ୟ - ସମୟରେ ଝିଅ ବି ମା’ ହୁଏ, ଆଉ ମା’ ଝିଅ ହୁଏ । ପିଲାବେଳେ ତୁ ମା ଥିଲୁ ମୁଁ ଝିଅ ଥିଲି । ତୁ ମୋର ସେବା କରୁଥିଲୁ, ମୋତେ ପୋଷୁଥିଲୁ । ଏବେ ତୁ ବୃଦ୍ଧ, ଅକ୍ଷମ, ମୁ ତୋର ମା ହୋଇ ତୋର ସେବା କରିବି । କହ ତୁ ମୋର ସେବା ନେବୁ କି ନାହିଁ ?

ମାଉସୀ - ତୋତେ ଆଉ ମୁଁ କଥାରେ ପାରିବି ନାହିଁ, ଯାହା କରୁଛୁ କର ବାୟାଣି, ମୁଁ ଆଉ ତୋତେ କିଛି କହିବି ନାହିଁ ।

ଲାବଣ୍ୟ କ୍ରମଶଃ ଅନ୍ୟାନ୍ୟ କୁଟୀର ଶିଳ୍ପରେ ମନୋନିବେଶ କଲା । କାଇଁଶରେ ପେଡି, ଆଡ଼ଖୁର, ଖୁଙ୍ଗୀ, ଡାଲା ପ୍ରଭୃତି ବୁଣିଲା । ତାହା ଉପରେ ଗଣ୍ଠି କଉଡି ବସାଇ ନାନା ପ୍ରକାର ଲତାପୁଷ୍ପାଦି ଅଙ୍କିତ କଲା । କଉଡିରେ ଜାଲି ଝାମ୍ପ ତିଆରି କଲା । ଏହିପରି ବିବିଧ ଶିଳ୍ପ କାର୍ଯ୍ୟଦ୍ୱାରା ସେ ଆଶାନୁରୂପ ଅର୍ଥୋପାର୍ଜ୍ଜନ କଲା । ସେଥିରୁ ଗୃହଖର୍ଚ୍ଚ ପ୍ରଭୃତି ଯାଇ କିଛି କିଛି ସଞ୍ଚୟ ରହିଲା । ବୃଦ୍ଧା କହିଲା - ‘‘ଝିଅ, ଦେହ ପା ଅଛି, କିଛି ଛୁଞ୍ଚି ରଖିବା ଭଲ, ନ ହେଲେ ତୀର୍ଥବ୍ରତ କରିବା ।’’ ଅନନ୍ତର ବୈରିଗଞ୍ଜନଙ୍କ ଉଦ୍ଦେଶ୍ୟରେ କହିଲା - ‘‘ହା ଧର୍ମଛଡ଼ା, ଇମିତି ଗୁଣବତୀ ବୋହୁକୁ ଛାଡ଼ିଲୁ ।’’ ଖାଲି ଏତିକି ନୁହେଁ, ବୃଦ୍ଧା ବୈରିଗଞ୍ଜନଙ୍କ ଖାଦ୍ୟପାନର ମଧ୍ୟ କିଛି ବ୍ୟବସ୍ଥା କଲା । ଲାବଣ୍ୟ କିଛି କହିଲା ନାହିଁ, କେବଳ ଗୋଟାଏ ଦୀର୍ଘ ନିଃଶ୍ୱାସ ପକାଇଲା ।

Image

 

ସପ୍ତମ ପରିଚ୍ଛେଦ

 

ଲାବଣ୍ୟର ଶିଳ୍ପକଳା ଅନୁଦିନ ଉନ୍ନତି ମୁଖରେ ଧାବିତ ହେବାକୁ ଲାଗିଲା । ସେ ଆହୁରି ଅନେକ ପଦାର୍ଥ ତିଆରିକରି ବିକ୍ରୟ କଲା । ତାହାର ପ୍ରସ୍ତୁତ ବଟୁଆ, କୋଥଳି, ପଞ୍ଚୁକୋଠୀ, ଫୁଲପକା ଆସନା, ସାନ ସାନ ଚାନ୍ଦୁଆ, ପଶାପାଲି ପ୍ରଭୃତି କ୍ରେତାମାନେ ଅତି ଆଗ୍ରହରେ କିଣିଲେ-। ସେ ଗୁଡିକ ଠିକ୍‌ ପିମ୍ପୋଲ କାମ ପରି ସୁନ୍ଦର । ମାଳଝୁଲି ଉପରେ ନାନା ବର୍ଣ୍ଣର ସୂତାରେ ଷୋଳ ନାମ ବତ୍ରିଶ ଅକ୍ଷରୀ ତାରକମନ୍ତ୍ର ଅଙ୍କିତ କରେ; ଏହେତୁ ବୃଦ୍ଧମାନେ ଆଦରରେ ତାହା କ୍ରୟ କରନ୍ତି-। ଏହିପରି ବାର ଫନ୍ଦାଦ୍ୱାରା ନାନାଆଡୁ ଅର୍ଥାଗମ ହେବାକୁ ଲାଗିଲା । ତହିଁ ସଙ୍ଗେ ସଙ୍ଗେ ବ୍ୟୟ ମଧ୍ୟ ବଢିଲା । ଲାବଣ୍ୟ ଅର୍ଥର ସଦ୍‌ ବ୍ୟବହାର ଜାଣେ; ସୁତରାଂ ତାହାହିଁ କରେ । ଯୋଗୀ ଭିକାରି ତାହା ଦ୍ୱାରରୁ ନିରାଶ ହୋଇ ଫେରନ୍ତି ନାହିଁ । ଭୋକୀ ଶୋଷୀ ଆସିଲେ ଭାତ ମୁଠେ ତୋରାଣି ମନ୍ଦେ ପାଆନ୍ତି । ଅପାତ୍ରରେ ଦାନର ମହତ୍ତ୍ୱ ନଷ୍ଟ ହୁଏ, ଏହା ତାକୁ ଅପରିଜ୍ଞାତ ନୁହେଁ; ସୁତରାଂ ପାତ୍ର ଦେଖି ଦାନ କରେ । ତାହାର ଦାନ ଦରିଦ୍ରସମାଜରେ ନିବଦ୍ଧ । କାହାର ଲୁଗା ନ ଥିଲେ କିଣିଦିଏ; କାହାର ପିଲା ନୁଖୁରା ଥିଲେ ତାହା ଲାଗି ତେଲ ହଳଦି ଖର୍ଚ୍ଚ ଦିଏ, କାହା ପିଲାଙ୍କ ଦୁଧ ଅଣ୍ଟୁ ନ ଥିଲେ ଲାଗୁଆ କରି ତାହାକୁ ଦୁଧ ଖୁଆଏ । ଦରିଦ୍ର ରୋଗୀକୁ ଔଷଧ ପଥ୍ୟ ଆଣିଦିଏ, ସେବା ଶୂଶ୍ରୁଷାର ବ୍ୟବସ୍ଥା ମଧ୍ୟ ଆବଶ୍ୟକ ଦୃଷ୍ଟିରେ କରିଦିଏ । ସମୟ ସମୟରେ ପଢୁଆ ଲୋକମାନଙ୍କୁ ବହି, ଶ୍ଳେଟ, ଖଡି, କାଗଜ ପ୍ରଭୃତି କିଣିଦିଏ । ନିଜେ ବି ଗ୍ରାମର ଚାରି ପାଞ୍ଚଟି ବାଳିକାଙ୍କୁ ପଢାଏ । ବର୍ଷାକାଳରେ ଦୀନହୀନମାନଙ୍କୁ ବରଡ଼ାଛତା, ପଖିଆ ବିତରଣ କରେ, ଶୀତ କାଳରେ ଲୁଗା କମ୍ବଳ ଦିଏ ଏବଂ ଗ୍ରୀଷ୍ମକାଳରେ ଆମ୍ବ ପଣସ କିଣି ଖୁଆଏ । ପ୍ରତିଦାନରେ ସେମାନେ ନିଜ ନିଜ ଦୀନହୃଦୟର ସମ୍ଭ୍ରମ; ଭକ୍ତି ଏବଂ କୃତଜ୍ଞତା ଅଜାଡ଼ି ଦିଅନ୍ତା । ଦରିଦ୍ର ସିନା ଜଗତର ସର୍ବ ଶ୍ରେଷ୍ଠ ଦାତା, ସ୍ଥାନ ପାଇଲେ ସେ ତାହାର ଭକ୍ତି-ଧନ ନିଃଶେଷ ରୂପେ ଦାନ କରେ । ଲାବଣ୍ୟ ପ୍ରଥମତଃ ଏହିପରି କ୍ଷୁଦ୍ର କ୍ଷୁଦ୍ର ଦାନ କରୁଁ କରୁଁ ପଛକୁ କେତୋଟି ବଡ଼ ବଡ଼ କାର୍ଯ୍ୟ କରିବାକୁ କ୍ଷମ ହୋଇଥିଲା । ଅର୍ଥସଞ୍ଚୟ କରି ରଖିବା ତାହାର ସ୍ୱଭାବ ନୁହେ । ସେ କହେ ‘‘ଟଙ୍କା ସୁଦର୍ଶନଚକ୍ର, ସେ ପାଖରେ ରହିଲେ ବୈରାଗ୍ୟ, ସଂଯମ, ତ୍ୟାଗ ସବୁକୁ ଛେଦି ପକାଇବ । ସେ ଯିବାପାଇଁ ଆସେ, ତାକୁ ବାନ୍ଧି ରଖିବା ବାତୁଳତା । ସୁଅ ଚାଲୁଥିଲେ ଝର ବହୁଥାଏ, ତାକୁ ବାନ୍ଧି ରଖିଲେ ଝର ମୁହଁ ବନ୍ଦ ହୋଇଯାଏ । ଯେଉଁ ଅର୍ଥ ପରୋପକାରରେ ନ ଲାଗେ, ସେ ଅର୍ଥ ଉପାର୍ଜନର ପରିଶ୍ରମ ବ୍ୟର୍ଥ ହୁଏ ।’’ ଲାବଣ୍ୟ ସ୍ଥାନ ବିଶେଷରେ ପାଞ୍ଚଗୋଟି କୂପ ଏବଂ ଦୁଇଗୋଟି ପୁଷ୍କରିଣୀ ଖୋଳାଇ ଦେଇଅଛି ।

 

ପବିତ୍ର ଦାମ୍ପତ୍ୟପ୍ରୀତି ଚିର ଅପାସୋରା ବିଚ୍ଛେଦରେ ସେ ପ୍ରୀତି ଛିଡ଼େ ନାହିଁ - ବରଂ ବଢେ । ଲାବଣ୍ୟ ଏବଂ ଗଜେନ୍ଦ୍ର ଦୁହେଁ ଦୁହିଁଙ୍କୁ ଭାବନ୍ତି, କେହି କାହାକୁ ଅବଧି ହୃଦୟରୁ ଠେଲି ପାରିନାହିଁ । ପ୍ରୀତିରେ କେହି କାହାକୁ ଊଣା ନୁହେଁ । ଦୁହେଁ ଦୁହିଁଙ୍କର ପ୍ରତିଚ୍ଛବି ସଦୃଶ । ଗଜେନ୍ଦ୍ର ଲାବଣ୍ୟର ସ୍ମୃତିମୂର୍ତ୍ତିକୁ ହୃଦୟ ମଧ୍ୟରେ ଦୃଢାସନରେ ବସାଇ ଅଛି । ସେ ଲାବଣ୍ୟର ପତିଭକ୍ତି, ଦାନଶୀଳତା, ତ୍ୟାଗ ସତ୍‌ସାହସ ପ୍ରଭୃତି ନାରୀ ହୃଦୟର ଉଚ୍ଚଭାବର କଥା ଶୁଣି ଅନିର୍ବଚନୀୟ ଆନନ୍ଦ ଅନୁଭବ କରେ ଏବଂ ମନେ ମନେ କହେ, - ହାୟ, ଏପରି ବୁଦ୍ଧିମତୀ, ଗୁଣବତୀ, ପୂଣ୍ୟବତୀ ସ୍ତ୍ରୀ ମୋର ଦୁର୍ଭାଗ୍ୟକୁ ମୋର ହେଲା ନାହିଁ । ତାହା ସଂସର୍ଗରେ ମୋର ଜୀବନ ଉଜ୍ଜ୍ୱଳ, ପୂଣ୍ୟମୟ ହୋଇଥାଆନ୍ତା । ବିଧାତା ମୋ ଆଖି ଆଗରେ ଦର୍ପଣର ପ୍ରତିବିମ୍ବ ଦେଖାଇ ଲୁଚାଇ ଦେଲା । ପିତାଙ୍କର ଅଟଳ ଧନୁର୍ଭଙ୍ଗପଣ ମୋ ଭାଗ୍ୟରେ କାଳ ହେଲା । ହାୟ ! ମନୁଷ୍ୟ ଦୁଇଦିନ ପାଇଁ ସଂସାରକୁ ଆସି କେତେ କଅଣ କରି ଚାଲିଯାଏ । ପରଦ୍ରବ୍ୟରେ ତାହାର ଏଡ଼େ ଲାଳସା କାହିଁକି ? ଦୁର୍ବାର ଦୁରାକାଙ୍‌କ୍ଷାର ପୂର୍ଣ୍ଣତା ପାଇଁ ସେ କେତେ ଛନ୍ଦ, କପଟ, ମିଥ୍ୟା, ପ୍ରତାରଣାର ଆଶ୍ରୟ ନିଏ । ଆଖି ବୁଜିଲେ ତ ସବୁ ଶେଷ, ତେଣିକି କେହି କାହାର ନୁହେଁ କି କିଛି କାହାର ନୁହେଁ-। ମନୁଷ୍ୟ ଯେବେ ପରଲୋକକୁ ବିଷୟ-ସମ୍ପତ୍ତି ନେଇ ଯାଇପାରୁଥାଆନ୍ତା, ତେବେ ସେ କି ପାପ ନ କରନ୍ତା । ମୋର ବିବାହ ପାଇଁ ପୁଣି କେତେ କୌଶଳ ଲାଗିଛି; କିନ୍ତୁ କିଏ ବିବାହ କରିବ-? ମୁଁ ଥରେ ବିବାହ କରିଛି, ଏ ଜନ୍ମରେ ଆଉ ମୋର ଅନ୍ୟ ବିବାହ ନାହିଁ । ଜଣକୁ ହୃଦୟ ସମର୍ପଣ କରିଛି, ତାହାଠାରୁ ଛଡାଇ ଆଣି ଦତ୍ତାପହରଣ-ପାପରେ ଲିପ୍ତ ହୋଇପାରିବି ନାହିଁ । ଆଉ ମୋର କଅଣ ଅଛି ଯେ ଦ୍ୱିତୀୟାକୁ ଦେବି । ଯଦି କେତେବେଳେ ଲାବଣ୍ୟକୁ ପାଏଁ ତେବେ ତାକୁ ନେଇ ଘର କରିବି, ନଚେତ୍‌ ଜୀବନର ବାକି କେତେଟା ଦିନ ଏହିପରି ଗୃହସ୍ଥସନ୍ନ୍ୟାସୀ ଭାବରେ କଟାଇଦେବି । ଆଉ ନ ପାଇବି ବୋଲି ନିରାଶହେବି ବା କାହିଁକି । ଏ ସଂସାରରେ ତ କିଛି ଅସମ୍ଭବ ନୁହେ । ଯେଉଁ ନିୟତି ବିଚ୍ଛେଦ ଘଟାଏ, ସେହି ପୁଣି ମିଳନ ଆଣିଦିଏ । ଏହାହିଁ ମୋର ଧୈର୍ଯ୍ୟ, ସାନ୍ତ୍ୱନା ଏବଂ ଆଶା । ବିଚ୍ଛେଦ ପରେ ମିଳନ, ଏହା ପ୍ରକୃତିର ଧାରା ।

 

ଲାବଣ୍ୟର ସୁଖ୍ୟାତି କ୍ରମଶଃ ବହୁମୁଖୀ ହୋଇଉଠିଲା । ସମସ୍ତେ ତାହାର ସ୍ୱଭାବ ଚରିତ୍ର ଏବଂ ଗୁଣ ଗରିମାର ପ୍ରଶଂସା କଲେ । ବୈରିଗଞ୍ଜନଙ୍କ କର୍ଣ୍ଣରେ ସେହି ପ୍ରଶଂସା ତପ୍ତତୈଳ ବର୍ଷଣ କରେ, ସେ କିଛି ନ କହି ମୁହଁଟାକୁ କୁଇନାଇନ୍‌ଖାଇଲା ପରି କରନ୍ତି । କିନ୍ତୁ ତାଙ୍କ ଗୃହିଣୀ ନୀରବ ରହିବାର ପାତ୍ରୀ ନୁହନ୍ତି । ସେ ତାଚ୍ଛଲ୍ୟ ପ୍ରକାଶ କରି କହନ୍ତି, - ‘‘ଓଃ, ପଶାପାଲି ସିଇଁ ଗୁଣ ବିକାଶି ଉଠୁଛି । ପଶାଖେଳୁଆ ଘରର ଝିଅ, ପାଲି ନ ସିଇଁ ଆଉ କଅଣ କରନ୍ତା । ମୋ ଘରର ଦୋଳିତ ରୁଚିଲା ନାହିଁ, ଆଉ ପର ଓଳି କିମିତି ରୁଚିଲା । ବଣ ଚଢ଼େଇକି କଣ୍ଟାବଣ ଛଡ଼ା ସୁନା ପିଞ୍ଜରା କଅଣ ଭଲ ଲାଗିବ । ମୋତେ ଦୁର୍ଚ୍ଛନା ଦେଇଛି, ଆହୁରି କେତେ ହୀନସ୍ଥା ହେବ, ଉଛୁଣି କଅଣ ହେଲାଣି କି ? ମୁଁ ମାଇଲି ବୋଲି ମିଛରେ ଗୋଟାଏ କଳଙ୍କ ଦେଲା, ମୁଁ ମାଇଲି କଅଣ, ଦିହ ଫୁଲିଗଲା ନା ତାଳୁ ଫାଟିଗଲା, ଚୁଲ୍ଲିପାଖରେ ଡ଼ାଙ୍ଗ ଖଣ୍ଡେ ପଡ଼ିଥିଲା, ମୁଁ ସେହିଥିରେ ଟିକିଏ ହଲେଇ ଦେଲି, ଏହାକୁ କହନ୍ତି ନା ମାଡ଼ ? ମାଇପି ଜନ୍ମପାଇ କେତେ ଶିଳ ପଥର ପାଣି କରି ଦେବାକୁ ହେବ, ଆଉ ଏତକ ନ ସହିଲେ ଚଳିବ କିମିତି, ହାଇଲୋ ଗେହ୍ଲେଇ-- ଦୁଲେଇ--ଚୁଲ୍ଲେଇ, ଦିହ ଖାଲି ଫୁଲପାଖୁଡ଼ାରେ ଗଢାହୋଇଛି ଯେ, ଛୁଇଁଲେ ଝାଉଳି ଯାଉଛି ।’’ ବୈରିଗଞ୍ଜନ ଗୃହିଣୀ ଏହିପରି ନାନା ବିଦ୍ରୂପ କରନ୍ତି, ତାହା ସବୁ ଲେଖିଲେ ଖଣ୍ଡିଏ ସ୍ୱତନ୍ତ୍ର ପୋଥି ହେବ ।

 

ଦେଖୁଁ ଦେଖୁଁ ଦୁଇବର୍ଷ ଅତୀତ ହୋଇଗଲା । ବୈରିଗଞ୍ଜନ ପ୍ରତିମାସ ପାଞ୍ଚଟଙ୍କା ଏବଂ କୋଡିଏ ପୁଡି ଧାନ ଅର୍ଜ୍ଜୁନ ପାଖକୁ ପଠାଉ ଅଛନ୍ତି । ଯେଉଁ ଦିନ ପଠାନ୍ତି ସେ ଦିନଟା ତାଙ୍କଠାରୁ ଗୁଡ଼ାଏ ଅଭିଶାପ ପାଏ । କଅଣ କରିବେ, କାଳେ ଅର୍ଜ୍ଜୁନ ନାଲିସ କରିଦେଇ ପୁଣି ହଟହଟାରେ ପକାଏ, ଏହି ଭୟରେ ମାସ ନ ପୂରୁଣୁ ଦେୟତକ ପଠାଇ ଦିଅନ୍ତି । ଅର୍ଜ୍ଜୁନ ତାହା ରଖେ; ମାତ୍ର ଭଉଣୀକୁ କହେ ନାହିଁ । ଲାବଣ୍ୟ ତ ତାହା ଗ୍ରହଣ କରିବ ନାହିଁ; ଅଧିକନ୍ତୁ ଜାଣିଲେ କାଳେ ତାଙ୍କ ଘରକୁ ଆଉ ନ ଆସେ, ଏହି ଆଶଙ୍କାରେ ଭାଇ ଭାଉଜ ସେ କଥା ଗୋପନ ରଖିବାକୁ ଚେଷ୍ଟା କଲେ, କିନ୍ତୁ କଥା କି ଲୁଚି ରହେ ? ନିଆଁକୁ ଯେତେ ଢାଙ୍କିଲେ ସେ କୁହୁଳି କୁହୁଳି ବାହାରେ । ଲାବଣ୍ୟ ଅନ୍ୟଠାରୁ ଯଥାସମୟରେ ଶୁଣିଲା; ମାତ୍ର କାହାକୁ କିଛି କହିଲା ନାହିଁ, କିମ୍ବା ମନରେ ଭିନ୍ନ ଭାବ ଧରିଲା ନାହିଁ - ପୂର୍ବ ପରି ଭାଇଘରକୁ ଯିବା ଆସିବା କରିବାକୁ ଲାଗିଲା । ସେ ଜାଣେ ତାହା ଭାଇ ପରପଦାର୍ଥ ଖାଇବାର ଲୋକ ନୁହେଁ ।

 

ଲାବଣ୍ୟର ଦିନ ପୂର୍ବପରି ଚାଲିଯାଉଅଛି । ସେ ଗୃହକାର୍ଯ୍ୟ, ଶିଳ୍ପକାର୍ଯ୍ୟ ଆଉ ଅତିଥିସେବା ସବୁ ସ୍ୱହସ୍ତରେ କରେ; ମାତ୍ର ସର୍ବଦା ଅନ୍ୟମନସ୍କା । ଯେପରି ସେ କିଛି କରୁନାହିଁ, ଗୋଟିଏ କି ଅଜ୍ଞାତ ଶକ୍ତି ତାହା ହାତ ଯୋଡ଼ାକ ଧରି ସବୁ କରିଯାଉଅଛି । ସେ ସବୁବେଳେ କଅଣ ଭାବେ, ଯେପରି ତାହା କାର୍ଯ୍ୟରେ ଅପୂର୍ଣ୍ଣତା ବା ତ୍ରୁଟି ରହିଯାଉଅଛି, ତାହାର ଚିନ୍ତା ଅନ୍ୟ କିଛି ନୁହେ, ସେ ସ୍ୱାମୀକୁ ନକହି ଚାଲି ଆସିଅଛି; ସୁତରାଂ ସ୍ୱାମୀକୁ ଅବଜ୍ଞା କରିଅଛି, ଏହି ସ୍ୱାମୀ ଦ୍ରୋହପାପରୁ ସେ କିପରି ଉଦ୍ଧାର ପାଇବ, ଏହି ଚିନ୍ତାରେ ସେ ବିଭୋରା । ଅନେକ ଭାବି ଶେଷରେ ସାର କଲା କି ସ୍ୱାମୀ ନିକଟରେ କ୍ଷମା ପ୍ରାର୍ଥନା କରି ଏ ପାପରୁ ସେ ନିସ୍ତାର ଲଭିବ । ଦେଖା ସାକ୍ଷାତର ସୁବିଧା ନାହିଁ; ପତ୍ରଦ୍ୱାରା କ୍ଷମା ଭିକ୍ଷା କରିବ । ଆଜି ଲେଖିବ, କାଲି ଲେଖିବ ଏହିପରି ଗଡ଼ମଠରେ କିଛି ଦିନ ଗଲା । ଶେଷରେ ଦିନେ ଭାବିଲା - ‘‘ଆଉ ହେଳା କରିବା ଭଲ ନୁହେଁ, ମନୁଷ୍ୟ ଜୀବନ ପାଣି ଫୋଟକାପରି ଲହମାକେ ଫାଟିଯିବ, ତାକୁ ବିଶ୍ୱାସ କଅଣ । ଲେଖିବି ଲେଖିବି ବୋଲି ଲେଖିବା ଆଗରୁ ଯେବେ ମୁଁ ମରିଯାଏ ତେବେ ମୋର ଗତି କଅଣ ହେବ । ଏକେତ ସ୍ୱାମିଦ୍ରୋହ ମହାପାପ, ତହିଁଉପରେ ମୋର ପୁଣି ତାହା ଜ୍ଞାନକୃତ । ମୋର ନିଜର ବୋଝ ମୁଁ ନିଜେ ଭାରି କରିଛି, ତାଙ୍କ କୃପା ତାଙ୍କ କ୍ଷମା ବିନା ଏ ପାପର ଅନ୍ୟମୁକ୍ତିପଥ ନାହିଁ । ତାଙ୍କଠାରୁ କ୍ଷମା ନନେଇ ମଲେ ସେ ମରଣ ମୋର ସୁଖର ମରଣ ହେବନାହିଁ । ମରଣ ପରେ ମୋର ଆତ୍ମା ଅନୁଶୋଚନାରେ ଅନନ୍ତକାଳ ଦଗ୍‌ଧ ହେବ ।’’ ଅନନ୍ତର ଲାବଣ୍ୟ କାଗଜ କଲମ ଘେନି ପତ୍ର ଲେଖିବାକୁ ବସିଲା, ଅନେକ ଭାବି ଚିନ୍ତି ଏହିପରି ଲେଖିଲା – ‘‘କୋଟି କୋଟି ଦଣ୍ଡବତ ।’’

 

ଏତେ ଦିନ ପରେ ଏ ଦାସୀର ପତ୍ର ଖଣ୍ଡି ଦେଖି ମନରେ କିଛି ଭାବିବ ନାହିଁ । କେତେଥର ଲେଖିବାକୁ ବସେଁ, ଲେଖିପାରେ ନାହିଁ । ଦିନେ ଦୁଇଧାଡିଯାଏ ଲେଖିଛି ସେତିକିବେଳେ ଦାରୁଣ ଲଜ୍ଜା ଆସି ଖୁବ୍‌ ଜୋରରେ ମୋ ହାତରୁ ଚାପି ଧରିଲା । ମୁଁ ଆଉ ଲେଖି ପାରିଲି ନାହିଁ - ପତ୍ରଖଣ୍ଡି ଚିରି ଫୋପାଡି ଦେଲି । ଦୁଆତ କଲମ ଉପରେ ବି ଭାର ରାଗ ହେଲା । କଲମଟା ଭାଙ୍ଗି ପକାଇ ଦୁଆତର କାଳୀ ଅଜାଡ଼ି ଦେଇ ଉଠିଗଲି । କେଉଁ ମୁହଁରେ ବା ଲେଖନ୍ତି ? ତୁମେ ମୋର ଗୁରୁ, ତୁମେ ମୋର ଦେବତା, ମୁଁ ତୁମକୁ ଅବଜ୍ଞା କରିଛି । ଆସିଲାବେଳେ ପଦେ କଥା କହି ତୁମ ଅନୁମତି ନେଇ ଆସିନାହିଁ, ମୋତେ କେଉଁ ଜନ୍ମରେ ପାର ନାହିଁ । ମୋର ଇହକାଳତ ଯାଇଛି, ପରକାଳ ମଧ୍ୟ ନିଜ ହାତରେ ମୁଁ ନଷ୍ଟ କରିଛି । ମୁଁ ବଡ଼ ଭୁଲ କରିଛି, ସେହି କ୍ଷଣିକ ଭୁଲର ଅନୁଶୋଚନା ମୋତେ କିପରି କଷ୍ଟ ଦେଉଛି, ହୃଦୟ ଖୋଲି ଦେଖାଇବାର ହୋଇଥିଲେ ଦେଖାଇ ଦିଅନ୍ତି । ତୁମେ ଦେଖନ୍ତ, ସେହି ଅନୁଶୋଚନାକଙ୍କଡ଼ାବିଛା ମୋର ହୃଦୟକୁ ବିନ୍ଧି କିପରି କଳାଦାଗ ବସାଇ ଦେଇଛି । ସେହି କ୍ଷଣିକ ଭୁଲର ଫଳ ମୁଁ ସାରାଜୀବନ ଭୋଗ କରିବି । ତୁମେ ମୋତେ ପ୍ରାଣପରି ଭଲପାଅ, ତାହା ବଦଳରେ ମୁଁ ତୁମ ମନରେ ଦୁଃଖ ଦେଲି, ମୋ ପରି ପାପିଷ୍ଠାକୁ ତିନିପୁରରେ ଠାବ ମିଳିବ ନାହିଁ । ତୁମ୍ଭର କ୍ଷମା ଏକା ଏ ପାପର ପ୍ରାୟଶ୍ଚିତ୍ତ । ମୋର ଦୋଷତ କ୍ଷମାକୁ ବଳି ଯାଇଛି, ଆଉ କେଉଁ ମୁହଁରେ ବା କ୍ଷମା ମାଗିବି ? ତେବେ ଭରସା ଏତିକି ଯେ, ତୁମେ କରୁଣାବୃକ୍ଷ, ସେ ବୃକ୍ଷରେ ନିଷ୍ଠୁରତା ଫଳେ ନାହିଁ । ତୁମେ କ୍ଷମାମୟ, କ୍ଷମା କରିପାର; ମାତ୍ର ମୁଁ କେଭେ କ୍ଷମାପାତ୍ରୀ ନୁହେଁ । ମୋର ଦୁର୍ଭାଗ୍ୟ, - ତୁମପରି ଦେବସ୍ୱାମୀର ମୁଁ ଉପଯୁକ୍ତ ସ୍ତ୍ରୀ ହୋଇପାରିଲି ନାହିଁ ।

 

ଆଉ ଗୋଟିଏ କଥା ଲେଖିବି, ବିରକ୍ତ ହେବ ନାହିଁ । ଶୁଣିଲି, ତୁମେ ବିବାହ କରିବ ନାହିଁ ବୋଲି ପଣ କରିଛ । ଛାର ଏ ଦାସୀଲାଗି ଏଡେବଡ଼ କଠୋର ପଣ କରି ଜୀବନ ଦୁଃଖମୟ କରିବ କାହିଁକି ? କେତେ ଦିନ ଆଉ ସନ୍ନ୍ୟାସୀ ପରି କାଳ କଟାଇବ ? ତୁମେ ବିବାହ କରି ସୁଖୀ ହୁଅ, ତୁମକୁ ସୁଖୀ ଦେଖିଲେ ମୁଁ ସୁଖୀ ହେବି । ବାପ ମା’ଙ୍କର ଆଜ୍ଞା ଭାଙ୍ଗନାହିଁ, ସେମାନେ ଗୁରୁଜନ, ସେମାନଙ୍କ ମନରେ ଆଘାତ ଲାଗିବ । ଛି, ମୋପରି ଗୋଟାଏ ସେବକୀ ଲାଗି ସେମାନଙ୍କର ଅପ୍ରିୟ ହୁଅନାହିଁ । ମୋତେ ଭୁଲିଯାଅ, ମୋ’ପରି ଦାସୀ ତୁମ୍ଭଙ୍କୁ ଅନେକ ମିଳିବେ; କିନ୍ତୁ ତୁମପରି ପ୍ରଭୁ ମୁଁ କାହୁଁ ପାଇବି ? ସମୁଦ୍ରରେ ଅନେକ ନଦୀ ଆସି ମିଳିବେ; କିନ୍ତୁ ନଦୀ ସମୁଦ୍ର ଛଡ଼ା ହେଲେ ଆଉ ତାହାର ଆଶ୍ରୟ କିଏ ଅଛି । ମୋ ଲାଗି ତୁମେ ବାପମାଙ୍କ ମନରେ ଦୁଃଖ ଦେଲେ ସେ ପାପ ମୋର ହେବ, ଆଉ ସେ ଦୁଃଖ ମୋର ମର୍ମସ୍ଥଳରେ ବଜ୍ରପରି ଆସି ବାଜିବ । ମୁଁ ହାତ ଯୋଡ଼ି ପ୍ରାର୍ଥନା କରୁଛି, ତୁମ ଗୋଡ଼ତଳେ ପଡ଼ୁଛି, ତୁମେ ବିବାହ କରି ବଂଶ ରକ୍ଷାକର । ମୋର ଜନ୍ମତ ବୃଥା ହେଲା, ସଉତୁଣୀର ପୁଅ ହେଲେ ମୋର ପାଣି ଆଞ୍ଜଳାକର ଭରସା ରହିବ । ମୋ ଅଧିକାର ଆଉଜଣେ ନେଲେ ମୁଁ ହିଁସା ବହିବି ନାହିଁ, ବରଞ୍ଚ ଆନନ୍ଦତ ହେବି । ଭୋଗରେ ସୁଖ ନ ଥାଏ ଯେ, ଦାନରେ ଥାଏ । ମୋ ସୁଖ ନେଇ ଆଉଜଣେ ଯେବେ ସୁଖୀ ହୁଏ, ତେବେ ତାହାତ ମୋର ପରମ ଲାଭ, ଆଉ ଅତିଆନନ୍ଦର କଥା । ତୁମେ ମୋତେ ସେହି ସୌଭାଗ୍ୟ ଦିଅ, ତୁମ ପାଦପଦ୍ମରେ ମୋର ଏତିକି ମାଗୁଣି । ମୋ ଉପରେ ଯେବେ ତୁମର ପୂର୍ବପରି ସ୍ନେହ ମୁଆଁସ ଥିବ, ତେବେ ନିଶ୍ଚୟ ବିବାହ କରି ଏ ଦାସୀକୁ ସୁଖୀ କରାଇବ । ମୁଁ ଜାଣିବି, ମୋର ସବୁ ଦୋଷ ତୁମେ କ୍ଷମା କରିଛ । ତାହାହେଲେ ମୋର ଅଶ୍ରାନ୍ତ ଆତୁର ପ୍ରାଣ ଆଶ୍ୱାସନା ଲଭିବ, ଆଉ ଜୀବନର ଶେଷଦିନ ତୁମରି ପାଦପଦ୍ମ ଧ୍ୟାନ କରି ମୁଁ ଆନନ୍ଦରେ ଆଖିବୁଜି ଚାଲିଯାଇପାରିବି । ଜନ୍ମେ ଜନ୍ମେ ତୁମକୁ ସ୍ୱାମିରୂପରେ ଲାଭ କରେଁ, ଏହି ଆଶୀର୍ବାଦ କର । ତୁମ ଆଶୀର୍ବାଦ ମୋ ପକ୍ଷରେ ଦେବ ଆଶୀର୍ବାଦ । ଶେଷରେ ଏ ଅଧମର ଭକ୍ତି ପ୍ରଣାମ ଗ୍ରହଣ କର ।

 

ତୁମ୍ଭର ସେବା ଦାସୀ

Image

 

ଅଭାଗିନୀ ଲାବଣ୍ୟ

 

ଲାବଣ୍ୟ ପତ୍ର ଖଣ୍ଡି ବନ୍ଦକରି ଜଣେ ବିସ୍ୱସ୍ତା ପ୍ରତିବେଶିନୀ ହାତରେ ସ୍ୱାମୀ ନିକଟକୁ ପଠାଇ ଦେଲା । ସେ ଯାଇଁ ଗୋପନରେ ଗଜେନ୍ଦ୍ରକୁ ଦେଇ ଆସିଲା । ଗଜେନ୍ଦ୍ର ପତ୍ର ଫିଟାଇ ଆମୂଳଚୂଳ ପଢିଗଲା । ପଢିସାରି ତାଟଙ୍କା ହୋଇ ରହିଲା । କ୍ଷଣକ ପରେ ପୁଣି ପଢିଲା, ତହିଁପରେ ଆଉ ଥରେ ପଢିଲା, ଏହିପରି ବାରମ୍ବାର ପଢିବାକୁ ଲାଗିଲା । ଶେଷରେ ତାହା ଆଖିରୁ ଦୁଇଧାର ଲୁହ ଗଡ଼ିପଡ଼ିଲା, ସେ ଦୀର୍ଘ ନିଃଶ୍ୱାସ ପକାଇ କେତେବେଳଯାଏ ବସି କଅଣ ଭାବିଲା । ଅନନ୍ତର ଲେଖିବାର ଉପକରଣ ଘେନି ପତ୍ର ଲେଖିବାକୁ ବସିଲା । ସେ ପତ୍ର ଖଣ୍ଡି ଅବିକଳ ନିମ୍ନରେ ଉଦ୍ଧୃତ ହେଲା:-

 

କଲ୍ୟାଣୀୟା ଲାବଣ୍ୟ !

 

ତୁମ୍ଭର ପତ୍ର ପାଇଲି । ଥରେ ନୁହେଁ, ଦୁଇଥର ନୁହେଁ - ଅନେକ ଥର ପଢିଲି । ପଢୁଁ ପଢୁଁ ପତ୍ରଖଣ୍ଡି ଅଶ୍ରୁରେ ତିନ୍ତିଗଲା । ଏଥିରୁ ମୋର ମନର ଅବସ୍ଥା ଜାଣି ପାରିବ । କ୍ଷମା କଥା ଲେଖିଛ, ଏଥିରେ ମୁଁ ହସିବି ନା କାନ୍ଦିବି ? ବୋଧହୁଏ ତମେ ପାଗଳ ହେଲଣି, କି ଦୋଷ କଲ ଯେ ସେଥିପାଇ କ୍ଷମା ଲୋଡ଼ା ? ତୁମର କିଛି ଦୋଷ ମୁଁ ଦେଖୁନାହିଁ । ତୁମେ ଯାହାକୁ ଦୋଷ ବୋଲି କହୁଛ ମୁଁ ତାକୁ ସ୍ୱବୁଦ୍ଧିର କାର୍ଯ୍ୟ ମନେ କରୁଛି । ଅତ୍ୟାଚାର ଉତ୍ପୀଡ଼ନ ହସ୍ତରୁ ତୁମେ ରକ୍ଷା ପାଇଛ, ଆଉ ମୋତେବି ତାହାର ଧକ୍‌କାରୁ ବଞ୍ଚାଇଛ, ସେଥିରେ ଉଭୟ ପକ୍ଷର ମଙ୍ଗଳ ହୋଇଅଛି-। ଆଉ କେତେଦିନ ସନ୍ନ୍ୟାସୀ ପରି କାଳ କଟାଇବ ବୋଲି ପଚାରିଛ ତାହାର ଉତ୍ତର ଖୁବ୍‌ସହଜ । ତୁମେ ଯେତେଦିନ ଯାଏ ସନ୍ନ୍ୟାସିନୀ ହୋଇଥିବ, ମୁଁ ତେତେଦିନ ଯାଏ ସନ୍ନ୍ୟାସୀ ହୋଇଥିବି । ବିବାହ କଥା ଲେଖିଛ ତୁମେ ତ ନାହଁ - ହୁଳହୁଳି ଦେଇ ସଉତୁଣୀ ବରଣ କରିବ କିଏ-। ତୁମରି ମୂର୍ତ୍ତି ଏ ହୃଦୟରେ ଦୃଢଭାବରେ ଅଙ୍କିତ ହୋଇ ରହିଅଛି । ଆଉ ଜଣକ ପାଇଁ ସେଠାରେ ସ୍ଥାନ ନାହିଁ । ବଂଶରକ୍ଷା ନ ହେଲା ନାହିଁ ଧର୍ମ ରକ୍ଷା ତ ହେବ । ଅନେକ ଲୋକଙ୍କର ତ ବଂଶରକ୍ଷା ହୁଏନାହିଁ ସେଥିଲାଗି ଚିନ୍ତା କାହିଁକି ? ତୁମପରି ଗୁଣବତୀ ସ୍ତ୍ରୀ ଯାହାର ଅଛି, ତାହାର ପୁଣି ବିବାହ କି ଲୋଡ଼ା । ତୁମ ସ୍ମୃତିମୂର୍ତ୍ତି ସଙ୍ଗରେ ତ ରୋଜ ମୋର ବିବାହ ଲାଗିଛି । ଧର୍ମ ଆଉ ସତ୍ୟ ଏ ଦୁହେଁ ଯଦି ସତ୍ୟ ହୋଇଥାନ୍ତି, ତେବେ ତୁମେ ଏ ଅଗ୍ନି ପରୀକ୍ଷାରେ ନିଶ୍ଚୟ ନିର୍ମଳ ହୋଇ ବାହାରିବ । ବାପମାଙ୍କ ମନ ରକ୍ଷା କରିବାପାଇଁ ଉପଦେଶ ଦେଇଛ, ତୁମର ସେ ଉପଦେଶ ସାଧୁ ଏଥିରେ ସନ୍ଦେହ ନାହି । ପିତୃମାତୃ ଆଦେଶ ସନ୍ତାନର ଶିରୋଧାର୍ଯ୍ୟ; ମାତ୍ର ଯେଉ ଆଦେଶ ସନ୍ତାନ ପକ୍ଷରେ ଅଭିଶାପ ତୁଲ୍ୟ ତାହା କି ପାଳନ କରିବାକୁ ହେବ ? ବିଚାର କରି ଆଦେଶ ପାଳନ କରିବ । ଅନ୍ୟାୟ ଆଦେଶ ପାଳନ ନ କଲେ ଦୋଷ କଅଣ ? ଗୁରୁଜନଙ୍କ ମନରକ୍ଷା ପାଇଁ ମୁଁ ଜଣକର ଜୀବନ ବ୍ୟର୍ଥ କରି ଦେଇ ପାରିବି ନାହିଁ । ନଦୀ ସମୁଦ୍ରର ଉପମା ଦେଇଛ, ଦେଖୁଛି - ତୁମେ ଆଉ ସାଧାରଣ ଶ୍ରେଣୀରେ ନାହିଁ, ଅସାଧାରଣ ହୋଇ ପଡ଼ିଲଣି । ଏଥି ମଧ୍ୟରେ ତୁମର ଯଥେଷ୍ଟ ଉନ୍ନତି ହୋଇ ଗଲାଣି, ତୁମେ ଗୋଟାଏ ପ୍ରକାଣ୍ଡ କବି ହୋଇ ସାରିଲାଣି । ସମୁଦ୍ର ନଦୀର ଆଶ୍ରୟ ସତ; ମାତ୍ର ନଦୀ ଯୋଗୁ ସମୁଦ୍ରର ପୂର୍ଣ୍ଣତା, ଏହା ମିଛ ନୁହେଁ । ତୁମର ଆଦର୍ଶ ବି ଊଣା ନୁହେଁ - ସେହି ଆଦର୍ଶର ଗୌରବ ଜାତୀୟ ଇତିହାସରେ ନୂତନ ଅଧ୍ୟାୟର ସୃଷ୍ଟି କରିବ । ମିଥ୍ୟା ଅପବାଦଦ୍ୱାରା ତୁମକୁ ଯେ କଳଙ୍କିତ କରିଛନ୍ତି; ଅତ୍ୟାଚାର ଉପଦ୍ରବରେ କ୍ଷତ ବିକ୍ଷତ କରିଛନ୍ତି; ତୁମେ ତାଙ୍କୁ କ୍ଷମାପ୍ରବଣ ସୁକୁମାର ହୃଦୟର ଭକ୍ତି ଧାରାରେ ଅଭିଷିକ୍ତ କରିଛ, ତୁମର ଏ ଆଦର୍ଶର ମୂଲ୍ୟ ଜଗତର ମୂଲ୍ୟଠାରୁ ଅଧିକ, ଏହା ବୋଲିବା ବାହୁଲ୍ୟ ସିନା ।

 

ତୁମେ ଯେଉଁ ବ୍ରତ ଧାରଣ କରିଛ, ତାହା ଅତି ପବିତ୍ର, ପୁଣି ମହାନ୍‌ । ତୁମ ନାମରେ ଆତ୍ମନିର୍ଭରତା ଏବଂ ଦାନର ଯେଉଁ ମଙ୍ଗଳ ମହୁରୀ ବାଜୁଅଛି, ତାହା ଶୁଣି ମୁଁ ମୁଗ୍‌ଧ ହୋଇଅଛି । ଆଉ ତୁମର ସ୍ୱାମୀ ବୋଲି ମନରେ ଗର୍ବ ଅନୁଭବ କରୁଅଛି । ଅନ୍ନବସ୍ତ୍ରଦାନଠାରୁ ବଡ଼ ଦାନ ଆଉ ନାହିଁ, ତୁମେ ପୂଣ୍ୟବତୀ । ମୁଁ ତୁମ ପୂଣ୍ୟର ଭାଗ ନେବାକୁ ଇଚ୍ଛାକରୁଛି । ଆଜିଠାରୁ ମୁଁ ତୁମକୁ ଗୋପନରେ ସାହାଯ୍ୟ କରିବି । ତୁମେ ଯେଉଁ କାର୍ଯ୍ୟ କରୁଛ, ତାକୁ ଆଉ ଟିକିଏ ବିସ୍ତୃତଭାବରେ କରିବ । ଏବର୍ଷ ଦୂର୍ଭିକ୍ଷର ସୂଚନା ଦେଖାଗଲାଣି, ପୂର୍ବରୁ ସ୍ଥାନେ ସ୍ଥାନେ ଅନ୍ନଛତ୍ର ଖୋଲି ରଖିବା ଦରକାର । ମୁଁ ତୁମର; ସୁତରାଂ ମୋର ଯାହାଅଛି ତାହା ସବୁ ତୁମର, ଏହି ଜ୍ଞାନରେ ମୋର ସାମାନ୍ୟ ସାହାଯ୍ୟ ଗ୍ରହଣ କରିବାକୁ ସଙ୍କୁଚିତ ହେବନାହିଁ । ତୁମ ମହାବ୍ରତରେ ମୋର କ୍ଷୁଦ୍ର ସାହାଯ୍ୟଟିକ ମିଶିଲେ ମୁଁ ନିଜକୁ ଧନ୍ୟ ମଣିବି । ଆଜି ଏ ପତ୍ର ମଧ୍ୟରେ ପଚାଶଟଙ୍କିଆ ନୋଟ ଦୁଇଖଣ୍ଡ ପଠାଇଲି । ଏଣିକି ଏହିପରି ପଠାଇବି । ଏ ବିଷୟ ଗୋପନ ରଖିବାକୁ ଯଥାସାଧ୍ୟ ସାବଧାନ ରହିବ । ଅନ୍ୟ କଥା ଦୂରେ ଥାଉ, ତୁମ ମାଉସୀଙ୍କୁ ମଧ୍ୟ କହିବ ନାହିଁ । ତୁମ ବ୍ରତ ସଫଳ ହେଉ, ଈଶ୍ୱରଙ୍କ ନିକଟରେ ଏହି ଭିକ୍ଷା ମାଗୁଅଛି । ଇତି ।

 

ତୁମର,

ଗୁଣ-ମୁଗ୍‌ଧ ସ୍ୱାମୀ ।’’

Image

 

ଅଷ୍ଟମ ପରିଚ୍ଛେଦ

 

ଦେଖୁଁ ଦେଖୁଁ ଦୁର୍ଭିକ୍ଷ ମାଡିଆସିଲା । ପୂର୍ବବର୍ଷ ଆଠପଣ ଖନ୍ଦ ହୋଇଥିଲା, ଲୋକେ ବେଳେ ଖାଇ ବେଳେ ଉପବାସ ରହି କୌଣସି ପ୍ରକାରେ କାଳ କଟାଇଦେଲେ । ପରର୍ବତ୍ତୀ ବର୍ଷ ଚାଷ ହେବ ବୋଲି ଆଶା କରିଥିଲେ; ମାତ୍ର ଦୈବୀ ଆପଦରୁ ସେ ଆଶା ପଣ୍ଡ କରିଥିଲେ; ମାତ୍ର ଦୈବୀ ଆପଦରୁ ସେ ଆଶା ପଣ୍ଡ ହେଲା । ସେ ବର୍ଷ ବୈଶାଖ ମାସରୁ ମେଘ ଲଗାଇଦେଲା । ଅନର୍ଗଳ ମୂଷଳଧାରାରେ ବୃଷ୍ଟି ହେବାରୁ ‘‘ଜଳ ଗହଳେ ସୃଷ୍ଟି ନାଶ’’ର ଉପକ୍ରମ ହେଲା । ବୈଶାଖ ଧାରାଶ୍ରାବଣରେ ପରିଣତ ହେଲା । ବିଜୁଳି, ବତାସ ଏବଂ ଘଡ଼ ଘଡ଼ିରେ ପୃଥିବୀ ଥରହର ହୋଇ କମ୍ପିବାକୁ ଲାଗିଲା । ବିଲରେ କିଆରି ବୁଡ଼ି ପାଣି ଚାଲିଲା । ପ୍ରାଚୀନ ଲୋକେ କହିଲେ - ଏରୂପ ଅକାଳବୃଷ୍ଟି ଅତିବୃଷ୍ଟି ସେମାନେ କେବେ ଦେଖିନାହାନ୍ତି । ସେମାନଙ୍କ ଅତୀତ ଜୀବନରେ ଅନେକ ଥର ଦୁର୍ଯୋଗ ଘଟିଅଛି; ମାତ୍ର ଏଭଳି ଦୁର୍ଯୋଗର କଥା ସେମାନେ ପୂର୍ବବର୍ତ୍ତୀଙ୍କ ଠାରୁ ମଧ୍ୟ ଶୁଣି ନାହାନ୍ତି । ‘‘ପୂର୍ବେ ଆର୍ଦ୍ରାବଳୀ ପଶ୍ଚିମେ ରୋଇ, ଡାକ ବୋଲେ ସୂତା ନିଶ୍ଚୟ ଧୋଇ’’ ସେ ବର୍ଷ ଏହି ଲକ୍ଷଣ ଦେଖା ଯାଇଥିଲା । କେହି କେହି କହିଲେ - ‘‘ଏକା ବୈଶାଖରେ ଯେତେ ପାଣି ବର୍ଷିଲାଣି, ଚାରିଟା ଚତୁର୍ମାସ୍ୟାରେ ତେତେ ବର୍ଷିବ ନାହିଁ ।’’ ବର୍ଷା, ତହିଁ ଉପରେ ନଈବଢି, ଗାଁ ଗଣ୍ଡାରେ ସୁଅ ବହିଲା । କେତେ ଘର ଭାଙ୍ଗିଗଲା, କେତେ ଗାଁ ଭାସିଗଲା କେତେ ଜୀବଜନ୍ତୁ ନଷ୍ଟହେଲେ । ଆଷାଢ ଶେଷଯାଏ ବିଲରୁ ପାଣି ଶୁଖିଲା ନାହି । କୃଷକକୂଳ ପ୍ରମାଦ ଗଣିଲେ; ମାତ୍ର ହତାଶ ହେଲେ ନାହିଁ । କେହି ଖଳାବାଡିରେ, କେହି ଡିହ ଡିଙ୍ଗରରେ ତଳି ପକାଇ ବିଲରେ ବିହନ ରୋଇଲେ । ଅତିବୃଷ୍ଟିରେ ଧାନଗଛ ଉଧେଇ ପାରିଲା ନାହିଁ । ଅସମୟରେ ରୁଆ ବେଉଷଣ ହେତୁ ଧାନ ଶିକ୍ଷା ମଧ୍ୟ ବଡ଼ ହୋଇ ପାରିଲା ନାହିଁ । ଯାହାହେଉ ତଥାପି ଚାରିପଣ ଫସଲର ଆଶା କରାଗଲା; ମାତ୍ର ଯେତେବେଳେ ନଷ୍ଟ ହେବାର ଯୋଗ ଥାଏ ତେତେବେଳେ ନାନା ଉପଦ୍ରବ ଆସି ଘଟେ । ‘‘ଆଗେ ବୁଣ୍‌ପଛେ ବୁଣ୍‌ଗର୍ତ୍ତଣାକୁ ଟୁଣ୍‌ଟୁଣ୍‌’’ କାର୍ତ୍ତିକ ସଂକ୍ରାନ୍ତିର ନାମ ଗର୍ଭଣା ସଂକ୍ରାନ୍ତି, ଗର୍ଭଣା ପରେ ଧାନ ଗଛର କାନ୍ଧିସବୁ ବାହାରି ପଡ଼େ । ଧାନ ଛିଞ୍ଚା ବାହାରିଲା, କିଏ କ୍ଷୀର ଢୋକୁଅଛି, କିଏ ଫୁଲ ଉଡ଼ାଉଅଛି, ଏହି ସମୟରେ ଉତ୍ତରରୁ ଝିଟିକାଦଳ ଆସିଲେ । ସେମାନେ ଏତେ ସଂଖ୍ୟାରେ ଉଡ଼ି ଆସିଲେ ଯେ, ସେମାନଙ୍କ ନୀଳପକ୍ଷ ଉହାଡ଼ରେ ସୂର୍ଯ୍ୟ କିରଣ ଦେଖାଗଲା ନାହିଁ । ଆକାଶ ମେଘଲିପ୍ତପରି ଜଣାଗଲା । ସକାଳୁ ସନ୍ଧ୍ୟା ପର୍ଯ୍ୟନ୍ତ ସେମାନଙ୍କର ସ୍ରୋତ ବନ୍ଦ ହେଲା ନାହିଁ । ଦଳକ ପଛରେ ଦଳେ ଲାଗିରହି ଉଡି ଚାଲିଥାନ୍ତି । ଶେଷରେ ସେମାନଙ୍କର ‘‘ରାଜା ରାଣୀ’’ ଆସିଲେ, ତେତେବେଳେ ସ୍ରୋତ ବନ୍ଦ ହେଲା । ପତଙ୍ଗ ରାଜରାଣୀ ହେଲେ ମଧ୍ୟ ତାଙ୍କର ଆକୃତି କ୍ଷୁଦ୍ର ନୁହେ, ରାଜରାଣୀ ଦୁହେଁ ଦୁଇଟି କପୋତ କପୋତୀ ପରି ବୃହଦାକାର । ସେହି ସର୍ବଗ୍ରାସୀ ପତଙ୍ଗପଲ ଗତିପଥରେ ଗଛ ପତ୍ର ଯାହା ପାଇଲେ କାହାକୁ ଅକ୍ଷତ ରଖିଲେ ନାହିଁ । ଯେତେ ଖାଇଲେ ତାହାର ବହୁଗୁଣ କାଟି ପକାଇଲେ । ସୁଜିନା ଗଛ ସବୁ ନିଷ୍ପତ୍ର ହେଲା, ବିଲରେ ଧାନ ରହିଲାନାହିଁ । ଯେତେ ଖାଇ ବାର ଖାଇଲେ, ଅବଶିଷ୍ଟ କାଟି ପକାଇଲେ । ଏହି ଦୁଷ୍ଟ ପତଙ୍ଗମାନଙ୍କ ସକାଶେ ଦୁର୍ଭିକ୍ଷ ପଡ଼ିଲା । ଚାଷୀ ଆଉ ବିଲକୁ ଗଲାନାହିଁ, ବିହନ ମିଳିବାର ଆଶା ନାହିଁ, ସେ ମୁଣ୍ଡରେ ହାତ ଦେଇ କାନ୍ଦିଲା । ବିଲରେ ଯେଉଁ ଥୁଣ୍ଟା ନଡ଼ା କେରାକ ଠିଆହୋଇଥିଲା । ଝିଟିକାଙ୍କ ବିଷାକ୍ତ ଲାଳ ଲାଗିଥିବାରୁ ଗୋ ମହିଷାଦି ତାକୁ ଛୁଇଁଲେ ନାହି ।

 

ଦୁର୍ଭିକ୍ଷ ଏକାକୀ ଆସେ ନାହିଁ - ରୋଗ ଏବଂ ମୃତ୍ୟୁ ତାହାର ପରମ ବନ୍ଧୁ, ସେମାନଙ୍କୁ ସେ ନିଜ ଗହଣରେ ଆଣିବାକୁ ଭୁଲେ ନାହିଁ । ଗୋଟିକୁ ତ ସମ୍ଭାଳିବା କଠିନ, ତିନୋଟିର ଦାଉରେ ପଡିଲେ ଆଉ କି ରକ୍ଷା ଅଛି । ତିନିବନ୍ଧୁ ଏକାଠି ନ ହେଲେ ସେମାନଙ୍କର ମଉଜ ପୂର୍ଣ୍ଣ ହୁଏ ନାହିଁ । ବର୍ଷା ଏବଂ ବନ୍ୟା ଜଳରେ ଚାରିଆଡ଼ ଜଳମୟ । ଘରୁ ବାହାରିଲେ ପାଣି, କେଉଁଠି ଆଣ୍ଠୁଏ କେଉଁଠି ଜଙ୍ଘେ, କେଉଁଠି ବା ଅଣ୍ଟାଏ । ନାନାପ୍ରକାର ଘାସ, ପତ୍ର ପଚି ପାଣିକୁ ବିଷମୟ କରିଦେଲା-। ସେହି ପାଣିରେ ଯାତାୟତ କରି ଏବଂ ସେହିପାଣି ବ୍ୟବହାର କରି ଲୋକେ ମେଲେରିଆ ଜ୍ୱରରେ ପଡ଼ିଲେ । ପଶୁ ପକ୍ଷୀ ପ୍ରଭୃତିର ଶବ ଭାସିଆସି ସ୍ଥାନେ ସ୍ଥାନେ ଲାଗି ପଚିବାକୁ ଲାଗିଲା । ଶବାହାରୀତ ଅଳ୍ପ ମରି ନାହାନ୍ତି; ସୁତରାଂ ଖାଉଛି ବା କିଏ ? ଯାହା ଅବଶିଷ୍ଟ ଥିଲେ, ଖାଇ ଖାଇ ସେମାନଙ୍କୁ ଅଜୀର୍ଣ୍ଣ ଧରି ଗଲାଣି । ସେହି ପଚାଦୂର୍ଗନ୍ଧ ଆଘ୍ରାଣ କରି ଅନେକେ ପୀଡ଼ିତ ହେଲେ । ଅଖାଦ୍ୟ - କୁଖାଦ୍ୟ ଆହାର, ଦୂଷିତ ଜଳପାନ, ପଚା ବାଷ୍ପ ସେବନରେ ଲୋକେ ନାନା ରୋଗରେ ଆକ୍ରାନ୍ତ ହେଲେ । ମୃତ୍ୟୁସଂଖ୍ୟା ଦିନକୁ ଦିନ ବଢି ଉଠିଲା । ଚାରିଆଡ଼େ ହାହାକାର ଧ୍ୱନି ଉଠିଲା ସବୁ କଷ୍ଟ ସହିହୁଏ; ମାତ୍ର ପେଟ କଷ୍ଟ ସହି ହୁଏ ନାହିଁ । ପେଟ ଜାଳାରେ ଲୋକେ ଗ୍ରାମାନ୍ତରକୁ ପଳାଇ ଗଲେ; ମାତ୍ର ସମସ୍ତେ ତ ସମଦଶାପନ୍ନ, କାହାକୁ ବା କିଏ ପଚାରୁଛି-। ଦୁର୍ଭିକ୍ଷ ପୀଡ଼ିତ ଅସ୍ଥିକଙ୍କାଳସାର କାଙ୍ଗାଳିମାନେ ଦଳ ଦଳ ହୋଇ ବୁଲିଲେ । ସମସ୍ତଙ୍କ ହାତରେ ଗୋଟାଏ ଗୋଟାଏ ହାଣ୍ଡି ଏବଂ ତୁଣ୍ଡରେ ଆର୍ତ୍ତନାଦ ଛଡ଼ା ଆଉ କିଛି ନାହିଁ । ସେ ମର୍ମଭେଦୀ ଦୃଶ୍ୟ ଦେଖିବା ଦୂରେ ଥାଉ, ଲେଖିଲେ ପ୍ରାଣ କାନ୍ଦି ଉଠେ ।

 

ଯଥାସମୟରେ ଦୁର୍ଭିକ୍ଷ ଦମନର ଚେଷ୍ଟା ହେଲା । ଆବଶ୍ୟକ ସ୍ଥଳରେ କୂପ ପୁଷ୍କରିଣୀ ଖନନ, ବନ୍ଧ ନିର୍ମାଣ ପ୍ରଭୃତିଦ୍ୱାରା ରାଜପକ୍ଷରୁ ଶ୍ରମଜୀବୀମାନଙ୍କୁ କାର୍ଯ୍ୟ ଯୋଗାଇ ଦିଆଗଲା । ଅକ୍ଷମମାନଙ୍କ ପାଇଁ ସ୍ଥାନେ ସ୍ଥାନେ ଅନ୍ନଛତ୍ରର ବ୍ୟବସ୍ଥା ହେଲା । ଅଳ୍ପ ବେତନଭୋଗୀ କର୍ମଚାରୀଙ୍କର ବେତନ ବୃଦ୍ଧି କରିଦିଆଗଲା । ଅନ୍ୟ ସ୍ଥାନରୁ ଧାନ ଚାଉଳ କିଣି ଆଣି ଦୁର୍ଭିକ୍ଷ ପୀଡ଼ିତ ସ୍ଥାନମାନଙ୍କରେ ଉଚିତ ମୂଲ୍ୟରେ ବିକିବା ସକାଶେ ମହାଜନମାନଙ୍କୁ ସୁବିଧା ଦିଆଗଲା । ଦେଶର ମହାପ୍ରାଣ ଧାର୍ମିକ ଧନୀ ବ୍ୟକ୍ତିମାନେ ସ୍ଥାନ ବିଶେଷରେ ଅନ୍ନଛତ୍ର ଖୋଲିଦେଲେ । ରାମକୃଷ୍ଣ ସେବାଶ୍ରମର ସ୍ୱେଚ୍ଛାସେବକମାନେ ଆସି ଚାଉଳ ଲୁଗା ପ୍ରଭୃତି ବିତରଣ କଲେ । ଦୁର୍ଭିକ୍ଷ ବିବରଣ ସମ୍ବାଦପତ୍ରମାନଙ୍କରେ ବିଘୋଷିତ ହେଲା । ସମ୍ପାଦକମାନେ ଦୁର୍ଭିକ୍ଷ ନିବାରଣ ସକାଶେ ସମସ୍ତ ଶକ୍ତି ଏବଂ ସମୟ ବ୍ୟୟ କରିବାକୁ ଲାଗିଲେ । ସେମାନଙ୍କ ଚେଷ୍ଟାରେ ଦୂରରୁ ଅନେକ ସାହାଯ୍ୟ ଆସିଲା । କେତେଜଣ ଦେଶପ୍ରାଣ ଯୁବକ ଡ଼ାକ୍ତର ଆସି ଘରେ ଘରେ ବୁଲି ବିନା ପାରିଶ୍ରମିକରେ ରୋଗୀମାନଙ୍କୁ ଚିକିତ୍ସା କରିବାକୁ ଲାଗିଲେ । କର୍ମ ସାଧନର ଉପଯୁକ୍ତ ସମୟ ମଣି ଏହି ସମୟରେ ଲାବଣ୍ୟ ମଧ୍ୟ କିଛି କରିବାକୁ ଇଚ୍ଛାକଲା । ସେ ନିଜ ଉପାର୍ଜ୍ଜନରୁ ଦେଢ ହଜାର ଟଙ୍କା ସଞ୍ଚୟ କରି ରଖିଥିଲା । ସେହି ଟଙ୍କାରେ ତୀର୍ଥାଟନ କରିବାକୁ ତାହାର ମାଉସୀର ପୂର୍ଣ୍ଣ ଇଚ୍ଛାଥିଲା; ମାତ୍ର ଲାବଣ୍ୟ କହିଲା - ମାଉସି, ଦରିଦ୍ରନାରାୟଣଙ୍କ ସେବା ଛାଡ଼ି ଆମେ କେଉଁ ତୀର୍ଥରେ ବୁଲି କଅଣ କରିବା ? ସେହି ଦରିଦ୍ରନାରାୟଣ ସେବା ଆମର କୋଟି ତୀର୍ଥ, ଆଉ କୋଟି ବ୍ରତ, ଆମେ ସେହି କାମ କରିବା । ଏହି ଟଙ୍କାରେ ଯେବେ ଦଶଜଣ ଦୁର୍ଭିକ୍ଷ ଦାଉରୁ ବଞ୍ଚି ପାରନ୍ତି ତେବେ ଏ ଟଙ୍କା ସାର୍ଥକ ହେବ । ଏତେ ଗୁଡ଼ାଏ ଟଙ୍କା ତୀର୍ଥରେ ଉଡ଼ାଇଦେଲେ ଫଳ କଅଣ ? ତୀର୍ଥ କଲେ ପୂଣ୍ୟ ହୁଏ ସତ୍ୟ; କେବେ ମନୁଷ୍ୟର ଜୀବନ ବଞ୍ଚାଇବା ଠାରୁ ତୀର୍ଥପୂଣ୍ୟ ଅଧିକ ନୁହେଁ । ଦରିଦ୍ର ସ୍ୱୟଂ ନାରାୟଣ ତାଙ୍କର ସେବାକଲେ ସବୁତୀର୍ଥର ଫଳ ମିଳେ । ଆଖି ଆଗରେ ଖାଇବାକୁ ନପାଇ ମଣିଷ କରୁଥିବେ, ଆଉ ଆମେ ତାହା ଦେଖୁଁ ଦେଖୁଁ ଟଙ୍କା ବାନ୍ଧି ତୀର୍ଥକୁ ବାହାରିବା । ରକ୍ତ ମାଂସ ଦେହଧରି ଏହା କଣ ସହି ହେବ - ମାଉସି ? ଜୀବ ପ୍ରତି ଦୟା ନ ଥିଲେ ଲକ୍ଷେ ତୀର୍ଥରେ ବୁଲିଲେ କିଛି ଫଳ ନାହିଁ । ମୁଁ ଭାବିଛି ଏହି ଟଙ୍କା ଖର୍ଚ୍ଚକରି ଦୁର୍ଭିକ୍ଷ କାଙ୍ଗାଳିମାନଙ୍କୁ ମୁଠେ ମୁଠେ ଖାଇବାକୁ ଦେବା, ଏକଥା ତୋ ମନକୁ କିମିତି ଲାଗୁଛି - ମାଉସି ? ବୃଦ୍ଧା ଆନନ୍ଦ ଗଦ୍‌ଗଦ୍‌କଣ୍ଠରେ କହିଲା - ବଅସ ମୋର କେତେ କୋଡି ହେଲାଣି କେଜାଣି ମା, ମଶାଣି ପଦାକୁ ତ ଯିବାକୁ ବସିଲିଣି ଯମ ଚୂଟିଧରି ଝିଙ୍କିଲାଣି, ବଅସରେ ସିନା ମୁଁ ବଡ଼ - ଜ୍ଞାନରେ ତୋ ସମକଚ୍ଛ ନୁହେଁ । ତୁ ଯାହା ଭଲ ବୁଝିଛୁ ତାହା କର ମା, ମୁଁ ତୋତେ ବାଧାଦେବି ନାହିଁ । ତୋ କଥା କି ମୁଁ ଅନ୍ୟଥା କରି ପାରେ ? ମୋ ପରି ପାପୀକୁ ମୁକ୍ତି ବାଟ ଦେଖାଇବା ଲାଗି ତୁ ଆସିଛୁ । ମାଉସୀର ସମ୍ମତିରେ ଲାବଣ୍ୟ ପରମ ପୁଲକିତ ହେଲା ଏବଂ ତାହାର ଉତ୍ସାହ ପୂର୍ବାପେକ୍ଷା ଦୁଇଗୁଣ ବଢି ଉଠିଲା ସେ କହିଲା - ତୁ ତ ବୁଢୀଲୋକ ଆଉ କିଛି କରି ପାରିବୁ ନାହିଁ । ମୁଁ ରନ୍ଧାରନ୍ଧି ପରଶାପରଶି ସବୁ କରିବି ତୁ ଖାଲି ବାଢି ମୋ ହାତକୁ ବଢାଇଦେବୁ, ଏତିକ କରି ପାରିବୁ ? ସେ କାଳର ନାରୀମାନେ ସ୍ୱହସ୍ତରେ ପାକଖାଦ୍ୟ ଅନ୍ୟକୁ ଖୁଆଇବାକୁ ପୂଣ୍ୟ ଏବଂ ପୌରୁଷ ମଣୁଥିଲେ-। ବୃଦ୍ଧା ଆନନ୍ଦରେ କହିଲା - ହଁ - ମା ଖୁବ୍‌ପାରିବି । ମାଇପି ଜନ୍ମ ପାଇ ଯେ ସେତିକ କରି ନ ପାରେ ସେ କଣ ମଣିଷରେ ଲେଖା ? ବୁଢୀ ହେଲି-ଦାନ୍ତଗଲା-ଅନ୍ତଗଲା- ସବୁଗଲାଣି ସିନା, ଆଉ ଏ ରସିଆ ଘୂଣ ଲଗା ହାଡ଼ଚାରିଖଣ୍ଡରୁ ସେ ଶକ୍ତିଟିକ ଯାଇନାହିଁ - ମା ଅନ୍ନପୂର୍ଣ୍ଣା ପରି ତୁ ଦରିଦ୍ର-ନାରାୟଣଙ୍କୁ ଅନ୍ନ ପରଶିବୁ, ମୁଁ ତାହା ଦେଖି ଆଖି ପବିତ୍ର କରିବି । ଏଥୁଁ ବଳି ଭାଗ୍ୟ କଅଣ ଅଛି ? ତୋ’ କାମରେ ଟିକିଏ ସାହାଯ୍ୟ କରିପାରିଲେ ମୁଁ ଧନ୍ୟ ହେବି, ମୋର ନାରୀ ଜନ୍ମ ସଫଳ ହେବ । ଧର୍ମ କର୍ମରେ ଡ଼େରି କରନ୍ତି ନାହିଁ, ତୋର ସଂକଳ୍ପ ତୁ ଶୀଘ୍ର ପାଳନ କର ମା ।

 

ଲାବଣ୍ୟ ପୂର୍ବରୁ ସ୍ୱାମୀର ଉତ୍ସାହ ପତ୍ର ଯାଇଥିଲା, ଏବେ ମାଉସୀର ସମ୍ମତି ପାଇଲା । କର୍ମର ଉଦ୍ଦାମ ପ୍ରେରଣା ତାକୁ ଅସ୍ଥିର କରିପକାଇଲା । ସେ ଆଉ ବିଳମ୍ବ ନ କରି ଯଥାଶୀଘ୍ର କାର୍ଯ୍ୟାରମ୍ଭ କରିଦେଲା । ଗଜେନ୍ଦ୍ର ଗୋପନରେ ତାକୁ ପ୍ରତିମାସ ସାହାଯ୍ୟ ପଠାଏ । ସେହି ଅର୍ଥ ଲାବଣ୍ୟର କର୍ମ ଶକ୍ତିର ଆହୁରି ପ୍ରଖର କରିଦେଲା । ସେ ଭାବିଲା, -ଖାଲି ଅକ୍ଷମକୁ ଆହାର ଦେଲେ କାମ ଶେଷ ହେଲାନାହିଁ, ଯାହାଙ୍କର ପରିଶ୍ରମ କରିବାର ଶକ୍ତିଅଛି; ମାତ୍ର ସେହି ଶକ୍ତିକୁ ଖଟାଇବା ଲାଗି କ୍ଷେତ୍ର ପାଉନାହାନ୍ତି, ତାଙ୍କପାଇଁ ବି କିଛି କରିବା ଦରକାର । ଏହା ଭାବି ସେ ଦୁଇଟି ପୋଖରୀ ଖୋଳାଇବା ସକାଶେ ପାଞ୍ଚଶ ଟଙ୍କା ରଖି ଅବଶିଷ୍ଟ ଟଙ୍କାରେ ଅନ୍ନଛତ୍ର ଖୋଲିଲା-। ତେତେବେଳେ ଦିନମଜୁରି ଆଜି କାଲି ପରି ଏତେ ଅଧିକ ନ ଥିଲା, ଜଣକର ଦୈନିକ ମଜୁରି ଦୁଇଅଣା ମାତ୍ର ଥିଲା । ପାଞ୍ଚଶ ଟଙ୍କାରେ ଗୋଟିଏ ଯାଆଁଳା ପୋଖରୀ ଖୋଳା ହୋଇଗଲା-। ଗୋଟିଏ ପାନୀୟଜଳ ସକାଶେ ଏବଂ ଅପରଟି ସ୍ନାନ ଶୌଚାଦି ସକାଶେ ନିର୍ଦ୍ଦିଷ୍ଟ ହେଲା । ଲୋକେ ତାହାର ନାମ ଦେଲେ, ଯାଉଁଳି ଗଙ୍ଗା ଲାବଣ୍ୟର ନାମାନୁସାରେ ପୁଷ୍କରିଣୀର ନାମକରଣ କରିବାକୁ କେହି କେହି କହିଲେ; ମାତ୍ର ସେ ମନାକଲା । ନିଃସ୍ୱାର୍ଥ ଉଦାର ଦାନରେ ନାମ ପ୍ରୟାସ ନ ଥାଏ । ଯେ ବଡ଼ କାମରେ ଅଥଚ ସେହି କାମ ସଙ୍ଗରେ ନିଜର ନାମ ଗୁନ୍ଥି ରଖିବାକୁ ଇଚ୍ଛା କରେ ନାହିଁ, ଜଗତରେ ବଡ଼ର ଆଦର୍ଶ ସେହି ସିନା । କାର୍ଯ୍ୟର ପୁରସ୍କାର ବା ପ୍ରଶଂସା ସେ ଖୋଜେ ନାହିଁ-। ସେ ନିନ୍ଦା ପ୍ରଶଂସା ଦୁଇର ଅତୀତ ।

 

ଲାବଣ୍ୟର ଅନ୍ନଛତ୍ରରେ ଅନେକ ଦୀନ-ଦରିଦ୍ର ଖାଆନ୍ତି । ତାହାର ଶୃଙ୍ଖଳା ଏରୂପ ସୁନ୍ଦର ଯେ, କେହି କେବେ ଅସନ୍ତୁଷ୍ଟ ହୁଏ ନାହିଁ । ପ୍ରୌଢ଼ ଅତିଥିକୁ ସେ କନ୍ୟାପରି ଶ୍ରଦ୍ଧା ଓ ଭକ୍ତି କରେ, ସମବୟସୀଙ୍କୁ ଭାଇ ଭଉଣୀ ପରି ଜ୍ଞାନ କରେ ଏବଂ ପିଲାମାନଙ୍କୁ ମାତୃବତ୍‌ସ୍ନେହ ଯତ୍ନ କରେ । ତାହାର ଶିଷ୍ଟ ସଦୟ ଆଚରଣରେ ସମସ୍ତେ ପରିତୃପ୍ତ । ବୁଢାଠାରୁ ପିଲା ପର୍ଯ୍ୟନ୍ତ ସମସ୍ତେ ତାକୁ ମାତୃସମ୍ବୋଧନ କରନ୍ତି । ସମସ୍ତେ ତାହାର ଆପଣାର, ପର କେହି ନୁହେଁ । ଏହିପରି ସାଧାରଣଙ୍କୁ ଯେ ଆତ୍ମୀୟଜ୍ଞାନ କରିପାରେ ତାହାରି ପ୍ରାଣ ଏକା ମହାପ୍ରାଣ । ଲାବଣ୍ୟ ରାତି ପ୍ରହରେ ଥାଉଁ ଉଠି ଘରର ବାସିପାଇଟି ସାରି ଗାଧୋଇ ଯାଏ । ଗାଧୋଇ ଆସି କୋଥଳି ଫିଟାଇ ନିର୍ମାଲ୍ୟ ସେବାକରେ ଏବଂ ଫୁଲ ଚନ୍ଦନ ଦେଇ ସ୍ୱାମୀର ଚିତ୍ରପଟକୁ ପୂଜାକରେ । ତହିଁ ପରେ ଚୁଲ୍ଲି ଲଗାଇଦେଇ ଭାତୁଆଣି ବସାଇଦିଏ । ପାଣି ଗରମ ହେଉଁ ହେଉଁ ଏହି ଅବସରରେ ବାଡିରୁ ବୋଝେ ଶାଗ କାଟିଆଣେ । ବେଳପ୍ରହରକ ବେଳକୁ ଭାତ ରନ୍ଧା, ଶାଗ ଖରଡା ସବୁ ଶେଷ ହୋଇଯାଏ । କାଙ୍ଗାଳିମାନେ ଆସିଲାକ୍ଷଣି ସେମାନଙ୍କୁ ବସାଇଦେଇ ପତ୍ର ପକାଇଦିଏ । ମାଉସୀ ବଢାବଢି କରି ରଖିଥାଏ । ଲାବଣ୍ୟ ବହିଆଣି ସମସ୍ତଙ୍କୁ ପରିବେଷଣ କରେ । ପରଷିବାବେଳେ ତାହାର କି ଆନନ୍ଦ, ସତେ ଯେପରି କୋଟିନିଧି ପାଇଲା । ଗୈରିକ ବସ୍ତ୍ରପଣତ କଟିରେ ଭିଡ଼ାହୋଇଥାଏ, ମୁକ୍ତ କେଶଗୁଚ୍ଛ ଦୁଇଭାଗରେ ବିଭକ୍ତ ହୋଇ ସ୍କନ୍ଧ ଉପରେ ଆସି ବକ୍ଷର ଦୁଇପାଖରେ ଝୁଲିପଡ଼ିଥାଏ, କରୁଣାର ମୃଦୁ ମଧୁର ହାସ ଅଧରରେ ଲାଗିରହିଥାଏ । ସତେ ଯେପରି ଆନନ୍ଦମୟୀ ଅନ୍ନପୂର୍ଣ୍ଣାମୂର୍ତ୍ତି ଆବିର୍ଭୂତ ହୋଇ ସମଗ୍ର ବିଶ୍ୱର ସମ୍ଭ୍ରମ, ଭକ୍ତି ଆକର୍ଷଣ କରୁଅଛନ୍ତି । କାଙ୍ଗାଳିମାନଙ୍କର ଆନନ୍ଦ କୋଳାହଳରେ ଗ୍ରାମ ମୁଖରିତ ହୋଇଉଠୁଅଛି । କେହି କହୁଛି - ‘‘ମା, ତୋ ଲକ୍ଷ୍ମୀହାତରୁ ପୋଷେ ପେଜ ତୋରାଣି ପାଇଲେ ମୋତେ ଠିକ୍‌ ଅମୃତପରି ଲାଗେ । ମୁଁ ଆଉ କୁଆଡ଼େ ନଯାଇ ତୋହରି ଛତ୍ରକୁ ଆସେଁ ମା, ଏଠି ମୋ ଆତ୍ମା ସନ୍ତୁଷ୍ଟ ହୋଇଯାଏ ।’’ କେହି କହେ,- ‘‘ତୋ’ ପରି ମନ ଜାଣି କିଏ ଦେବ ମା ।’’ କେହି କହେ,- ‘‘ତୋ’ପରି ସ୍ନେହ କିଏ କରିବ ମା ।’’ କେହି କହେ,- ‘‘ତୋ’ ଜାଉ ମନ୍ଦାକ କ୍ଷୀରିପରି ସ୍ୱାଦୁଲାଗେ ।’’ ଅନବରତ ଏହିପରି ଆନନ୍ଦଲୀଳା ଲାଗିଥାଏ । ଲାବଣ୍ୟ ଏକାକୀ ରାନ୍ଧି ସମସ୍ତଙ୍କୁ ପରଷେ ପଛକୁ କେତେଜଣ ପ୍ରତିବେଶିନୀ ସ୍ୱତଃପ୍ରବୃତ୍ତ ହୋଇ ତାହାର ଏ ସାଧୁ କାର୍ଯ୍ୟର ସହାୟତା କଲେ; ସୁତରାଂ ଛତ୍ରର କାର୍ଯ୍ୟ ଆହୁରି ସୁବିଧାରେ ଚଳିଲା ।

Image

 

ନବମ ପରିଚ୍ଛେଦ

 

କଲିକତାର ଅନ୍ୟତମ ପ୍ରସିଦ୍ଧ ଧନୀ ମାରବାଡୀ ଘାସିରାମ ଦୂର୍ଭିକ୍ଷ ଦମନ ସକାଶେ ଦୁଇଲକ୍ଷ ଟଙ୍କା ପଠାଇ ଦେଲେ । ଏ ସମ୍ବାଦ ସର୍ବପ୍ରଥମ ବାଲେଶ୍ୱରର ‘‘ଉତ୍କଳ-ଦର୍ପଣ’’ରେ ପ୍ରକାଶିତ ହେଲା । ଶାଶ୍ୱତ ଦାନର ପବିତ୍ର ଉଜ୍ଜ୍ୱଳ ପ୍ରଭାବରେ ପତ୍ରିକାର ସ୍ତମ୍ଭ ଆଲୋକିତ ହେଲା । ସମ୍ପାଦକ ବଡ଼ ଅକ୍ଷରରେ ‘‘ବିରାଟ ଦାନ’’ ବୋଲି ଶିରୋନାମା ଦେଇ ଏହି ନିଃସ୍ୱାର୍ଥ ଦାନର ସମ୍ବାଦ ପ୍ରକାଶ କରିଅଛନ୍ତି ଏବଂ ଦାତାଙ୍କର ସର୍ବାଙ୍ଗୀନ କୁଶଳ କାମନା କରି ତାଙ୍କୁ ସାଧୁବାଦ ପ୍ରଦାନ କରିଅଛନ୍ତି । ଶେଷରେ ନିଜ ମନ୍ତବ୍ୟରେ କହି ଅଛନ୍ତି - ‘‘ଘାସିରାମଙ୍କ ଭଳି ଧନୀ ଏ ଦେଶରେ ଅନେକ ଅଛନ୍ତି, ଲକ୍ଷପତି ଅଛନ୍ତି, କୋଟିପତିର ପ୍ରାଚୁର୍ଯ୍ୟ ନ ଥିଲେ ମଧ୍ୟ ବିରଳ ନୁହେଁ, ଟଙ୍କା ପୋତିରଖି ବସୁମତୀର ନାମ ସାର୍ଥକ କରିବାକୁ ସେମାନେ ଖୁବ୍‌ ଯତ୍ନଶୀଳ; ମାତ୍ର ଦାନର ନାମ ଶୁଣିଲେ ସେମାନଙ୍କୁ ଚିନ୍ତାଜ୍ୱର ମାଡିବସେ । ହୃଦୟ ନ ଥିଲେ ଏଭଳି ଦାନର ଗୁରୁଭାର କି କାହାର ପ୍ରାଣ ଟେକିପାରିବ ? ଦୁର୍ଭିକ୍ଷ ପୀଡିତ ମୁମୂର୍ଷୂମାନଙ୍କ ପାଇଁ ଜଣେ ବିଦେଶୀର ପ୍ରାଣ କାନ୍ଦିଲା; ମାତ୍ର ନିଜର ଧନୀ ପ୍ରତିବେଶୀମାନେ କଅଣ କରୁଅଛନ୍ତି ? ଖାଦ୍ୟାଭାବରେ ପ୍ରତିବେଶୀକୁ ହାହାକାର କରି ମରିବାର ଦେଖି ସେମାନଙ୍କୁ ଭାତ ରୁଚୁଛି କିପରି ? ଏ ମର୍ମନ୍ତୁଦ ଦୃଶ୍ୟ ସେମାନଙ୍କ ଚକ୍ଷୁ ସହିଛି କିପରି ? ପାଷାଣର ଚକ୍ଷୁଥିଲେ ସେ ମଧ୍ୟ ଫାଟିଯାଇ ରକ୍ତ ବହନ୍ତା । ହେ ଧନି, ଧନର ସଦ୍‌ ବ୍ୟବହାର କର । ଦାନର ଉପଯୁକ୍ତ ପୁଣ୍ୟକାଳ ଉପସ୍ଥିତ, ଏ ସମୟରେ ଦାନ କରି ଧନ୍ୟ ହୁଅ । ଏହିକ୍ଷଣି ଆଖି ବୁଝିଲେ କେହି କାହାରି ନୁହେଁ, ଧନ ତୁମ୍ଭର ନୁହେଁ, କି ତୁମ୍ଭେ ଧନର ନୁହ । ମାଟିର ଧନ ମାଟିରେ ପଡିରହିବ । ସେଥିରୁ କଡ଼ାଏ କାଣୀ କଉଡି ତୁମ୍ଭେ ସଙ୍ଗରେ ନେଇପାରିବ ନାହିଁ । ଭାବୁଛ ପରା - ତୁମ୍ଭେ ନିଜେ ଭୋଗ ନକଲେ ତୁମର ପୁତ୍ର ପରିବାର ଭୋଗ କରିବେ; ମାତ୍ର ପୁତ୍ର ପରିବାର କି ତୁମ୍ଭର ? ବୁଝ ଛକି ଶେଷଦିନ ମହାଯାତ୍ରା ସମୟରେ ସେଥିମଧ୍ୟରୁ କିଏ କିଏ ତୁମ୍ଭ ସଙ୍ଗରେ ଯିବାକୁ ମଙ୍ଗିବେ ? ଦାନ ପାଇଁ ସଞ୍ଚୟ କରାଯାଏ, ବ୍ୟୟ ପାଇଁ ଆୟ କରାଯାଏ, ଏହାହିଁ ପ୍ରାକୃତିକ ବିଧି । ମେଘ ଦାନ ପାଇଁ ଜଳ ସଂଗ୍ରହକରି ରଖେ, ଦାନ ପାଇଁ ଗଛ ଫଳ ଧାରଣ କରେ-। ଏତେଦିନ ଯାଏ ଧନର ଜଗୁଆଳି ହୋଇ ଯେଉଁ ସୁଖାନନ୍ଦ ଭୋଗକଲ, ଏବେ ଦାନକରି ଦେଖ ତାହାଠାରୁ ସହସ୍ରଗୁଣ ସୁଖାନନ୍ଦର ଅଧିକାରୀ ହେବ ! ହୃଦୟ ଖୋଲିଦିଅ, ଧନଭଣ୍ଡାର ଖୋଲିଦିଅ, ମନୁଷ୍ୟପ୍ରାଣ ବହି ମନୁଷ୍ୟପ୍ରାଣର ମୂଲ୍ୟ ବୁଝ, ତୁମ୍ଭ ଧନର ମୂଲ୍ୟ ତାହାଠାରୁ ଅଧିକ ନୁହେଁ । ତୁମ୍ଭର ମୁମୂର୍ଷୂ ଦେଶବାସୀ ଜାତିଭାଇଙ୍କ ମୁହଁରେ ମୁଠେ ଅନ୍ନ ଦେଇ ଅଖଣ୍ଡ ପୁଣ୍ୟ ସହ ବିପୁଳ ଯଶ ଗୌରବରେ ମଣ୍ଡିତ ହୁଅ । ଏହାଠାରୁ ବଳି ମାନବଜୀବନର ଶ୍ରେଷ୍ଠ କାମନା ଆଉ କଅଣ ଅଛି । ହେ ଧନି ଭ୍ରାତୃଗଣ, ତୁମ୍ଭେମାନେ ବିପୁଳ ଧନ ସଙ୍ଗରେ ବିଶାଳ ମନ ଯୋଗକର । ଧନ ମନ ଦୁହେଁ, ନ ମିଶିଲେ କାର୍ଯ୍ୟ ହୁଏ ନାହିଁ । ସେ ଦୁହେଁ ପରସ୍ପର ସାପେକ୍ଷ, ଗୋଟିକ ଅଭାବରେ ଅନ୍ୟଟି ପଙ୍ଗୁତ୍ୱ ବା କ୍ଳୀବତ୍ୱ ପ୍ରାପ୍ତ ହୁଏ । ଅତଏବ ମନ ଖୋଲି ଦାନର ଆଦର୍ଶ ଦେଖାଇଦିଅ । ସେହି ଆଦର୍ଶ ମଧ୍ୟରେ ତୁମ୍ଭର ମନୁଷ୍ୟତ୍ୱ ଫୁଟିଉଠୁ । ସତ୍ୱର ହୁଅ - ସତ୍ୱର ହୁଅ । ’’ ସମ୍ପାଦକଙ୍କର ଏହି ମନ୍ତବ୍ୟ ଦୁଇଜଣ ଓଡିଆ ରାଜାଙ୍କ ପ୍ରାଣରେ ବିଶେଷ କାର୍ଯ୍ୟ କରିଥିଲା ।

 

ଉକ୍ତ ଦୁଇଜଣ ରାଜାଙ୍କ ମଧ୍ୟରେ ଖୁବ୍‌ ସଦ୍‌ଭାବ ଥିଲା । ଦୁହେଁ ଦୁହିଁଙ୍କ ଗୁଣରେ ମୃଗ୍‌ଧ ହୋଇ ସଙ୍ଗାତ ବସିଥିଲେ । ଦୁହେଁ ଏକମନ, ଏକପ୍ରାଣ, ଜଣକର ହୃଦୟ ଅନ୍ୟର ଦର୍ପଣଫଳକ ସ୍ୱରୂପ ହୋଇଥିଲା । ଉଭୟ ରାଜା ବିଶାଳ ଭୂଖଣ୍ଡର ଅଧୀଶ୍ୱର । ସମୟ ସମୟରେ ବନ୍ଧୁ ସଙ୍ଖୋଳିବା ପାଇଁ ପରସ୍ପର ପରସ୍ପରର ରାଜଧାନୀକୁ ଯାତାୟାତ କରନ୍ତି । ସେମାନଙ୍କ ବିନାନୁମତିରେ ସେମାନଙ୍କର ନାମ ଧାମ ପ୍ରକାଶ କରିବା ଆଇନ ବିରୁଦ୍ଧ । ବିଶେଷତଃ ସେମାନେ ମଧ୍ୟ ନାମ ପ୍ରୟାସୀ ନୁହଁନ୍ତି । ବର୍ତ୍ତମାନ ଦୁହେଁଯାକ ସ୍ୱର୍ଗରେ ଅଛନ୍ତି । ସେମାନଙ୍କ ଅନୁମତି ନେବାକୁ ହେଲେ ଲେଖକକୁ ତାଙ୍କ ନିକଟକୁ ଯିବାକୁ ପଡ଼ିବ । ସେଥିଲାଗି କିଛି ଭୟ ଭାବନା ନ ଥିଲା; ମାତ୍ର ଉପନ୍ୟାସଖଣ୍ଡି ଅପୂର୍ଣ୍ଣ ରହିଯିବ, ଏହାହିଁ ଚିନ୍ତାର ବିଷୟ । ଯାହାହେଉ ଦୁଇଟି କାଳ୍ପନିକ ନାମ ଦେଇ କାମ ଚଳାଇନେଲେ କାହାରି କିଛି କ୍ଷତି ବା ଅସୁବିଧା ହେବ ନାହିଁ । ତାହା ଛଡ଼ା ଗତ୍ୟନ୍ତର ନାହିଁ । ଦୁହିଁଙ୍କ ରାଜ୍ୟ ପୂର୍ବପଶ୍ଚିମରେ ବିସ୍ତୃତ ଏବଂ ପରସ୍ପର ଲଗାଲଗି; ସୁତରାଂ ଜଣକୁ ପୂର୍ବଖଣ୍ଡ ରାଜା ଏବଂ ଅନ୍ୟ ଜଣକୁ ପଶ୍ଚିମଖଣ୍ଡ ରାଜା ବୋଲି କହିଲେ ଅସଙ୍ଗତ ହେବ ନାହିଁ ।

 

ଦିନେ ଦୁଇବନ୍ଧୁ ମିଶି ପଶା ଖେଳୁଥିଲେ । ଏହି ସମୟରେ ଘାଟ ପାଇକ ଦୁଇବିଡ଼ା ଚିଠି ଆଣି ଦୁହିଁଙ୍କ ପାଖରେ ରଖିଦେଇଗଲା । ସେ ଦିନ ଡାକରେ ସେହି ଚିଠିପତ୍ରଗୁଡିକ ଆସିଥିଲା । ଖେଳ ଛାଡ଼ି ଦୁହେଁଯାକ ନିଜ ନିଜର ପତ୍ରାଦି ପଢିବାକୁ ଲାଗିଲେ । ପୂର୍ବଖଣ୍ଡ ରାଜାଙ୍କର ଖଣ୍ଡେ ‘‘ଉତ୍କଳ-ଦର୍ପଣ’’ ଆସିଥିଲା । ସେଥିରେ ଉପରୋକ୍ତ ଘାସିରାମର ଦାନସମ୍ବାଦ ବାହାରିଥିଲା । ରାଜା ସେହି ସମ୍ବାଦ ପଢିଲେ, ପଢିସାରି କିଛିକ୍ଷଣ ସ୍ଥିର ନେତ୍ରରେ ଆକାଶକୁ ଚାହିଁ ରହିଲେ । କଅଣ କେଜାଣି ଭାବି ସମ୍ବାଦଟି ପୁଣି ପଢିଲେ, ପୁଣି ଭାବି ବସିଲେ । ଏହିପରି ବାରମ୍ବାର ପଢିଲେ, ତାଙ୍କ ମୁଖକାନ୍ତି କ୍ରମେ ମଳିନ ହୋଇଆସିଲା । ଦୁର୍ଭିକ୍ଷଗ୍ରସ୍ତ ଲୋକଙ୍କ ଦୁଃଖର ତୀବ୍ର ଉତ୍ତାପରେ ତାଙ୍କର ରାଜହୃଦୟ ଦ୍ରବୀଭୂତ ହୋଇଗଲା । ସେହି ତରଳପଦାର୍ଥ ଅଶ୍ରୁ ହୋଇ ତାଙ୍କ ଅଜ୍ଞାତରେ ନେତ୍ର ପଥରେ ଗଡ଼ିପଡିଲା । ସମ୍ପାଦକ ଧନୀମାନଙ୍କୁ ଟିକିଏ ମଧୁର ଆକ୍ରମଣ କରିଥିଲେ; ତାଙ୍କର ସେହି ମର୍ମଚିମୁଟା କଥା ରାଜାଙ୍କ ଆତ୍ମାକୁ ବଡ଼ ବାଧିଲା । ସେ ଗୋଟାଏ ଦୀର୍ଘ ନିଃଶ୍ୱାସ ଛାଡ଼ି ବନ୍ଧୁ ରାଜାଙ୍କୁ କହିଲେ - ‘‘ଶୁଣିଲଣି ଗୋଟାଏ ଖବର ।’’ ଅନନ୍ତର ସମ୍ବାଦଟି ପଢି ବନ୍ଧୁଙ୍କୁ ଶୁଣାଇଲେ । ପଢିସାରି କହିଲେ, ସମ୍ପାଦକ ଲେଖିଛନ୍ତି, - ‘‘ହୃଦୟ ନ ଥିଲେ ଏଭଳି ଦାନର ଗୁରୁଭାର କି କାହାର ପ୍ରାଣ ଟେକି ପାରିବ ?’’ ଏହା ବଡ଼ କଠୋର, କର୍କଶ ଓ ସତ୍ୟ । ଏହି କଥା ଭିତରେ ସମସ୍ତ ଜାତିରେ ନିନ୍ଦା ଏବଂ ଦେଶର କଳଙ୍କ ମୁରୁକି ମୁରୁକି ହସା ଦେଉଛି । ଉଃ, ଏଡ଼େ ବଡ଼ ଦେଶର ହୃଦୟ ନାହିଁ, ଏ କଥାର କଟୁତା ସହ୍ୟ ହେବାର ନୁହେଁ । ଆମ ରାଜ୍ୟରେ ଦୁର୍ଭିକ୍ଷ ନ ଥିଲେ ଓଡ଼ିଆର ହୃଦୟ ଅଛି କି ନାହିଁ, ତାହା ଦେଖାଇବାର ସୁବିଧା ହୁଅନ୍ତା; ତଥାପି କଅଣ ଆମ୍ଭେମାନେ କିଛି କରିପାରିବା ନାହିଁ ? ଯାହାର ଦାନ ଆଦର୍ଶ, ତ୍ୟାଗ ଅତୁଜ, ଶୌର୍ଯ୍ୟ ଅମାପ, ସେ ଜାତିର ହୃଦୟ ନାହିଁ - ଏ ଅପଖ୍ୟାତି ଶୁଣିବାଲାଗି କଅଣ ବିଧାତା ଆମ୍ଭମାନଙ୍କୁ କାନ ଦେଇଥିଲା ?’’

 

ପଶ୍ଚିମଖଣ୍ଡ ରାଜା - ଆମେ କଅଣ କରିପାରିବା ଭାଇ ? ଆମକୁ ଆଗେ ନିଜର ପ୍ରଜାରକ୍ଷା କରିବାକୁ ହେବ । ସେଥିଉତ୍ତାରୁ ଯାହା ବଳିବ ତାହା ଦେଶବ୍ୟାପୀ ଦୁର୍ଭିକ୍ଷ ତୁଳନାରେ ସମୁଦ୍ରକୁ ଶଙ୍ଖେ ପାଣି, ସେଥିରେ କଅଣ ହେବ ?

 

ପୂର୍ବଖଣ୍ଡ ରାଜା - ହେଲେ ବା ଶଙ୍ଖେପାଣି, ଗୁଣ୍ଡୁଚି ମୂଷାର ଦେହର ଝଡ଼ା ଧୂଳିକଣାରେ କଅଣ ସେତୁବନ୍ଧର କିଛି ଉପକାର ହୋଇ ନାହିଁ ? ଆଉ କିଛି ନ ହେଉ ପଛେ, ବନ୍ଧର ଫାଙ୍କ ମରିଗଲା, ସେଥିରେ ବନ୍ଧ ଦୃଢତର ହେଲା, ଏତକ ତ ଅଳ୍ପ ମଙ୍ଗଳର କଥା ନୁହେଁ । ରାଜକୋଷରୁ ଅଧିକ ଅର୍ଥ ସାହାଯ୍ୟ କରିହେବ ନାହିଁ ସତ, ସେଥିଲାଗି ଅନ୍ୟ ଉପାୟ ଭାବିବାକୁ ହେବ । ମୁଁ ଭାବୁଛି - ଆମ ଲକ୍ଷ୍ମୀଭଣ୍ଡାରର ଟଙ୍କାଗୁଡ଼ିକ ଦୁର୍ଭିକ୍ଷ ପାଣ୍ଠିକୁ ଦେବି । ଆମ ନଅରରେ ପ୍ରତିବର୍ଷ ଧାନସେର ପୂଜାରେ ପାଞ୍ଚଶରୁ ଅଧିକ ଟଙ୍କା ଭେଟି ଦିଆଯାଏ । କେଉଁ ପୁରୁଷରୁ ସେ ଟଙ୍କାସବୁ ଲକ୍ଷ୍ମୀଭଣ୍ଡାର ନାମ ଧରି ଜମାଅଛି । ଆମର ପୂର୍ବପୁରୁଷ ଜଣେ ରାଜା ଏତେଗୁଡ଼ାଏ ଟଙ୍କା ବନ୍ଧ୍ୟାହୋଇ ପଡ଼ି ରହିଥିବାର ଦେଖି ତାକୁ କିଛି ବ୍ୟବସାୟରେ ଖଟାଇବାକୁ ଇଚ୍ଛା କଲେ । ଦରକାର ବେଳେ ପ୍ରଜାମାନେ ଖୁବ୍‌ଅଳ୍ପ ସୁଧରେ ସେହି ଟଙ୍କା ଋଣ ନିଅନ୍ତି । ଏହି ଉପାୟରେ ଟଙ୍କାଗୁଡ଼ିକର ବନ୍ଧ୍ୟାତ୍ୱ ଦୂର ହେଲା, ସେ ଗୁଡ଼ିକ ଯଥାରୀତି ଗର୍ଭଧାରଣ କରି ପ୍ରସବରେ ନିଯୁକ୍ତ ହେଲେ । ସେମାନଙ୍କର ବଂଶ ବୃଦ୍ଧି ହୋଇ ବର୍ତ୍ତମାନ ଦଶଲକ୍ଷ ହୋଇଅଛି । ନିୟମ ଅଛି, ତାହାତ ଆମର କୌଣସି କାର୍ଯ୍ୟରେ ଲାଗିବ ନାହିଁ । ତେଣୁ ମୁଁ ଭାବୁଛି - ସେହି ମୁଦ୍ରାଗୋଷ୍ଠୀକୁ ସୈନ୍ୟଦଳ ରୂପେ ଦୁର୍ଭିକ୍ଷ-ସମରକୁ ପଠାଇ ଦେବି । ଏ ପ୍ରସ୍ତାବ ତୁମ ମନକୁ କିପରି ଲାଗୁଛି ?

 

ପଶ୍ଚିମଖଣ୍ଡ ରାଜା - ଏ ଖୁବ୍‌ସାଧୁ ପ୍ରସ୍ତାବ ଭାଇ, ଖୁବ୍‌ ପୁଣ୍ୟ ପ୍ରସ୍ତାବ । ତାହାହେଲେ ତୁମ ମୁଦ୍ରାଗୋଷ୍ଠୀର ସଦ୍‌ଗତି ହେବ - ସେ ଟଙ୍କାଜନ୍ମରୁ ତରିଯିବ ।

 

ପୂର୍ବଖଣ୍ଡ ରାଜା - ନା ଭାଇ, ତରିପାରିବ ନାହିଁ । ମଲେ ସିନା ସମ୍ମୁଖ ସମରରେ ପ୍ରାଣତ୍ୟାଗଜନିତ ଅଖଣ୍ଡ ଧର୍ମବଳରେ ବୀରବାଞ୍ଛିତ ବୀର ସ୍ୱର୍ଗକୁ ଉଠିଯାଇ ତରି ଯାଆନ୍ତା; ମାତ୍ର ସେ ଯେ ଚିର ଅମର, ଆଉ ହନୁମାନ ପରି ମୃତ୍ୟୁଞ୍ଜୟ । ସର୍ବଦା ଡ଼େଇଁ ଡେଇଁ ବୁଲିବା ତାହାର ଧର୍ମ ।

 

ପଶ୍ଚିମଖଣ୍ଡ ରାଜା - ସେ ଯାହାହେଉ ଭଗବାନ ତୁମ୍ଭଙ୍କୁ ଗୋଟାଏ ସୁପଥ ଦେଖାଇଦେଲେ । ମୁଁ ସେହିପରି ଗୋଟାଏ କିଛି ବାଟ ପାଇଲେ ତୁମ୍ଭରି ପଛେ ପଛେ ଚାଲନ୍ତି । ବାସ୍ତବରେ ବୁଭୁକ୍ଷୁ ତୁଣ୍ଡରେ ମୁଠାଏ ଅନ୍ନ ଦେଇ ନ ପାରିଲେ ଆମ୍ଭର ଏ ରାଜୋପାଧି ଘେନି ଫଳ କଅଣ ? ବିଧବାର ଅଳଙ୍କାର ଧାରଣପରି ତାହା ଶରୀରର ଭାର ସିନା । ହାତୀଟା ଦେଖିବାକୁ ଖୁବ୍‌ପ୍ରକାଣ୍ଡ; ମାତ୍ର ତାହାର ପାହୁଲ ଚାପାରେ ପିମ୍ପୁଡ଼ି ମରେ ନାହିଁ । କ୍ଷୁଧାତୁରର ଆର୍ତ୍ତନାଦରେ ଗଗନ ପବନ ଅନୁରଣିତ ହେଉଅଛି । ଆଉ ଆମ୍ଭେମାନେ ରାଜ୍ୟଧର ରାଜା ହୋଇ ପଶାଖେଳମଉଜରେ ମାତିଅଛୁ, ଛି ଛି, କି ହୃଦୟହୀନ ଆମ୍ଭେମାନେ ।

 

ପଶ୍ଚିମଖଣ୍ଡ ରାଜା ଏହା କହି ପଶାପାଲି ଧରି ଚିରି ପକାଇଲେ ଏବଂ ସାର, କାଠି ସବୁ ଫୋପାଡି ଦେଇ ନୀରବରେ କିଛିକ୍ଷଣ ବସି କଅଣ ଭାବିଲେ । ଅନନ୍ତର ଉତ୍ସାହବ୍ୟଞ୍ଜକ ସ୍ୱରରେ କହିଲେ - ‘‘ହଁ ମୁଁ ବି ଗୋଟାଏ ଉପାୟ ପାଇଛି । ଆମ ଗନ୍ତାଘରେ ପୂର୍ବବର୍ତ୍ତୀ ରାଜାମାନଙ୍କର ବ୍ୟବହାର୍ଯ୍ୟ ବହୁମୂଲ୍ୟ ପଦାର୍ଥ ଅନେକ ସାଇତାହୋଇ ରହିଛି । ମୃତବ୍ୟକ୍ତିର ପଦାର୍ଥ ଅବ୍ୟବହାର୍ଯ୍ୟ ବୋଲି ତାହା ସବୁ ତୁଚ୍ଛା ପଡ଼ିରହିଛି । ହାତୀଦାନ୍ତର ଗୋଟିଏ ପାଲିଙ୍କି ଅଛି । ଜଣେ ରାଜା ଯୁଦ୍ଧରେ ଆହତ ହୋଇ ସେହି ପାଲିଙ୍କିରେ ବସି ଆସୁଁ ଆସୁଁ ବାଟରେ ପ୍ରାଣତ୍ୟାଗ କଲେ । ସେହି ହେତୁ ତାହା ଅବ୍ୟବହାର୍ଯ୍ୟ ହୋଇ ପଡ଼ିଅଛି । ସେଥିରେ ଯେତେ ସୁନା ରୂପା ମଣି ମୁକ୍ତା ଲାଗିଛି, କେବଳ ତାହାରି ମୂଲ୍ୟ କୋଡ଼ିଏ ହଜାରରୁ ଅଧିକ ହେବ । ପାଟ, ପୀତାମ୍ବର, ରତ୍ନଜଡ଼ିତ ରାଜପରିଚ୍ଛଦ, ରାଜମୁକୁଟ, ରତ୍ନାଳଙ୍କାର, ସୁନା ରୂପାର ବାସନ ପ୍ରଭୃତି ଯେତେ ଅଛି, ଆଧୁନିକ ପାଞ୍ଚଟା ରାଜଭଣ୍ଡାରରେ ତେତେ ନ ଥିବ । ସେଥି ମଧ୍ୟରୁ ଉଇ, ମୂଷାଙ୍କ ଉପଦ୍ରବରେ କେତେ ନଷ୍ଟ ହୋଇ ଗଲାଣି, ଆମର ବିଶ୍ୱାସୀ ଚାକରମାନେ ଦୟା କରି କେତେ ଛିଡ଼େଇ ଛାଡ଼େଇ ନେଇଗଲେଣି; ତଥାପି ଯାହାଅଛି, ସେଥିର ମୂଲ୍ୟ ପନ୍ଦରଲକ୍ଷରୁ ଊଣା ହେବନାହି । ସେ ସମସ୍ତ ବିକ୍ରୟ କଲେ ମୋର ଗନ୍ତାଘରଟି ଖୋଲାସା ହୋଇଯାଆନ୍ତା ଏବଂ ସେହି ପଦାର୍ଥଗୁଡ଼ିକ ବି ବନ୍ଦିଦଶାରୁ ମୁକ୍ତ ହୋଇଯାଆନ୍ତେ । ବିକ୍ରୟ ଲବ୍‌ଧ ଅର୍ଥ ଦୂର୍ଭିକ୍ଷ ପାଣ୍ଠିରେ ଦେଲେ ତୁମ୍ଭ ଲକ୍ଷ୍ମୀଭଣ୍ଡାର ଟଙ୍କାପରି ତାହାର ମଧ୍ୟ ସଦ୍‌ଗତି ହୁଅନ୍ତା ।

 

ପୂର୍ବଖଣ୍ଡ ରାଜା - ତଥାସ୍ତୁ, ‘‘ଶୁଭସ୍ୟ ଶୀଘ୍ରମ୍‌’’ - ଆଉ ବିଳମ୍ବ କରିବା ଉଚିତ ନୁହେ । ଦୁର୍ଭିକ୍ଷ ପାଣ୍ଠିରେ ଟଙ୍କା ଦେବା କିନ୍ତୁ ନାମ ପ୍ରକାଶ କରିବା ନାହିଁ । ସେଥିରେ ଦାନର ଗୌରବ ଲଘୁ ହୁଏ ।

 

ପଶ୍ଚିମଖଣ୍ଡ ରାଜା - ଠିକ୍‌କଥା, ତୁମ୍ଭ ପ୍ରସ୍ତାବରେ ମୁଁ ସମ୍ମତ । ଦରିଦ୍ରକୁ ମୁଠାଏ ଖାଇବାକୁ ଦେଇ ମୁଁ ଦେଲି ବୋଲି ଚିହ୍ନାଇ ହେବାକୁ ମୁଁ ମଧ୍ୟ ଇତର ପ୍ରକୃତି ମନେକରେ ।

 

କିଛି ଦିନ ପରେ ସର୍କାରୀ ଗେଜଟ୍‌ରେ ଘୋଷିତ ହେଲା, - ଦୁଇଜଣ ଓଡ଼ିଆ ରାଜା ଦୁର୍ଭିକ୍ଷପାଣ୍ଠିରେ ପଚିଶ ଲକ୍ଷ ଟଙ୍କା ଦାନ କରିଅଛନ୍ତି । ଏହି ଘୋଷଣା ଦେଶ ମଧ୍ୟରେ ଗୋଟାଏ ଆନନ୍ଦର ଚହଳ ଖେଳାଇ ଦେଲା । ଗୁପ୍ତ ଦାତାଦ୍ୱୟଙ୍କ ନାମରେ ଧନ୍ୟ ଧନ୍ୟ ଶବ୍ଦ ଉଠିଲା । ଚାରିଆଡ଼ୁ ସେମାନଙ୍କ ମସ୍ତକରେ ଆଶୀର୍ବାଦ ବର୍ଷିତ ହେଲା । ଏହି ବିରାଟ ଦାନର ଦୃଷ୍ଟାନ୍ତ ଦେଖାଇ ପତ୍ର ସମ୍ପାଦକମାନେ ଅନ୍ୟାନ୍ୟ ବିଭବଶାଳୀମାନଙ୍କୁ ଦାନକ୍ଷେତ୍ରକୁ ଆହ୍ୱାନ କଲେ । ଉତ୍କଳର ରାଜସମାଜରୁ ଲକ୍ଷ ଲକ୍ଷ ଟଙ୍କା ଆସିଲା । ସାଧାରଣ ଅବସ୍ଥାପନ୍ନ ଲୋକେ ମଧ୍ୟ ଯଥାସାଧ୍ୟ ଦାନ କଲେ । ଅଳ୍ପ ସମୟ ମଧ୍ୟରେ ଦୁର୍ଭିକ୍ଷପାଣ୍ଠିରେ ଅର୍ଦ୍ଧକୋଟି ଟଙ୍କା ସଞ୍ଚିତ ହେଲା । ଏହି ଟଙ୍କା କିପରିଭାବରେ ଖର୍ଚ୍ଚକଲେ ଦୁର୍ଭିକ୍ଷଗ୍ରସ୍ତ ଲୋକଙ୍କର ପ୍ରକୃତ ଉପକାର ହେବ, ତାହା ସ୍ଥିର କରିବା ସକାଶେ ଗୋଟିଏ କମେଟି ଗଠିତ ହେଲା । ସେଥିରେ ସର୍କାରୀ ଏବଂ ଦେଶୀୟ ଉଭୟ ସଭ୍ୟ ରହିଲେ । ସେମାନେ ସର୍ବତ୍ର ବୁଲି ଆବଶ୍ୟକ ଦୃଷ୍ଟିରେ ବ୍ୟବସ୍ଥା କଲେ । କେତେଟା କେନାଲ ଏବଂ ପୁଷ୍କରିଣୀ ଖୋଳା ଆରମ୍ଭ ହେଲା । କେତେ ଜଳାୟର ପଙ୍କୋଦ୍ଧାର ହେଲା । କେତେ ସେତୁ, କେତେ ପୋଲ ନିର୍ମିତ ହେଲା । କେତେ ଭଗ୍ନ ଦେଉଳର ସଂସ୍କାର ହୋଇ ପ୍ରାଚୀନ କୀର୍ତ୍ତି ସଂରକ୍ଷଣ କରାଗଲା, ଅଧିକନ୍ତୁ ସ୍ଥଳବିଶେଷରେ କେତେ ଅନ୍ନଛତ୍ର ଖୋଲା ଗଲା । ଲୋକେ କାର୍ଯ୍ୟ ପାଇ ପଣେ ଉପାର୍ଜ୍ଜନ କଲେ । ଦୁଃଖବେଳେ ଦୁଃଖପଛରେ ଦୁଃଖ ଆସିଲାପରି ସୁଖବେଳେ ସୁଖପଛରେ ସୁଖ ଆସେ; ଏହା ପ୍ରାକୃତିକ ନିୟମ । ସେହି ସମୟରେ ଦୁଇଜଣ ରେଙ୍ଗୁନ୍‌ବାସୀ ମୃଗମହାଜନ ତିରିଶ ଜାହାଜ ଚାଉଳ ବିକ୍ରୀ କରିବାକୁ ଆଣିଲେ । ବିକ୍ରୟରେ ପ୍ରତିଯୋଗିତା ଲାଗିଲା । ସେହି ପ୍ରତିଯୋଗିତା ତଡ଼ାତଡ଼ିରେ ପରିଣତ ହେଲା । ତେତେବେଳେ ଚାଉଳ ଭାଉ ଟଙ୍କାକୁ ପାଞ୍ଚସେର ହୋଇଥିଲା । ଜଣେ ମହାଜନ ସାତସେର ଦରରେ ବିକିବା ପାଇଁ ଡ଼େଙ୍ଗୁରା ଦେଲା । ଅନ୍ୟ ଜଣକ ଦଶସେର ଦେବାକୁ କହିଲା । ଏହିରୂପେ ଭାଉ କୋଡିଏ ସେର ଯାଏଁ ଉଠିଲା । ଦୁଇଜଣଙ୍କର କଳି ହେଲେ ତୃତୀୟର ଲାଭ ହୁଏ । ଲୋକେ କାମକରି ପଇସା ପାଇଲେ ଏବଂ ଶସ୍ତାରେ ଚାଉଳ କିଣିଲେ । ଦୁର୍ଭିକ୍ଷର ପ୍ରକୋପ କ୍ରମେ କ୍ରମେ ଊଣା ହୋଇ ଆସିଲା । ସୁଯୋଗ ଉପରେ ଆହୁରି ସୁଯୋଗ ଆସିଲା । ପରବର୍ତ୍ତୀ ବର୍ଷ ଦେବତା ସୁବୁଷ୍ଟି - ସୁପାଳକ କଲେ । ଧାନବିଲରେ ସୁନାଶିଆଳ ଶୋଇଲା । ପୌଷ ମାଘ ବେଳକୁ ସମସ୍ତ ଅନ୍ନଛତ୍ର ବନ୍ଦ ହୋଇଗଲା - ଆଉ ଛତ୍ରର ପ୍ରୟୋଜନ ହେଲା ନାହିଁ । ଦେଶରେ ଶାନ୍ତି, ସୁଭିକ୍ଷ ବିରାଜମାନ କଲା । ଲୋକଙ୍କର ଅଶ୍ରୁ-ମଳିନମୁଖରେ ଆନନ୍ଦର ଉଜ୍ଜ୍ୱଳ ହାସ୍ୟ ଫୁଟି ଉଠିଲା । ଦରିଦ୍ର କାଙ୍ଗାଳିଙ୍କ କଣ୍ଠରୁ ଦେହି ଦେହି ରବ ପରିବର୍ତ୍ତରେ ତୃପ୍ତିର ସଙ୍ଗୀତ ଉତ୍‌ଥିତ ହେଲା । ଗୋଟାଏ ଯୁଗ ପରିବର୍ତ୍ତନ ଘଟିଗଲା । କଥାରେ କହନ୍ତି, - ‘‘ପୁଷମାସରେ କୁଆ ବସାରେ ଖୁଦ ମିଳେ ।’’ ଦୁର୍ଭିକ୍ଷ ପାହିଯିବାରୁ କାଙ୍ଗାଳିମାନେ ଆଉ ଛତ୍ରକୁ ନ ଆସି ଗତର ଖଟାଇ ଉପାର୍ଜନ କଲେ । ଯାଚକ ଅଭାବରୁ ଅନ୍ୟାନ୍ୟ ଛତ୍ର ସଙ୍ଗେ ଲାବଣ୍ୟର ଛତ୍ରଟି ବନ୍ଦ ହୋଇଗଲା ।

Image

 

ଦଶମ ପରିଚ୍ଛେଦ

 

ଅର୍ଥଦ୍ୱାରା ଧର୍ମ କିଣିହୁଏ ନାହିଁ ସତ୍ୟ; ମାତ୍ର ସାନ ବଡ଼ ପ୍ରତ୍ୟେକ ଧର୍ମାନୁଷ୍ଠାନ ଅର୍ଥ ସାପେକ୍ଷ, ଏହା ଅସତ୍ୟ ନୁହେ । ହାତରେ ପଇସା ହେଲେ ଧର୍ମପ୍ରାଣ ହିନ୍ଦୁର ମନ ଧର୍ମ କର୍ମ ଆଡ଼କୁ ଆକୃଷ୍ଟ ହୁଏ । ଧର୍ମାର୍ଜ୍ଜନ ତାହାର ଅର୍ଥସଞ୍ଚୟର ମୁଖ୍ୟ ଉଦ୍ଦେଶ୍ୟ । ସେ ବର୍ଷ ଆଶାତୀତ କୃଷି ହେବାରୁ ଲୋକେ ପଣେ, ଗଣ୍ଡେ ସଞ୍ଚୟ କରିପାରିଥିଲେ । ଦୈବେ ସେ ବର୍ଷ ବୈତରଣୀ ଏବଂ ମହୋଦଧିରେ ସ୍ନାନଯୋଗ ପଡ଼ିଲା । ସାଧାରଣ ଯୋଗ ନୁହେ - ମହା ମହା ଯୋଗ । ଧର୍ମସର୍ବସ୍ୱ ହିନ୍ଦୁର ପ୍ରାଣ, ଧର୍ମସାଧନ ସକାଶେ ପୁଲକରେ ନାଚି ଉଠିଲା । ସ୍ତ୍ରୀ ପୁରୁଷ ଦଳ ହୋଇ ଚୂଡ଼ା ଚାଉଳ ବାନ୍ଧି କେହି ଯାଜପୁର କେହି ବା ପୁରୀ ଯାତ୍ରା କଲେ । ଯେଉଁ ସ୍ତ୍ରୀ ଲୋକମାନେ ପିଲାପିଲିଙ୍କ ଯାଁ ବାଳ; କିମ୍ବା ପୁଅ ବୋହୂଙ୍କ ବିବାହ ଲୋଳମୁକୁଟ ବହୁଦିନରୁ ବହୁ ଯତ୍ନରେ ସାଇତି ରଖିଥିଲେ, ସେମାନେ ସଙ୍ଗରେ ତାହା ନେବାକୁ ଭୁଲିଲେ ନାହିଁ । ସେମାନଙ୍କର ବିଶ୍ୱାସ, ସମୁଦ୍ରକୁ ସେଗୁଡ଼ିକ ଉପହାର ଦେଲେ ପିଲାପିଲିଙ୍କର ଆଉ ପୁଅ ବୋହୂଙ୍କର ମଙ୍ଗଳ ହେବ । ଜରାପଳିତ କେଶ ବୃଦ୍ଧଗଣ ପୂର୍ବ ସୁରକ୍ଷିତ ପତିତ ଦନ୍ତଗୁଡ଼ିକ ଆଗେ କାନିରେ ବାନ୍ଧି ପଛେ ଘରୁ ବାହାରିଲେ । ସେଗୁଡ଼ିକ ସମୁଦ୍ରଗର୍ଭରେ ନିକ୍ଷିପ୍ତ ହେଲେ ଦନ୍ତର ଅଧିକାରୀ ସଦ୍‌ଗତି ଲାଭ କରିବ । ମୃତ୍ୟୁ ପରେ ଗଙ୍ଗାସ୍ଥି ହୁଏ; ମାତ୍ର ସେମାନେ ଜୀଇ ଥାଉଁ ଥାଉଁ ନିଜ ହସ୍ତରେ ନିଜର ଗଙ୍ଗାସ୍ଥି କରି ଯିବାକୁ ଆଗ୍ରହିତ । ଏହା ସେମାନଙ୍କର ଅତିଚତୁର ପଣର ଚୂଡ଼ାନ୍ତ ପରିଚାୟକ । ଏକ ଯାତ୍ରାରେ ତୀର୍ଥ ସ୍ନାନ ଏବଂ ଗଙ୍ଗାସ୍ଥି ଉଭୟ ପୂଣ୍ୟ ଲାଭକରିବା ଅଳ୍ପ ବୁଦ୍ଧିମାନର କାର୍ଯ୍ୟ ନୁହେ । ତୀର୍ଥରେ ଦାନ୍ତ ପକାଇଲେ ଯେବେ ମୁକ୍ତି ମିଳେ ଏବଂ ଦନ୍ତ ସ୍ୱାମୀ ଚତୁର୍ଭୁଜ ହୋଇ ସ୍ୱର୍ଗକୁ ଉଠିଯାଏ, ତେବେ ମୁକ୍ତିର ଏଡ଼େ ସହଜ ଉପାୟ ଥାଉ ଥାଉ ପଣ୍ଡିତମାନେ ଶାସ୍ତ୍ର ଘାଣ୍ଟି ବୃଥା ହରବର ହୁଅନ୍ତି କାହିଁକି ? ଏରୂପ ସୁନ୍ଦର ମୁକ୍ତିତତ୍ତ୍ୱ ଯେ ଆବିଷ୍କାର କରିପାରେ, ସେହି ଏକା ପଣ୍ଡିତ ଏବଂ ମୁକ୍ତି ରାଜ୍ୟର ସାର୍‌ଆଇଜାକ୍‌ନିଉଟନ ।

 

ତୀର୍ଥସ୍ନାନ କାମନାରେ ପ୍ରତିଗ୍ରାମରୁ ଲୋକେ ବାହାରିଲେ । କେହି ବୈତରଣୀ ସ୍ନାନ ସକାଶେ, କେହି ବା ମହୋଦଧି ସ୍ନାନସକାଶେ ଗଲା । ପଥରେ ଅନବରତ ଜନସ୍ରୋତ ପ୍ରବାହିତ ହେଲା । ଗୁଆମାଳରୁ ଅନେକ ଲୋକ ପୁରୀ ଗଲେ । ଲାବଣ୍ୟ ସେମାନଙ୍କ ସଙ୍ଗରେ ଗଲା, ତାହାର ମାଉସୀ ପୀଡ଼ିତ ଥିବାରୁ ଯାଇପାରିଲା ନାହିଁ । ତାହାର ସେବା ଶୁଶ୍ରୂଷା କରିବା ସକାଶେ ଲାବଣ୍ୟ ଜଣେ ପରିଚାରିକା ନିଯୁକ୍ତ କରିଦେଇ ଗଲା । ସେ ଥର ପୁରୀରେ ଅନେକ ଯାତ୍ରୀ ରୁଣ୍ଡହେଲେ । ରହିବାକୁ ବସାଘର ମିଳିଲା ନାହିଁ । ଲୋକେ ଗଛମୂଳରେ. ବଡ଼ ଦାଣ୍ଡର ଶରଧାବାଲିରେ-ବାଟରେ ଘାଟରେ ପଡିରହିଲେ । କଷ୍ଟଭୋଗକରି ମଧ୍ୟ କାହାରି ମନରେ ଦୁଃଖ ନାହିଁ, କି ଅବସାଦ ନାହିଁ । ସମସ୍ତଙ୍କ ମୁଖ ଆନନ୍ଦ ପ୍ରଫୁଲ୍ଲ । ଧର୍ମପ୍ରାଣ ହିନ୍ଦୁଧର୍ମ ସକାଶେ କଷ୍ଟ ସହିବାକୁ ପଶ୍ଚାତ୍ପଦ ନୁହେଁ - ବରଂ କଷ୍ଟକୁ ମଧୁର ସୁଖ ମଣେ । ଲାବଣ୍ୟ ସହଯାତ୍ରୀମାନଙ୍କ ସଙ୍ଗରେ ଗୋଟାଏ ଝଙ୍କାଳିଆ ଲଙ୍କାଆମ୍ର ଗଛମୂଳରେ ଆଶ୍ରୟ ନେଲା । ରାତି ପାହିଲେ ସ୍ନାନଯୋଗ ଉପସ୍ଥିତ ହେବ । ସମସ୍ତେ ଅସମ୍ଭାଳ ଉତ୍କଣ୍ଠାରେ ସେହି ପୂଣ୍ୟ ଯୋଗର ଶୁଭାଗମନ ପ୍ରତୀକ୍ଷାରେ ରହିଲେ ।

 

ରାତି ପାହିଆସିଲା, ବଡ଼ଦେଉଳର ଆରାତ୍ରିକ ବାଦ୍ୟଧ୍ୱନିରେ ଶ୍ରୀକ୍ଷେତ୍ର କମ୍ପିଉଠିଲା । ମହାଯୋଗୀ ମହୋଦଧିର ଗଭୀର ପ୍ରଣବଧ୍ୱନି ସେ ଧ୍ୱନିକୁ ପୃଥୁଳକଲା । ସିନ୍ଧୁବାୟୁ ପବିତ୍ର ଆରାତ୍ରିକ ଗନ୍ଧ ଆଣି ସର୍ବତ୍ର ବିତରଣ କଲା । ଭକ୍ତକଣ୍ଠର ପ୍ରାର୍ଥନାସଙ୍ଗୀତ କର୍ଣ୍ଣରେ ମଧୁ ବର୍ଷଣ କରିବାକୁ ଲାଗିଲା । କେହି ଗୀତଗୋବିନ୍ଦର କାନ୍ତମଧୁର-ଲଳିତ ପଦାବଳୀ-ଆବୃତ୍ତ କଲା । ଆବୃତ୍ତିର ଭଙ୍ଗୀ କି ସୁନ୍ଦର । ତାଳ, ମାନ ଧରି ସ୍ୱର ଚଢାଇ ଖସାଇ ଗାଇବା ବେଳେ ସଙ୍ଗୀତ ଭିତରୁ ଗୋଟାଏ ଶକ୍ତି ବାହାରିଆସି ଶ୍ରୋତାକୁ ଆଚ୍ଛନ୍ନ କରିପକାଏ । ସଙ୍ଗୀତର କି ମୋହମାଦକତା, ଶୁଣିଲା କ୍ଷଣି ବିକ୍ଷିପ୍ତ ମନ କେନ୍ଦ୍ରସ୍ଥ ହୋଇରହେ, ପଥିକର ଗୋଡ଼ ଉଠେ ନାହିଁ । ସେହି ସମୟରେ ଯେଉଁ ରସ ପ୍ରବାହିତ ହୁଏ ତାହାହିଁ ଅମୃତ । ବାସ୍ତବରେ ସେ ସମୟରେ ସ୍ୱର୍ଗରେ ଥିବାପରି ବୋଧହୁଏ । ପୁରୁଷୋତ୍ତମ କ୍ଷେତ୍ରରେ ପ୍ରଭାତରେ ଜୀବନ୍ତ ଧର୍ମଭାବ ଖେଳିବୁଲେ । ସତେ ଯେପରି କିଏ ଶୂନ୍ୟରେ ମୁକ୍ତିମନ୍ତ୍ର ପ୍ରଚାର କରି ବୁଲୁଅଛି । ପୁରୀର ପ୍ରଭାତସୁଖ ଉପଭୋଗ୍ୟ, ବର୍ଣ୍ଣନାରେ ତାହା ଶେଷକରି ହେବ ନାହିଁ । ସେହି ସମୟରେ ଦେବତାମାନେ ସ୍ୱର୍ଗରୁ ଓହ୍ଳାଇ ଆସନ୍ତି । ଦୀନକୃଷ୍ଣ ଦାସଙ୍କର ଭକ୍ତସୁଲଭ ଅଭିମାନପୂର୍ଣ୍ଣ ପ୍ରାଣର ଜଣାଣ ଶୁଣିଲେ ନେତ୍ରରେ ଲୋତକ ରହିବନାହିଁ । ପ୍ରଭାତ କାଳରେ ରାଧାକୃଷ୍ଣମଠର ହରିସଂକୀର୍ତ୍ତନ ଯେ ଶୁଣିଛି, ସଂକୀର୍ତ୍ତନର ମହିଁମା ସେ ପ୍ରାଣ ମଧ୍ୟରେ ଉପଲବ୍‌ଧି କରିଥିବ । ଭକ୍ତମାନଙ୍କର ତ ପ୍ରେମର ସୀମା ନାହିଁ, ସେମାନେ ଭକ୍ତିରେ ବିହ୍ୱଳ । ସେମାନେ ପ୍ରେମ-ସରୋବରରେ ତ୍ୟାଗର ପଦ୍ମଫୁଲ ଫୁଟାଇ ଅଛନ୍ତି, ସେମାନଙ୍କର କିଛିନାହିଁ - କେବଳ ହରିନାମ ସମ୍ବଳ । କେହି ଗାଉଛି - ‘‘ଜଗନ୍ନାଥସ୍ୱାମୀ ନୟନପଥଗାମୀ ଭବତୁ ମେ’’ । କେହି ଗାଉଛି ‘‘ଜଗବନ୍ଧୁ ହେ ଗୋସାଇଁ ମୋହଯିବା ଯାଏଁ ନନ୍ଦିଘୋଷ ଥିବରହି ।’’ ଭୋଜପୁରୀ ଭକ୍ତମାନେ ସମସ୍ୱରରେ ଗାଉଛନ୍ତି - ‘‘ଜଗନାଥିଆ ଓ ଭାଏ, ଦାନି କେ ସୁରତ ମନ ରଖିଓ ।’’ ରାମକୃଷ୍ଣ ଭକ୍ତମାନେ ଗାଉଛନ୍ତି - ‘‘ଦେ ମା ଆମାୟ ତବିଲଦାରି, ଆମି ନିମକହାରାମ ନହି ଶଙ୍କରା ।’’ କେହି ସହସ୍ରନାମ ଆବୃତ୍ତ କରୁଅଛି, କେହି ତୁଳସୀଦାସ, କବିର ପ୍ରଭୃତିଙ୍କ ଦୋହା ଗାଉଅଛି । ଚତୁଷ୍ପାଠୀସ୍ଥ ବ୍ରାହ୍ମଣବାଳକମାନେ ଲଳିତ କୋମଳ ସ୍ୱରରେ ଶାସ୍ତ୍ରପାଠ କରୁଅଛନ୍ତି । ଶିଶୁତୁଣ୍ଡର ବେଦ ଆବୃତ୍ତି କି ମଧୁର; ସତେ ଯେପରି ଅମୃତ ଉପରେ ଅମୃତ ବର୍ଷିଯାଉଅଛି । ମଠମାନଙ୍କରୁ ମୃଦଙ୍ଗ କରତାଳି ଧ୍ୱନି ପୃଥୁଳଭାବରେ ଉଠି ମନରୁ କ୍ଷୁଦ୍ରଭାବ ତଡ଼ି ଦେଉଅଛି, ମନ କି ଏକ ଉଲ୍ଲାସକର ମହାଭାବରେ ପୂର୍ଣ୍ଣ ହୋଇଉଠୁଅଛି । ସଂସାରର ଦୁଃଖ, ଦୈନ୍ୟ ପ୍ରଭୃତି ମନକୁ ସ୍ପର୍ଶକରି ପାରୁନାହିଁ । ଭାଦ୍ରମାସର ଗଙ୍ଗା ପ୍ରାୟ ମନ ପ୍ରସନ୍ନ ଏବଂ ନିର୍ମଳ । ସ୍ଥୂଳତଃ ଶ୍ରୀକ୍ଷେତ୍ରର ପ୍ରଭାତ ଦୃଶ୍ୟ, ପ୍ରଭାତ ଉତ୍ସବ ଦେଖିଲେ ଆତ୍ମବିତସ୍ମୃତ ହେବାକୁ ହୁଏ, ହୃଦୟରୁ ପାପତାପ କ୍ଷଣକ ପାଇଁ କୁଆଡ଼େ ଉଡିଯାଏ, ଅନାବିଳ ଶାନ୍ତିଧାରାରେ ସ୍ନାନକରି ମନ ପ୍ରାଣ ଶୀତଳ ହୁଏ ।

 

ସୂର୍ଯ୍ୟୋଦୟ ପୂର୍ବରୁ ସମୁଦ୍ରକୂଳ ନର-ସମୁଦ୍ରରେ ପରିଣତ ହୋଇଗଲା । ବେଳାରେ ତିଳଧାରଣର ସ୍ଥାନ ରହିଲା ନାହିଁ । ଶଙ୍ଖ ହୁଳାହୁଳୀ ହରିବୋଲ ଶବ୍ଦ ସମୁଦ୍ର ଗର୍ଜନ ସଙ୍ଗେ ପ୍ରତିଯୋଗିତା କରିବାକୁ ଲାଗିଲା । ନୋଳିଆମାନେ ଟିପାକାଠିରେ ଚଢି ମାଛ ଧରିବାକୁ ବାହାରିଲେ । ସେମାନେ ସମୁଦ୍ରର ପରିବାରଭୁକ୍ତ; ସୁତରାଂ ସମୁଦ୍ର ପ୍ରତି ସେମାନଙ୍କର ଭୟ ବା ଭ୍ରୂକ୍ଷେପ ନାହିଁ । ପ୍ରଥମତଃ ସେମାନେ ଲହରୀ ସଙ୍ଗରେ ଯୁଦ୍ଧରେ ପ୍ରବୃତ୍ତ ହେଲେ । କେତେଥର ଲହରୀ ସେମାନଙ୍କୁ ଆଣି ବେଳାରେ ଫିଙ୍ଗି ଦେଇଗଲା; ମାତ୍ର ସେମାନେ ପ୍ରତି ଥର ଉଠି ଲହରୀର ନିକଟବର୍ତ୍ତୀ ହେଲେ । ଶେଷରେ ସେମାନେ ଲହରୀ ଭେଦ କରି ଚାଲିଗଲେ, ଅଧ୍ୟବସାୟର ଜୟ ହେଲା । କ୍ରମେ ସେମାନେ ସମୁଦ୍ରର ପାଣ୍ଡୁ ଜଳାରଣ୍ୟ ମଧ୍ୟରେ ଅଗ୍ରସର ହେଲେ । ଲହରୀ ଉହାଡ଼ରେ କେତେବେଳେ ଟିପାକାଠି ଆରୋହୀ ସହିତ ବୁଡି ଗଲାପରି ଜଣାଯାଏ, ପୁଣି ପରକ୍ଷଣରେ ଉପରକୁ ଉଚୁକି ଉଠୁଥାଏ । ଏହିପରି କ୍ଷଣେ ଲୁପ୍ତ କ୍ଷଣେ ମୁକ୍ତ ହୋଇ ନୋଳିଆମାନେ ଆଉ ଦେଖାଗଲେ ନାହିଁ । ଦେଖୁଁ ଦେଖୁଁ ସୂର୍ଯ୍ୟ ଉଦିତ ହେଲେ, ସମୁଦ୍ର ନବ୍ୟସଭ୍ୟ ବାବୁ ବେଶରେ ସଜ୍ଜିତ ହେଲା । ସୂର୍ଯ୍ୟପ୍ରତିବିମ୍ବ ତାହା ବକ୍ଷରେ ସୁନାଘଡ଼ି ପରି ଚକ୍‌ ଚକ୍‌ ଦିଶିଲା । ଅଥବା ଅତସୀ-ନୀଳିମା ବିଷ୍ଣୁବକ୍ଷରେ କୌସ୍ତୁଭମଣି ଝଟକି ଉଠିଲା । ବାସ୍ତବରେ ସମୁଦ୍ରଗର୍ଭରେ ସୂର୍ଯ୍ୟପ୍ରତିବିମ୍ବ ବଡ଼ ରମଣୀୟ ଦିଶେ । ସତେ ଯେପରି ପରମବ୍ରହ୍ମ ପରମାତ୍ମାଙ୍କ ଜ୍ୟୋତି ଦେହ ଭେଦ କରି ବାହାରକୁ ବାହାରି ଆସୁଅଛି । ଅଥବା ସତ୍ୟର ମହାଜ୍ୟୋତିରେ ତାମସ ହୃଦୟ ଆଲୋକିତ ହୋଇଅଛି । ଲାବଣ୍ୟ ସ୍ନାନୋବ୍ଦେଶ୍ୟରେ ସ୍ୱର୍ଗଦ୍ୱାର ଆଡ଼କୁ ଯାଇଥିଲା । ବେଳାରେ ଠିଆହୋଇ ସମୁଦ୍ରକୁ ଅନାଇଲା; ମାତ୍ର ବେଶିକ୍ଷଣ ଚାହିଁ ପାରିଲା ନାହିଁ, ତାହା ଆଖି ବୁଜିହୋଇ ପଡିଲା । ବାସ୍ତବରେ ସମୁଦ୍ରର ଦିଗନ୍ତବ୍ୟାପୀ ବିପୁଳ ବିସ୍ତୃତି କି ଅତିକ୍ଷୁଦ୍ର ନରନେତ୍ରର ଆୟତ୍ତୀଭୂତ ହେବ । ଅନନ୍ତ ଆକାଶ କି ମୁଷ୍ଟିଭିତରେ ରଖିହେବ, ତାହା ଅସମ୍ଭବ - ଅସମ୍ଭବ । ସମୁଦ୍ରର ଗର୍ଭ ଅନବରତ ଆଲୋଡିତ ହେବାର ଦେଖି ଏବଂ ଗର୍ଜନ ଶୁଣି ଲାବଣ୍ୟ ମନେ ମନେ କଅଣ ଭାବିଲା କେଜାଣି; ମାତ୍ର ତାହା ଅଜ୍ଞାତରେ ତୁଣ୍ଡରୁ ବାହାରିଆସିଲା, ‘‘ରତ୍ନାକର, ତୋ ହୃଦୟ ମୋ ହୃଦୟ ପରି ହାହାମୟ କାହିଁକି ? ତୁ କି ମୋହରି ପରି ଦୁଃଖୀ ? ମୁହୂର୍ତ୍ତକ ଭୁଲରେ ମୁଁ ସବୁ ହରାଇଛି, ତୋ ଜୀବନରେ କି ସେପରି କିଛି ଗୁରୁତର ଭୁଲ ଭ୍ରାନ୍ତି ଘଟିଛି ? ଜୀବନର ସୁଖକୁ ମୁଁ ସ୍ୱହସ୍ତରେ ସମାଧିସ୍ଥ କରିଛି, ତୁ କି ସେହିପରି ମହାଭୁଲ କରି ଅନୁତାପରେ ଦଗ୍‌ଧ ହେଉଛୁ ? ଏ ହାହାକାର ଧ୍ୱନି କଅଣ ତୋର ସେହି ଭୁଲର ପ୍ରାୟଶ୍ଚିତ୍ତ ? ନା-ନା, ତାହା କେଭେ ନୁହେଁ, ତୁ ଦେବତା, ଦେବତାଙ୍କର ସେଭଳି ଭୁଲ ହୋଇପାରେ ନାହିଁ । ପୁଣି ତୁ ବିରାଟ, ମୁଁ କ୍ଷୁଦ୍ର, ତୁ ସିନ୍ଧୁ, ମୁଁ ବିନ୍ଦୁ, ତୁ ହିମାଳୟ, ମୁଁ ଧୂଳିକଣା, ତୋ ସାଙ୍ଗରେ କି ମୋର ତୁଳନା ? ଛି, ଏହା ଯେ ହସିବାର କଥା ।’’ ଅନନ୍ତର ଲାବଣ୍ୟ ଜନତାକୁ ଅନାଇଦେଲେ ହଠାତ୍‌ ନୀରବ ହୋଇଗଲା । ତାହାର ଦେହ ଫୁଲି ଉଠିଲା, ସେ ଦୃଷ୍ଟି ଫେରାଇଆଣିଲା । ପୁଣି ଚାହିଁଲା ପୁଣି ଦୃଷ୍ଟି ନତ କଲା । ତାହାର ମୁଖ କ୍ଷଣକେ ଆନନ୍ଦରେ ଉଜ୍ଜ୍ୱଳ ହୋଇ ଉଠିଲା ଏବଂ କ୍ଷଣକେ ଲଜ୍ଜାରେ ପାଣ୍ଡୁର ବର୍ଣ୍ଣ ଧାରଣ କଲା । ପଦ୍ମଫୁଲ ଉପରେ ଛାୟା ଆଲୋକ ନୃତ୍ୟକଲା ପ୍ରାୟ ସେ ମୁଖ ବଡ଼ ସୁନ୍ଦର ଦିଶିଲା । କି ବାଞ୍ଛିତ ସାଫଲ୍ୟର ମୃଦୁ ହାସ ଅଧରରେ ଲୁଚକାଳି ଖେଳିବାକୁ ଲାଗିଲା । ସନ୍ନ୍ୟାସିନୀ ଲାବଣ୍ୟ ଦେହରେ ଗୋଟାଏ ଅଗଭୀର ସରଳ ସୌନ୍ଦର୍ଯ୍ୟ ଫୁଟିଉଠିଲା । ଜନତା ମଧ୍ୟରେ ଏ କିଏ, କାହାକୁ ଦେଖି ଲାବଣ୍ୟର ଏ ଭାବାନ୍ତର ? ଏ ଯେ ଗଜେନ୍ଦ୍ର, ତାହାର ପୂଜାର ଜୀଅନ୍ତା ଠାକୁର; ଆଉ ତାହା ପଛରେ ତାହାର ବୃଦ୍ଧ ପିତାମାତା । ଏ କି ଆକସ୍ମକ ସମ୍ମଳନ, କି ଅପ୍ରତ୍ୟାଶିତ ଘଟଣା । ଲାବଣ୍ୟ ମନେ ମନେ କହିଲା- ତେବେ ଏମାନେ ବି ଆସିଛନ୍ତି, ହେଉ ଠାକୁରେ ଯାହା କରନ୍ତି ମଙ୍ଗଳ ପାଇଁ କରନ୍ତି । ଯାହାଙ୍କ ଚରଣ ଦର୍ଶନ ପୂଣ୍ୟରୁ ମୁଁ ଏତେଦିନ ଯାଏ ବଞ୍ଚିତ ଥିଲି, ତାଙ୍କୁ ଦେଖିଲି, ମୋର ତୀର୍ଥଯାତ୍ରା ସଫଳ ହେଲା । ଯୋଗସ୍ନାନ ପରେ ହୃଦୟର ଆରାଧ୍ୟ ଦେବତାଙ୍କୁ ଦର୍ଶନ କରିବି; ଏଥୁବଳି ଭାଗ୍ୟର କଥା କଅଣ ଅଛି ? ହେ ନୀଳାଦ୍ରିନାଥ, ଅନାଥା ପ୍ରତି ଏ ତୁମ୍ଭର କରୁଣା, ତୁମ୍ଭେ ମନ ଜାଣି ଫଳ ଦିଅ ।’’ ଏଥି ଉତ୍ତାରୁ ଲାବଣ୍ୟ ଶାଶୁ, ଶଶୂର, ସ୍ୱାମୀଙ୍କ ଉଦ୍ଦେଶ୍ୟରେ ମନେ ମନେ ଦଣ୍ଡବତ କରି, କାଳେ କିଏ ତାକୁ ଦେଖି ଚିହ୍ନିପକାଇବ, ଏହି ଆଶଙ୍କାରେ ସେଠାରୁ ଚାଲିଗଲା ଏବଂ ଉହାଡ଼ରେ ରହି ସେମାନଙ୍କ ଗତିବିଧି ଲକ୍ଷ୍ୟ କରିବାକୁ ଲାଗିଲା ।

 

ସ୍ନାନବେଳ ହେଲା, ସ୍ନାନ ବେଳ ହେଲାବୋଲି ଗୋଟାଏ ହୁରିପଡିଗଲା । ସମସ୍ତେ ଚଞ୍ଚଳ ହୋଇ ଉଠିଲେ । ମତି ଚଞ୍ଚଳ, ଗତି ଚଞ୍ଚଳ, ଭକ୍ତି ଚଞ୍ଚଳ, ସତେ ଯେପରି ଚାଞ୍ଚଲ୍ୟ ମୂର୍ତ୍ତିଧରି ଧାଁ ଦଉଡ଼ କରି ବୁଲିବାକୁ ଲାଗିଲା । ସ୍ନାନାର୍ଥୀମାନେ ତରତର ହୋଇ ସମୁଦ୍ରରେ ପଶିସ୍ନାନ କରିବାକୁ ଲାଗିଲେ । କିଏ ଅଣ୍ଟାଏ ପାଣିରେ ଠିଆ ହୋଇ ସ୍ନାନ କଲା, କିଏ ସାହସ ବାନ୍ଧି ଆବକ୍ଷ ଜଳରେ ପଶିଲା । କିଏ ବା ଆଣ୍ଠୁଏ ପାଣିରେ ବସି ମୁଣ୍ଡ ନୁଆଇଁ ଲହରୀ ଭାଙ୍ଗି ସ୍ନାନ କଲା । ଅନେକ ନାରୀ ପାଣିରେ ପଶିବାକୁ ଭୟକରି ‘‘ଭୀରୁ’’ ନାମ ସାର୍ଥକ କଲେ । କାହାର ଆତ୍ମୀୟ କାହାକୁ ଟାଣି ଘେନିଯାଆନ୍ତେ ସେ ଛେଳିକୁ ହଡିକାଠକୁ ନେଲାପରି ହେଲା । କେହି ଚଳେ ପାଣି ମୁଣ୍ଡରେ ଦେଇ ସଂକ୍ଷେପରେ ସ୍ନାନ କଲା ଏବଂ ତୀର୍ଥର ସମ୍ମାନ ରକ୍ଷାକଲା । ନିଜର ଭୟ ଏବଂ ଲଜ୍ଜା ଢାଙ୍କିବା ପାଇଁ କହିଲା - ‘‘କି କାଳ ରୋଗ ମୋତେ ଘୋଟିଲା ଯେ ମୁଣ୍ଡରେ ଟୋପାଏ ପାଣି ପଡିଲେ ମୁଁ ମଲି; ସାଙ୍ଗେ ସାଙ୍ଗେ ସନ୍ନିପାତ ହୋଇଯିବ । ସେହିଲାଗି ବୋହୁମାନେ ମୋତେ ପାଣି କତିକି ଛାଡି ଦିଅନ୍ତି ନାହିଁ । ଆସିବାବେଳେ ସାନବୋହୂ ଢେର ନିୟମ ସମଧ ପକାଇ କହିଥିଲା - ‘‘ଖବରଦାର ସାଆନ୍ତାଣୀଏ, ତମ ଜୁଇଁ ରାଣ ତି - ମୋ ମୁଣ୍ଡ ଖାଇବ, ନୂରସ୍ତମରେ ନାଧୁଆ ପାଧୁଆ କରିବ ନାହିଁ । ମୋ ବଡ଼ ପୁଅ ନା - ପୁରିଆ, ମଝିଆଁ ପୁଅନା - ଅଗାଧୁଆ, ଭାଇବୋହୂଟା ଦେଢଶୂର ନା’ କିମିତି ଧରିବ ? ସେହିଲାଗି ପୁରସ୍ତମକୁ ବାଆଁରେଇ ନୁରସ୍ତମ ବୋଲି କହେ, ଆଉ ଗାଧୋଇବାକୁ ନାଧୋଇବା କହେ । ସାନବୋହୂ କଥା ଶୁଣି ବଡ଼ ବୋହୂ କହିଲା - ସେ ମାନିବା ପିତୁଳି ଯେ, କାହା କଥା ମାନିବେ । ପାଣି ଦେଖିଲେ ତ ବାଇ, ତାଙ୍କୁ ପୁଣି ଅଟକାଇବ କିଏ ? ତୀର୍ଥ ସ୍ଥାନରେ ସେ କଣ ସମ୍ଭାଳି ହୋଇ ରହିବେ ? ତମ ଗେହ୍ଲା ପୁଅ ରାଣତି ସାଆନ୍ତାଣୀଏ, ମୁଁ ଅଫିମ ତେଲ ଫୁଟାଇ କାଚ କୁମ୍ପିରେ ଦେଉଛି, ସରଦ-ଲସମ ହେଲେ ଗୋଡ଼ ତଳିପାରେ ମାଲିସ କରିବ ।’’ ନିନ୍ଦାରୁ ପାର ପାଇବା ସକାଶେ ଅନେକେ ଏହିପରି ଗୋଟାଏ ଗୋଟାଏ ଛଳନାର ଆଶ୍ରୟ ଗ୍ରହଣ କଲେ । ଯେଉଁମାନେ ଅଧିକ ଭୀରୁ, ସମୁଦ୍ରକୁ ଦେଖି ସେମାନଙ୍କର ହୁତ୍କମ୍ପ ଆରମ୍ଭ ହେଲା । ସେମାନେ କଳ୍ପନାରେ ତୀର୍ଥସ୍ନାନ କରି ଦୂରରୁ ସମୁଦ୍ରକୁ ଜୁହାରହୋଇ ଫେରିଗଲେ।

 

ଜଳସମୁଦ୍ର ମଧ୍ୟରେ ନରସମୁଦ୍ରର ସୃଷ୍ଟିହେଲା । ଯେଉଁ ଆଡ଼କୁ ଚାହିଁଲେ କେବଳ ଲୋକାରଣ୍ୟ । ଲୋକଗହଳରେ ସମୁଦ୍ରବାଲି ଦିଶୁନାହିଁ । କେତେ ସ୍ନାନ କରୁଛନ୍ତି - କେତେ ତର୍ପଣ କରୁଛନ୍ତି - କେତେ ସ୍ନାନସାରି ବେଳାରେ ଲୁଗା ପାଲଟୁଅଛନ୍ତି । ଗଜେନ୍ଦ୍ର ଏବଂ ଲାବଣ୍ୟ ସ୍ୱଳ୍ପ ବ୍ୟବଧାନରେ ସ୍ନାନ କରୁଥିଲେ । ବିପୁଳ ଜନତା ମଧ୍ୟରେ କିଏ କାହାକୁ ଦେଖୁଛି ବା ଚିହ୍ନୁଛି; ମାତ୍ର ଲାବଣ୍ୟ ଗଜେନ୍ଦ୍ର ଉପରେ ଦୃଷ୍ଟି ରଖିଥାଏ । ଗଜେନ୍ଦ୍ର ସ୍ନାନ କରୁଁ କରୁଁ ଟିକିଏ ଭିତରକୁ ଚାଲିଗଲା । ତେଣିକି ଲହରୀ ତାକୁ କ୍ରମେ ଭିତରକୁ ଟାଣିବାକୁ ଲାଗିଲା । ସେ କୂଳକୁ ଆସିବାକୁ ଯଥେଷ୍ଟ ଚେଷ୍ଟାକଲା; ମାତ୍ର ଲହରୀର ପ୍ରବଳ ଆକର୍ଷଣରୁ ମୁକ୍ତ ହୋଇପାରିଲା ନାହିଁ । ଶେଷରେ ହସ୍ତ ସଙ୍କେତରେ ସାହାଯ୍ୟ ଭିକ୍ଷାକଲା; କିନ୍ତୁ ପବନ ପ୍ରବଳ ଥିବାରୁ ଜନସଙ୍ଘ ମଧ୍ୟରୁ କେହି ତାହା ପାଖକୁ ଯିବାକୁ ସାହସୀ ହେଲେନାହିଁ । ସମସ୍ତେତା ଟଙ୍କା ମିଶ୍ରିତ ଭୀତ ନେତ୍ରରେ ଚାହିଁ ରହିଲେ । ସ୍ୱାମୀକୁ ବିପନ୍ନ ଦେଖି ଲାବଣ୍ୟର ହଂସା ଉଡିଗଲା । ତାହା ଚକ୍ଷୁରୁ ଶ୍ରାବଣର ଧାରା ବହିପଡିଲା । ସେ କାତରକମ୍ପିତ କଣ୍ଠରେ କହିଲା - ରତ୍ନାକର, ତୋର ରତ୍ନର ଅଭାବ ନାହିଁ, ଏ କାଙ୍ଗାଳୁଣୀର ହୃଦୟରତ୍ନଟି ଫେରାଇଦେ । ମୋର ସବୁ ଯାଇଛି - ଖାଲି ସେତକ ଅଛି । ହେ ଜଗନ୍ନାଥ, ଆତୁରର ଗୁହାରୀ ଶୁଣ ପ୍ରଭୋ, ମୁଁ ଯେବେ ପ୍ରକୃତରେ ସତୀ ହୋଇଥିବି, ପତିଚରଣରେ ଯେବେ ମୋର ଅଚଳା ମତି, ଭକ୍ତି ଥିବ, ତେବେ ଏ ସଙ୍କଟରୁ ପତିଙ୍କୁ ଉଦ୍ଧାର କରିବାର ଶକ୍ତି ମୁଁ ତୁମ୍ଭରିଠାରୁ ପାଇବି । ତୁମ୍ଭେ ଏକା ମୋର ସାହା ପ୍ରଭୋ ।’’ ଲାବଣ୍ୟ ଏତିକି ମାତ୍ର ପ୍ରାର୍ଥନା କରି ସ୍ୱାମୀକୁ ଉଦ୍ଧାର କରିବାକୁ ଅଗ୍ରସର ହେଲା । ସନ୍ତରଣରେ ସେ ଖୁବ୍‌ନିପୁଣା, ସେ ପିଲାକାଳରେ ସେ ବିଦ୍ୟା ଶିକ୍ଷା କରିଥିଲା । କିଛି ଦୂର ଯାଇ ନିଜର ପରିଧେୟ ଗୈରିକ ବସ୍ତ୍ରର ଗୋଟାଏ ପାଖ ଧରି ଅନ୍ୟ ପାଖଟା ଗଜେନ୍ଦ୍ର ଆଡ଼କୁ ଫିଙ୍ଗିଦେଲା । ତେତେବେଳକୁ ଗଜେନ୍ଦ୍ର ଅବସନ୍ନ ହୋଇପଡିଥିଲା; ମାତ୍ର ଲୁଗା କାନି ଧରିପାରିବାର ଶକ୍ତି ହରାଇ ନ ଥିଲା । ସେ ଦୃଢମୁଷ୍ଟିରେ ଲୁଗାକାନି ଧରିଲା । ଲାବଣ୍ୟ ସେହି ଲୁଗାକୁ ଟାଣି ଟାଣି ଧୀରେ ଧୀରେ କୂଳ ଆଡ଼କୁ ଆସିଲା, ଏହିପରି ଆସି ଆସି ଅଣ୍ଟାଏ ପାଣିରେ ଦେହ ବୁଡାଇ ରହିଲା । ତେତେବେଳେ ଲୋକେ ସାହସ କରି ତାହା ପାଖକୁ ଯାଇ ଗଜେନ୍ଦ୍ରକୁ ଧରାଧରି କରି କୂଳକୁ ଘେନି ଆସିଲେ । ଲାବଣ୍ୟ ଲୁଗା ପିନ୍ଧି ପଛେ ପଛେ ଆସିଲା । କୂଳକୁ ଆସି ଗଜେନ୍ଦ୍ର ମୂର୍ଚ୍ଛିତ ହୋଇପଡିଲା । ଲାବଣ୍ୟ ତାକୁ ବେଳା ବାଲୁକାରେ ଶୁଆଇଦେଇ କେତେଟା ପ୍ରକ୍ରିୟାଦ୍ୱାରା ତାହା ଉଦରରୁ ଜଳ ବାହାରକରିଦେଲା । ସନ୍ନ୍ୟାସିନୀର ଅଦ୍ଭୁତ ସାହସ ଦେଖି ସମସ୍ତେ ତାକୁ ଧନ୍ୟ ଧନ୍ୟ କହିଲେ ଏବଂ ତାକୁ ଦେଖିବା ପାଇଁ ଚାରିଆଡୁ ଲୋକେ ଆସି ରୁଣ୍ଡହେଲେ । ଆହା, କି ମହିମିତା ମାତୃମୂର୍ତ୍ତି । ସଦ୍ୟ ସିନ୍ଧୁସ୍ନାନରେ ସେ ମୂର୍ତ୍ତିର ପ୍ରଭା ବହୁଗୁଣ ବଢି ଉଠିଅଛି । ସମସ୍ତେ କହିଲେ, - ଏ ରୂପ ପୃଥିବୀର ନୁହେଁ - ସ୍ୱର୍ଗର । କେହି କହିଲା - ‘‘କେଉଁ ଦୟାବତୀ ଦେବୀ ମାନବଧର୍ମ ଶିକ୍ଷା ଦେବା ସକାଶେ ସନ୍ନ୍ୟାସିନୀ ରୂପରେ ପୃଥିବୀରେ ଆବିର୍ଭୂତ ହୋଇଅଛନ୍ତି । କି ଶୀତଳ ଅମୃତ ଦୃଷ୍ଟି, ଚାହିଁଦେଲା କ୍ଷଣି ହୃଦୟରୁ ଭକ୍ତି ଟାଣିନେଉଅଛନ୍ତି ।’’ କେହି କହିଲା- ‘‘ନା-ନା, ଏ ସ୍ୱୟଂ ସିନ୍ଧୁସୂତା ମହାଲକ୍ଷ୍ମୀ ।’’ ବୃଦ୍ଧ ବୈରିଗଞ୍ଜନ ଲୋତକଧାରାରେ ଗଣ୍ଡ ଭସାଇ କହିଲେ - ‘‘ମା, ତୁମେ ମୋର ଭାଗ୍ୟଦେବୀ, ମୋତେ ପୁତ୍ରଦାନ କଲ, ଏହି ଦୟା ପାଇଁ ମୁଁ ତୁମ ନିକଟରେ ସବଂଶରେ ଧାରୁଆ ହୋଇ ରହିଲି । ତୁମେ ମୋର ବଂଶ ରକ୍ଷାକଲ, ତୁମେ ଯାହା କହିବ ମୁଁ ତାହା ଦେବି । କହ ମା, କଅଣ ଦେଇ ତୁମ୍ଭଙ୍କୁ ସନ୍ତୁଷ୍ଟ କରିବି ?’’ ବୈରିଗଞ୍ଜନଙ୍କ ଗୃହିଣୀ ନିଜ ଦେହରୁ ସ୍ୱର୍ଣ୍ଣାଳଙ୍କାରଗୁଡ଼ିକ ବାହାର କରି ଲାବଣ୍ୟ ଆଗରେ ଥୋଇ ଦେଇ କହିଲେ - ‘‘ମା, ସେ ଯାହା ଦେବାର ଦେଉନ୍ତୁ ମୁଁ ଏହି ଗହଣାଗୁଡ଼ିକ ଦେଉଛି ।’’ ଲାବଣ୍ୟ ତାହାକୁ ସ୍ପର୍ଶ ନ କରି ଧୀର ମଧୁର ସ୍ୱରରେ କହିଲା, - ‘‘ମୁଁ ସନ୍ନ୍ୟାସିନୀ, ଧନ ଦ୍ରବ୍ୟ ମୋର ଲୋଡ଼ାନାହିଁ ମା, ମୁଁ ଏ ସବୁ ନେଇ କଅଣା କରିବି, ତେବେ ଯଦି ତୁମେ ନିତାନ୍ତ ନ ଛାଡ଼ିବ, ତେବେ ତୁମ ପୁଅ ଭଲ ହେଲା ପରେ ଯାହା ଦେବାର ଦେବ । ତାଙ୍କର ମୂର୍ଚ୍ଛା ଭାଙ୍ଗି ନାହିଁ, ଚଞ୍ଚଳ ତାଙ୍କୁ ଡାକ୍ତରଖାନାକୁ ନେଇଚାଲ-। କିଛି ଭୟ ନାହିଁ, ସେ ଭଲ ହେବାଯାଏ ମୁଁ ତାଙ୍କ ପାଖରେ ରହି ସେବା କରିବି । ମୁ ସନ୍ନ୍ୟାସିନୀ, ସେବା ମୋର ଧର୍ମ, ତୁମେ ଆଉକିଛି ବିଚାରିବ ନାହିଁ - ମା ।’’

 

ବୈରିଗଞ୍ଜନ ସୁଆରି କରି ପୁଅକୁ ପୁରୀର ବଡ଼ ଡାକ୍ତରଖାନାକୁ ନେଇଗଲେ । ଲାବଣ୍ୟ ସଙ୍ଗେ ସଙ୍ଗେ ଗଲା । ରୋଗୀର ପରିଚର୍ଯ୍ୟା କରିବା ପାଇଁ ସେ ଡାକ୍ତର ସାହେବଙ୍କୁ ପ୍ରାର୍ଥନା କଲା । ଅନେକ ପାସ୍‌କରା ଧାତ୍ରୀ ଅପେକ୍ଷା ସନ୍ନ୍ୟାସିନୀମାନେ ରୋଗୀର ସେବା-ଯତ୍ନ ଭଲ କରନ୍ତି, ଡାକ୍ତର ସାହେବ ଏହା ଜାଣନ୍ତି; ସୁତରାଂ ଲାବଣ୍ୟର ପ୍ରାର୍ଥନାରେ ସହଜରେ ସମ୍ମତ ହେଲେ; ମାତ୍ର ବୈରିଗଞ୍ଜନ ଏବଂ ତାଙ୍କ ଗୃହିଣୀଙ୍କୁ ରୋଗୀ ପାଖରେ ରହିବାକୁ ମନାକଲେ । କହିଲେ - ‘‘ତୁମ୍ଭେମାନେ ଅନ୍ୟ ସ୍ଥାନରେ ବସାକରି ରହ, ଦୁଇଓଳି ଦୁଇଥର ଆସି ତୁମ୍ଭ ପୁଅକୁ ଦେଖିଯାଇପାରିବ ।’’ ଫଳରେ ତାହାହିଁ ହେଲା, ଲାବଣ୍ୟ ରୋଗୀ ପାଖରେ ଡାକ୍ତରଖାନାରେ ରହିଲା । ଡାକ୍ତର ସାହେବ ରୀତିମତ ଚିକିତ୍ସା କଲେ । ଲାବଣ୍ୟ ପ୍ରାଣପଣରେ ସେବାରେ ଲାଗିଲା-। ଯଥାସମୟରେ ରୋଗୀକୁ ଔଷଧ ଖୁଆଏ, ଦୁଧ ପିଆଏ, ରୋଗୀକୁ ପରିଷ୍କାର କରିଦିଏ । ଦିନରାତି ଜଗିରହି ଏହିପରି ଶୁଶ୍ରୂଷା କରିବାକୁ ଲାଗିଲା । ଦିନେ ଗଲା, ଦୁଇଦିନ ଗଲା, ତେବେ ମଧ୍ୟ ଗଜେନ୍ଦ୍ରର ମୂର୍ଚ୍ଛାଭଙ୍ଗ ହେଲା ନାହିଁ । ଲାବଣ୍ୟ ଚିନ୍ତାରେ ବ୍ୟାକୁଳ ହୋଇଉଠିଲା ।

 

ତୃତୀୟ ଦିନ ସନ୍ଧ୍ୟା ସମୟରେ ଗଜେନ୍ଦ୍ରର ମୂର୍ଚ୍ଛାଭଙ୍ଗ ହେଲା । ସେ ଧୀରେ ଧୀରେ ଆଖି ଫିଟାଇ ଚାହିଁଲା । ଯାହା ଦେଖିଲା ସବୁ ତାକୁ ଅପୂର୍ବ ବୋଧ ହେଲା । ଦେହଟା ଶୂନ୍ୟ ଜଣାଗଲା, ଯେପରି ତାହା ଦେହରେ ସେ ନିଜେ ନାହିଁ । ବଡ଼ ଦୂର୍ବଳ, ଉଠିବାର ଶକ୍ତି ନାହିଁ । ସେ କ୍ଷୀଣ କଣ୍ଠରେ କହିଲା- ‘‘ମୁଁ କେଉଁଠି ଅଛି ? ମୋର ବୃଦ୍ଧ ବାପ ମା’ କାହାନ୍ତି ?’’ ଲାବଣ୍ୟ ତାହା ମୁଣ୍ଡ ଉପରେ ବସିଥିଲା, ସ୍ୱାମୀକୁ କଥା କହିବାର ଦେଖି ସେ ଆଶ୍ୱାନ୍ୱିତ ହେଲା ଏବଂ ମନେ ମନେ ଜଗନ୍ନାଥଙ୍କୁ କୃତଜ୍ଞତା ଜଣାଇଲା । ସେ କହିଲା ‘‘ତୁମେ ଆଚ୍ଛା ଭଲ ଜାଗାରେ ଅଛ, ତୁମ ବାପ ମା ବି ଭଲଅଛନ୍ତି । ତୁମେ ବେଶି କଥା କୁହ ନାହିଁ, ତୁମର ଦୁର୍ବଳ ମୁଣ୍ଡ ତାହା ସହିପାରିବ ନାହିଁ । ଏତିକି କହି ସ୍ୱାମୀର ମୁଣ୍ଡ ଆଉଁସିଦେବାକୁ ଲାଗିଲା । ତାହା ହାତରେ କଅଣ ଥିଲା କେଜାଣି, ଗଜେନ୍ଦ୍ରର ଦେହ ଫୁଲି ଉଠିଲା । ସେହି ହାତକୁ ସେ ବକ୍ଷରେ ଚାପିଧରି କହିଲା- ‘‘ତୁମେ କିଏ, ଲାବଣ୍ୟ ? ତୁମେ କଅଣ ସମୁଦ୍ରସ୍ନାନକୁ ଆସିଥିଲ ?’’ ଲାବଣ୍ୟର ଛାତି ଦୁଲୁକି ଉଠିଲା, ତଣ୍ଟି ଶୁଖିଗଲା । ସେ ମନେ ମନେ ଭାବିଲା - ‘‘ଏ ମତେ କିପରି ଚିହ୍ନିଲେ । ଯେତେବେଳେ ଚିହ୍ନି ସାରିଲେଣି, ତେତେବେଳେ ମୁଁ ଲୁଚାଇଲେ କଅଣ ହେବ । ସ୍ୱାମୀ ପରମ ଗୁରୁ, ତାଙ୍କୁ ମିଥ୍ୟା କହି ପ୍ରତାରିତ କରିବା ମହା ପାପ ।’’ ଏହିପରି ଭାବି କହିଲା - ‘‘ହଁ ମୁଁ ତୁମର ଦାସୀ ଲାବଣ୍ୟ, ମୋତେ ତୁମେ କିମିତି ଚିହ୍ନିଲ ? ଆମ ଗାଁରୁ କେତେଲୋକ ଯୋଗସ୍ନାନକୁ ଆସିଥିଲେ, ମୁଁ ତାଙ୍କ ସାଙ୍ଗରେ ଆସିଥିଲି । ସେମାନେ ଫେରି ଗଲେଣି, ମୁଁ ଯାଇ ନାହିଁ ।’’

 

ଗଜେନ୍ଦ୍ର - ‘‘କିମିତି ଚିହ୍ନିଲ ?’’ ତୁମେ ସିନା ଚାଲିଆସି ଦୂରରେ ଥିଲ, ତୁମର ଅମୃତସ୍ପର୍ଶ ଆଉ ସ୍ୱରକୁ ଯେ ମୋ ପାଖରେ ଛାଡିଆସିଥିଲ । ତାହା କି କେହି ଭୁଲିଯାଇପାରେ ? ତୁମେ ତେବେ ମୋତେ ଅପମୃତ୍ୟୁରୁ ଉଦ୍ଧାର କରିଛ ?

 

ଲାବଣ୍ୟ - ନା, ମୁଁ ନୁହେଁ ଜଗନ୍ନାଥ ରକ୍ଷା କରିଛନ୍ତି, ଆଉ ମୁଁ ତାଙ୍କ କାର୍ଯ୍ୟରେ ଟିକିଏ ସାହାଯ୍ୟ କରିଛି ।

 

ଗଜେନ୍ଦ୍ର - ବାବା, ମା, ତୁମକୁ ଚିହ୍ନିପାରିଛନ୍ତି ତ?

 

ଲାବଣ୍ୟ - ନା, ମୁଁ ଚିହ୍ନା ଦେଇନାହି । ସେ ବେଳ ହୋଇ ନାହିଁ । ମୋ ରାଣତି, ତୁମକୁ ଜୁହାର ହେଉଛି, ତୁମ ଗୋଡ଼ ଧରୁଛି, ତୁମେ ତାଙ୍କୁ ମୋ କଥା କିଛି କହିବ ନାହିଁ ।

 

ଗଜେନ୍ଦ୍ର - ଆଚ୍ଛା ହେଉ, ତାହାହିଁ କରିବି । ମୋତେ କିପରି ଉଦ୍ଧାର କଲ, ସେ ସବୁ କଥା କହିଲ ?

 

ଲାବଣ୍ୟ - ତାହା ସବୁ ପରେ ଶୁଣିବ । ଏବେ ସେ କଥା କହିବାକୁ ଡାକ୍ତର ମନା କରିଛନ୍ତି ।

 

ଏହି ସମୟରେ ସସ୍ତ୍ରୀକ ବୈରିଗଞ୍ଜନ ଆସି ଉପସ୍ଥିତ ହେଲେ । ପୁଅକୁ ସଚେତ ହୋଇ କଥା କହିବାର ଦେଖି ସେମାନେ ଅପାର ଆନନ୍ଦଲାଭ କଲେ । ସେମାନଙ୍କର ମୃତ ଆତ୍ମା ପୁନଶ୍ଚ ଜୀଇଁ ଉଠିଲା । ସନ୍ନ୍ୟାସିନୀର ପ୍ରଶଂସାରେ ସେମାନେ ଶତଜିଦ୍ୱ ହେଲେ ।

 

ଗଜେନ୍ଦ୍ର କଥାବାର୍ତ୍ତା କରିପାରିଲା, ଲୁଣିଜଳ ପିଇ ତାହାର ଯେଉଁ ବିକାର ଘଟିଥିଲା, ତାହା ବି ଛାଡିଗଲା; ମାତ୍ର ଦୁର୍ବଳତା ଛାଡିଲା ନାହିଁ । ଠିଆ ହୋଇ ଚାଲିବାକୁ ତାହାର ଶକ୍ତି ପାଇଲା ନାହିଁ । ଡାକ୍ତର ଅନେକ ବଳକର ଔଷଧ ଦେଲେ । ଲାବଣ୍ୟ ସ୍ୱହସ୍ତରେ ପୁଷ୍ଟିକର ପଥ୍ୟ ପ୍ରସ୍ତୁତ କରି ଖୁଆଇଲା; ମାତ୍ର କିଛି ଫଳ ହେଲା ନାହିଁ । ତହୁଁ ଡାକ୍ତର ସାହେବ ଯନ୍ତ୍ର ସାହାଯ୍ୟରେ ଦେଖିଲେ - ଗଜେନ୍ଦ୍ର ହୃଦ୍‌ଯନ୍ତ୍ରରେ ରକ୍ତ ନାହିଁ, ଅତିଭୟ ହେତୁ ତାହା ଶୁଖିଯାଇଅଛି । କୌଣସି ସବଳ ଲୋକର ଉଷ୍ଣରକ୍ତ ହୃଦ୍‌ଯନ୍ତ୍ରରେ ପ୍ରବେଶ କରାଇଦେଲେ ରୋଗୀ ବଳପ୍ରାପ୍ତ ହେବ; ନଚେତ୍‌ଅନ୍ୟ ଉପାୟ ନାହିଁ । ଡାକ୍ତର ବୈରିଗଞ୍ଜନଙ୍କୁ ଏ କଥା ବୁଝାଇ ଦେଇ କହିଲେ - ‘‘କି ବୈରିଗଞ୍ଜନ କିଛି ସଜ ରକ୍ତର ବ୍ୟବସ୍ଥା କରିପାରିବ ?’’ ବୈରିଗଞ୍ଜନ କହିଲେ, - ‘‘ହଜୁର, ଟଙ୍କାଦେଲେ ସବୁ ମିଳିବ ସିନା ରକ୍ତ କାହୁୀଁ ମିଳିବ ? ଦେହରୁ ରକ୍ତ ଦେବାକୁ କିଏ ରାଜି ହେବ ? ମୁଁ ଦେବାକୁ ମନା କରୁନାହିଁ, ପୁଅ ଲାଗି ଲୋଡ଼ାହେଲେ ପ୍ରାଣ ଦେଇପାରେଁ, ରକ୍ତ ଟୋପାକ ବା କି ଛାର । ଦେଖୁଛ ତ ହଜୁର, ମୁଁ ବୁଢା ହେଲିଣି, ମୋର ମଲା ରକ୍ତରେ ଆଉ କଅଣ ତେଜ ଅଛି ଯେ କାମରେ ଲାଗିବ ? ହଜୁର ମା’ ବାପ, ଆଉ କିଛି ଉପାୟ ଥିଲେ କରନ୍ତୁ ।’’ ଡାକ୍ତର ଏକଥା ଶୁଣି ଟିକିଏ ହସିଦେଇ ନୀରବ ରହିଲେ । ଲାବଣ୍ୟ ସବୁ ଶୁଣୁଥିଲା, ସେ ଦୃଢ କଣ୍ଠରେ କହିଲା - ‘‘ହଜୁର ମୋ ଦେହରୁ ରକ୍ତ ନିଅ ।’’ ଡାକ୍ତର ସ୍ତମ୍ଭୀଭୂତ ହୋଇ ତାହା ମୁହଁକୁ ଚାହିଁରହିଲେ । କ୍ଷଣକ ପରେ କହିଲେ - ‘‘ତୁମେ କାହିଁକି ପରପାଇଁ ଦେହରୁ ରକ୍ତ ଦେବ ?’’ ଲାବଣ୍ୟ ଅକମ୍ପିତ କଣ୍ଠରେ କହିଲା - ‘‘ନା - ହଜୁର, ସେ ମୋର ପରନୁହେଁ । ମୁଁ ସନ୍ନ୍ୟାସିନୀ, ମୋର ପର କେହି ନୁହେଁ, ସମସ୍ତେ ଆପଣାର । ଜନସେବା ମୋର ବ୍ରତ । ମୋ’ ରକ୍ତରେ ଜଣକର ଉପକାର ହେଲେ ମୋର ଜୀବନ ସାର୍ଥକ ହେବ ।’’ ଡାକ୍ତର ମନେ ମନେ କହିଲେ - ‘‘ଏ ମହାପ୍ରାଣା ନାରୀ କିଏ, ଏହାର କି ଅଦ୍ଭୂତ ତ୍ୟାଗସ୍ୱୀକାର । ଏଭଳି ନାରୀରତ୍ନ ଯେଉଁ ଦେଶରେ ଜନ୍ମନ୍ତି, ସେ ଦେଶ ଧନ୍ୟ ।’’ ଅନନ୍ତର ଆନନ୍ଦ ପ୍ରକାଶ କରି କହିଲେ - ‘‘ତୁମେ ଏକା ପ୍ରକୃତ ଧାର୍ମିକା, ଧର୍ମର ମହତ୍ତ୍ୱ ରକ୍ଷାକରି ତୁମେ ଯେଉଁ ଆଦର୍ଶ ଦେଖାଇଲ, ସେହି ମହାଦର୍ଶ ତମ ଜାତିର ଇତିହାସରେ ଗୌରବମୟ ନୂତନ ଉଜ୍ଜ୍ୱଳ ଅଧ୍ୟାୟ ସଂଯୋଗ କରିବ । ତୁମର କିଛି ଭୟନାହିଁ, ଛଟାଙ୍କିଏ ରକ୍ତହେଲେ ଯଥେଷ୍ଟ । ସେଥିରେ ତୁମ୍ଭର ସବଳ ଦେହର କିଛି କ୍ଷତି ହେବନାହିଁ । ଲାବଣ୍ୟ କହିଲା - ‘‘ଛଟାଙ୍କିଏ କାହିଁକି, ଯେତେ ଲୋଡାହେବ ନିଅ, ମୋର କିଛି କଷ୍ଟ ହେବ ନାହିଁ ।’’ ବୃଦ୍ଧ ବୈରିଗଞ୍ଜନ ଏକଥା ଶୁଣି ଭୟରେ ଥରି ଉଠିଲେ । କହିଲେ - ‘‘ମା, ତୁମେ ସନ୍ନ୍ୟାସିନୀ, ତୁମ ଦେହରୁ ଟୋପାଏ ରକ୍ତ କ୍ଷୟହେଲେ ମୋର ସପ୍ତ ପୁରୁଷ ଅହିନର୍କରେ ପଡ଼ିବେ, ତୁମେ ମୋତେ ଏ ଚତୁର୍ଥକାଳରେ ମହାପାପରେ ବୁଡାଇ ମାରନାହିଁ ମା ।’’ ଲାବଣ୍ୟ ମଧୁର ବାକ୍ୟରେ ଶଶୁରଙ୍କୁ ଅନେକ ବୁଝାଇ କହିଲା - ‘‘ନା - ବାବା, ମୁଁ ସ୍ୱ ଇଚ୍ଛାରେ ରକ୍ତ ଦେଉଅଛି, ତୁମର ସେଥିପାଇଁ ପାପ ହେବନାହିଁ ।’’ ଲାବଣ୍ୟ ଆଉ ଅପେକ୍ଷା ନ କରି ଗଜେନ୍ଦ୍ର ପାଖରେ ଯାଇ ବସିଲା । ଡାକ୍ତର ଯନ୍ତ୍ର ଆଣି ଲାବଣ୍ୟର ବାହୁରେ ବସାଇ ତାହା ଦେହରୁ ରକ୍ତ ନେଇ ଗଜେନ୍ଦ୍ରର ହୃଦୟଯନ୍ତ୍ରକୁ ପ୍ରେରଣ କଲେ । ଲାବଣ୍ୟ ହସି ହସି ରକ୍ତଦାନ କଲା-

 

ଗଜେନ୍ଦ୍ରର ଶରୀରରେ କ୍ରମେ ବଳ ସାଞ୍ଚିତ ହେବାକୁ ଲାଗିଲା । ସେ ଚାଲିବୁଲି ପାରିଲା-। ଦୁଇ ସପ୍ତାହ ପରେ ସମ୍ପୂର୍ଣ୍ଣ ସୁସ୍ଥ ହୋଇ ହୃତ୍‌ଶକ୍ତି ଫେରିପାଇଲା । ପିତାମାତାଙ୍କ ଆନନ୍ଦ କହିଲେ ସରିବ ନାହିଁ । ତବୋଧିକ ଆନନ୍ଦିତା ହେଲା - ଲାବଣ୍ୟ । ତାହାର ଆଦର ଗୌରବ ଦିନକୁ ଦିନ ବଢିଉଠିଲା । ବୈରିଗଞ୍ଜନଦମ୍ପତି ତାକୁ ପ୍ରାଣଠାରୁ ଅଧିକ ମଣିଲେ । ତାହାର ପ୍ରଶଂସା ସେମାନଙ୍କ ମୁଖରେ ଧରିଲାନାହିଁ । ଦିନରେ ଏକାଧିକଥର କୃତଜ୍ଞତା ପ୍ରକାଶ କଲେ । ଏତେ ସମ୍ମାନ ଏତେ କୃତଜ୍ଞତା ଲାବଣ୍ୟର ଅସହ୍ୟ ହୋଇ ଉଠିଲା । ଦିନେ ଗଜେନ୍ଦ୍ର ଏବଂ ତାହାର ପିତାମାତା ବସି କେବେ ଘରକୁ ଫେରିଯିବେ, ଏହି ଆଲୋଚନା କରୁଥିଲେ; ଲାବଣ୍ୟ ଅଳ୍ପ ଦୂରରେ ବସି ଶୁଣୁଥିଲା-। ବୈରିଗଞ୍ଜନ ଗୃହିଣୀ କହିଲେ - ‘‘ମୋର ସନ୍ନ୍ୟାସିନୀ ମା’କୁ ସଙ୍ଗରେ ନେଇଯିବିୟ- ।’’ ଏହା କହି ସେଠାରୁ ଉଠିଯାଇ ଲାଲଣ୍ୟର ଚିବୁକ ଧରି କହିଲେ, ‘‘ମା, ତୁ ମୋର ଆର ଜନ୍ମରେ ମା ଥିଲୁ; ଏ ଜନ୍ମରେ ମୋତେ ପୁତ୍ର ଦାନକଲୁ । ଅକାତସମୁଦ୍ରରେ ମୋର ଜାହାଜ ବୁଡୁଥିଲା, ତୁ ତାକୁ ଉଦ୍ଧାର କଲୁ ମା । ଦଇବ ଘଟସୂତ୍ରକୁ- ମୋ ଭାଗ୍ୟବଳକୁ ତୁ ଆସିଥିଲୁ ମା । ତୋତେ ମୁଁ ସାଙ୍ଗରେ ନ ନେଇ ଫେରିବି ନାହିଁ ।’’ ବୈରିଗଞ୍ଜନ କହିଲେ - ଦଖେଁ ଭଲା ମା, ତୋର ଏ ବୁଢାପୁଅକୁ ଛାଡ଼ି ତୁ କୁଆଡ଼େ ଯିବୁ । ସହଜରେ ନଗଲେ ମୁଣ୍ଡରେ ବସାଇ ଟେକି ନେଇଯିବି ।’’ ପିତାମାତାଙ୍କର ଏ ବ୍ୟାକୁଳତା ଗଜେନ୍ଦ୍ର ସମ୍ଭାଳିପାରିଲା ନାହିଁ, ସେ ଉଠି ପଡି କହିଲା - ‘‘ଆସ ଲାବଣ୍ୟ, ବାବାମା’ଙ୍କୁ ଦଣ୍ଡବତ କରିବା ।’’ ଲାବଣ୍ୟ ଉଠି ଆସିଲା, ପୁତ୍ର ପୁତ୍ରବଧୂ ଦୁହେଁ ଯାଇ ବୃଦ୍ଧବୃଦ୍ଧାଙ୍କ ଚରଣରେଣୁ ମସ୍ତକରେ ଗ୍ରହଣ କଲେ । ବୃଦ୍ଧବୃଦ୍ଧା ନିର୍ବାକ ବିସ୍ମୟରେ ପୁତ୍ରର ମୁଖକୁ ଚାହିଁ ରହିଲେ । ଗଜେନ୍ଦ୍ର ମୁହଁ ତଳକୁ ପୋତି ସଲଜ୍ଜ ମୃଦୁ ହାସରେ କହିଲା, ‘‘କି ମା, ଚିହ୍ନିପାରୁ ନାହୁଁ ? ସେ ତୋ ବୋହୂ ପରା । ସେ ମନା କରିଥିବାରୁ ମୁଁ ତୋତେ କହିନାହିଁ । ଆଜି ତୋର ଆତୁରତା ଦେଖି ଆଉ ସହି ନପାରି କହି ପକାଇଲି ।’’ ସ୍ୱାମୀଙ୍କର ଏ ଉକ୍ତିରେ ଲାବଣ୍ୟର ମୁଖ ପାଣ୍ଡୁର ହୋଇଗଲା, ସେ ମଧ୍ୟ ଲଜ୍ଜାରେ ଅଧୋବଦନ ହୋଇରହିଲା । ବୃଦ୍ଧା ବୋହୂକୁ କୁଣ୍ଢାଇ ପକାଇ କହିଲେ - ‘‘ମା, ତୋର ଏବେଶ, ଏହାଦେଖି ମୋର ଛାତି ଫାଟିଯାଉନାହିଁ । ଆଖି ଫୁଟିଯାଉ ନାହିଁ । ଧିକ୍‌ ମୋତେ ମୋହରି ଲାଗି ତୋର ଏ କାଙ୍ଗାଳୁଣୀ ବେଶ ମା ।’’ ବୃଦ୍ଧା ଆଉ କହିପାରିଲେ ନାହିଁ, ଦାରୁଣ ଅନୁଶୋଚନା ତାଙ୍କର କଣ୍ଠରୋଧ କରିଦେଲା । ସେ ଭୋ ଭୋ କରି କାନ୍ଦିପକାଇଲେ । ସହଧର୍ମିଣୀଙ୍କୁ କାନ୍ଦିବାର ଦେଖି ବୈରିଗଞ୍ଜନଙ୍କର ଅଶ୍ରୁଝର ମୁକୁଳା ହୋଇଗଲା-। ଗଜେନ୍ଦ୍ର ଏବଂ ଲାବଣ୍ୟର ନେତ୍ର ମଧ୍ୟ ଶୁଷ୍କ ରହିଲା ନାହିଁ । ଅଶ୍ରୁରେ ବିଚ୍ଛେଦ ଘଟିଥିଲା, ପୁଣି ଅଶ୍ରୁରେ ମିଳନ ହେଲା । ବୃଦ୍ଧା ଲାବଣ୍ୟକୁ କୋଳରେ ବସାଇ ନିଜ ଦେହରୁ ଅଳଙ୍କାର ବାହାର କରି ତାକୁ ପିନ୍ଧାଇ ଦେଲେ । ଲାବଣ୍ୟ ଆଉଥରେ ଶାଶୂଶଶୁରଙ୍କୁ ଦଣ୍ଡବତ କଲା-। ସେମାନେ ଉପଯୁକ୍ତ ଆଶୀର୍ବାଦଦ୍ୱାରା ବଧୂକୁ ଆପ୍ୟାୟିତ କଲେ । ବୃଦ୍ଧା କହିଲେ - ‘‘ମା, ରାଗବଶରେ ତୋତେ ପାହାରେ ପିଟିଦେଇଥିଲି, ସେହି ସନ୍ତାପ ମୋ କଲିଜାରେ ଯେଉଁ ଚେଙ୍କା ବସାଇ ଦେଇଛି ସେ ଘା ଶୁଖିବ ନାହିଁ, କି ତାହାର ଜଳାପୋଡା ବନ୍ଦ ହେବ ନାହିଁ । ମାଟି, ପବନ, ଗଛ, ପତ୍ର ସମସ୍ତେ ମୋତେ ଧିକ୍‌କାର କରୁଅଛନ୍ତି । ତୁ ମୋର ଝିଅ, ମାର ଅପରାଧ ଘେନିବୁ ନାହିଁ, ତୋ’ପରି ଦେବୀ ବଧୂ ପାଇ ମୋର ବଂଶ ପବିତ୍ର ହେଲା ।’’ ବୃଦ୍ଧ କହିଲେ - ‘‘ମୁଁ ମଧ୍ୟ ସାମାନ୍ୟ ପାପୀ ନୁହେଁ ମା । ପାଞ୍ଚମାଣ ଜମି ଲାଗି ମୁଁ ତୋତେ ତ୍ୟାଗ କରିଥିଲି, ତୁ ଆଜି ମୋତେ ପାଞ୍ଚ କୋଟି ଟଙ୍କା ଦେଲୁ । ତୋର ବିନ୍ଦୁଏ ରକ୍ତର ମୂଲ୍ୟ କୋଟିଏ ଟଙ୍କାରୁ ଅଧିକ । ତୁ ସତୀ, ପତି ଲାଗି ବାରମ୍ବାର ନିଜ ପ୍ରାଣକୁ ବିପନ୍ନ କଲୁ । ତୋହରି ଧର୍ମ ତୋତେ ରକ୍ଷାକରି ମୋର ବଂଶ ରକ୍ଷାକଲା । ତୁ ଦେହରୁ ରକ୍ତଦାନ କରି ପତିର ପ୍ରାଣ ରକ୍ଷାକଲୁ । ତୋହର ଏହି ଅଦ୍ଭୁତ କରଣୀ ତୋତେ ଅମର କରି ରଖିବ । ସତୀ ସ୍ତ୍ରୀମାନେ ତୋର ଚରଣଧୂଳି ମସ୍ତକରେ ବୋଳିହେବାକୁ ଲାଳାୟିତ ହେବେ, ଆଉ ଅଧିକ କଅଣ କହିବି, ଏ ନିର୍ବୋଧ ବୃଦ୍ଧର ଅପରାଧ ତୁ ନିଜଗୁଣରେ ମାର୍ଜନା କରିବୁ ।’’ ଲାବଣ୍ୟ ଏହା ଶୁଣି ଅତିବ୍ୟଥିତ ହୋଇ କହିଲା, ‘‘କାହାରି ଦୋଷ ନାହିଁ ବାବା, ସବୁ ନିୟତିର ଖେଳ । ଯାହା ହେବାର ଥିଲା, ତାହା ହୋଇଗଲା, ସେଥିପାଇଁ ସନ୍ତାପି ହେବା ଅକାରଣ । ମୁଁ ସବୁ ଭୁଲି ଯାଇଛି, ତୁମ୍ଭେମାନେ ସେହିପରି ଭୁଲିଯାଅ । ତୁମ୍ଭେମାନେ ଗୁରୁଜନ ହୋଇ ମୋ ପାଖରେ ଲଘୁତା ପ୍ରକାଶ କଲେ ମୋର ମଙ୍ଗଳ ହେବ ନାହିଁ । ବୃଦ୍ଧ ଏହାଶୁଣି ବୋହୂ ମୁଣ୍ଡରେ ହାତ ଦେଇ ଆଶୀର୍ବାଦ କଲେ-। ସେ ପୁରୀରେ କେତେଦିନ ରହି ବଡ଼ଦେଉଳ ନୀଳଚକ୍ରରେ ଷାଠିଏ ହାତ ନେତ ବାନ୍ଧି ଏବଂ ଜଗନ୍ନାଥଙ୍କ ପାଇଁ ଭୋଗ ଖଞ୍ଜି ଭାର୍ଯ୍ୟା ଏବଂ ପୁଅବୋହୂଙ୍କୁ ସଙ୍ଗରେ ଘେନି ମହାନନ୍ଦରେ ଗୃହକୁ ପ୍ରସ୍ଥାନ କଲେ ।

Image